Unknown

 

 

 

 

 

 

 

 

 

 

୧୫୮ତମ ସଂଖ୍ୟା କୋଣାର୍କ ୨୦୧୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ :

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଡକ୍ଟର ବିଜୟାନନ୍ଦ ସିଂହ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ

 

 

ସୂଚୀ

ସମ୍ପାଦକୀୟ

୧.

ଆଦିବାସୀ କବିତାରେ ପ୍ରେମ ଓ ବିବାହ

ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା

୨.

ଓଡ଼ିଆ ସମର କାବ୍ୟ ଓଡ଼ିଶାର ଜାତୀୟ ଗୌରବ

ଡକ୍ଟର ଇନ୍ଦିରା ଦାଶ

୩.

ଓଡ଼ିଆ ବଙ୍ଗଳା ଓ ଅସମୀୟା ରୂଢ଼ି ବୈଚିତ୍ର୍ୟ

ଡକ୍ଟର ନାରାୟଣ ସାହୁ

୪.

ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ‘ପ୍ରଭାତ’

ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ

୫.

ଓଡ଼ିଶାର ଲୋକ ନାଟକରେ ରାମ ନାଟକ

ଲିଙ୍ଗରାଜ ନାହାକ

୬.

ମଧ୍ୟଯୁଗୀୟ ଭକ୍ତି ପରମ୍ପରା ଓ କବି ଭକ୍ତଚରଣ ଦାସ

ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ

୭.

‘‘ସମନ୍ୱୟବାଦୀ କବି ରାଧାମୋହନ ଗଡ଼ନାୟକ’’

ବିରଞ୍ଚି ନାରାୟଣ ସାମଲ

୮.

ଓଡ଼ିଆ ଲୋକ ସାହିତ୍ୟରେ ପ୍ରଚଳିତ ବିବାହ-

ଏକ ଦୃଷ୍ଟିପାତ

ଡକ୍ଟର ସୀମାଞ୍ଚଳ ପ୍ରଧାନ

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୮.

ସମ୍ପାଦକଙ୍କ ନାମ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଡକ୍ଟର ହରପ୍ରସାଦ ପରିଛା ପଟନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-।

 

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସମ୍ପାଦକୀୟ

ଓଡ଼ିଆ ସଂସ୍କୃତି ଓ ପରମ୍ପରା

 

ଉତ୍କଳୀୟ ସଂସ୍କୃତିର ଏକ ନିଜସ୍ୱ ପରିଚୟ ରହିଛି । ଏହା ପ୍ରାଚୀନ ସଂସ୍କୃତି । ସମୟର ଘାତ ପ୍ରତିଘାତ ମଧ୍ୟରେ ଉତ୍କଳୀୟ ସଂସ୍କୃତି ନିଜସ୍ୱ ପରମ୍ପରା ଓ ଧାରାକୁ ଉଜ୍ଜୀବିତ କରିରଖିଛି । ବରଂ ଓଡ଼ିଶାର ସଂସ୍କୃତି ହୋଇଛି ଦୀପ୍ତିମନ୍ତ । ଓଡ଼ିଶାର ସଂସ୍କୃତି ହେଉଛି ମାନବିକ ସଂସ୍କୃତି । ମଣିଷର ଜୟଗାନ କରିବା ସହ ମାନବିକ ସଂହତି ଓ ଏକତାକୁ ପ୍ରାଧାନ୍ୟ ଦେଇ ଆସିଛି । ଓଡ଼ିଶାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରମାଣ କରେ ଯେ ଦେବତା ବି ଭକ୍ତ ନିକଟକୁ ଆସିପାରନ୍ତି । ଓଡ଼ିଶାର ମହାନ କବି ସନ୍ଥ ଭୀମଭୋଇ ବିଶ୍ୱର କଲ୍ୟାଣ କାମନା କରି ଲେଖନୀ ଚାଳନା କରିଯାଇଛନ୍ତି । ଓଡ଼ିଶାରେ ପୁଣି ସର୍ବଧର୍ମର ସମନ୍ୱୟ ହୋଇଛି । ଓଡ଼ିଶା ଆପଣାର କରି ନେଇଛି ଅନ୍ୟକୁ । ସକଳ ଭେଦଭାବ ଭୁଲି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବିକତାର ଜୟଗାନ କରିଛି ଓଡ଼ିଶା । ବାଣିଜ୍ୟ, ବହିର୍ବାଣିଜ୍ୟ ମଧ୍ୟରେ ଓଡ଼ିଶାର ସମ୍ପର୍କ ବିସ୍ତାରିତ ହୋଇଥିଲା ଜାତୀୟ ଆନ୍ତର୍ଜାତୀୟ ସ୍ତରକୁ ।

 

ଓଡ଼ିଶାର ସାଂସ୍କୃତି ପରିମଣ୍ଡଳ ବେଶ୍ ସମୃଦ୍ଧ । ଓଡ଼ିଶାରେ ଏପରି କଳା, ଲୋକ କଳା ରହିଛି ଯାହା ଯେପରି ମନୋମୁଗ୍‌ଧକର ସେପରି ଆକର୍ଷଣୀୟ । ଏସବୁର ସ୍ୱତନ୍ତ୍ର ପରିଚୟ ରହିଛି-। ଓଡ଼ିଆର କେନ୍ଦରାଗୀତ, ଧୁଡ଼ୁକି ବାଦ୍ୟ, ଚକୁଳିଆ ପଣ୍ଡା ଗୀତ, ତଅପୋଇ ଓଷା ଗୀତ, ଆଦିବାସୀ ସଂଗୀତ, ନୃତ୍ୟ, ପୁଚି ଖେଳ, ବାଗୁଡ଼ି ଖେଳ, ଏପରିକି ବିବାହ ପରେ କନ୍ୟା ବିଦାୟ ସମୟରେ କାନ୍ଦଣା ପ୍ରଭୃତିରେ ଓଡ଼ିଶାର ସ୍ୱକୀୟ ଚେତନା ପ୍ରତିଫଳିତ । ଶଙ୍ଖ ବାଦ୍ୟ, ମହୁରୀ ବାଦ୍ୟ, ଘଣ୍ଟ ବାଦ୍ୟ, ଗୀତିନାଟ୍ୟ, କଣ୍ଢେଇ ନାଚ, ପାଲା ଦାସକାଠିଆ ମଧ୍ୟ ଓଡ଼ିଶାର ନିଜସ୍ୱ କଳା ।

 

ଏକବିଂଶ ଶତାବ୍ଦୀ ପରିବର୍ତ୍ତନର ଶତାବ୍ଦୀ । ସଂପ୍ରତି ସମଗ୍ର ବିଶ୍ୱ ପରିବର୍ତ୍ତିତ ହେଉଛି । କାଲି ଯାହା ଅସମ୍ଭବ ମନେ ହେଉଥିଲା, ତାହା ଆଜି ସମ୍ଭବ ହେଉଛି । ବିଶ୍ୱ ଯେପରି ଦିନକୁ ଦିନ ଆମର ନିକଟତର ହେଉଛି । ସମଗ୍ର ବିଶ୍ୱକୁ ଏ ସ୍ଥାନରୁ ଦେଖି ହେଉଛି- ସମଗ୍ର ବିଶ୍ୱର ସମ୍ବାଦ ମୁହୂର୍ତ୍ତକ ମଧ୍ୟରେ ଜଣାପଡ଼ିଯାଉଛି । ବିଶ୍ୱାୟନ ପ୍ରକ୍ରିୟାରେ ପୃଥିବୀର ରୂପ ବଦଳି ଯାଉଛି । ପ୍ରତିବନ୍ଧକକୁ ମଣିଷ ସହଜରେ ଅତିକ୍ରମି ନୂତନ ସମ୍ରାଜ୍ୟ ନିର୍ମାଣ କରିପାରୁଛି ।

 

ବିଶ୍ୱାୟନ ପ୍ରକ୍ରିୟାରେ ଜୀବନ ପରମ୍ପରା ଓ ସଂସ୍କୃତିଠାରୁ ଦୂରେଇ ଯାଉଛି । ଆଧୁନିକ ଭୋଗ, ବିଳାସ, ଉପଭୋକ୍ତାବାଦ ଆମ ମୌଳିକ ପରମ୍ପରା ଓ ନିଜସ୍ୱ ଭାବକୁ ସଂକୁଚିତ କରିପକାଉଛି । ଅନ୍ୟ ସଂସ୍କୃତି, ଲୋଭନୀୟ ପରମ୍ପରାରେ ଆକର୍ଷିତ ହୋଇ ଜନ୍ମଭୂମିର ପରମ୍ପରା ଓ ସଂସ୍କୃତିକୁ ଭୁଲି ବସୁଛେ । ଯାହା ଏହି ଜାତିର ଅଗ୍ରଗତିରେ ସଂକଟ ଓ ପ୍ରତିବନ୍ଧକ । ଫଳତଃ ଆମ ଭୂମିରେ ଆମ ଭୂମିକା ବଦଳରେ ପାଶ୍ଚାତ୍ୟ ପ୍ରଭାବ ଗୁରୁତ୍ୱଲାଭ କରିଛି । ଏସବୁର ବିଚାର କରିବାର ସମୟ ଆସିଛି ।

 

ସାହିତ୍ୟସ୍ରଷ୍ଟା, ଲେଖକମାନଙ୍କର ଏ କ୍ଷେତ୍ରରେ ଗୁରୁଦାୟିତ୍ୱ ରହିଛି । ସେମାନେ ଏ ଦିଗରେ କ୍ରମେ ଲେଖନୀଚାଳନା କରନ୍ତୁ । ଆମ ମହନୀୟ ସଂସ୍କୃତିର ବୈଶିଷ୍ଟ୍ୟରେ ଶ୍ରେଷ୍ଠତ୍ୱ ପ୍ରକଟିତ କରନ୍ତୁ । ଲେଖକମାନେ ସଚେତନ ହୋଇ ଭବିଷ୍ୟତ୍ ପାଇଁ ପଥ ନିର୍ଦ୍ଦେଶ କରନ୍ତୁ । ମାଟି ମନସ୍କ ହେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରନ୍ତୁ ଲେଖକମାନେ । କାରଣ ଲେଖକମାନେ ପରିବର୍ତ୍ତନ ପାଇଁ ସହଜରେ ଭିତ୍ତିଭୂମି ନିର୍ମାଣ କରିପାରିବେ ।

 

 

-୨-

ଓଡ଼ିଶାର କଳା-ସଂସ୍କୃତିର ସମୃଦ୍ଧି ପାଇଁ ୧୫୮ ସଂଖ୍ୟା କୋଣାର୍କ ସମର୍ପିତ । ଆଦିବାସୀମାନଙ୍କ ପ୍ରେମ ଓ ବିବାହକୁ ଆଲୋଚନା କରାଯିବା ସହ ଓଡ଼ିଆ ସମର କାବ୍ୟଧାରା ସମ୍ପର୍କରେ ଆଲୋକପାତ କରାଯାଇଛି । ଓଡ଼ିଆ-ବଙ୍ଗଳା, ଅସମୀୟା ଭାଷାର ରୂଢ଼ି ଓ ବୈଚିତ୍ର୍ୟକୁ ପ୍ରକାଶିତ ହୋଇଛି । ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ‘ପ୍ରଭାତ’ର ଇତିହାସ ପର୍ଯ୍ୟାଲୋଚନା ଏ ସଂଖ୍ୟାର ବୈଶିଷ୍ଟ୍ୟ । ଓଡ଼ିଆ ଲୋକନାଟକରେ ରାମନାଟକ ପ୍ରସଙ୍ଗର ସମୀକ୍ଷା ବେଶ୍ ଚମକପ୍ରଦ-। ଓଡ଼ିଆ ସାହିତ୍ୟରେ କେବଳ ନୁହଁନ୍ତି ମଧ୍ୟଯୁଗୀୟ ଭକ୍ତି ପରମ୍ପରାରେ ଅନନ୍ୟ କବି ଭକ୍ତ ଚରଣଦାସଙ୍କ ସ୍ୱକୀୟ ଭାବଶୈଳୀ ଓ ଜୀବନଦର୍ଶନ ନିଶ୍ଚିନ୍ତ ପାଠକମାନଙ୍କୁ ଆମୋଦିତ କରିବ । ଓଡ଼ିଆ ଲୋକ ସାହିତ୍ୟରେ ପ୍ରଚଳିତ ବିବାହ କଥାକୁ ଉଦ୍ଧାର ଓ ସଂଗ୍ରହ କରାଯାଇ ସବିଶେଷ ପର୍ଯ୍ୟାଲୋଚନା କରାଯାଇଛି । ଚଳିତ ବର୍ଷ ଆମ ସାହିତ୍ୟର ବରେଣ୍ୟକବି, ଛନ୍ଦ କବି ରାଧାମୋହନ ଗଡ଼ନାୟକ ଶତବାର୍ଷିକ ପାଳନ କରାଯାଉଛି । ଏହି ଉପଲକ୍ଷ୍ୟେ କବି ଗଡ଼ନାୟକଙ୍କ କାବ୍ୟ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କ କାବ୍ୟ ସାହିତ୍ୟକୁ ବିଶ୍ଲେଷଣ କରାଯାଇଛି ।

 

ଓଡ଼ିଶାର ସଂସ୍କୃତି ପରମ୍ପରାର ବିକାଶରେ କୋଣାର୍କ ନିଶ୍ଚୟ ଅଗ୍ରଗଣ୍ୟ ଦାୟିତ୍ୱ ସମ୍ପାଦନ କରିବ ଏହା ଆମର ସଂକଳ୍ପ ।

 

ସଂସ୍କୃତି ଭବନ

ଭୁବନେଶ୍ୱର

ବିଜୟାନନ୍ଦ ସିଂହ

ସମ୍ପାଦକ

 

***

 

ଆଦିବାସୀ କବିତାରେ ପ୍ରେମ ଓ ବିବାହ

ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା

 

ଜଣେ ଗବେଷକ ତାଙ୍କ ଗବେଷଣା ଗ୍ରନ୍ଥ ‘ଛତିଶ ଗଡ଼ର ଲୋକଗୀତ’ ("Folk songs of Chhatisgarh") ଗ୍ରନ୍ଥରେ ଛତିଶଗଡ଼ ଆଦିବାସୀମାନଙ୍କ ଗୀତ ମଧ୍ୟରୁ କେତେକ ସଂଗ୍ରହ କରି ତାର ଇଂରାଜୀ ଅନୁବାଦ କରିଛନ୍ତି । ଏହି ଗ୍ରନ୍ଥର ପ୍ରଣେତା ହେଉଛନ୍ତି Verrier Elwin ଏବଂ ଏହାର ମୁଖବନ୍ଧ ଲେଖିଛନ୍ତି- W.G. Archer କବି ଡଃ ସୀତାକାନ୍ତ ମହାପାତ୍ର ଏହି ଗ୍ରନ୍ଥରୁ କେତେକ ତଥ୍ୟ ସଂଗ୍ରହ କରି ତାର ଉପଯୋଗରେ ପ୍ରସ୍ତୁତ କରିଛନ୍ତି ‘‘ଡୁଙ୍ଗ୍ ଡୁଙ୍ଗା ଓ ସୁରୁଡ଼ି ।’’ ଏହି ପ୍ରବନ୍ଧଟି ‘‘ଉତ୍କଳ ସାହିତ୍ୟ ସମାଜ’’ ଅନୁଷ୍ଠାନଦ୍ୱାରା ‘ସାହିତ୍ୟିକ ଅଭିଭାଷଣ’ ଗ୍ରନ୍ଥରେ ଗ୍ରନ୍ଥାୟିତ ହୋଇଛି । ଡଃ ମହାପାତ୍ର ଆଦିବାସୀ କବିତାର ନଅ ଗୋଟିଏ ସଙ୍କଳନ ପ୍ରସ୍ତୁତ କରି ସେଗୁଡ଼ିକର ଓଡ଼ିଆ ଓ ଇଂରାଜୀ ଅନୁବାଦ ମଧ୍ୟ କରିଛନ୍ତି । ପଦ୍ମଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ ‘‘The Hill Tribes of Jeypore’’ ଗ୍ରନ୍ଥରେ ଅଳ୍ପ କେତୋଟି ଆଦିବାସୀ ଗୀତର ଅନୁବାଦ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କଦ୍ୱାରା ପ୍ରସ୍ତୁତ କରାଇଛନ୍ତି । ତାଛଡ଼ା ତାଙ୍କଦ୍ୱାରା ସଙ୍କଳିତ ‘‘ଗାନ୍ଧର୍ବିକା ଶତଦଳ’’ ରେ ମଧ୍ୟ କେତେକ ଆଦିବାସୀ କବିତାରେ ଓଡ଼ିଆ ଅନୁବାଦ ପ୍ରସ୍ତୁତ କରାଯାଇଛି । ପ୍ରତାପ କୁମାର ପଣ୍ଡା ‘‘ଓଡ଼ିଶାର କନ୍ଧ ଲୋକ ସଙ୍ଗୀତ : ଏକ ସାହିତ୍ୟିକ ସାଙ୍ଗୀତିକ ଅନୁଶୀଳନ’’ ନାମକ ଗ୍ରନ୍ଥରେ ଡଃ ଅନନ୍ତ ଚରଣ ସାହୁ, ଡକ୍ଟର ଖଗେଶ୍ୱର ମହାପାତ୍ର, ଉତ୍ସବ ଚନ୍ଦ୍ର ଜେନା ଆଦିଙ୍କ ଅଗ୍ରଲେଖ ସହିତ ବହୁ ବନବାସୀଙ୍କଠାରୁ ସଂଗୃହୀତ କବିତାବଳୀର ସଙ୍କଳନରେ ମୂଳ ଆଦିବାସୀ ଗୀତ ଓ ତାର ଓଡ଼ିଆ ଅନୁବାଦ ପ୍ରଦାନ କରିଛନ୍ତି । ଏସବୁ ଗ୍ରନ୍ଥ ବ୍ୟତୀତ ମୁଁ ଯେଉଁ କେତେକ କବିତା ସଂଗ୍ରହ କରିଛି ତାର ଉପଯୋଗ କରି ଏହି ଆଲୋଚନାରେ ଆଦିବାସୀମାନଙ୍କ ଜୀବନ ଚର୍ଯ୍ୟାରେ ପ୍ରେମ ଓ ବିବାହ ସମ୍ପର୍କିତ କେତୋଟି କବିତାର ବିଶ୍ଲେଷଣ କରିଛି । ଏଠାରେ ଏତିକି କହିବାକୁ ମୁଁ ଉଚିତ ମନେକରୁଛି ଯେ ମୁଁ ଏଯାବତ୍ ଖଣ୍ଡିଏ ଆଦିବାସୀ-ଓଡ଼ିଆ କୋଷଗ୍ରନ୍ଥ, ଆଦିବାସୀ-ଓଡ଼ିଆ ବ୍ୟାକରଣ ପାଇନାହିଁ । ତେଣୁ ଏହି ପ୍ରବନ୍ଧ କେବଳ ଅନୁଦିତ କବିତାରେ ସାହାଯ୍ୟ ନେଇ ପ୍ରସ୍ତୁତ କରାଯାଇଛି ।

 

ପ୍ରତାପ କୁମାର ପଣ୍ଡାଙ୍କ ଉଦ୍ୟମରେ ସଂଗୃହୀତ କେତୋଟି ଆଦିବାସୀ ବିବାହ ଗୀତ ଏହିପରି-

 

ବିହାପାଚୁ-ବାହାଘର ଗୀତ :

‘‘ଆସ ସାଙ୍ଗ ନାଚ ଗୀତ କରିବା

ସୁରୂଯ ବୁଡ଼ିଯିବା ପୂର୍ବରୁ

ତାହା ଶୁଣି ଶେଷ କରିଦେବା

ହେ ସାଙ୍ଗ, ନିଆଁରେ ଖଇ ଫୁଟିଲା ପରି

ଆମ ଜୀବନ ।’’

‘‘ଫୁଟିଲା ଫୁଲ ପରି ଆମ ଯୌବନର

ଦିନେ ମହାଯାତ୍ରା ହେବ

ଆସ ସାଙ୍ଗ, ନାଚ ଗୀତ ମଧ୍ୟ ଦେଇଯିବା

ଆନନ୍ଦ ଉଲ୍ଲାସ ଚିତ୍ତରେ ।’’

‘‘ସୁରୂଜ ବୁଡ଼ିଯିବା ପୂର୍ବରୁ ଆମେ

ତାହା ଶେଷ କରିଦେବା ।’’

(ଅନୁବାଦିକା-ସୁଜାତା ଜିଲାକାର । ଓଡ଼ିଶାର କନ୍ଧଲୋକ ସଙ୍ଗୀତ.....ପୃ ୨୮)

 

ଅନୁବାଦିକା କହିଛନ୍ତି, ଏହି ଗୀତକୁ କନ୍ଧ ଧାଙ୍ଗିଡ଼ୀମାନେ ବିବାହିତା ଝିଅକୁ ଶାଶୁ ଘରକୁ ନେବାବେଳେ ଗାଇଥାଆନ୍ତି ।

 

ପ୍ରେମିକା ତା ପ୍ରେମିକାକୁ ପ୍ରଶଂସା କରି ଗୀତ ଗାଏ । ଦେଶିଆ କନ୍ଧ ଗୀତର ଅନୁବାଦିକା ସୁଜାତା କିଲାକାରଙ୍କର ପ୍ରେମ ମୂଳକ ଗୀତିର ଅନୁବାଦଟି ଏହିପରି-

 

ହେ ପ୍ରେମିକା, ତୁମେ ଲତା

ବାଙ୍କି ବାଙ୍କି ଯାଉଛ ।

ଚାରିଆଡ଼େ ଅଳସୀ ଫୁଲ

ମାତ୍ର ତୁମେ ଅଳସୀ ରଙ୍ଗଠାରୁ

ଆହୁରି ସୁନ୍ଦର ଭାବେ ବାଙ୍କି ବାଙ୍କି ଯାଉଛ

କଥାରେ, ହସରେ ଭଙ୍ଗୀରେ ! ସବୁ ନୂତନତା ତାର ଭାଙ୍ଗ ବୋଳି ଯାଇଛି ।

(ତତ୍ରୈବ ପୃଷ୍ଠା-୨୫)

 

କୁଟିଆ ଭାଷାର ଗୋଟାଏ ସେଡ଼ିଗାଣୀ (ବାହାଗୀତ) :

ବାପଘର ପକ୍ଷ

ନାଇଁ ଝିଅ ତୋତେ ଖତଗଦାକୁ

 

 

ପକାଇ ଦେଉ ନାହୁଁ ।

 

 

ଖୁବ୍ ଭଲ ଘରେ ଦେବୁଁ/ତୁ ସୁଖରେ ରହିବୁ ।

ଶାଶୁଘର ପକ୍ଷ

ଆମ ବୋହୂକୁ ଆମେ ପଦାରେ

 

 

ନ ପକାଇ ଭଲରେ ରଖିବୁ ।

ବାପଘର ପକ୍ଷ

ଆମ ଘରେ ଝିଅ ଭଲରେ ଥିଲା ।

 

 

ତୁମ ଘରେ ହଇରାଣ କଲେ

 

 

ଝିଅ ଆମର କଷ୍ଟ ପାଇବ ।

 

 

ଆମେ ଝିଅକୁ ବର୍ଷା ପାଣିରେ

 

 

ଭିଜାଇ ନଥିଲୁ ।

 

 

ତୁମେ ଯଦି ପାଣିରେ ଭିଜାଇବ ?

ଶାଶୁଘର ପକ୍ଷ

ଆମେ ସେମିତି କରିବୁଁ ନାହିଁ

 

 

ବା ଘରୁ କାଢ଼ିଦେବୁଁ ନାହିଁ ।

 

ଏହି ଅନୁବାଦ ଅତିମାତ୍ରାରେ ଗଦ୍ୟଧର୍ମୀ ।

 

ଝିଅକୁ ବାହା ପୂର୍ବରୁ ଦେଖିବାକୁ ଯିବା ଗୀତରେ ଝିଅକୁ ଟିକି ନିଖି ନିଠେଇ ଦେଖାଯିବା କଥା ଏବଂ ପସନ୍ଦ ହେଲେ, ‘ଏଇ ଝିଅ ସୁନ୍ଦର’ କହି ତାକୁ ବୋହୂ କରିବାର ପ୍ରତିଶ୍ରୁତି ଦିଆଯାଏ । ଶେଷରେ ‘‘ତୋ ପୁଅ ପାଇଁ ଝିଅ ମାଗି ଆସିଛି’’ କହି ଝିଅ ଦେଖା ପର୍ବ ଶେଷ କରାଯାଏ । ଏହାପରେ କେତେକ ପରିବାରରେ ବିଧି ଅନୁସାରେ ଝିଅକୁ ଗୀତ ଗାଇ ଝିଙ୍କି ଆଣନ୍ତି ।

 

ଭେଣ୍ଡିଆ ଟୋକା କୁଣିଆ ହୋଇ ଘରକୁ ଆସିଥିଲେ ସମବୟସ୍କା ଝିଅମାନେ ତାକୁ ଥଟ୍ଟା କରି ଗୀତ ଗାଆନ୍ତି ।

 

ପ୍ରେମରେ ପଡ଼ି ଝିଅ ତା ଅତୀତ କିପରି ସ୍ମରଣ କରିଛି ତାର ଲିପିବଦ୍ଧ ଏହିପରି । ‘‘ମୋ ଜୀବନରେ ଶକ୍ତି ନାହିଁ, ସୁଖ ନାହିଁ/ମୁଁ ପ୍ରେମ କଥା କିଛି ଜାଣି ନ ଥିଲି । ଭେଣ୍ଡିଆମାନେ ବୁଲି ଆସିଲେ/ପ୍ରେମ କଥା କହି ଫାନ୍ଦରେ ପକାଇ ଦେଲେ/ସେ ସବୁକୁ ଆଉ ଭୁଲି ପାରି ନଥିଲି । ଅନୁବାଦକ-ଚୈତନ୍ୟ କହଁର (ଓଡ଼ିଶାର କନ୍ଧଲୋକ ସଙ୍ଗୀତ, ପୃ-୪୧)

 

ଆଦିବାସୀ ଗୀତକୁ ଓଡ଼ିଆ ଅକ୍ଷରରେ ଲେଖିବା ଓ ଓଡ଼ିଆ ଭାଷାର ସ୍ୱର ବ୍ୟଞ୍ଜନାଅନୁସାରେ ଉଚ୍ଚାରଣ କରିବା ଆଦୌ ଭାଷା ବିଜ୍ଞାନ ସମ୍ମତ ନୁହେଁ । କାରଣ ଫୁସ୍‍ଫୁସ୍‌ରୁ ପବନ ବହିର୍ଗତ ହେଲେ ଓଡ଼ିଆ ଭାଷାର ଧ୍ୱନି ଉଚ୍ଚାରିତ ହୋଇଯାଏ । ପ୍ରଫେସର ଗୋଲକ ବିହାରୀ ଧଳ କହିଛନ୍ତି- ଆଦିବାସୀ ଭାଷାରେ ଏପରି ଧ୍ୱନି ଅଛି ଯାହାକୁ ଉଚ୍ଚାରଣ କାଳରେ ପବନ ଛାଡ଼ିବା ପରିବର୍ତ୍ତେ ପବନ ଖାଇବାକୁ ପଡ଼େ । ତେଣୁ ଆଦିବାସୀ ଭାଷାରେ ହାକୁଟି ମାରିବା ପରି କିଛି ଧ୍ୱନି ବାକ୍ ପ୍ରକାଶ କାଳରେ ଶୁଣାଯାଏ । ଆଦିବାସୀ ଲିପି, ଆଦିବାସୀ ଭାଷାର ସ୍ୱର, ବ୍ୟଞ୍ଜନ ଓ ଅନ୍ତର୍ମୁଖୀ ଧ୍ୱନି ପରିସୂଚକ ଧ୍ୱନି ସମ୍ପର୍କରେ ବର୍ଣ୍ଣାତ୍ମକ ଭାଷାତତ୍ତ୍ୱର ଗ୍ରନ୍ଥ ପ୍ରକାଶ କାଳରେ ପାଇଲେ ଏହି ଭାଷାକୁ ଠିକ୍ ଭାବେ ପଢ଼ିହେବ । ତେଣୁ କେବଳ ଓଡ଼ିଆ ଅନୁବାଦରୁ ଗୋଟିଏ ଭାଷାର ଅଦ୍ୟାବଧି ଉଲ୍ଲିଖିତ ଗୀତକୁ ଆଲୋଚନା କରାଯିବା ଅବସରରେ, ଅନୁବାଦ ଯେ ଏକାନ୍ତ ଭାବେ ବିଶ୍ୱସ୍ତ ତାହା କୁହାଯାଇ ନ ପାରେ । ସେଇ ଅନୁବାଦ ମଧ୍ୟରେ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ‘‘ଗାନ୍ଧର୍ବିକା ଶତଦଳ’’ ଅନ୍ୟତମ । ଏଠାରେ ସେହି ଗ୍ରନ୍ଥରୁ କେତୋଟି ଦୃଷ୍ଟାନ୍ତ ଆଲୋଚ୍ୟ ପ୍ରସଙ୍ଗରେ ଅବତାରଣା କରାଯାଇଛି । ପ୍ରେମିକାକୁ ଦେଖି ପ୍ରେମିକ ମନରେ ଯେଉଁ ଅନୁଭବ ଆସିଛି ତାହା ନିମ୍ନ କବିତାରେ ବ୍ୟକ୍ତ । (ଧାଙ୍ଗିଡ଼ୀର ଶ୍ରଦ୍ଧା ନାମ ହେଲା- ‘‘ନିଲସ’’ ।)

 

ହେ ନିଲସ/ତୁମ୍ଭ ମୁହଁ ରଙ୍ଗମାତ୍ର ଦେଖିବା ସାର ହେଲା ।

ଜୁଳୁଜୁଳିଆ ପୋକ ପରି ତୁମ୍ଭେ ହେଲ ।

ଖଟା ଲେମ୍ବୁପରି ତୁମ୍ଭେ ହେଲ ।

ପିତା କଲରା ପରି ତୁମ୍ଭେ ହେଲ

ଖାଲି ଲାଜଭର୍ତ୍ତି/ଏ ଯୌବନ ଦିନରେ ଏପରି ହେଲ ?

ହାଟକୁ ଯାଇଥିବା ପସରା ପରି ବା ପିଲାପରି ଚଞ୍ଚଳ

ବାଟରେ ବିକିଲା ଦୁଃଖ ପରି ।

ପତ୍ରରେ ନ ଲାଗିଲା ପରି ।

ଡାଳରେ ନ ଲାଗିଲା ପରି ।

(ଗାନ୍ଧର୍ବିକା ଶତଦଳ, ପୃ-୩)

 

କବିତାଟିର ମର୍ମାର୍ଥ ହେଲା- ପ୍ରେମିକ ପ୍ରେମିକାର ମୁହଁକୁ ଅନାଇଲା ମାତ୍ରେ ପ୍ରେମିକା ଲାଜରେ ମୁଖ ଅପସାରଣ କରି ନେଇଛି । ‘‘ଜୁଳୁ ଜୁଳିଆ ପୋକର ଆଲୁଅ’’ ଗୋଟିଏ ଇମେଜ୍ । ଆଲୁଅ ଆଶାର ସଞ୍ଚାର କରୁଛି ଏବଂ ପୁଣି ଲିଭୁଛି । ପ୍ରେମିକାକୁ ଦେଖିବାର ଉଦ୍‌ବେଗ ଚରିତାର୍ଥ ହୋଇ ପାରିନାହିଁ । ‘ଖଟାଲେମ୍ବୁର ସ୍ୱାଦ’ ଭିତରେ ଦେଇ ପ୍ରେମିକ ତା ମନର ଅବସ୍ଥା ସୂଚାଇଛି । ପୁନଶ୍ଚ ଏତେ ଭଲ ଜିନିଷଟାର ଅପ୍ରାପ୍ତିରେ ପ୍ରେମିକ କଲରା ଖାଇବାର ଅବସ୍ଥାକୁ ପାଇଛି । ଯୌବନର ଆଗମନ କ’ଣ ପାଇଁ ? ହାଟକୁ ଯାଉଥିବା ପସରାରେ କଣ ଅଛି ତାହା ବାଟରେ ଦେଖି ହୁଏ ନାହିଁ । ଏ ଯୌବନ ପ୍ରେମିକର ପୂଜାବେଦୀରେ ନିବେଦିତ ହୋଇ ନ ପାରି ‘ପସରା ଭିତର ଦ୍ରବ୍ୟ’ ପାଲଟିଛି । ବାଟରେ ବିକ୍ରୀତ ଦ୍ରବ୍ୟର ଖରିଦଦାର ଚଞ୍ଚଳ ହେଉଥିବା ପିଲା ପରି ପଳାଏ । ପଦ୍ମପତ୍ରର ଜଳ ପତ୍ରକୁ ଛୁଏଁ ନାହିଁ । ଗଛ ଡାଳର ଅବସ୍ଥା ସେଇଆ, ତାହା ପାଣିକୁ ଧରି ରଖେ ନାହିଁ । ଆଖିରେ ଆଖି ଯଦି ନ ମିଶେ, ହୃଦୟ ଯଦି ହୃଦୟର ଆହ୍ୱାନ ନ ଶୁଣେ ତେବେ, ପ୍ରୀତି ତ ନିଷ୍ଫଳ ହେବ ।

 

ଏକତ୍ର ଯୁବକଯୁବତୀ ବିଲରେ ଶସ୍ୟଅମଳ କଲାବେଳେ କିପରି ମଜଗୁଲ ହୋଇ ଶ୍ରମଦୁଃଖକୁ ଲାଘବ କରିବା ପାଇଁ ଗୀତ ଗାଆନ୍ତି ତାର ଦୃଷ୍ଟାନ୍ତ ଏହିପରି ।

 

ମୋତେ ଉପଯୁକ୍ତ ସାଙ୍ଗ ମିଳିଲା-ଶୁଆସାରୀ ପରି

ହଳଦୀବର୍ଣ୍ଣ ପର୍ବତରେ ।

ଆମେ ଆନନ୍ଦରେ ଗାଇବା-ହଳଦୀବର୍ଣ୍ଣ ପର୍ବତରେ ।

ବାଦ କରି ଗୀତ ଗାଇବା, ଦେଖିବା କିଏ ଜିଣିବ-ହଳଦୀ ବର୍ଣ୍ଣ ପର୍ବତରେ ।

ହଁ ସଙ୍ଗାତ-ସାରୀ ଶୁଆ ପରି ଏକତ୍ର ଗାଇବା ହଳଦୀ ବର୍ଣ୍ଣ ପର୍ବତରେ ।

ହଁ ସେହିପରି ହେଉ

ଆଜି ଦିନରେ ଯାହା କିଛି ଗୀତ ଗାଇବା ହଳଦୀବର୍ଣ୍ଣ ପର୍ବତରେ ।

ଗୋଟାଏ ନିର୍ମଳ ସ୍ଥାନରେ ବସି କିଛି ସମୟ ଗୀତ ଗାଇ ଚାଲିଯିବା

ହଳଦୀବର୍ଣ୍ଣ ପର୍ବତରେ ।

(ଗାନ୍ଧର୍ବିକା ଶତଦଳ, ପୃ-୧୭)

 

କନ୍ଧ ଯୁବକର ବିଶ୍ୱାସ, ତା’ ଚାରିକଡ଼ରେ ଚଢ଼େଇ ଉଡ଼ିଲେ ତାର ମାମୁ ଝିଅ ସେହି ଦିନ ତାଙ୍କ ଘରକୁ ଆସିବ । ତୈଲଙ୍ଗଙ୍କ ପରି କନ୍ଧ ଯୁବକମାନେ ପ୍ରଥମ ପସନ୍ଦରେ ମାମୁ ଝିଅକୁ ବାହା ହେବାକୁ ପ୍ରସ୍ତାବ ପଠାନ୍ତି । ମାମୁ ଝିଅଠାରେ କନ୍ଧ ଯୁବକ ପ୍ରେମ ନିବେଦନ ପାଇଁ କହେ ‘‘ପିକାଧୂଆଁ ନେ ସଙ୍ଗାତ’’ । ଆଦିବାସୀ ଚଳଣିରେ ତମାଖୁ ହେଲା ପ୍ରେମର ପ୍ରତୀକ । ତେଣୁ ‘ପିକାଧୂଆଁ ବୋଲି’ କହିଲେ ଯୁବକର ପ୍ରେମ ନିବେଦନ ଗୃହୀତ ହେଲା ବୋଲି ବୁଝିବାକୁ ହେବ କନ୍ଧ ଯୁବକ କହେ ‘‘କାଖି କାଖି ମା ମାଙ୍କରେ ବାହିଲେ ନି’’ କାଖି କାଖି ଅର୍ଥାତ୍ ତା ପାଖକୁ ଆସି ମା’ ମାଙ୍ଗରେ- ମାମୁ ଝିଅକୁ ବାହିଲେ ନି-ଝିଙ୍କି ନେବି । ଝିଅ ରାଜି ହେଲେ କହେ, ତୁ ତୋ ଭାଇ ଭଉଣୀଙ୍କୁ କିଛି କହିବୁ ନାହିଁ । ପୁରୁଷ କହେ, ମୁଁ କୁକୁଡ଼ାମାଂସ, ମହୁଲିମଦ ଚାଖି ନାହିଁ, କାରଣ ମଦ ଖାଇଲେ ଘରଦ୍ୱାର ରହିବ ନାହିଁ । ତହୁଁ ପ୍ରେମିକା (ମାମୁ ଝିଅ) ନୀରବ ରହେ । ପୁରୁଷ କହେ, ହେ ଯୁବତୀ ହସି ହସି ଆସ । ରାତିରେ ମୋର ନିଦ ହେଉ ନାହିଁ । ଡୁମ୍ବ୍ରୀ (ଅନ୍ୟ ଏକ ଝିଅର ନାମ) ମୋତେ ଦେଖି ହସୁଛି । ତୋ ନା ରାଧା । ରାଧାର କଣ ମୋଠାରେ ଆସକ୍ତି ନାହିଁ ? ମୁଁ ତତେ ଚାହିଁବାରୁ ଡୁମ୍ବ୍ରୀ ହସୁଛି କାହିଁକି ?

 

କୌଣସି ଝିଅ ପୁଅଙ୍କ ବାହାଘର ହେଲେ ଆଦିବାସୀମାନେ ବର କନ୍ୟାକୁ ଦେଖିବାକୁ ଆସନ୍ତି । ଗୀତରେ କୁହାଯାଏ- ଆସ ଆସ, ବାଜା ବାଜୁଛି । ଧନୀ ଘର ପୁଅ ହୋଇଥିବ, ନ ହେଲେ ଏଡ଼େ ଆଡ଼ମ୍ବରରେ ବାଜା ବାଜନ୍ତା କାହିଁକି ? ଆସ ବରକୁ ଝିଙ୍କି ଆଣି ‘ବାଛୁରୀ ଜଗା’ ବୋଲି କହିବା । ବିବାହ ପରେ ‘‘ସୁନ୍ଦର-ସୁନ୍ଦରୀ’’ ଗୀତ ଚାଲେ ।
 

‘‘କନ୍ତି ତାଦଂ ପାଂତି ଇଲାମ-କୁସୁମ ଲାଙ୍ଗୀ

ମାନା ନାମ ପୋନି ଡେୟେ-କୁସୁମ ଲାଙ୍ଗୀ’’

 

ପୁରୁଷ

କଣ୍ଠିମାଳ ଆଣି ଦେଲି ସୁନ୍ଦରୀ ।

 

 

ତୋତେ ଲୋଡ଼ା ନାହିଁ କି ହୋ ସୁନ୍ଦରୀ ?

ନାରୀ

ମୋତେ ଇଷ୍ଟ ନାହିଁ ହେ, ସୁନ୍ଦର

 

 

କଣ୍ଠିମାଳ ମୋତେ ଲୋଡ଼ା ନାହିଁ, ସୁନ୍ଦର ।

ପୁରୁଷ

ନାଗୁଲ ଯଥା ଆଣି ଦେଲି ସୁନ୍ଦରୀ

 

 

ତୋତେ ଲୋଡ଼ା ନାହିଁ କିହୋ ସୁନ୍ଦରୀ ।

ନାରୀ

ନାଗୁଲ ଯଥା ଲୋଡ଼ା ନାହିଁ ହେ ସୁନ୍ଦର

 

 

ମୋତେ ମନମାନୁ ନାହିଁ ହେ ସୁନ୍ଦର ।

ପୁରୁଷ

ବେକ ସୂତା ଆଣି ଦେବି ହୋ ସୁନ୍ଦରୀ

 

 

ତୋତେ ଲୋଡ଼ା ନାହିଁ କି ହୋ ସୁନ୍ଦରୀ ।

 

ଏହିପରି ଭାବରେ ପୁରୁଷ ଜିନିଷ ଆଣି ଦେବାର ପ୍ରତିଶ୍ରୁତି ଦିଏ ଏବଂ ନାରୀ ସେସବୁ ନେବାକୁ ଅନିଚ୍ଛା ପ୍ରକାଶ କରେ । (ଗାନ୍ଧର୍ବିକା ଶତଦଳ, ପୃଷ୍ଠା-୩୦-୩୧)

 

ସ୍ତ୍ରୀ କହେ- ଘର ଲିପାପୋଛା କରି ପୂଜାରେ ବସିବା । ଜାନି (ପୁରୋହିତ)କୁ ଡାକି ପତ୍ରରେ ମଦ ରଖି ପ୍ରତିମାକୁ ନୈବେଦ୍ୟ ଦେବା, ଝୁଣା ଦେଇ ସମସ୍ତଙ୍କୁ ରକ୍ଷା କରିବାକୁ ପ୍ରାର୍ଥନା କରିବା, କୁକୁଡ଼ାକୁ ପୂଜା କରିବା । ଭାତ ତରକାରୀ ରାନ୍ଧି ଏକତ୍ର ଖାଇବାକୁ ସେ ତା ପୁରୁଷକୁ କହେ-। (ତତ୍ରୈବ, ପୃଷ୍ଠା-୩୩)

 

ବିବାହ କାଳରେ ଗାନ କରାଯାଉଥିବା ଗୋଟିଏ ଗୀତକୁ ଅବିକଳ ଉଦ୍ଧାର କରାଯାଉଛି ।

 

‘‘ତୁମ୍ଭର ନାମ ଏକା କରିବାକୁ, ତୁମ୍ଭର ନାମ ଏକା ପାରିହେବାକୁ-

ପୂର୍ବେ ଆଜି ରାମଭୀମ କରିବା ସରଜନ ।

ତେନ୍ତୁଳି ପତର ସରୁ, ସମାନ ଦନାରେ ସରଜନା କରିଥିଲେ ।

ଅଁଳା ପତର ସମାନ ହେବା ଦନାରେ ସରଜନା କରିଥିଲେ ।

ଏଇୟା ବାବୁମାନେ ଶୁଣନ୍ତୁ । ଏହି ଯେ ମାତାମାନେ ଶୁଣନ୍ତୁ ।

କର୍ଣ୍ଣେ ଶୁଣନ୍ତୁ ପୂର୍ବର କଥା ମନେରଖନ୍ତୁ ।

ଗଙ୍ଗେଶ୍ୱରରେ ସାରିଙ୍ଗି ବାଜେ, ତ୍ରାହି ତିରିଂ ବୋଲି ମୂରଲୀ ବାଜେ ।

କରମ କୃଷ୍ଣ ବୋଲି ଗୀତ ଶୁଭେ, ନାଚ ହୁଏ ।’’

(ପୃ-୩୪)

 

ଏହି ଅନୁବାଦରେ ମୂଳଗୀତର ମର୍ମାର୍ଥ ପ୍ରତି ଧ୍ୟାନ ଦିଆଯାଇଥିବା କଥା ମନେହୁଏ ନାହିଁ-। ଅତୀତରେ ଈଶ୍ୱର ଏ ସୃଷ୍ଟିକୁ ସୁନ୍ଦର ଭାବେ ସର୍ଜନା କରିଥିଲେ । ଆଜି ବିବାହ ଉତ୍ସବରେ ବାଦ୍ୟ ଓ ନାଚଦ୍ୱାରା ସେହି ଈଶ୍ୱର ଆନନ୍ଦ ମନରେ ସଭିଙ୍କୁ ସୌଭାଗ୍ୟ ଦିଅନ୍ତୁ । ଏହାହିଁ କବିତାଟିର ଭାବାର୍ଥ । ଡଃ ସୀତାକାନ୍ତ ମହାପାତ୍ରଙ୍କଦ୍ୱାରା ଅନୁଦିତ ଆସିବାସୀ କବିତା ସଙ୍କଳନ ମଧ୍ୟରୁ ‘ଶାଳଗଛ ଫୁଲରେ ନଇଁଛି’ ଗ୍ରନ୍ଥକୁ ଆଲୋଚନାର ପରିସର ମଧ୍ୟକୁ ଅଣାଯାଇଛି । ଡଃ ମହାପାତ୍ରଙ୍କ ପ୍ରବନ୍ଧ (ପୂର୍ବେ ସୂଚିତ) ଆଦିବାସୀଙ୍କ ସାହିତ୍ୟ ସମ୍ପର୍କିତ ବହୁ ନୂତନ ଗବେଷଣାଧର୍ମୀ ତଥ୍ୟରେ ପରିପୂର୍ଣ୍ଣ । ତାଙ୍କଦ୍ୱାରା ପ୍ରସ୍ତୁତ କବିତା ସଙ୍କଳନ ‘ଶାଳଗଛ ଫୁଲରେ ନଇଁଛି’ ଏକ ସୁଖପାଠ୍ୟ ଗ୍ରନ୍ଥ-

 

ମନୁଷ୍ୟର ପ୍ରବୃତ୍ତିଗୁଡ଼ିକ ଶିକ୍ଷା ନିରପେକ୍ଷ । ଦୁଃଖରେ କାନ୍ଦିବା, ସୁଖରେ ହସିବା, ଭୋକ ହେଲେ କ୍ଷୁଧାତୁର ହେବା, ଭୟରେ ଚିତ୍କାର ବା ପଳାୟନ କରିବା, ପ୍ରେମ ଅଙ୍କୁରିତ ହେଲେ ହାବଭାବ କଟାକ୍ଷାଦିରେ ପରିବର୍ତ୍ତନ ଘଟିବା ଆଦି ସହଜ-କ୍ରିୟା ଶିକ୍ଷାବଳରେ ସମାହିତ ହୁଏ ନାହିଁ-। କବିତା ସହଜ ଅନୁଭବରୁ ଜାତ ହୋଇଥାଏ । ପାଠୁଆମାନେ ଅନୁଭୂତକୁ ଭାଷାର କୃତ୍ରିମ ପୋଷାକ ପିନ୍ଧାଇ କବିତା ଲେଖନ୍ତି । ପାଠୁଆମାନେ କବିତା ଲେଖିବା ବେଳେ ଭାବ-ସାବଲ୍ୟ ପରିବର୍ତ୍ତେ ଧୀ-ସାବଲ୍ୟ ପ୍ରଦାନ କରି ଉପସ୍ଥାପନ କରନ୍ତି । ଅପାଠୁଆ ଆଦିବାସୀଙ୍କ ଅଲିଖିତ ସହଜାତ କବିତାରେ ଅନେକ ଭାବର ଏକତ୍ର ପ୍ରତିଫଳନ ଘଟିଥାଏ । ଡଃ ସୀତାକାନ୍ତ ମହାପାତ୍ରଙ୍କ ଅନ୍ତର୍ନିହିତ କବି ପ୍ରତିଭା ଏବଂ ଅନନ୍ୟ ସାଧାରଣ ପ୍ରବନ୍ଧକଳା ତାଙ୍କୁ ଆସିବାସୀ କବିତାଗୁଡ଼ିକରେ ଅନ୍ତର୍ନିହିତ ଭାବକୁ ଆକଳନ କରିବାକୁ ମାର୍ଗ ଦର୍ଶାଇଛି । ତେଣୁ ସେ ଯେଉଁସବୁ କବିତାରେ ପ୍ରକୃତରେ କବିତ୍ୱର ସ୍ପର୍ଶ ଅଛି, ସେ ସବୁକୁ ସଂଗ୍ରହ କରି ଅନୁବାଦ କାଳରେ ପୁନଃ ସର୍ଜନକ୍ରିୟା ଆରମ୍ଭ କରିଛନ୍ତି । ଡଃ ମହାପାତ୍ର ଆଦିବାସୀ କବିତାରେ କବିତ୍ୱ ନାହିଁ ବୋଲି ମତ ଦେଉଥିବା ସୁଧୀଜନଙ୍କୁ ବିଶ୍ୱାସ ଓ ବିଶିଷ୍ଟ ଗବେଷକ ଓ ଆସିବାସୀ ଗୀତର ସଂଗ୍ରାହକଙ୍କୁ ସେ ସବୁ କବିତା ପ୍ରତି ମନୋଯୋଗୀ ହେବାକୁ ଆହ୍ୱାନ ଦେଇଛନ୍ତି । ସେ ଲେଖିଛନ୍ତି- ‘‘ଆଦିବାସୀ ଲୋକଗୀତ ବା ଲୋକ କବିତା, ତାର ମୌଳିକତା, ଶୈଳୀ, ଛନ୍ଦ, ସେମାନଙ୍କ ନୃତ୍ୟ ଓ ଲୋକଗୀତ- ଏସବୁ ବିଷୟରେ ଏପର୍ଯ୍ୟନ୍ତ ସମ୍ୟକ୍ ଆଲୋଚନା ଓ ଗବେଷଣା ହୋଇ ନାହିଁ ।’’ (ଉତ୍କଳ ସାହିତ୍ୟ ସମାଜ-ସାହିତ୍ୟିକ ଅଭିଭାଷଣ- ‘‘ଡୁଂ ଡୁଙ୍ଗା ଓ ସୁରୁଡ଼ି’’- ପୃ-୭୪)

 

ପ୍ରେମ ଓ ବିବାହ ସମ୍ପର୍କିତ ବିଷୟ, ‘‘ଶାଳଗଛ ଫୁଲରେ ନଇଁଛି’’ ଗ୍ରନ୍ଥରେ ସ୍ଥାନିତ କବିତାବଳୀରେ କେଉଁଠି କପରି ବାଙ୍‌ମୟତାପ୍ରାପ୍ତ ହୋଇଛି ତାର ସାମାନ୍ୟ ସୂଚନା ଦିଆଯାଇଛି ।

 

ଅବିବାହିତ ଧାଙ୍ଗଡ଼ା ଓ ତା’ ମନର ଇପ୍‌ସିତା ନାୟିକା ମଧ୍ୟରେ ବାକ୍‌ବିନିମୟ ଚାଲେ, ଧାଙ୍ଗଡ଼ା ତା ଧାଙ୍ଗିଡ଼ୀକୁ ତା ବାପଘର ଗାଁ ତା ସହିତ ପଳାଇ ଆସିବାକୁ ପରାମର୍ଶ ଦିଏ, ମାତ୍ର ଧାଙ୍ଗିଡ଼ୀ ତାର ବିଚାରବତ୍ତା ପ୍ରୟୋଗ କରି ତାର ଜବାବ ଦିଏ ।

 

ଧାଙ୍ଗଡ଼ା

ସାରଙ୍ଗୀ ବଜା/ଗୀତ ଗାଅ, ନାଚ କର ।

 

 

ହାତକୁ ହାତ ଧରି/ଗୋଡ଼ ମାଟିରେ ପିଟି, ଢେଉ ପରି

 

 

ଆଖଡ଼ା ଘରୁ ବାହାରି ଆସ ।

 

 

ମୋ ସାଙ୍ଗରେ ଆସ

 

 

ଚାହିଁଲେ ଦୂର ଦେଶକୁ ପଳେଇବା ।

ଧାଙ୍ଗିଡ଼ୀ

ଏଇ ଗାଆଁ ଛାଡ଼ିବାକୁ କହୁଛ ?

 

 

କହୁଛ ଯିବା ପାଇଁ ଦୂର ଦେଶ ?

 

 

ଏଇ ଗାଁ ଆମ ବାପ ଅଜାଙ୍କ ଗାଆଁ,

 

 

ଏଇ ଗାଁ ମାମୁ, ଭାଇଭଉଣୀଙ୍କ ଗାଆଁ,

 

 

କହିଲ, କେମିତି ଏହାର ମାୟା ଛାଡ଼ି,

 

 

ମୁଁ ଚାଲିଯିବି ନୂଆ ଗାଆଁକୁ,

 

 

ନୂଆ ଘରକୁ/ଶାଶୁ ଘରକୁ ।

 

 

x x x x

 

 

ମୋ ଗୀତ ଧାନ ଆଉ ମାଣ୍ଡିଆର ଗୀତ

 

 

ଉଠି ଚାଲିଆ ସୁନା ଧାଙ୍ଗିଡ଼ୀ

 

 

ଆମେ ଏଇ ସୋଡ଼ା ବିଗି ଗାଆଁର ।

 

 

ତୋ ବେଣୀ ଦୋହଲାଇ ଚାଲିଆ

 

 

କେତେ ମଜା କରିବା ।

 

 

ଲୁଲ୍ଲା ଗାଁର ସୁଣ୍ଢି ସାହୁକାର

 

 

ଧାର ଦେଲେ କେତେ ଯେ ସୁଧ ଭିଡ଼େ ।

 

 

କିନ୍ତୁ ମୋ ନିରୀହ ଗୀତର/କିଛି ସୁଧ ନାହିଁ /

 

 

କିଛି ଦାବି ନାହିଁ ।

 

 

ମୋ ଶବ୍ଦର ଦିଗନ୍ତ ନାହିଁ/ଅନ୍ୟଗୀତ, ଅନ୍ୟ ଗପ ବି

 

 

ମୁଁ ଜାଣେନି/ମୋ ଗଞ୍ଜେଇ କି ଧୂଆଁ ପତରର

 

 

ଗନ୍ଧ ନାହିଁ/ଆମ ଦେଶକୁ ଆ ଚାଲି ।

 

 

ସେଠି କେହି ଆମକୁ ପହଞ୍ଚି ପାରିବେ ନି

 

 

ଖାଲି ତୁ ଆଉ ମୁଁ,

 

 

କେତେ ନାହିଁ କେତେ ମଜା କରିବା ।

(ଶାଳଗଥ ଫୁଲରେ ନଇଁଛି, ପୃ- ୧୭)

 

ଅନ୍ୟ ଏକ ଆଦିବାସୀ ଗୀତରେ ପ୍ରକୃତିର ବିପୁଳ ସମ୍ଭାରର ଚିତ୍ରରୁ ପ୍ରଣୟାନୁଚିନ୍ତା ଧାଙ୍ଗଡ଼ାକୁ ଆଚ୍ଛନ୍ନ କରିଛି । ବାହାରେ ଘନ ଅନ୍ଧକାର । ସେଇ ଅନ୍ଧକାର ଭିତରେ ଶୁଭୁଛି ବର୍ଷା ଦୌଡ଼ିବାର ଧ୍ୱନି । ଅଦୂରବର୍ତ୍ତୀସ୍ଥାନରେ ଏକ ପାହାଡ଼ । ତା’ ଦେହରୁ ପୟୋବ ପୁଷ୍ଟ ଝରଣା ଲମ୍ଫ ପ୍ରଦାନ କରୁଛି ଧ୍ୱନିମୟ ସଙ୍ଗୀତ ମଧ୍ୟରେ । କଦମ୍ବ ଫୁଲ ଶୁଣୁଛି ବର୍ଷାର ଆଉ ବେଙ୍ଗମାନଙ୍କର ଅର୍କ୍ରେଷ୍ଟା । ଏଇ ନିଝୁମ ଝୋ ଝୋ ଝରଣା ମୁଖରିତ ରାତିରେ ସିଏ ଆସିଥାଆନ୍ତା, ଗୁରୁଜନଙ୍କ ପଦ ପ୍ରକ୍ଷାଳନ କରିଥାଆନ୍ତା ।

 

ନୂଆ କନିଆ, ତୁ ନିଜେ ବରଷା, ମେଘ ଟୋପା

ଦେ ମୋତେ ଭରିଦେ, ଭରିଦେ । (ପୃ-୨୦)

 

ଧାଙ୍ଗଡ଼ା ମନ ମଧ୍ୟରେ ଆବେଗର ବେଗବାନ୍ ପ୍ରବାହ । ତାହା ତ ରୁଦ୍ଧ ହେବାର ନୁହେଁ । ବନ୍ଧ ଭିତରେ ଅଟକିବାର ନୁହେଁ । ଧାଙ୍ଗଡ଼ା କହେ,

 

ଧାଙ୍ଗିଡ଼ୀ ଲୋ, ତୋର କେତେ ପତଳା ଗୋଡ଼

ଏଇଠିକି ଆ, ଚାଲିଆ

ଆଜି କେଡ଼େ ବଡ଼ ଦିନ

ଶହେକରେ ଦିନୁଟିଏ ।

x x x x

କାହିଁକି ତେବେ ଉଦାସ ହୋଇ

ମନ ମାରି ତୁ ବସି ରହିଛୁ ?

ଏଇ ଧରିତ୍ରୀ ଆମ ନାଟଶାଳା

ଆଉ ଆମ ହୃଦୟ ? ପରସ୍ପର ପାଇଁ ଦମକୁଛି ।

ମୁଁ ତୋର ଗୀତ, ତୁ ମୋର ରାଗିଣୀ । (ପୃ-୨୧)

 

କବି ସୀତାକାନ୍ତ ଧାଙ୍ଗଡ଼ା ଧାଙ୍ଗିଡ଼ୀଙ୍କ ପ୍ରେମାନୁଭୂତିକୁ, ମୂଳଗୀତରେ ଯେଉଁ ସବୁ ଶବ୍ଦଚିତ୍ର ମଧ୍ୟରେ ବ୍ୟକ୍ତ ହୋଇଥିବାର ଲକ୍ଷ୍ୟ କରିଛନ୍ତି, ତାହାକୁ ସେ ଏକ ମହାକାବ୍ୟିକ ଶୈଳୀରେ ତାଙ୍କ ଗ୍ରନ୍ଥରେ ପୁନଃ ରୂପାୟିତ କରି ପ୍ରକାଶ କରିଛନ୍ତି । ମୋର ମନେହୁଏ କବି ସୀତାକାନ୍ତ ସମଭାବାପନ୍ନ ଗୀତଗୁଡ଼ିକୁ ଗୋଟିଏ ସ୍ତବକ ମଧ୍ୟରେ, ତାଙ୍କ ଅନୁବାଦ ଗ୍ରନ୍ଥରେ, ସ୍ଥାନିତ କରିଛନ୍ତି । ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ପଢ଼ିବା ବେଳେ ଆଦିବାସୀ ନୃତ୍ୟକୁ ବର୍ଣ୍ଣନାର ଛୁଟା ମଧ୍ୟରେ ଦେଖିହୁଏ । ସେହି ନ୍ୟାୟରେ ସୀତାକାନ୍ତଙ୍କ ଧାଙ୍ଗଡ଼ା ଧାଙ୍ଗିଡ଼ୀକୁ ତାଙ୍କ କବିତା ଭିତରେ ଚଳମାନ ଅବସ୍ଥାରେ ଦେଖିହୁଏ । ସେମାନଙ୍କ ସଂଳାପ ପାଠକକୁ ମୁଗ୍ଧ କରେ, ଏମିତି ପ୍ରାଣସ୍ପର୍ଶୀ କେତେକ ପଙ୍‌କ୍ତି ଏଠାରେ ଉଦ୍ଧାର କରାଯାଇଛି ।

 

(୧)

କପୋତୀ କାନ୍ଦୁଛି/ମୟୂରୀ ରାବୁଛି ।

 

ହେ ମୋର ତନୁପାତଳୀ ସୋଲାମାଳି

 

ମୁଁ ତୋର ବନ୍ଧୁ, ଅତି ଆପଣାର

 

ତୁ ମୋ ମାମୁ ଝିଅ,

 

ତୋ ସ୍ନେହ ଉପରେ ମୋର ପୂରାହକ୍ ।

 

(ଶାଳ ଗଛ ଫୁଲରେ ନଇଁଛି, ପୃ-୨୬)

(୨)

ହେ ପ୍ରିୟା

 

ତମେ ଏବେ ଏଡ଼େ ଦୁଷ୍ପ୍ରାପ୍ୟ ହେଲଣି

 

କେବେ ବି ଦେଖା ମିଳୁନି

 

ଘନ ଜଙ୍ଗଲର ଓଲୁଅ ପରି ।

 

ଯେମିତି ବଣର ସମ୍ବର କି ହରିଣ,

 

ଗୁପ୍ତରେ ଅନେଇ ଦେଇ/ଡିଆଁ ମାର ଚମ୍ପଟ । (ପୃ-୨୭)

(୩)

ଧାଙ୍ଗଡ଼ା

ତୁତ ସାହୁକାର, ଉଆସରେ ରହୁ

 

 

 

ଇଟା ଚୂନ କାନ୍ଥିନି

 

 

 

ଚୂନ ସୁର୍‌କି ଝରୁଛି

 

 

 

ମୋ ପାଇଁ ତୋରକି ଦରଦ ?

 

ଧାଙ୍ଗଡ଼ୀ

ମୁଁ ନୁହେଁ, ତୁ ହିଁ ସାହୁକାର

 

 

 

ଏତେ ହଳଦୀ ସାଇତି ରଖିଛୁ ଯେ,

 

 

 

ହଳଦୀର ବରଷା ହେଉଛି/ତୁମଘରେ ।

 

 

 

ତୁ କେଡ଼େ ଧନବାନ୍

 

 

 

ଆଉ ମୁଁ ? ମୁଁ ତ ଅତି ଗରିବ । (ପୃ-୨୯)

 

ସାନ୍ତାଳମାନଙ୍କର ଦେବତାର ନାମ ‘‘ମା ରାଂ ବୁରୁ’’ । ସେ ଆକାଶରେ ଲୁଚି ରହି ଥାଆନ୍ତି-। ବିବାହ ପରେ କନିଆଁ ବିଦାବେଳେ ସାନ୍ତାଳମାନେ ସେହି ଅଦୃଶ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଗୀତ ଗାଆନ୍ତି ।

 

ପ୍ରଭୁ ମାରାଂବୁରୁ

ତୁମକୁ ହାଣ୍ଡିଆ ମୁନ୍ଦେ ଦେଉଛୁଁ

ସାଦରେ ଗ୍ରହଣ କର ।

ଏଇ ବର କନିଆ ଯୋଡ଼ିକ

ଆନନ୍ଦରେ ଜୀବନ କାଟନ୍ତୁ ।

ଦୀର୍ଘଜୀବୀ ହୁଅନ୍ତୁ। (ପୃ-୫୬)

 

କନ୍ୟା ବିଦାୟକୁ ଉପଜୀବ୍ୟ କରି ରଚିତ ଗୋଟିଏ କବିତାର ଇଂରାଜୀ ଅନୁବାଦ ଏହିପରି ।

 

In the fields at Sissai

The bean does not eat paddy

The bean does not drink water

The bean comes the bean comes.

 

(ଏହି କବିତାଟିକୁ ଡଃ ମହାପାତ୍ର ତାଙ୍କର ଏକ ଅଭିଭାଷଣରେ ଉଦ୍ଧାର କରିଛନ୍ତି । ଏହାର ଲେଖକ ହେଉଛନ୍ତି W. G. Archer.)

 

ବିଅର ଡା ଭାଲୁ ଏକ ପ୍ରତୀକ । ଆଦିବାସୀମାନେ ପ୍ରତୀକରେ କଥାବାର୍ତ୍ତା କରନ୍ତି । କନ୍ୟା ପିତା ବରପିତାକୁ କହେ ‘‘ଜୋଡ଼ନ୍’’ ଅର୍ଥାତ୍ ମୋ ଝିଅ ତୋ ପୁଅକୁ ଦେବି । ଯଦି ବରପିତା କନ୍ୟା ପିତାକୁ ଝିଅଟିଏ ମାଗେ, ସେ କହେ ଲାଉଟିଏ ଦିଅ, ତା ତୁମ୍ବୀରେ ପାଣି ରଖିବି ।’ ବର କନ୍ୟାକୁ ଦେଖି ବାହାହେବାକୁ ତାର ସମ୍ମତି ମାଗିବା ପାଇଁ କହେ, ‘‘ଦୋକ୍ତାଟିକେ ଦେବୁ ।’’ ଉଦ୍ଧୃତ ଇଂରେଜୀ କବିତାରେ ଭାଲୁ ହେଲା ବର । ଭାଲୁ ଧାନ କ୍ଷେତ୍ରକୁ ପଶେ, ଧାନ ଖାଏ ନାହିଁ । ସେ ଆସେ ଫସଲ ନଷ୍ଟ କରିବା ପାଇଁ । ବରଭାଲୁଟା ପରିବାରର ସୁଖର ଫସଲ ଉଜାଡ଼ି ଦେବା ପାଇଁ ଆସେ ।

 

ଆଦିବାସୀ କବିତାର ଗୋଟାଏ ବିଭାଗକୁ ନେଇ ଏଇ ପ୍ରବନ୍ଧରେ ଯତ୍‌କିଞ୍ଚିତ ସୂଚନା ଦିଆଯାଇଛି । ମୁଁ ଆଦିବାସୀ ଭାଷାରେ ଅଜ୍ଞ । ଅନୁବାଦ ପାଠକରି ଆଦିବାସୀଙ୍କ ଜୀବନଚର୍ଯ୍ୟାର ଗୋଟିଏ ଦିଗ ଉପରେ ମୁଁ ଆଲୋକପାତ କରିବାକୁ ଚେଷ୍ଟା କରିଛି ।

***

 

Unknown

ଓଡ଼ିଆ ସମର କାବ୍ୟ : ଓଡ଼ିଶାର ଜାତୀୟ ଗୌରବ

ଡକ୍ଟର ଇନ୍ଦିରା ଦାଶ

 

ଯୁଦ୍ଧ ବିପ୍ଳବ ନୁହେଁ । ଯୁଦ୍ଧ ସହ ଗୋଟିଏ ଦେଶର ବା ଜାତିର ଗୌରବ ଜଡ଼ିତ । ବ୍ୟକ୍ତିର ଚେତନାରେ ଆତ୍ମପ୍ରତିଷ୍ଠା ଜନିତ ଉତ୍ସାହକୁ ସେ ଅନ୍ୟମାନଙ୍କ ପାଖରେ ଭିନ୍ନ ପରିଚିତରେ ପ୍ରତିଷ୍ଠା କରେ ଏବଂ ସେଇ ସ୍ୱତନ୍ତ୍ର ପରିଚିତକୁ ଆମେ ବୀର ଭାବ କହୁ । ସାହସିକ କର୍ମ ହିଁ ବୀରତ୍ୱ । ଉତ୍ସାହ ଏହାର ସ୍ଥାୟୀ ଭାବ । ଆତ୍ମପ୍ରତିଷ୍ଠା ଜନିତ ଏହି ଉତ୍ସାହପ୍ରଦ ଅବବୋଧ ବ୍ୟକ୍ତିର ଦାନଶୀଳତା, କର୍ମପ୍ରବଣତା, ବିଚାର ପ୍ରତିଷ୍ଠା ଓ ଶାରୀରିକ, ମାନସିକ କର୍ତ୍ତୃତ୍ୱ ପ୍ରତିଷ୍ଠା- ଯାହାକୁ ଅନ୍ୟ ଶବ୍ଦରେ ଆମେ ଦାନ, କର୍ମ, ଧର୍ମ ଓ ସମର ମାନସିକତା ଭାବେ ଗ୍ରହଣ କରିପାରିଛୁ ଏବଂ ସେମାନଙ୍କୁ ବୀର ଆଖ୍ୟା ଦେଇଛୁ । ସମଗ୍ର ବିଶ୍ୱର ଐତିହ୍ୟରେ ‘ଯୁଦ୍ଧ ବୀର’ ଶ୍ରେଷ୍ଠ ଭାବରେ ବର୍ଣ୍ଣିତ ଏବଂ ତାର ଉପାସନା କରାଯାଇଛି । ଯୁଦ୍ଧକୁ ନେଇ ତିଆରି ହୋଇଛି ଜାତିର ଇତିହାସ, ସାହିତ୍ୟ ଓ ସଂସ୍କୃତିର ଅତଳାତଳ । କୃଷ୍ଣ, ରାମ, ବଳରାମଙ୍କ ପରି ଚରିତ୍ରମାନେ ଥିଲେ ମହାନ୍ ଯୋଦ୍ଧା । ଯୁଦ୍ଧ କେତେବେଳେ ଧର୍ମର ପ୍ରତିଷ୍ଠା ପାଇଁ ତ କେତେବେଳେ ଜାତୀୟ ଜୀବନର ମହତ୍ତ୍ୱ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ । ଗୀତାରେ ରହିଛି । ‘‘ହତୋବା ପ୍ରାପ୍ୟସ୍ୟସିସ୍ୱର୍ଗ ଜୀତ୍ୱାବା ଭୋକ୍ଷେସ ମହିମ’’ । ଯୁଦ୍ଧରେ ପରାସ୍ତବୀର ସ୍ୱର୍ଗ ଲାଭ କରେ । ଜୟଯୁକ୍ତ ହେଲେ ବିପୁଳ ଯଶ, ପ୍ରତିଷ୍ଠା ଓ ଐଶ୍ୱର୍ଯ୍ୟର ଅଧିକାରୀ ହୁଏ । ଧର୍ମ, ଅର୍ଥ, କାମ, ମୋକ୍ଷ ସହ ଆପଣାଭୂମି ଓ ଭୂମିର ସକଳ ସମ୍ପଦର ସୁରକ୍ଷା ପାଇଁ ସମର ଏକ ପବିତ୍ର ଆବଶ୍ୟକତା । ସାହିତ୍ୟ ଏହି ସତ୍ୟକୁ ବାରମ୍ବାର ସ୍ୱୀକାର କରିଛି ।

 

ସମଗ୍ର ବିଶ୍ୱସାହିତ୍ୟକୁ ଅନୁଧ୍ୟାନ କଲେ ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଗ୍ରୀସର ହୋମରଙ୍କ ରଚିତ ଇଲିଆଡ଼ ଓ ଓଡ଼େଶୀ, ଭର୍ଜିଲ୍‍ଙ୍କ ରଚିତ ରୋମାନମାନଙ୍କର ‘ଏନିତ’ ହେଉଛି ଜାତୀୟ ମହାକାବ୍ୟ । ଚସରଙ୍କ ଦି ନାଇସଟେଲ୍, ଲିଓନାର୍ଡ଼ଙ୍କ ବିଉଲଫ୍‍ରେ ସମର ବର୍ଣ୍ଣନା ରହିଛି । ସିଗ୍‌ଫ୍ରିଡ଼୍, ସାମୁନ୍‌ଙ୍କ କାଉଣ୍ଟର ଆଟାକ୍, ମିଲ୍ଟନ୍‌ଙ୍କ ପାରାଡ଼ାଇଜଡ଼୍ ଲଷ୍ଟ, ଶାସ୍ତୋଁ ଦଜେସ୍ତ ଓ ସଙ୍ଗ ଅଫ ରୋଲାଣ୍ଡ ହେଉଛି ଫରାସୀ ଭାଷାର ସମର କାବ୍ୟ ।

 

ପ୍ରାଚୀନ ଋକ୍ ବେଦରେ ଇନ୍ଦ୍ର ହେଉଛନ୍ତି ଯୁଦ୍ଧର ଦେବତା । ଶତପଥ ବ୍ରାହ୍ମଣ ଓ ଐତରେୟ ବ୍ରାହ୍ମଣରେ ଦେବାସୁର ସଂଗ୍ରାମ ଓ ଅଥର୍ବ ବେଦରେ ବୀରତ୍ୱର ପ୍ରତିଷ୍ଠା ପାଇଁ ଯୁଦ୍ଧର ଆହ୍ୱାନ ରହିଛି । ସମଗ୍ର ବୈଦିକ ସାହିତ୍ୟ ଯୁଦ୍ଧର ପ୍ରଶଂସାରେ ପୂର୍ଣ୍ଣ ଭାରତବର୍ଷର ଜାତୀୟ ମହାକାବ୍ୟ ବାଲ୍ମିକୀଙ୍କ ରାମାୟଣ ଓ ବ୍ୟାସଙ୍କ ମହାଭାରତ, ଭାରବୀଙ୍କର କୀରତାର୍କୁ ନିୟମ, ମାଘଙ୍କର ଶିଶୁପାଳ ବଧ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଯୁଦ୍ଧର ନିୟମ, ସୈନ୍ୟ ଛାଉଣୀ, କୁଟଯୁଦ୍ଧର ବର୍ଣ୍ଣନା ରହିଛି । ବାଲ୍ମିକୀ ରାମାୟଣର ଯୁଦ୍ଧକାଣ୍ଡ ଅବଲମ୍ବନରେ ପ୍ରବରସେନ୍‌ଙ୍କ ମହାରାଷ୍ଟ୍ରୀ ପ୍ରାକୃତ ଭାଷାରେ ‘ରାବଣ ବହୋବା ଦଶମୁଣ୍ଡ ବହୋ’ ରଚିତ । ବଙ୍ଗଳାରେ ରଙ୍ଗଲାଲ୍‌ଙ୍କର ପଦ୍ମିନୀ, ଶୂର ସୁନ୍ଦରୀ ଦୁର୍ଗାଚନ୍ଦ୍ର ସାନ୍ୟାଲଙ୍କ ମହା ମୋଗଲ, ମଧୁସୂଦନଙ୍କ ମେଘନାଦ ବଧ, ହିନ୍ଦି ସାହିତ୍ୟରେ ରାସୋ, କବି କଟମଲ୍ଲଙ୍କ ଗୋରା ବାଦଲ, କଥାରେ ସମରର ବର୍ଣ୍ଣନା ରହିଛି । ଗୁଜୁରାଟୀ କବି ପଦ୍ମନାଭଙ୍କ ‘କାହ୍ନାଡ଼ ଦେ ପ୍ରବନ୍ଧ’ ତେଲୁଗୁ ସାହିତ୍ୟରେ କବି ନନ୍ନେଚୋଡ଼ଙ୍କ ‘କୁମାର ସମ୍ଭବ’ ଏକ ବୀରକାବ୍ୟ । ବିଭିନ୍ନ ଭାଷାର ସମରକାବ୍ୟ ପ୍ରମାଣ କରେ ରାଜ୍ୟ ଲାଭ, ଶୌର୍ଯ୍ୟବୀର୍ଯ୍ୟର ପ୍ରତିଷ୍ଠା ବା ନାରୀ ପାଇଁ ସବୁକାଳେ ଯୁଦ୍ଧ ହୋଇଛି ।

 

ସମର ଚିତ୍ର ଥିବା ସବୁକାବ୍ୟ ସମର ସାହିତ୍ୟ ନୁହେଁ । ଏଥିରେ ବୀର ଚରିତ୍ର, ସମର ଯାତ୍ରା, ସମରର ଘନଘଟା, ସୈନିକ ପୋଷାକ, ସମର ବାଦ୍ୟ ବିରୋଧୀ ଶକ୍ତି ସହିତ ସଂଗ୍ରାମ, ରଣମନ୍ତ୍ରଣା, ଅଶ୍ୱ, ଗଜ, ପାଦାତିକ ବାହିନୀର ଚିତ୍ର ରହେ । ଏହାର ଭାଷା ବୀରତ୍ୱ ବ୍ୟଞ୍ଜନ, ଭାବ ଗମ୍ଭୀର ଓ ଓଜସ୍ୱିନୀ । ବୀର ଓ ରୌଦ୍ରରସ ପ୍ରଧାନ । ଗବେଷକମାନେ ମିଳୁଥିବା ପ୍ରାଚୀନ ସମରକାବ୍ୟକୁ ଐତିହାସିକ, ଅର୍ଦ୍ଧ ଐତିହାସିକ କାଳ୍ପନିକ ଓ କିମ୍ବଦନ୍ତୀ ମୂଳକ- ଏହିଭଳି ଚାରିଭାଗରେ ବିଭକ୍ତ କରିଛନ୍ତି । ବୀରତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ଯୁଦ୍ଧ ବାଦ୍ୟ ଓ ଅସ୍ତ୍ର ଶସ୍ତ୍ର ଓ ଉତ୍ତବୋଧନ ବାଣୀ ସମର କାବ୍ୟର ମୁଖ୍ୟ ଅଂଶ । ଏହା ଇତିହାସର ପ୍ରତ୍ୟକ୍ଷଦର୍ଶୀର ବିବରଣୀ କିମ୍ବା ସତ୍ୟ ଘଟଣା ଉପରେ ଆଧାରିତ ହୋଇପାରେ । ଘଟରଣା ସମର ବିଷୟକ ହେବା ରଚିତ୍ ।

 

ସୈନିକ/ପାଇକମାନେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରାଜବାଟୀ, ଅସ୍ତ୍ରାଗାର, କାରଗାରର ଜଗୁଆଳୀ ଥିଲେ । ତେଣୁ ସେମାନଙ୍କୁ ଶାସ୍ତ୍ରୀୟରୀତି ସହିତ ପାରମ୍ପରିକ ଯୁଦ୍ଧ କୌଶଳ ଶିଖାଇବା ପାଇଁ ଗୋଦାବରୀଶ ମିଶ୍ର, ହରି ହର ଚତୁରଙ୍ଗ, ଗୋପୀନାଥ ତୁଙ୍ଗଙ୍କ, ବୀର ସର୍ବସ୍ୱ, କହ୍ନାଇ ଚଂପତ୍ତିରାୟଙ୍କ ପାଇକ ଖେଦା ଭଳି ସମର ଶାସ୍ତ୍ର ମାନ ଲେଖିଯାଇଛି ।

 

ଓଡ଼ିଆ ଜାତିର ସାମରିକ ପରମ୍ପରା :- ଓଡ଼ିଆ ସମର ସାହିତ୍ୟ ସହିତ ଓଡ଼ିଆ ଜାତିର ସାମରିକ ପରମ୍ପରା ସଂଶ୍ଳିଷ୍ଟ । ଐତିହାସିକମାନଙ୍କ ମତରେ ଆଜିର ଓଡ଼ିଶା ଏକଦା କଳିଙ୍ଗ, ଉତ୍କଳ, ଓଡ୍ର, କୋଶଳ ଆଦି ନାମରେ ସମୃଦ୍ଧିଶାଳୀ ରାଜ୍ୟଭାବରେ ପରିଚିତ ଥିଲା । ନୌବାଣିକ୍ୟ, ନୃତ୍ୟ ସଂଗୀତ ଶୌର୍ଯ୍ୟ, ବୀରତ୍ୱ ଓ ସାମରିକ ପରମ୍ପରାରେ ପରିଚିତ ସୃଷ୍ଟି କରିଥିଲା । କପିଳେନ୍ଦ୍ର ଦେବ (୧୪୩୫) ରେ ସୁଦୃଢ଼ ସେନାବାହିନୀ ଗଠନ କରି ଗଙ୍ଗା ଠାରୁ କାବେରୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗଶ୍ୱର, ଗଜପତି ଓ ଦ୍ୱିତୀୟ ଖାରବେଳ ଉପାଧି ପ୍ରାପ୍ତ ହୋଇଥିଲେ । କପିଳେନ୍ଦ୍ର ଦେବଙ୍କ ମୃତ୍ୟୁ, ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ, ଶ୍ରୀ ଚୈତନ୍ୟଙ୍କ ବୈଷ୍ଣବ ଧର୍ମ ପ୍ରଚାର, ଗୋବିନ୍ଦ ବିଦ୍ୟାଧରଙ୍କ ସିଂହାସନ ଆରୋହଣ, ସାମରିକ ଶୌର୍ଯ୍ୟବୀର୍ଯ୍ୟକୁ ଆଧୋଦ୍ଧଗାମୀ କରିଥିଲା । ୧୫୬୮ରେ ଶେଷରାଜା ମୁକୁନ୍ଦଦେବଙ୍କ ମୃତ୍ୟୁ ଓ ଆଫଗାନ୍ ସୁଲ୍‌ତାନ୍‌ଙ୍କ ଓଡ଼ିଶା ଅଧିକାର ପରେ ଓଡ଼ିଶା ପାଲଟିଗଲା ମୋଗଲ ଓ ଆଫଗାନ ଯୁଦ୍ଧ ଖୋର ଶାସକମାନଙ୍କ ଯୁଦ୍ଧର ଲୀଳାଭୂମି । ୧୮୦୩ରେ ଇଂରେଜ ବଣିକମାନେ ଓଡ଼ିଶା ଦଖଲ କଲେ । ସାମରିକ ଶକ୍ତିର ପୁର୍ନଜାଗରଣ ୧୮୧୭ରେ । ବକ୍ସିଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ (୧୮୧୭-୨୭) ବ୍ରିଟିଶଶାସକଙ୍କ ସହ ପାଇକମାନଙ୍କ ଗରିଲା ଯୁଦ୍ଧ ହେଲା । ସ୍ୱାଧୀନତା ସଂଗ୍ରାମର ପ୍ରଥମ ସିପାହୀ ବିଦ୍ରୋହର ଯେଉଁ ମଶାଲ୍ ଓଡ଼ିଆବୀର ପାଇକମାନେ ଜାଳିଥିଲେ ତାହା ପରବର୍ତ୍ତୀ ସମୟରେ ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନରେ ଆତ୍ମବିଶ୍ୱାସ ଭରିଦେଲା । ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ବିର୍ସାମୁଣ୍ଡା ସହ ବହୁ ଜନନେତା ଭୂମିକା ଗ୍ରହଣ କରି ଐତିହ୍ୟ ନିଷ୍ଠ, ଶୌର୍ଯ୍ୟ ବୀର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କଲେ । ବହୁ ସଂଗ୍ରାମ, ସଂଘର୍ଷ ଓ ଜନ ଆନ୍ଦୋଳନ ଫଳରେ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା । ୧୮୧୭ରେ ପାଇକ ବିଦ୍ରୋହ, ୧୯୨୧ରେ ଅସହଯୋଗ ଆନ୍ଦୋଳନ ପ୍ରଭୃତି ଜାତୀୟ ଜାଗରଣରେ ଓଡ଼ିଆ ସୈନିକର ଭୂମିକା ଉଚ୍ଚକୋଟୀର ଥିଲା । ଯାହାର ପ୍ରଭାବ ଓଡ଼ିଶାର ଜନଜୀବନ, କଳାଭାସ୍କର୍ଯ୍ୟ, ନୃତ୍ୟ, ସଂଗୀତ ଓ ସାହିତ୍ୟକୁ ପ୍ରଭାବିତ କରିଛି ସମର ସାହିତ୍ୟ ସେସବୁ ପ୍ରଭାବର ପ୍ରତିଫଳନ ।

 

ଓଡ଼ିଆ ସାହିତ୍ୟରେ ସାମରିକତାର ଧାରା :- ଖ୍ରୀଷ୍ଟିୟ ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ଓଡ଼ିଆରେ ଲିଖିତ କୌଣସି ପୂର୍ଣ୍ଣାଙ୍ଗ ସମରକାବ୍ୟ ଦେଖିବାକୁ ମିଳେ ନାହିଁ । ସାରଳା ଦାସଙ୍କ ମହାଭାରତ, ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣ ଓଡ଼ିଆମାନଙ୍କର ସାମରିକ ସଂସ୍କୃତିର ସର୍ବଶ୍ରେଷ୍ଠ ଆଲେଖ୍ୟ । ସାରଳା ଦାସଙ୍କ ସାମାଜିକ ପୃଷ୍ଠଭୂମି ଓ ସୂର୍ଯ୍ୟ ବଂଶର ପ୍ରଥମ ଗଜପତି କପିଳେନ୍ଦ୍ର ଦେବଙ୍କ ବୀରତ୍ୱ ସାରଳାଙ୍କୁ ଏଭଳି କାବ୍ୟ ଲେଖିବାକୁ ପ୍ରେରଣା ଦେଇଛି । ଐତିହାସିକ ସମର ଓ ଐତିହାସିକ ଚରିତ୍ର ତାଙ୍କ କାବ୍ୟର ବିଷୟବସ୍ତୁ । ବ୍ୟାସଙ୍କ ମହାଭାରତ ଛାୟାରେ ସେ ବୀର ଚରିତ୍ର ଓ ବୀର ଚିନ୍ତାଧାରାକୁ ଗ୍ରହଣ କରିଛନ୍ତି । ସାରଳା ମହାଭାରତ ‘ଏକ ବିରାଟ ଜାତୀୟ ବୀରଗାଥା’ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭୀମ ଦୁଃଶାସନଙ୍କ ସମର ବର୍ଣ୍ଣନା, କର୍ଣ୍ଣାର୍ଜୁନ ଯୁଦ୍ଧ, ଅଭିମନ୍ୟୁ ବଧରୁ ସାରଳାଙ୍କ ସମର ପ୍ରତି ଥିବା ବସ୍ତାବ ଦୃଷ୍ଟିଭଙ୍ଗୀ ଲକ୍ଷ କରିହୁଏ । ସମରର ବିଭିନ୍ନ ନିୟମ ସୈନ୍ୟସଜ୍ଜା, ଅସ୍ତ୍ର ପ୍ରୟୋଗ ସହିତ ଓଡ଼ିଆ ପାଇକର ବୀରବେଶର ବର୍ଣ୍ଣନା କରିଛନ୍ତି ।

 

ଆପଣେ ଯୁଦ୍ଧକୁ ସଜ ହେଲା ନୃପମଣି

ଶିରେ ସିମନ୍ଥିନୀ ପାଗ ଜରିରେ ଖଞ୍ଜଣୀ

କରେ କଙ୍କଣ ବାହୁଟି ଆଦି ସ୍ୱର୍ଣ୍ଣ ଜଗଦଳା

ହୃଦରେ ଆଭରଣ ମୁକୁତାର ମାଳା

ଶ୍ରବଣେ କୁଣ୍ଡଳ ଶୋଭେ ବାମକରେ ଶରାସନା

ଡାହାଣ କରେ ନାରାଜ ଦିଶଇ ଶୋଭନ ।

 

ଯୁଦ୍ଧ ଅସ୍ତ୍ର ଭାବରେ ଗଦା, ମୁଦ୍‍ଗର, ବଜ୍ର ମୂଷଳ, ଛେଲ, ଚକ୍ର, କୁନ୍ତ ଖଡ଼ଗ, ଭାଲ, ଶାବେଳୀର ବର୍ଣ୍ଣନା ରହିଛି । ବୀରବାଦ୍ୟ ଭାବରେ ମେଲା, ଦମା ପଖାଉଜ, ଭେରୀ, ଟମକ ଆଦିର ବର୍ଣ୍ଣନା ରହିଛି । ସମର ସଜ୍ଜାରେ ବୂହ୍ୟରଚନା ମୁଖ୍ୟ କଥା । ମହାଭାରତରେ ଅଠରଟି ବ୍ୟୁହର ନାମ ଉଲ୍ଲେଖ ରହିଛି । ରଥାରୋହୀ, ଗଜାରୋହୀ ଓ ପଦାତିକ ବାହିନୀର ସମର ଯାତ୍ରା ବର୍ଣ୍ଣିତ । ମଧ୍ୟପର୍ବରେ ଦେବତା ଇନ୍ଦ୍ର ଓ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ବର୍ଣ୍ଣନା ରହିଛି । (ସୁଭଦ୍ରା ହରଣ ପରେ ଅର୍ଜୁନଙ୍କର ଯାଦବମାନଙ୍କ ସହ ଯଦ୍ଧ ଅତି ଭୟାନକ)

 

ଲକ୍ଷେ କ ନାରାଜ ବାସବ ଗୁଣରେ ବସାଇ

ଅର୍ଜୁନ ଉପରକୁ ଦେବ ବିନ୍ଧିଲେ ନିଠାଇ

ଅବିଚ୍ଛନ୍ନେ ବାଣଯେ ପଡ଼େ ଅର୍ଜୁନ ଉପର

ବଜ୍ରଘୋଟ ସ୍ନେହାରେ ପଡ଼ି ସମସ୍ତ ହୋଇଗଲା ଚୁର (ମଧ୍ୟପର୍ବ)

 

ସାରଳା ମହାଭାରତରେ କପିଳେନ୍ଦ୍ର ଦେବଙ୍କ ରାଜ୍ୟଲାଭ ଅଭୀପ୍‍ସା ଥିବାରୁ ସମର ତାଙ୍କ ପାଇଁ ଅନିର୍ବାଯ୍ୟ ଥିଲା । ସେହି ଐତିହାସିକ ସମର ଓ ଚରିତ୍ରକୁ ଗ୍ରହଣ କରିବା ସହିତ ସମର ବିଶାରଦ ଓଡ଼ିଆ ଓ ସେନାମାନଙ୍କର ସମର କୌଶୂଳ, ଆଟୋପର ବର୍ଣ୍ଣନା କଲେ କ୍ଷତ୍ରୀୟ ବୀରତ୍ୱ ବାହୁବଳ, ଶାରିରିକ ଶକ୍ତି ଓ ମାନସିକ ବଳର ସର୍ବାଧିକ ମହତ୍ତ୍ୱ ଥିଲା । ସଭାପର୍ବରେ ତେଣୁ କବି ଲେଖିଛନ୍ତି ରଣକ୍ଷେତ୍ରରେ ପ୍ରାଣ ନେବା ଏକ ପୂଣ୍ୟ ଧର୍ମ, ବିରାଟ ରାଜାଙ୍କର ତ୍ରିଗର୍ତ୍ତ ସହିତ ସମର ସମୟରେ ତତ୍କାଳୀନ ସମର ସଜ୍ଜା ବିଷୟରେ ସ୍ପଷ୍ଟ ଧାରଣା ଦେଇଛନ୍ତି । ଦୁର୍ଯ୍ୟୋଧନ ସହିତ ସମର କରିବାକୁ ଆସି ବିରାଟ ସୈନ୍ୟବାହୀନିକୁ ଦେଖି ଉତ୍ତରା ସମୁଦ୍ର ବୋଲି ଭାବିଛି ।

 

ଦେଖି ହାଦେ ସମାଦ୍ରେ ଯେ ବୋଇତ ଅପାର

ମଚ୍ଛ କଚ୍ଛପମାନେ ଦେଖି ଚରନ୍ତି ସାହେର

ଭିତର କଇଂ ଦେଖ ଥିର ଜଳପାଣି

କ୍ଷିରୋଦ୍ର, ଘୋଷ ଶୁଭଇ ପ୍ରଳାୟାନ୍ତକ ଜାଣି (ବିରାଟପର୍ବ)

 

କେବଳ ଅର୍ଜୁନ ନୁହନ୍ତି ମହାଭାରତର ପ୍ରତ୍ୟେକ ଚରିତ୍ର ମହାନ୍‌ଶକ୍ତି, ଉଦ୍ୟମ ଓ ଉତ୍ସାହ ଓ ସାହସର ପ୍ରତୀକ । ବ୍ୟକ୍ତିଗତ ବୀରତ୍ୱକୁ ବ୍ୟକ୍ତିତ୍ୱର ବଡ଼ଗୁଣ ବୋଲି ଧରାଯାଇଥିଲା । ନାରୀ ହରଣ ସମରର ଅନ୍ୟାନ୍ୟ କାରଣରୁ ଗୋଟିଏ । ନୀଳେନ୍ଦ୍ରୀ ହରଣ, ଶୋଭାବତୀ ହରଣ ଏବଂ ସୌଗନ୍ଧିକା ହରଣ, ସୁଭଦ୍ରା ହରଣ ଏହାର ଉଦାହରଣ । ସାରଳା ମହାଭାରତର ସମର ବର୍ଣ୍ଣନା ଆମ ଆଖି ଆଗରେ ସେ ସମୟର ସମରର ଏକ ନିଖୁଣ ବାସ୍ତବ ଚିତ୍ର ଦିଏ । ଯୁଦ୍ଧରୀତି ମାନି ପ୍ରତିଦିନ ଯୁଦ୍ଧଶେଷ ପରେ ଦୁଇପକ୍ଷର ମିଳନ ସମାନ ବ୍ୟକ୍ତିଙ୍କ ସହ ଯୁଦ୍ଧ ଓ ଧର୍ମ ବିରୁଦ୍ଧ ଯୁଦ୍ଧ ନିଷିଦ୍ଧ ଥିଲା । ବୀରମାନେ ସର୍ବବିଦ୍ୟାରେ ଦକ୍ଷତା ଅର୍ଜନ କରୁଥିଲେ ତଥାପି ବିଶେଷ ଦକ୍ଷତା ଥିବା ବ୍ୟକ୍ତି ମଧ୍ୟ ରହୁଥିଲା ଯେପରି ଧନୁର୍ବାଣରେ ଅର୍ଜୁନ ଏବଂ କର୍ଣ୍ଣ, ଗଦାରେ ଭୀମ ଏବଂ ଦୁଃଶାସନ, ମଲ୍ଲ ଯୁଦ୍ଧରେ ମଧ୍ୟ ଭୀମ, ଦୁଃଶାସନ ଓ ଦୁର୍ଯ୍ୟୋଧନ ଥିଲେ । ଏଥିରେ ବୀର, ରୌଦ୍ର ଓ ବିଭତ୍ସ ରସ ଅବତାରଣା ହୋଇଛି । ଭାବ ଓ ବିଷୟବସ୍ତୁ ମଧ୍ୟରେ ଅପୂର୍ବ ସମନ୍ୱୟ ରହିଛି । ସଭାପର୍ବରେ ଭୀମ ଓ ଜରାସନ୍ଧ ମଧ୍ୟରେ ମଲ୍ଲଯୁଦ୍ଧର ଚିତ୍ର—

 

ଧରାଧରି ପଡ଼ାପଡ଼ି ଆଉ ମରାମରି

ପାଦ ଘାତେ କମ୍ପମାନ ହେଲା ବସୁନ୍ଧରୀ

ମୁଥେ ମୁଥ ପଡ଼ି ତାଳ ହୁଅନ୍ତେଣ ବେନି

ଗଗନେ ପାଇଁ କମ୍ପିଲେ ନାଥ ସଂଯନାନୀ

 

ବିଲଙ୍କା ରାମୟଣର ଯୁଦ୍ଧ ବର୍ଣ୍ଣନା :-

ଲକ୍ଷ ଲକ୍ଷ ଶେଲ କୁନ୍ତ ମୂଷଳ ମାରନ୍ତି

ବକ ପକ୍ଷୀ ପ୍ରାୟ ବାଣେ ଶୂନ୍ୟ ଝଟକନ୍ତି

କକଡ଼ା ମାସରେ ଯେସନେକ ବର୍ଷାଧାରା

ସେହି ରୂପେ ଶସ୍ତମାନ ପଡ଼େ ନିରନ୍ତର

(ବିଲଙ୍କା ରାମାୟଣ)

 

ଚଣ୍ଡୀ ପୁରାଣରେ ରାକ୍ଷସମାନେ ଯୁଦ୍ଧ କରୁଥିବାରୁ ବାଜି, ଗଜ, ରଥ କି ବ୍ୟୁହ ରଚନା ଦେଖାଯାଏ ନାହିଁ । ନବକୋଟି କାତ୍ୟାୟିନୀ, ଛପନ କୋଟି ପିଶାଚୀ, ଚଉଷଠି ଯୋଗିନୀ ଓ ଚଣ୍ଡୀ ଚାମୁଣ୍ଡାଙ୍କ ଯୁଦ୍ଧ ସମର ବିଭତ୍ସତା ସୃଷ୍ଟିକରେ । ସମର ବର୍ଣ୍ଣନା ଅପେକ୍ଷା ଦେବୀଙ୍କର ମହିମା ପ୍ରଶ୍ୟାପନ କବିଙ୍କର ମୂଳ ଉଦ୍ଦେଶ୍ୟ । ସାରଳାଙ୍କ ସାହିତ୍ୟରେ ଅର୍ଦ୍ଧାଧିକ ଅଂଶ ସମ୍ବନ୍ଧୀୟ ବର୍ଣ୍ଣନାରେ ପରିପୂର୍ଣ୍ଣ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସମର କାବ୍ୟ ନୁହେଁ । ଏଥିରେ ସାହିତ୍ରୀ, ସତ୍ୟବାନ, ନଳ, ଦମୟନ୍ତୀ, ଅରୁଣିଙ୍କର ଗାଥାର ସଂଯୋଜନା ହୋଇଛି । ତା ସହିତ ଦର୍ଶନ, ଧର୍ମ, ସାମାଜିକତା, ଆଧ୍ୟାତ୍ମିକତା ଓ ରାଜନୀତି ଉପସ୍ଥାପନା ରହିଛି ।

 

ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ବିଚାର ଯେ ସାରଳା ଦାସ ମହାକାବ୍ୟିକ ଚରିତ୍ରମାନଙ୍କର ସମର ଯାତ୍ରା ଓ ସମର କୁଶଳତା ସମ୍ପର୍କରେ ହୋଇଥିବା ଚିତ୍ର ପଞ୍ଚଦଶ ଶତାବ୍ଦୀରେ ଜଣେ ଓଡ଼ିଆ ଗଜପତିଙ୍କ ସମରର ବିଚାରର ପ୍ରିତିଲେଖ । ମାୟାଧର ମାନସିଂହଙ୍କ ବିଚାରରେ ସମ୍ଭବତଃ ସେକାଳର ଗଜପତି ସୃଷ୍ଟି କୃଷକ ବାହୀନୀର ଜଣେ ସଦସ୍ୟ ଯେ କୃଷିକର୍ମ ଓ ସମର କର୍ମକୁ ଆପଣାର ବୃତ୍ତି ଭାବରେ ଗ୍ରହଣ କରିଛନ୍ତି, ସେ କାଳର ଗଜପତି ଅଧ୍ୟୁଷିତ ଭୂମିର ସମ୍ପ୍ରସାରଣ କୌଶଳକୁ ଅଙ୍ଗେ ନିଭେଇଛନ୍ତି । ତାଙ୍କ ସମଗ୍ର ମହାଭାରତର ବର୍ଣ୍ଣିତ ସମର ଚିତ୍ର ବ୍ୟାସଙ୍କ ଠାରୁ ଅଧିକ ସ୍ୱତନ୍ତ୍ର । ଉତ୍କଳୀୟ ସମର କୌଶଳରେ ପ୍ରାଣବନ୍ତ । ଯୁଦ୍ଧର କାରଣ, ସମର ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୀରମାନଙ୍କର ବେଶ, ପୋଷାକ, ବ୍ୟବହୃତଯାନ ଓ ଅସ୍ତ୍ରଶସ୍ତ୍ର, ପ୍ରତିପକ୍ଷକୁ ପରାହତ କରିବା ପାଇଁ ସେମାନଙ୍କୁ ଉଚ୍ଚକିତ ଆହ୍ୱାନ ଓ ସମର ପରିଣତିର ଚର୍ଚ୍ଚା ମାଧ୍ୟମରେ ସାରଳା ଓ ବଳାରାମଙ୍କ ବୀର ଦୃଷ୍ଟିର ମୂଲ୍ୟାୟନ କରାଯାଏ । ସାରଳା ଦାସଙ୍କ ବିଚାରଭୂମି ଉପରେ ପରବର୍ତ୍ତୀ କାଳରେ ସମରଯାତ୍ରା ମାନ ସୃଷ୍ଟି ହୋଇଛି ।

 

ବଳାରାମ ଦାସ ଅବଶ୍ୟ ଏକ ଭିନ୍ନ ବ୍ୟକ୍ତିତ୍ୱ ଓଡ଼ିଆର ସାମରିକ ଶକ୍ତିର କ୍ରମ କ୍ଷୟ କାଳୀନ, ପରିସ୍ଥିତିର ନୀରବ ଦ୍ରଷ୍ଟା ଅର୍ଥାତ୍ ପ୍ରତାପରୁଦ୍ରଦେବଙ୍କ ଅସହାୟତାକୁ ସେ ଗଭୀର ଭାବେ ଅନୁଭବ ଓ ଅନୁଶୀଳନ କରିଛନ୍ତି । ଏଣୁ ସାମରିକ ଅଭିଯାନ ପରିବର୍ତ୍ତେ ସାଂସ୍କୃତିକ ସଂସ୍କାର ତାଙ୍କ ସାହିତ୍ୟ ପ୍ରାଧାନ୍ୟ ଲାଭ କରିଛି । ତଥାପି ମହାକାବ୍ୟିକ ଚରିତ୍ରମାନଙ୍କ ବୀରଭାବ ପ୍ରତିଷ୍ଠାରେ ସେ ଆଦୌ କୃପଣତା ପ୍ରକାଶ କରିନାହନ୍ତି । କଥନ ସୁଲଭତା ପରିବର୍ତ୍ତେ କାବ୍ୟିକତା ତାଙ୍କ ସମର ବର୍ଣ୍ଣନାର ମାଧ୍ୟମ ହୋଇଛି । ଆଦି ଓ ଅଯୋଧ୍ୟା କାଣ୍ଡରେ ଦଶରଥଙ୍କର ସମର କୁଶଳତା, ଅଯୋଧ୍ୟା କାଣ୍ଡରେ ରାମଚନ୍ଦ୍ରଙ୍କ ଅସୁରୀ ଓ ବ୍ରାହ୍ମଣ ବୀର ପର୍ଶୁରାମ, କିସ୍ମିନ୍ଧା କାଣ୍ଡରେ ବାଳୀ, ଲଙ୍କା କାଣ୍ଡରେ କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ, ରାବଣ ଆଦି ବୀରମାନଙ୍କ ସହିତ ସମର, ପାଠକକୁ ଅଭିଭୂତ କରେ-। ବାଳୀ-ସୁଗ୍ରୀବ, ଲକ୍ଷ୍ମଣ-ଇନ୍ଦ୍ରଜିତ-ରାବଣ, ଲକ୍ଷ୍ମଣ-କୁମ୍ଭକର୍ଣ୍ଣ, ରାବଣ-ଲକ୍ଷ୍ମଣଙ୍କ ମଧ୍ୟରେ ମହାଯୁଦ୍ଧରେ ଶର ଚାଳନା ବିଶେଷତ୍ୱକୁ ବଳରାମ ଜଣେ ସମର ବିଦ୍ୟା ବିଶାରଦ ପରି ବର୍ଣ୍ଣନା କରିଛନ୍ତି । ଜାମ୍ବବାନ ଓ ନଳ, ନୀଳ, ସୁଷେଣ, ସୁଗ୍ରୀବ, ଅଙ୍ଗଦ ଏବଂ ବିଶେଷତଃ ହନୁମାନ ପରି ରକ୍ଷ ଓ କପିବୀରମାନଙ୍କ ସହିତ ଦାନ ବୀର ଯୁଦ୍ଧ କୌଶଳ ମଧ୍ୟ ବେଶ୍ ଉତ୍ସାହପ୍ରଦ । ଉକ୍ତ କୌଶଳକୁ ସୂକ୍ଷ୍ମ ପରିବର୍ତ୍ତେ ବଣ୍ୟ ବୋଲି କୁହାଯାଇପାରେ । ଯୁଦ୍ଧ କାଳରେ ବୀରମାନଙ୍କର ଉଚ୍ଚ ବାଚ, ଆପଣାର ଅହଂକାରରେ ପ୍ରତିପକ୍ଷକୁ ଅଧିକ ମତ୍ତ ପରି ବାର ମାନସିକତା ଓ ତତ୍‌ଜନିତ କୋଳାହଳ ଚିତ୍ତକୁ ସମର ଭାବରେ ଉଦ୍‌ବେଳନ କରେ । ଉଭୟ କବି ଉତ୍କଳର ସାମରିକ ଅଭିଯାନ ସହିତ ସମ୍ପର୍କିତ ହୋଇଥାଆନ୍ତୁ ବା ନଥାନ୍ତୁ । ଧାରଣା, ଅନୁଭବ ଓ ଅଧ୍ୟୟନର କାବ୍ୟାୟନରେ ସେମାନେ ଯେ ସଫଳ ଏକଥା ଅସ୍ୱୀକାର କରାଯାଇ ନପାରେ । ଦାଣ୍ଡି ରାମାୟଣରେ ବଳରାମ ବର୍ଣ୍ଣନା କରିଛନ୍ତି-

 

ଲକ୍ଷ ଲକ୍ଷ କରେ ଯେ ଶୁଭଇ ଘୋର ନାଦ

ବିକଟାଳ ହୋଇଣ ବାଜୁଛି ରଣବାଦ୍ୟ

ରକତ ସମୁଦ୍ରେ ଯେ ବହିଲା ସୁର ପୁରେ

ମଢ଼ା କୁଢ଼ କୁଢ଼ ଯେ ପଡ଼ିଲା ନିରନ୍ତରେ

 

ଏହାର ରସ ବୀରରସ ନୁହେଁ । ରାମ ମଧ୍ୟ ବୀର ପୁରୁଷ ନୁହନ୍ତି । ସେ ଅଲୌକିକ ଓ ଭଗବାନ୍ । ବୀରତ୍ୱ ପାଇଁନୁହେଁ । ଅନ୍ୟାୟର ବିରୋଧରେ, ଅଧର୍ମର ବିରୋଧରେ ନ୍ୟାୟ ଓ ଧର୍ମଯୁଦ୍ଧ । ଭକ୍ତଚରଣ ଦାସଙ୍କ ମଥୁରାମଙ୍ଗଳ ରେ କୃଷ୍ଣ ବଳରାମଙ୍କର ଚାଣୁର ସହିତ ହୋଇଥିବା ସଂଗ୍ରାମକୁ ମଲ୍ଲଯୁଦ୍ଧରେ ପର୍ଯ୍ୟାୟ ଭୁକ୍ତ କରାଯାଇପାରେ । ଦୀନକୃଷ୍ଣଙ୍କର ରସ ବିନୋଦରେ ବିଷ୍ଣୁ ଓ ମୟଦୈତ୍ୟର ଯୁଦ୍ଧ ବର୍ଣ୍ଣିତ । ଉପେନ୍ଦ୍ରଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ କିଛି ସମର ବର୍ଣ୍ଣନା ରହିଛି । ଏହା ବୀର ରସାତ୍ମକ ହେବା ପରିବର୍ତ୍ତେ ଆଦି ରସାତ୍ମକ ହୋଇଛି । ଚମ୍ପା ନଗରୀକୁ ଯାଉଥିବା ସୈନ୍ୟ ସାମନ୍ତମାନଙ୍କ ଗତିକୁ କବିସମ୍ରାଟ ରମଣୀରତ୍ନର ଗତି ସହିତ ତୁଳନା କରିଛନ୍ତି । ସୁନ୍ଦରୀ କଲି ତିଳକ ପରି ଖଡ଼ଗ, ଭାଲ ପରି ଫଳକ, ନାସା ପରି ତୁଣୀର, କଟାକ୍ଷ ପରି କୁନ୍ତ । ପତାକା ପରି ପଣତ ଓ ଉଚ୍ଚକୁଚ ପରି ରଥର ବର୍ଣ୍ଣନା ମଦନଙ୍କ ଶୃଙ୍ଗାର ଯାତ୍ରା ପରି ମନେ ହେଉଛି-। ପ୍ରାଚୀନ ଓଡ଼ିଆ ସମରଚିତ୍ରରେ ମାନବୀୟ ଶକ୍ତି ଓ ସାଧନା ଅପେକ୍ଷା ଦୈବୀଶକ୍ତିର ପ୍ରାଧାନ୍ୟ ଅଧିକ ।

 

ଷୋଡ଼ଶ ଶତାବ୍ଦୀର କାବ୍ୟ ପୁରୁଷୋତ୍ତମ ଦାସଙ୍କ କାଞ୍ଚିକାବେରୀରେ ସମର ବର୍ଣ୍ଣନାକୁ ଲକ୍ଷ୍ୟ କରି ସୁରେନ୍ଦ୍ର ମହାନ୍ତି ମତ ଦେଇଛନ୍ତି ଓଡ଼ିଆମାନଙ୍କର ଋଣ ଦୁନ୍ଦୁଭି କାଞ୍ଚି କାବେରୀ ଓ ସମରତରଙ୍ଗ ବ୍ୟତୀତ ଅନ୍ୟ କୌଣସି କାବ୍ୟରେ ନିନାଦିତ ହୋଇ ନାହିଁ । (ଓ.ସା. ମଧ୍ୟପର୍ବ) ଡକ୍ଟର ହରେକୃଷ୍ଣ ମହତାବ୍‌ଙ୍କ ଓଡ଼ିଶା ଇତିହାସ ଅନୁଯାୟୀ କପିଳେନ୍ଦ୍ର ଦେବଙ୍କ ପରେ ପୁରୁଷୋତ୍ତମ ଦେବ ଶାସନ ଭାର ଗ୍ରହଣ କଲେ । ସେ ସମୟରେ ଦକ୍ଷିଣରେ କାଞ୍ଚି ରାଜ୍ୟର ରାଜା ସାଲ୍ୱ ନରସିଂହ ପ୍ରବଳ ପରାକ୍ରମୀ ଥିଲେ । ଚନ୍ଦ୍ରଗିରି ଓ ଉଦୟଗିରି ମଧ୍ୟରେ ଥିବା ସମସ୍ତ ଓଡ଼ିଆ ଦୁର୍ଗମାନ ଅଧିକାର କରିଥିଲେ । ଏ ଖବରପାଇ ପୁରୁଷୋତ୍ତମ ବିଶାଳ ସୈନ୍ୟ ବାହିନୀ ଧରି ରାଜ୍ୟ ରକ୍ଷା ଉଦ୍ଦେଶ୍ୟରେ ଯାତ୍ରା କଲେ । ସାଲ୍ଵବାହିନୀ ପରାସ୍ତ ହେଲେ । ପୁରୁଷୋତ୍ତମ ସାଲ୍ଵଙ୍କ କନ୍ୟା ରୂପାମ୍ବିକା ଓରଫ୍ ପଦ୍ମାବତୀଙ୍କୁ ବିବାହ କରିଥିଲେ । ଏହା ଏକ ଜନଶ୍ରୁତିମୂଳକ କାବ୍ୟ । କାଞ୍ଚି ଯୁଦ୍ଧର ଐତିହାସିକ ସତ୍ୟତା ଉପରେ ବହୁ ଆଲୋଚନା ହୋଇଛି । ଗଜପତିଙ୍କର କାଞ୍ଚି ଅଭିଯାନ ହିଁ ମୂଳକଥା କିନ୍ତୁ ପୁରୁଷୋତ୍ତମଦେବ ବୀର ନୁହନ୍ତି । କପିଳେନ୍ଦ୍ରଦେବଙ୍କ ପୁତ୍ରମାନଙ୍କଦ୍ୱାରା ଲାଞ୍ଛିତ ଜଗନ୍ନାଥ କୃପାରୁ ରାଜ୍ୟ ପାଇଛନ୍ତି । ଜଗନ୍ନାଥ ନିଜେ କୃଷ୍ଣ ରୂପରେ ସାରଙ୍ଗଧନୁ ଧରି ଯୁଦ୍ଧ କରିଛନ୍ତି ।

 

କେତେବେଳେ ଧରିଣ ସାରଙ୍ଗ ଧନୁକର

କୁହୁଡ଼ି ପରାଏ କରି ବିନ୍ଧିତୀକ୍ଷ୍ ଣ ଶର

 

ଏଥିରେ ଅସ୍ତ୍ରଶସ୍ତ୍ର ଝନ୍‌କାର, ବୀର ହୁଙ୍କାର, ସମରଯାତ୍ରାର ଆଡ଼ମ୍ବର ଦେଖାଯାଏ ନାହିଁ । ବୀରଦର୍ପରେ କାଞ୍ଚି ରାଜାଙ୍କ ସହ ଗଜପତିଙ୍କର ଯୁଦ୍ଧ ହୋଇ ନାହିଁ । ଜଗନ୍ନାଥଙ୍କଠାରୁ ଏକ ଅସ୍ତ୍ର ପାଇ କାଞ୍ଚିଗଡ଼କୁ ଭାଙ୍ଗିଛନ୍ତି । ଏଥିରେ ବୀରତ୍ୱ ଅପେକ୍ଷା ଭକ୍ତିଭାବ ବେଶି ଫୁଟି ଉଠିଛି । ରଙ୍ଗଲାଲ ବନ୍ଦୋପାଧ୍ୟାୟଙ୍କ ଲିଖିତ ବଙ୍ଗଳାରେ କାଞ୍ଚି କାବେରୀ କାବ୍ୟ (୧୮୭୧)ରେ ପଦ୍ମାବତୀଙ୍କର ଗଜପତିଙ୍କ ପ୍ରତି ଅନୁରାଗ ବର୍ଣ୍ଣିତ ହୋଇଛି ।

 

ଊନବିଂଶ ଶତାବ୍ଦୀରେ ଦେଶର ଇତିହାସକୁ ଅବଲମ୍ବନ କରି ବହୁ କାବ୍ୟ ଓ କାହାଣୀ ସୃଷ୍ଟି ହୋଇଛି । ସ୍ୱଦେଶର ଗୌରବ କାହାଣୀ, ବୀରତ୍ୱ ବ୍ୟଞ୍ଜକ ଅଭିଯାନ ଓ ଲୋକକାହାଣୀକୁ ରୂପ ଦେବା ପାଇଁ କବି ଦୃଷ୍ଟି ଇତିହାସକୁ ଅଣ୍ଡାଳିଛି । ଭାରତୀୟ ରମଣୀର ତ୍ୟାଗ, ପ୍ରେମ ନିଷ୍ଠା କାବ୍ୟରୂପ ପାଇଛି । ରାଣୀ ଦୁର୍ଗାବତୀ, ରାଣୀ ଶୁକ ଦେଇଙ୍କର, ଜୟଗାନ କରିଛନ୍ତି କବି । ଦୀର୍ଘ ଦିନ ଧରି ପରାଧୀନତାର ଗ୍ଲାନିରେ ଅତିଷ୍ଠ ହୋଇଥିବା ମୃତକଳ୍ପ ଜାତିର ପ୍ରାଣରେ ଉଦ୍ଦୀପନା ଓ ଜାତୀୟ ଚେତନା ସୃଷ୍ଟି କରିବା ନିମନ୍ତେ ବହୁ ସମର ବର୍ଣ୍ଣନାତ୍ମକ କାବ୍ୟ କବିତା ସୃଷ୍ଟି ହୋଇଛି । ରାଧାନାଥ ଶିବାଜୀଙ୍କର ଉତ୍ସାହବାଣୀ, ବେଣୀ ସଂହାର, ନନ୍ଦିକେଶ୍ୱରୀ, ମହାଯାତ୍ରା ଓ କୋଣାର୍କ ପ୍ରକାଶିତ ହୋଇଛି । ନନ୍ଦିକେଶ୍ଵରୀ କାବ୍ୟରେ ଚୋଡ଼ଗଙ୍ଗ ଦେବଙ୍କ ସ୍କନ୍ଧାବାର, କାଠଯୋଡ଼ି ତୀରରେ ସୁବର୍ଣ୍ଣ କେଶରୀଙ୍କ ଶିବିର, ସୈନ୍ୟମାନଙ୍କର ଲାଖବିନ୍ଧା, ମଲ୍ଲଯୁଦ୍ଧ ଓ ସମର ସଭା ପ୍ରକାଶିତ । ନନ୍ଦିକେଶରୀରଙ୍କ ପ୍ରେମ ଓ ଚୋଡ଼ଗଙ୍ଗଦେବଙ୍କ ମହାନତା ପ୍ରକାଶ ପାଇଛି । ମହାଯାତ୍ରା କାବ୍ୟରେ ପୃଥ୍ୱୀରାଜ ଓ ମହମ୍ମଦ ଘୋରୀ ମଧ୍ୟରେ ପ୍ରଥମ ତିରୋରୀ ଯୁଦ୍ଧ କେନ୍ଦ୍ର କରି ସମର ବର୍ଣ୍ଣନା କରିଛନ୍ତି । ନିସ୍ତେଜ ସୈନ୍ୟମାନଙ୍କୁ ପୃଥ୍ୱୀରାଜଙ୍କର ସେନାପତି ଅମଷୀ ଉଦ୍‌ବୋଧନ ଦେଇଛନ୍ତି । ରଥୀ ସହ ରଥୀ, ପଦାତି ସହିତ ପଦାତି ଓ ନିଷାଦି ସହ ନିଷାଦିର ଘୋରସଂଗ୍ରାମ ଚିତ୍ର ରହିଛି । କବି ଲେଖିଛନ୍ତି-

 

ପଡ଼ିଲା ପ୍ରଚଣ୍ଡ ବେଗେ - ରଥୀ ମହାରଥୀ

ପଦାତି ପଦାତି ସହ ସାଦି ସଙ୍ଗେ ସାଦି

ନିଷାଦି ନିଷାଦି ସହ ମିଶିଲେ ଆହବେ

ଚକର ଘର୍ଘର ବାଜି ରାଜି ହ୍ରେଷା ଭବେ ।

 

ଡଃ କ୍ଷେତ୍ରବାସୀ ନାୟକଙ୍କ ମତରେ ମହାଯାତ୍ରା ହେଉଛି ଆଧୁନିକ ଓଡ଼ିଆ ମହାକାବ୍ୟ ରଚନାର ସର୍ବପ୍ରଥମ ନିଦର୍ଶନ । ବିଷୟବସ୍ତୁରେ ଇତିହାସ ଓ ପୁରାଣର ସମନ୍ୱୟ ହୋଇଛି । ନୀଳକଣ୍ଠ ଦାସଙ୍କ ଖାରବେଳ (୧୯୨୦)ରେ ସମରର ଚିତ୍ର ରହିଛି । ଖାରବେଳ ସିନ୍ଧୁ ଦେଶ ଆଡ଼କୁ ଯାତ୍ରା କରିଛନ୍ତି । ଛାଉଣୀସ୍ଥାପନ ବେଳେ ବଜୀର କନ୍ୟା ଧ୍ୱସିଙ୍କୁ ଦେଖିଛନ୍ତି । ଧ୍ୱସିଙ୍କୁ ପାଇବା ମୂଳ ଲକ୍ଷ୍ୟ ହୋଇଛି । ସମର ମାଧ୍ୟମରେ ପ୍ରଣୟ ସୃଷ୍ଟି ଏହାର ଆତ୍ମିକ ହୋଇ ଉଠିଛି । ନୀଳକଣ୍ଠଙ୍କର ମାୟଦେବୀ କାବ୍ୟରେ ଯୁବରାଜ ନରସିଂହଙ୍କର ଶିଶୁପାଳ ଗଡ଼ର ସାମନ୍ତ ରାଜକନ୍ୟା ମାୟଦେବୀଙ୍କ ସହ ଭେଟ ଓ ପ୍ରେମ ହିଁ ବର୍ଣ୍ଣିତ । ଏହି କାବ୍ୟଜଗତ କ୍ଲାସିକ ଓ ରୋମାଣ୍ଟିକ୍ ମାନସିକତାର ସମନ୍ୱୟ । ଚିନ୍ତାମଣି ମହାନ୍ତି (୧୯୦୯) ଶିଶୁପାଳ ବଧ କାବ୍ୟରେ ଶିଶୁପାଳ ଓ ଅନ୍ୟାନ୍ୟ ରାଜାଙ୍କ ସହ କୃଷ୍ଣଙ୍କର ସମର ବର୍ଣ୍ଣିତ । ଯୁଦ୍ଧ ପ୍ରାଚୀନ ରୀତିରେ ହୋଇଛି । କୃଷ୍ଣଙ୍କ ପ୍ରତି ରାଜାମାନଙ୍କର କ୍ରୋଧ ଓ ଆସ୍ଫାଳନ ପ୍ରକାଶ ପାଇଛି । ଶେଷରେ ସୁଦର୍ଶନ ଚକ୍ରରେ କୃଷ୍ଣ ଶିଶୁପାଳଙ୍କୁ ବଧ କରିଛନ୍ତି । ସମର ଅପେକ୍ଷା ଦେବତ୍ୱର ଓ ଜୀବନ ଦର୍ଶନର ଆଲେଖ୍ୟ ରହିଛି । ରାଜପୁତ ଜାତିର କିମ୍ବଦନ୍ତୀକୁ ନେଇ ଚିନ୍ତାମଣି ମହାନ୍ତି ‘ଆର୍ଯ୍ୟବାଳା’ କାବ୍ୟ ଲେଖିଛନ୍ତି । ଚିତୋରର ରାଣା ଭୀମ ସିଂହଙ୍କ ପତ୍ନୀ ପଦ୍ମିନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଆଲ୍ଲାଉଦ୍ଦିନ ଖିଲିଜି ଚିତୋର ଦୁର୍ଗ ଅବରୋଧ କରନ୍ତି । ପଦ୍ମିନୀଙ୍କୁ ଲାଭ କଲେ ଭୀମସିଂହଙ୍କୁ ମୁକ୍ତି ମିଳିବ ଏଭଳି ସର୍ତ୍ତ ରଖନ୍ତି । ଏଭଳି ସର୍ତ୍ତରେ ବୀର ରାଜପୁତ ତାତି ଉଠିଛନ୍ତି । ଭୟଙ୍କର ସଂଗ୍ରାମ, ପଦ୍ମିନୀ ଓ ଭୀମ ସିଂହଙ୍କର କୌଶଳରେ ପଳାୟନ । ପଦ୍ମିନୀଙ୍କ ସାହସ, ସତୀତ୍ୱର ପରାକାଷ୍ଠା ଓ ବୁଦ୍ଧିମତ୍ତା ଭୀମସିଂହଠାରୁ ଯେ ଅଧିକ ଏହା ପ୍ରମାଣ କରନ୍ତି କବି । ୧୯୨୦ ରେ ସୁଭଦ୍ରା ଏକ ପୌରାଣିକ କଥାବସ୍ତୁକୁ ନେଇ କବି ଲେଖିଛନ୍ତି ସୁଭଦ୍ରା ଓ ସତ୍ୟଭାମାଙ୍କ ଭକ୍ତି-ପ୍ରତ୍ୟୁକ୍ତି ଭିତରେ ଅର୍ଜୁନଙ୍କର ବୀରତ୍ୱ ବର୍ଣ୍ଣନା, ସୁଭଦ୍ରାଙ୍କର ଅର୍ଜୁନଙ୍କ ପ୍ରତି ଆକର୍ଷିତ ହେବା, ଦେବୀ ମନ୍ଦିରୁ ସୁଭଦ୍ରାଙ୍କୁ ଅପହରଣ, ଯଦୁବୀରମାନଙ୍କ ସହ ଯୁଦ୍ଧ, ସୁଭଦ୍ରାଙ୍କ ରଥଚାଳନା ଓ ଶେଷରେ ବିବାହ ଭଳି ଘଟଣାର ବର୍ଣ୍ଣନା ହୋଇଛି ।

 

ମଧୁସୂଦନ ପଣ୍ଡାଙ୍କ ଚୂଡ଼ଙ୍ଗ ପ୍ରାଣ (୧୯୩୦)ରେ ଚୋଡ଼ଗଙ୍ଗଦେବଙ୍କ ଜନ୍ମ ବୃତ୍ତାନ୍ତ ଏବଂ ଅପର୍ଣ୍ଣା ଦେବୀଙ୍କ ଇନ୍ଦୁମତୀ ଦୁଇଟି କାବ୍ୟରେ ବୀରତ୍ୱ, ପ୍ରେମ ଓ ଭକ୍ତିର ସମନ୍ୱୟ ଘଟିଛି । ନିତ୍ୟାନନ୍ଦ ବହିଦାରଙ୍କ ରାଣୀଦୁର୍ଗାବତୀ (୧୯୩୫)ରେ ବିସ୍ତୃତ ସମର ବର୍ଣ୍ଣନା ରହିଛି । ଚନ୍ଦେଲ୍ ବଂଶର ମହୋବାପତିଙ୍କ କନ୍ୟା ଦୁର୍ଗାବତୀଙ୍କୁ ବଧୂ ରୂପରେ ପାଇବାକୁ ଗଡ଼ରାଜ୍ୟର ରାଜା କାମନା କରିଛନ୍ତି, ଚନ୍ଦେଲ୍ ରାଜବଂଶ ଅସମ୍ମତି ହେବାରୁ ମହୋବା ଘେରି ଯାଇଛନ୍ତି । ରାଣୀ ଦୁର୍ଗାବତୀ ସେନାପତିଙ୍କୁ ଅସ୍ତ୍ର ଦେବାକୁ ଆସି ଗଡ଼ରାଜର ଯୁବକଙ୍କୁ ଦେଖି ପ୍ରେମରେ ପଡ଼ିଛନ୍ତି, ବିବାହ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁପରେ ଆକବର ଗଡ଼ ଆକ୍ରମଣ କରିଛନ୍ତି, ଦୁର୍ଗାବତୀ ନିଜେ ହସ୍ତୀ ପୃଷ୍ଠରେ ବସି ଯୁଦ୍ଧ କରିଛନ୍ତି । ମୁସଲମାନ ସୈନ୍ୟମାନେ ଗଭୀର ଅନ୍ଧକାର ଭିତରେ ଶିବିର ଆକ୍ରମଣ କରିଛନ୍ତି, ଶତ୍ରୁପକ୍ଷର ଶର ରାଣୀଙ୍କ ଚକ୍ଷୁ ଓ କଣ୍ଠକୁ ବିଦ୍ଧ କରିଛି । ଶତ୍ରୁ ତାଙ୍କୁ ସ୍ପର୍ଶ କରିବା ପୂର୍ବରୁ ଛୁରିକା ଘାତରେ ନିଜେ ମୃତ୍ୟୁବରଣ କରିଛନ୍ତି । ସମରବର୍ଣ୍ଣନା ଅପେକ୍ଷା ବୀରାରମଣୀ ଦୁର୍ଗାବତୀଙ୍କର ବୀରତ୍ୱ ହିଁ ପ୍ରତିପାଦନ କରିଛନ୍ତି । ବିଶ୍ୱନାଥଙ୍କର ମିଳନ ମାଧୁରୀ (୧୯୫୨)ରେ କିନ୍ତୁ ସମରବର୍ଣ୍ଣନା ରହିଛି । ପୃଥ୍ୱୀରାଜ ସ୍ୱୟମ୍ବର ସଭାରୁ ସଂଯୁକ୍ତାଙ୍କ ଅପହରଣ କରି ନେଇଯିବାରୁ ମିବାର ନୃପତି ସମରସିଂହଙ୍କ ନେତୃତ୍ୱରେ ଜୟଚନ୍ଦ୍ରଙ୍କ ସୈନ୍ୟମାନଙ୍କର ସହ ଯୁଦ୍ଧର ବର୍ଣ୍ଣନା ରହିଛି । ବଳଭଦ୍ର ବଡ଼କୁମାରଙ୍କ ବାଲ୍ୟସ୍ମୃତି କାବ୍ୟରେ ସମରର ଦୀର୍ଘ ବର୍ଣ୍ଣନା ରହିଛି । ରେଢ଼ାଖୋଲର ଜେନାମଣି ଭଗବାନ୍ ଚନ୍ଦ୍ର ବାମଣ୍ଡାର ଯୁବରାଜ ବିଶ୍ଵନାଥ ଦେବଙ୍କ ମଧ୍ୟରେ ସଂଗଠିତ ହୋଇଥିବା ସମର ବର୍ଣ୍ଣିତ । ବୀରରସ ଏବଂ ରୌଦ୍ର ରସରେ ଉଦ୍‌ବୋଧନ ରହିଛି । କବିଙ୍କର ‘ଯୁଦ୍ଧଗୀତ’ ନାମରେ ଏକ ଅସମ୍ପୂର୍ଣ୍ଣ କାବ୍ୟ ରହିଛି । ଏଥିରେ ନୟାଗଡ଼ର ରାଜା ବ୍ରଜବନ୍ଧୁ ସିଂହ ସାମନ୍ତ ମାନ୍ଧାତା ସହ ଘୁମୁସୁରର ଶ୍ରୀକର ଭଞ୍ଜଙ୍କ ସମର ବିଷୟ ବର୍ଣ୍ଣିତ । ଏହା ସମ୍ପୂର୍ଣ୍ଣ କାଳ୍ପନିକ ମନେହୁଏ । ଆଲୋଚ୍ୟ ସମସ୍ତ କାବ୍ୟରେ ସମରର ବର୍ଣ୍ଣନା ଥିଲେ ମଧ୍ୟ ସମରର ମୁଖ୍ୟ ସ୍ଥାନ ଅଧିକାର କରି ନାହିଁ । ବୀର ରସ ପରିବର୍ତ୍ତେ ଶୃଙ୍ଗାର ଓ ଭକ୍ତି କେଉଁ କେଉଁ କାବ୍ୟରେ ମୁଖ୍ୟ ରସ ହୋଇଛି ।

 

ବିଶିଷ୍ଟ ସମର କାବ୍ୟ : ଯେଉଁ କେତୋଟି କାବ୍ୟକୁ ସମ୍ପୂର୍ଣ୍ଣ ସମର କାବ୍ୟ ରୂପେ ଗ୍ରହଣ କରାଯାଇଛି ସେମାନଙ୍କ ଭିତରେ ‘ସମରତରଙ୍ଗ’ ମୁଖ୍ୟ (୧୭୮୧) ସମରତରଙ୍ଗର କବି ବ୍ରଜନାଥ ବଡ଼ଜେନା ମଧ୍ୟ ଯୁଗୀୟ ପରମ୍ପରାରେ ଅଧିକ ଅଗ୍ରଗାମୀ ଓ ଆଧୁନିକ । ସ୍ୱତନ୍ତ୍ର ସାହିତ୍ୟର ଚେତନାରେ ବାହକ । ଓଡ଼ିଆ ସମର ସାହିତ୍ୟର ଏକ ଅବିସ୍ମରଣୀୟ ସ୍ମୃତି । ୧୭୫୧ ମରହଟ୍ଟାମାନେ ଓଡ଼ିଶାର ଶାସନ ଭାର ନେଲେ । ଓଡ଼ିଶା ଅଧିକାର ପାଇବା ମାତ୍ରେ ଶିବଭଟ୍ଟ ଓଡ଼ିଶାର ପ୍ରଥମ ଶାସନ କର୍ତ୍ତାଭାବେ ନିଯୁକ୍ତି ହେଲେ ତାଙ୍କ ପରେ ଭବାନୀ ପଣ୍ଡିତ ଓ ଓଡ଼ିଶା ସୁବେଦାର ରାଜାରାମ ପଣ୍ଡିତ ଥିଲେ ଜଣେ ବିଚକ୍ଷଣ ଶାସକ । କୌଶଳରେ ଓଡ଼ିଶାରୁ ବହୁ ଅର୍ଥ ଲୁଟି ନେବା ତାଙ୍କର ଉଦ୍ଦେଶ୍ୟ ଥିଲା । ଏଥିପାଇଁ ଓଡ଼ିଶାର ପାଇକମାନେ ବିଦ୍ରୋହ କରି ରାଜସ୍ଵ ଆଦାୟ ବନ୍ଦ କରି ଦେଉଥିଲେ । ମରହଟ୍ଟାମାନେ ଉତ୍କଳରଚୌଥ ଗ୍ରହଣ କରିବାର କ୍ଷମତା ଲାଭ କଲାପରେ ଢେଙ୍କାନାଳ ରାଜା ବୀରଶ୍ରୀ ତ୍ରିଲୋଚନ ରାୟ ଭ୍ରମରବର ସିଂ ଚୌଥ ନେବାକୁ ଅସ୍ଵୀକାର କଲେ । ମରହଟ୍ଟା ସୈନ୍ୟ ଢେଙ୍କାନାଳ ଦୁର୍ଗ ଆକ୍ରମଣ କଲେ । ରାଜାଙ୍କ ରଣ ନିପୁଣତା ଓ ଦୁର୍ଗରକ୍ଷା କୌଶଳ ଯୋଗୁଁ ମରାଠା ସୈନ୍ୟମାନେ ପରାସ୍ତ ହୋଇ ଚାଲିଗଲେ । ପ୍ରଥମ ଅଭିଯାନ ବିଫଳ ହେଲାପରେ ରାଜାରାମ ନାଗପୁର ର ଚିମନଜୀଙ୍କ ସାହାଯ୍ୟ ନେଇ ତୋପ କମାଣ ଅସ୍ତ୍ର, ଶସ୍ତ୍ର ଅଶ୍ୱବାହିନୀ, ଗଜବାହିନୀ ଓ ସୈନ୍ୟସାମନ୍ତ ସହ ଚେମଣ ବାବୁ ଯୁଦ୍ଧ କରିବାକୁ ଆଗେଇ ଆସିଲେ । ଷାଠିଏ ବାଟି ବିଲରେ ଯୁଦ୍ଧ ନିମନ୍ତେ ଶିବିର ସ୍ଥାପନ କଲେ । ଢେଙ୍କାନାଳ ଦୁର୍ଗର ବର୍ଣ୍ଣନା କରି କବି ଲେଖିଛନ୍ତି । ପାଣ ଓହଳାନାମକ ପର୍ବତର କଟି ଦେଶରେ ଏହି ଦୁର୍ଗ ନିର୍ମିତ ହୋଇଥଲା । ବର୍ହିଦ୍ୱାରରୁ ଦୁର୍ଗ ଅଭ୍ୟନ୍ତରକୁ କ୍ରମଶଃ ଆରୋହଣ କରିବାକୁ ହୁଏ । ଚନ୍ଦ୍ରଶାଳା ପୁରରୁ ଶତ୍ରୁମାନଙ୍କ ଆଗମନ ନିରୂପଣ କରିହୁଏ । ସମସ୍ତ ଦୁର୍ଗ ଅତ୍ୟୁଚ୍ଚ ପ୍ରାଚୀରଦ୍ଵାରା ପରିବେଷ୍ଟିତ । ପ୍ରାଚୀର ଦ୍ୱାର ଓ ଦୁର୍ଗଦ୍ଵାର ପ୍ରକାଣ୍ଡ କାଷ୍ଠ କବାଟଦ୍ୱାରା ଆବୃତ । ଦୁର୍ଗର ବହିଃଦେଶରେ ଚଣ୍ଡିକାପ୍ରସାଦ ଓ କାଳୀପ୍ରସାଦ ମୂଲକ ଓ ମଇଦାନରେ ପ୍ରକାଣ୍ଡ ତୋପମାନ ସଜ୍ଜିତ କରାଯାଇଥିଲା । ଦୁର୍ଗପ୍ରାଚୀର ପ୍ରାୟ ଦୁଇ ସହସ୍ର ଦୂରରେ ପୂର୍ବ ଉଚ୍ଚର ପଶ୍ଚିମ ପାର୍ଶ୍ଵକୁ ବ୍ୟାପୀ ସପ୍ତହସ୍ତ ପରିସର ବିଶିଷ୍ଟ ଆଉ ଗୋଟିଏ ଅତ୍ୟୁଚ୍ଚ ପ୍ରାଚୀର ଓ ପାଦଦେଶକୁ ଲାଗି ଛତିଶ ହସ୍ତ ପରିସର ବିଶିଷ୍ଟ ଗଭୀର ଜଳପୂର୍ଣ୍ଣ ପରିଖା ବା ଜଳୀ ନିର୍ମିତ ହୋଇଥିଲା । ପରିଖାର ବିପରୀତ ପାର୍ଶ୍ୱ ଏକକୋଶ ବ୍ୟାପୀ ଦୁର୍ଗମ ଅରା ଅବା ବାଂଶବନଦ୍ଵାରା ସୁରକ୍ଷିତ ଥିଲା । ଏହି ବର୍ହିଃ ପ୍ରାଚୀରର କେତେକ ସ୍ଥାନରେ ଦୂରଭେଦୀ ଗୁଳି ଦାଗିବା ନିମିତ୍ତ ସୈନିକମାନଙ୍କ ପାଇଁ ମୁରୁଚା ଭାଡ଼ି ଏବଂ ପ୍ରାଚୀ ଦେହରେ ବହୁ ସଂଖ୍ୟକ ଭଣ୍ଡି ନିର୍ମିତ ହୋଇଥିଲା । ନୃସିଂହ ସାଗର ପୁଷ୍କରିଣୀର ନିକଟବର୍ତ୍ତୀ ସ୍ଥାନରେ ଲୋକମାନଙ୍କର ଗମନାଗମନ ନିମିତ୍ତ ଉକ୍ତ ପରିଖା ଉପରେ ଗୋଟିଏ ଭାସମାନ କାଷ୍ଠ ସେତୁ ପ୍ରସ୍ତୁତ ହୋଇଥିଲା । ଏହି ସେତୁରେ ପରିଖା ଅତିକ୍ରମ କଲେ ଉଲ୍ଲିଖିତ ପ୍ରସ୍ତର ପ୍ରାଚୀରର ତୋରଣସ୍ଵରୂପ ବାଉଁଶଦ୍ୱାର ନାମକ ଗଡ଼ର ପ୍ରଥମଦ୍ୱାର ଏହାର ପ୍ରାୟ ସହସ୍ରାଧିକ ହସ୍ତ ଦୂରରେ ଜୟ ମଙ୍ଗଳଦ୍ୱାର ନାମକ ସୁରକ୍ଷିତ ତୋରଣ ଥିଲା । ଏହିଭଳି ବର୍ଣ୍ଣନା ସୋମନାଥ ସିଂହ ଜଗଦ୍ଦେବଙ୍କ କୃଷ୍ଣ ଚକ୍ରଦୁର୍ଗ ତାର ଚନ୍ଦ୍ରମା ଦୁଆରର ସାମଞ୍ଜସ୍ୟ ମିଳେ । ସେ ସମୟ ରାଜ୍ୟକୁ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ କରିବା ପାଇଁ ତଥା ପ୍ରତିରୋଧ ପାଇଁ ରାଜାମାନେ ଏଭଳି ଦୁର୍ଗମାନ ତିଆରି କରୁଥିଲେ । ଢେଙ୍କାନାଳ ରାଜା ମରହଟ୍ଟାମାନଙ୍କ ସହ ଯୁଦ୍ଧ ପାଇଁ କିପରି ପ୍ରସ୍ତୁତ ଥିଲେ । ସେ ସମ୍ପର୍କରେ ଲେଖିଛନ୍ତି :

 

ରାଜନମଣି ପୂର୍ବରୁ ଜାଣି ଅଗାଧ ପାଣି ଜଳୀ ନିର୍ମାଣ

ପାଷାଣ କାନ୍ଥି ସଜାଡ଼ି ପୁଣି ମରୁଚା କରି ଯେ

ଭଣ୍ଡି ବାଜିବା ଥାନକୁ ହେଜି/ଭଣ୍ଡି କାଙ୍ଗାଲୋ ଅଛନ୍ତି ସାଜି

ଚଣ୍ଡୀପ୍ରସାଦ ଗୁଣ୍ଡକୁ ଖଞ୍ଜିଛନ୍ତି ବିଚାରି ଯେ

କାହିଁ ମୁଲକ ମଏଦାନ ତୋପକୁ ଯେ

ରୂପ ରଖିଅଛନ୍ତି କୋଣେ ଧାପକୁ ଯେ (ପୃ- ୪୬୮)

 

ମରହଟ୍ଟାମାନଙ୍କ ବିରାଟ ସୈନ୍ୟବାହିନୀ ଦେଖି ଢେଙ୍କାଳ ସୈନ୍ୟମାନେ ଭୟଭୀତ ହୋଇଛନ୍ତି । ରାଜା ସେମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି –

 

ଏମନ୍ତେ ଶୁଣି ନୃପବର ବୋଲନ୍ତି ଏ ଯେ ଘୋରସାଗର

ଘୋଟି ଆସୁଛି କିଛି ବିଚାରନାହିଁ ମନରେଯେ

ନିଶରେ କର ପକାଇ କରି ବୋଇଲେ ହେବି ମନ୍ଦର ଗିରି

ମନ୍ଥି ଦେବି କି ଅଛ ବିଚାରି ମନେ ତୁମ୍ଭର ଯେ

ଏହି ସିନ୍ଧୁ ମନ୍ଥନ କରିବା ଯେବେ

କେତେ ଯଶ ରତନ ମିଳିବ ତେବେ ହେ ।

 

ଘୋର ଯୁଦ୍ଧ ହୋଇଛି । କୁଢ଼ କୁଢ଼ ମଢ଼ା ପଡ଼ି ଯୁଦ୍ଧ ଭୂମି ରକ୍ତ ରଂଜିତ ହୋଇଛି । ସୈନିକମାନଙ୍କର ଜୀବନ ମୂର୍ଚ୍ଛା ସଂଗ୍ରାମ, ବିକଳ ଆର୍ତ୍ତନାଦ, ରଣଭୂମି ଦୃଶ୍ୟ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଭଳି ମନେ ହୋଇଛି । ଯୁଦ୍ଧ ପରିଣତି ଓ ଅବସାନ ସମ୍ପର୍କରେ ବଡ଼ଜେନାଙ୍କ ମତ ମିଳେ ନାହିଁ । ଐତିହାସିକଙ୍କ ମତରେ ଯୁଦ୍ଧରେ ଢେଙ୍କାନାଳ ରାଜା ପରାସ୍ତ ହେଲେ ଓ ଗଡ଼ ଛାଡ଼ି ଦୁଇଦିନ ପାଇଁ ଚାଲି ଯାଇଥିଲେ । ମରହଟ୍ଟା ସୈନ୍ୟମାନେ ସେଠାରେ କିଛି ଦିନ ରହି ଢେଙ୍କାନଳ ରାଜାଙ୍କଠାରୁ ପେସ୍‌କସ୍ ଆଦାୟ କଲେ । କିନ୍ତୁ କବି ଲେଖିଛନ୍ତି ମରହଟ୍ଟା ସୈନ୍ୟମାନେ ଢେଙ୍କାନାଳ ସୈନ୍ୟମାନଙ୍କ ଶକ୍ତି ଓ କୌଶଳ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି । ସନ୍ଧି ପ୍ରସ୍ତାବ ପଠାଇଛନ୍ତି । ପରିସମାପ୍ତି ଯାହା ହେଉନା କାହିଁକି ଓଡ଼ିଆ ବୀରର ଗୌରବ ଗାନ କରିବା ତାଙ୍କର ଉଦ୍ଦେଶ୍ୟ । ରାଜା ପ୍ରଶସ୍ତି ରହିଛି । ରାଜା ତ୍ରିଲୋଚନ, ଚିମନଜୀ, ରାଜା ରାମପଣ୍ଡିତ, ଶେଠ ମଞ୍ଜୁ ଚୌଧୁରୀ ମୋଟରୀ ଯୁଦ୍ଧରେ ମରହଟ୍ଟାମାନଙ୍କ ପରାଜୟ ଭଳି ଘଟଣା ଓ ଚରିତ୍ରର ଐତିହାସିକ ସତ୍ୟତା ରହିଛି । ଅନ୍ୟ ଏକ ଛାନ୍ଦରେ କେନ୍ଦୁଝରରାଜାଙ୍କ ସହିତ ଢେଙ୍କାନାଳ ରାଜାଙ୍କ ଯୁଦ୍ଧର ସଂକ୍ଷିପ୍ତ ବର୍ଣ୍ଣନା ରହିଛି । ଏଥିରେ ମୁସଲମାନ, ତେଲେଙ୍ଗା ଜାତିର ସିପାହୀମାନଙ୍କର ଭାଷା ଚମତ୍କାର ଭାବେ କବି ଲେଖିଛନ୍ତି । ଏହି କାବ୍ୟରୁ ତତ୍କାଳୀନ ଦୁର୍ଗ ନିର୍ମାଣ, ସମର ନୀତି, ଗଡ଼ ରକ୍ଷା, ସମରକୌଶଳ ବିଷୟରେ ଗଭୀର ଜ୍ଞାନ ମିଳେ । ହାତୀ, ଘୋଡ଼ା, ଶଗଡ଼, ବଳଦ, ତୋପ, କମାଣ, କୁନ୍ତ, ଟଶଙ୍ଗୀ, କଟାରୀ, ବାଙ୍କଚୁରୀ, ଶାବେଳୀ, ବର୍ଚ୍ଚା, ଲମ୍ବ ତୋପ, ଜଜାଲ୍, ଜମ୍ବୁରା, ନଳି, ଝକମକ ଆଦି ଅସ୍ତ୍ରଶସ୍ତ୍ର ସହ ଧସାନାଗରରା, ତେଲଙ୍ଗି ବାଜା, ଚାଙ୍ଗୁ, ଭେରୀ, ତୁରୀ, ମହୁରୀ ଆଦି ରଣବାଦ୍ୟ ଭାବେ ବ୍ୟବହୃତ ହୋଇଥିଲା । ଏହା ଏକ ପ୍ରତ୍ୟକ୍ଷଦର୍ଶୀର ବିବରଣୀ ଭଳି ମନେ ହୁଏ । ମଧ୍ୟଯୁଗର କବି ବୃନ୍ଦପ୍ରେମ, ବିରହ, ମିଳନକୁ କେନ୍ଦ୍ର କରି କାବ୍ୟ ସୃଷ୍ଟି କଲାବେଳେ ନିର୍ଦ୍ଦିଷ୍ଟ ଏକ ସମରକୁ କେନ୍ଦକରି କାବ୍ୟ ରଚନାର ଦୁଃସାହସିକ ପ୍ରଚେଷ୍ଟା କରିଛନ୍ତି । ଓଡ଼ିଆ ପାଇକକୁ ଉତ୍କଳର ଗୌରବ ସମ୍ମାନ ଦେବା କବିଙ୍କର ଉଦ୍ଦେଶ୍ୟ ।

 

ଫିରିଙ୍ଗି କଳି ଭାରତ :- ମଧୁସୂଦନ ବିପ୍ର ପ୍ରଣୀତ ଫିରିଙ୍ଗି କଳି ଭାରତକୁ ଡକ୍ଟର ଅର୍ଜୁନ ଯୋଷୀ ସମ୍ପାଦନ କରିଛନ୍ତି । ଖୋର୍ଦ୍ଧା ରାଜା ଦ୍ୱିତୀୟ ମୁକୁନ୍ଦଦେବଙ୍କ ବିଭିନ୍ନ ସମୟରେ ହୋଇଥିବା ତିନୋଟି ଯୁଦ୍ଧ ବିଷୟରେ ବର୍ଣ୍ଣନା କରିଛନ୍ତି । ୧୭୯୮ରୁ ୧୮୧୭ ଭିତରେ ତିନୋଟି ଯୁଦ୍ଧ ସେ କରିଥିଲେ । ପ୍ରଥମ ଯୁଦ୍ଧ ରଣପୁର ରାଜାଙ୍କ ସହିତ, ଦ୍ୱିତୀୟରେ ବାଙ୍କି ରାଜା ଓ ତୃତୀୟସମର ଇଂରେଜମାନଙ୍କ ସହିତ । ରଣପୁର ରାଜା ବୃନ୍ଦାବନ ନରେନ୍ଦ୍ର ଗଜପତିଙ୍କ ଅବାଧ୍ୟ ହେବାରୁ ରଣପୁର ଦମନ କରିବାକୁ ନିର୍ଦ୍ଦେଶ ଦେଲେ । ଜୟକୃଷ୍ଣ ରାଜଗୁରୁ, ବକ୍ସି ଜଗବନ୍ଧୁ, ଦଶହଜାର ଧନୁର୍ଦ୍ଧାରୀ, ପଦାତିକ, ଗଦାରୋହୀ ଓ ଅଶ୍ଵାରୋହୀ ବୀରବାଦ୍ୟ ବଜାଇ ସମର ଯାତ୍ରା କଲେ । ଖୋର୍ଦ୍ଧା ସୈନ୍ୟମାନଙ୍କ ଗଡ଼ରେ କୁଞ୍ଜବନ ଧ୍ଵଂସ ପାଇଲା । ରଣପୁର ରାଜା ଦ୍ଵିତୀୟ ଥର ପାଇଁ ପ୍ରସ୍ତୁତ ହେଲେ । କିନ୍ତୁ ଖୋର୍ଦ୍ଧା ପାଇକଙ୍କ ଆକ୍ରମଣରେ ଶାଳକ ଭଞ୍ଜ ସରଦାରଙ୍କ ମୁଣ୍ଡ ଛିଡ଼ିଗଲା । ରଣପୁର ରାଜାଧୈର୍ଯ୍ୟ ନ ହରାଇ ନୟାଗଡ଼ ଓ ନରସିଂହପୁର ଦୁର୍ଗକୁ ଦୃଢ଼ କଲେ । ଖୋର୍ଦ୍ଧା ସୈନ୍ୟମାନେ ନରସିଂହପୁର ଗଡ଼ ଜୟ କରି ନୟାଗଡ଼ ଦୁର୍ଗ ଆକ୍ରମଣ କଲେ । ଏହି ଦୁର୍ଗର ବର୍ଣ୍ଣନା ଅନ୍ୟ ଦୁର୍ଗଠାରୁ ଭିନ୍ନ । କାଠ ଓ ମାଟିର ସାତପରସ୍ତ କାନ୍ଥ ଘେରି ରହିଥିଲା । କାନ୍ଥରେ ଥିବା ଗୁରୁଜ ଏବଂ କଳାମାନଙ୍କରେ ଜଲାଲ, ଜମ୍ବରା ସାନ ନଳୀମାନ ଧରି ସୈନ୍ୟମାନେ ଜଗି ରହୁଥିଲେ । ଏହା ଏତେ ଦୁର୍ଭେଦ୍ୟ ଥିଲା ଯେ ଦୁଇଦିନ ଦୁଇ ରାତି ଯୁଦ୍ଧ ପରେ ମଧ୍ୟ ଦୁର୍ଗ ଜୟ କରି ପାରିଲେ ନାହିଁ । ରଣପୁର ସୈନ୍ୟମାନେ ଗଡ଼ ଛାଡ଼ି ବଣକୁ ଚାଲିଗଲା ପରେ ଖୋର୍ଦ୍ଧା ସୈନ୍ୟମାନେ ଗଡ଼ ଅଧିକାର କଲେ । ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ମୁକୁନ୍ଦଦେବ ବାଙ୍କି ଓ ଡମପଡ଼ା ରାଜାଙ୍କ ସହ ଯୁଦ୍ଧ କରି ଜୟଲାଭ କରିଛନ୍ତି । ତୃତୀୟ ଯୁଦ୍ଧ ମୁକୁନ୍ଦଦେବଙ୍କର ଇଂରେଜମାନଙ୍କ ସହିତ ହୋଇଛି । ୧୭୫୭ରେ ଲର୍ଡ଼ କ୍ଳାଇବ୍ ପଲାସୀଯୁଦ୍ଧରେ ଜୟଯୁକ୍ତ ହୋଇ ଇଷ୍ଟ ଇଣ୍ଡିଆ କମ୍ପାନୀର ରାଜ୍ୟ ଖୋର୍ଦ୍ଧା ପର୍ଯ୍ୟନ୍ତ ବିସ୍ତାର କଲେ । ମାଡ୍ରାସ ପର୍ଯ୍ୟନ୍ତ ସିଧା ସଳଖ ଶାସନ କରିବା ପାଇଁ ଚିଲିକା ଓ ସୁବର୍ଣ୍ଣରେଖା ନଦୀର ମଧ୍ୟବତ୍ତୀ ଅଞ୍ଚଳ ଅଧିକାର କରିବାକୁ ଚାହୁଁଥିଲେ । ଏହା ମରହଟ୍ଟାମାନଙ୍କ ଅଧିକାରରେ ଥିଲା । ଏହି ଅଞ୍ଚଳ ଅଧିକାର କରିବା ପାଇଁ ସେମାନେ ଓଡ଼ିଶା ଅଧିକାର କରିବାକୁ ଚାହିଁଲେ । ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ହାରକଟ ଗଞ୍ଜାମରେ ସେନା ଭାବରେ ଯୋଗ ଦେଲେ ଏବଂ ତାଙ୍କ ଅଧୀନାୟକତ୍ଵରେ ବ୍ରିଟିଶ୍ ସୈନ୍ୟ କଟକ ଅଭିମୁଖେ ଆସିଲେ । ପୁନାର ପେଶୱା ଏକ ଯୁଦ୍ଧରେ ହାରିଯାଇ ସନ୍ଧିସର୍ତ୍ତ ଅନୁଯାୟୀ ନାଗପୁରଠାରୁ ବଙ୍ଗଳା ପର୍ଯ୍ୟନ୍ତ ଇଂରେଜମାନଙ୍କୁ ଲେଖି ଦେଇଥିଲେ । ଏବଂ ନିଶ୍ଚିନ୍ତରେ ପୁନା ରାଜ୍ୟ ଭୋଗ କରୁଥିଲେ । ଇଂରେଜମାନେ ନାଗପୁର ଆକ୍ରମଣ କଲେ । ନାଗପୁର ଶାସକ ଥିଲେ ରଘୁଜୀ ଭୋଁସଲେ । ରଘୁଜୀ ଏ ସମ୍ବାଦ ପାଇ ତିନିଲକ୍ଷ ପଦାତିକ, ଅଶୀସହସ୍ର ଅଶ୍ଵ, ମତ୍ତ ହସ୍ତୀ ଓ ଆଠଶତ ତୋପ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । କବି ଲେଖିଛନ୍ତି –

 

ଲାଗିଲା ରଣ ଧନ୍ଦୋଳ ହେଲେ କଟାକଟି

ଯେ ଯାହାର ଶସ୍ତ୍ର ଧରିଣ ପିଟନ୍ତି

ମରାମରି ଧରାଧରି ହୋନ୍ତି କୋଡ଼ାକୋଡ଼ି

ଅଶ୍ଵଙ୍କ ପାଦଘାତେ ହେଲେ ମଡ଼ାମଡ଼ି

 

ରଘଜୀ ଭୋଁସଲେ ହାରିଯାଇ ହୁଲକାରଙ୍କୁ ପ୍ରାର୍ଥନା କରି ପୁନର୍ବାର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ଏହା ଦେଖି ଦିଲ୍ଲୀକ ସାହେବ ରଣଭେଦ ନୀତିର ଆଶ୍ରୟ ନେଲେ । ସେ ନିଜେ ଗାଇଲ ଗଡ଼ ଜଗି ରହି କଟକ ଆକ୍ରମଣ ପାଇଁ ପତ୍ର ଲେଖିଲେ । ଫଳରେ ଦୁଇ ସହସ୍ରଗୋରା, ଚାରିଶହ ପଦାତିକଙ୍କ ସହିତ ଫ୍ଳେଚର, ହାରକଟ୍‌ଙ୍କ ଅଧିନାୟକତ୍ୱରେ ବ୍ରିଟିଶ୍ ସୈନ୍ୟ କଟକ ଅଭିମୁଖେ ଅଗ୍ରସର ହେଲେ । ୧୮୦୩ରେ ପୁରୀ ଅଧିକାର କଲେ । କଟକର ମରହଟ୍ଟା ଶାସକ ହରିବଂଶ ରାୟ ଓ ଦାମୋଦର ରାୟ ଖୋର୍ଦ୍ଧା ରାଜାଙ୍କୁ ସାହାଯ୍ୟ ମାଗିଲେ । ଗଜପତିଙ୍କ ନିର୍ଦ୍ଦେଶକ୍ରମେ କାହ୍ନୁଜୀ ଶମ୍ଭୁ ଭାରତୀ ବାଲାଜୀ କନିଅର ୧୫୦୦ ପଦାତିକ, ୧୦ ହଜାର ଅଶ୍ଵାରୋହୀ ଏବଂ ମରହଟ୍ଟା ସୈନ୍ୟଙ୍କ ସହ ବାଲିଅନ୍ତା ଓ ମୁକୁନ୍ଦପୁରଠାରେ ଇଂରେଜ ବିରୋଧରେ ଏକତ୍ରିତ ହେଲେ-। ଭାର୍ଗବୀନଦୀ କୂଳରେ ତୋପମାଡ଼ କରି ସମସ୍ତ ସୈନ୍ୟଙ୍କୁ ହରାଇଲେ । ମରହଟ୍ଟା ସୁବେଦାର ହରିବଂଶ ରାୟ ବାରବାଟୀ ଛାଡ଼ି ପଳାଇଲେ । ଇଂରେଜମାନଙ୍କ ତୋପମାଡ଼ରେ ଦୁର୍ଗର ଦ୍ୱାର ଭାଙ୍ଗିଗଲା । ବାରବାଟୀ ଦୁର୍ଗ ଅଧିକାର କଲେ । ଖୋର୍ଦ୍ଧା ରାଜା ମରହଟ୍ଟାମାନଙ୍କୁ ସାହାଯ୍ୟ କରିଥିବା କଥା ଇଂରେଜମାନେ ଜାଣି ଖୋର୍ଦ୍ଧା ରାଜାଙ୍କୁ ରାଜ୍ୟ ଲେଖି ଦେବାପାଇଁ କହିଲେ । ରାଜା ମନା କଲେ । ଡେଲାଙ୍ଗଠାରେ ଖୋର୍ଦ୍ଧା ରାଜାଙ୍କ ସହ ଇଂରେଜମାନଙ୍କର ଯୁଦ୍ଧ ହେଲା । ପୂର୍ବ ଶତ୍ରୁତା ହେତୁ ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ାର ରାଜା ଇଂରେଜ ସୈନ୍ୟମାନଙ୍କୁ ରାସ୍ତା ଦେଖାଇ ଦେଲେ । କଟକରୁ ମେଲଭିଲ୍ ସାହେବ ଖୋର୍ଦ୍ଧାର ତିନୋଟି ପ୍ରଧାନ ଦ୍ୱାର ଆଡ଼କୁ ଆଗେଇ ନେଲେ । ସପ୍ତଖାଁଙ୍କ ଅଧିନାୟକତ୍ଵରେ ତରତୁଆ ଦ୍ୱାରକୁ ସୈନ୍ୟ ପ୍ରେରଣ କଲେ । ଫ୍ଲେଚର ସାହେବଙ୍କ ଆଦେଶରେ ଏକଶହ ତୋପ ମରାଯିବାରୁ ଦ୍ୱାର ଭାଙ୍ଗିଗଲା । ସପ୍ତଖାଁ ପରାଜିତ ହେଲେ । ଟାଙ୍ଗିଆପଡ଼ା ଓ ଗଙ୍ଗପଡ଼ାରେ ଇଂରେଜ ଏବଂ ଖୋର୍ଦ୍ଧା ସୈନ୍ୟଙ୍କର ଯୁଦ୍ଧ ଚାଲିଥିଲା । ରାଜା ବୈଷ୍ଣବଭାରତୀଙ୍କ ପୁତ୍ର, ଶମ୍ଭୁଭାରତୀ ଦମ୍ଭର ସହ ଇଂରେଜ ସୈନ୍ୟମାନଙ୍କୁ ଧ୍ଵସ୍ତ ବିଧ୍ୱସ୍ତ କରିଦେଲେ ।

 

ଚିତ୍ରସେନ ଗନ୍ଧର୍ବ ପରାଏ ମହାରଥି

ସାହେବର ଥାଟ ପକାଇଲା ମନ୍ଥି

 

ଇଂରେଜମାନେ ସନ୍ଧି ପ୍ରସ୍ତାବ ଆଣିଲେ । କିନ୍ତୁ ଖୋର୍ଦ୍ଧାରାଜା ତାଙ୍କ ପ୍ରସ୍ତାବକୁ ଉପେକ୍ଷା କଲେ ।

 

ଆଉ ଏତେବେଳେ ବିଚାରଅଛି କାହିଁ

ମ୍ଲେଛପାମରେ ମୋଦ୍ୱାରେ ପଶିଲେ ଝସାଇ

ଏତେବେଳେ ସଲା କରିବି ମୁଁ ଯେବେ

ପାଖ ଜମିଦାର ପ୍ରଜାଏ କି ବୋଲିବେ ।

 

ଇଂରେଜମାନେ କ୍ରୋଧାନ୍ୱିତ ହୋଇ ତୋପ ମାଡ଼ କଲେ । ତିନିଦିନ ତିନ ରାତି ଯୁଦ୍ଧ ହେଲା । ଇଂରେଜମାନେ ପଥରଗଡ଼ ଜୟ କରିପାରିଲେ ନାହିଁ । ଶେଷରେ ହିନ୍ଦୁମାନଙ୍କରଧର୍ମ ବିଶ୍ଵାସର ସୁଯୋଗ ନେଇ ଗାଈର ମୁଣ୍ଡକାଟି ଗୋଳାବାରୁଦ ସହ ରକ୍ତ ପକାଇଲେ । ରାଜା ଆସି ନିଜେ ଯୁଦ୍ଧ କଲେ । ସୈନ୍ୟମାନେ ପଛ ଘୁଞ୍ଚା ଦେବାରୁ ରାଜା ଦୁର୍ଗ ଛାଡ଼ି ଅରଣ୍ୟକୁ ପଲାଇଲେ । ରାଜା ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଲେ । ଖୋର୍ଦ୍ଧାଗଡ଼ ପରେ ଖୋର୍ଦ୍ଧାର ଅସ୍ତ୍ରାଗାର ତାପଙ୍ଗ ଗଡ଼ ଜୟ କଲେ । ଇଂରେଜମାନେ ଅସ୍ତ୍ରାଗାର ଦଖଲ କରିବା ସହ ସମଗ୍ର ଅଞ୍ଚଳକୁ ନିଜ ଅଧୀନକୁ ଆଣିଲେ । ଫିରିଙ୍ଗି କଳିଭାରତ ଯଥାର୍ଥରେ ଏକ ସମର କାବ୍ୟ । ଦୁର୍ଗ ରକ୍ଷା ପାଇଁ ରାଜା ଦ୍ୱିତୀୟ ମୁକୁନ୍ଦଦେବ, ମାଧବ ଚନ୍ଦ୍ର ଧନୁର୍ଜୟ ଓ ମରହଟ୍ଟାଙ୍କ ସହ ଇଂରେଜମାନଙ୍କ ଯୁଦ୍ଧର ଐତିହାସିକ ସତ୍ୟତା ରହିଛି । ଦ୍ୱିତୀୟ ରାଜା ମୁକୁନ୍ଦଦେବ, ଶମ୍ଭୁ ଭାରତୀ, ବକ୍ସି ଜଗବନ୍ଧୁ, ହରିବଂଶ ରାୟ, କଲୋନେଲ୍, ହାରକଟ, ମେଲଭିଲ୍, ମେଜର ଫ୍ଲେଚର ଇତ୍ୟାଦି ଐତିହାସିକ ଚରିତ୍ର । ବାରବାଟୀ ଅଧିକାର ସମୟରେ ଦୁର୍ଗତଳେ, ଥିବା ସିପାହୀମାନଙ୍କର ସାହସର ସହିତ ମୁକାବିଲା କରିବାର ଦୃଶ୍ୟ:

 

ଯେ ଅବା ଭିତରେ ପଶୁଛନ୍ତି ଗଳି

ଅସି ପତ୍ର ପ୍ରାୟେ ସବୁ ପଡ଼ୁଛନ୍ତି ଝଡ଼ି

ଲାଗୁ କଟାକଟି ମଲେ ଅନେକ ଗୋରା

ଥରହର ହୋଇ ଯେ କମ୍ପେ ବସୁନ୍ଧରା

ଦ୍ୱାରରେ ରକ୍ତ ଯେ ପୂରିଲା ବଳାଗଣ୍ଠି

ଗୋରା କୁତୁଡ଼ା ଯେ ପଡ଼ିଲେ ମହୀଲୋଟି

 

ବାରବାଟୀ ଦୁର୍ଗ, ଖୋର୍ଦ୍ଧାଗଡ଼, ଡମପଡ଼ା ଗଡ଼ର ବର୍ଣ୍ଣନା ରହିଛି । ଉପରଗଡ଼ ଭିତର ଗଡ଼ ଓ ତଳଗଡ଼, କନ୍ଧ ନୂଆଗଡ଼ର ନିର୍ମାଣ କୌଶଳର ବର୍ଣ୍ଣନା ଅଛି । ତାପଙ୍ଗଗଡ଼ର ଅସ୍ତ୍ରାଗାରରେ ତୋପ, ବନ୍ଧୁକଳ କମାଣ, ଲଙ୍କିଆ, ଡୋମର ଛେଲ, ଗଦା, ସିଂସା, ଗନ୍ଧକ, ବାରୁଦ, ଖଣିଜ, ଢାଲ ଖଣ୍ଡା ଓ ତରୁଆଲ୍‌ ଦଶସହସ୍ର ସୈନିକଙ୍କ ପାଇଁ ମହଜୁଦ୍‌ ଥିଲା । ଓଡ଼ିଆ ସାମରିକ ଶକ୍ତିର ପରାକାଷ୍ଠା ଦେଖାଇବା କବିଙ୍କ ଉଦ୍ଦେଶ୍ୟ । ସୈନ୍ୟବାହିନୀ ଭାବରେ ବାଣୁଆ, ଫଡ଼ିକାର, ପଦାତିକ, କଳା, ଧଳା, କସରା ରଙ୍ଗର ଅଶ୍ଵବାହିନୀ, କ୍ଷତାକ୍ତ ସୈନିକ ପାଇଁ ବୈଦ୍ୟମାନେ ରହୁଥିଲେ । ସମର ଯାତ୍ରା ପୂର୍ବରୁ ସାମାଜିକ ପ୍ରଥା ଶୁଭାଶୁଭ ବିଚାର, ଜ୍ୟୋତିଷଙ୍କ ଭଲ ମନ୍ଦ ଗଣନା, ଅହ୍ୟ ନାରୀମାନଙ୍କର ବନ୍ଦାପନା ଭିତରେ ଓଡ଼ିଆ ସଂସ୍କୃତି ଓ ଇତିହାସର ଚିତ୍ର ସ୍ପଷ୍ଟ ମିଳେ-

 

ଖଲ୍ଲିକୋଟ ଯୁଦ୍ଧ : ସମର କାବ୍ୟ ଭାବରେ ଶ୍ରୀ ଚୈତନ୍ୟ ଦାସଙ୍କ ଖଲ୍ଲିକୋଟ ଯୁଦ୍ଧ ଗ୍ରହଣ କରାଯାଇପାରେ । ୧୮୫୦ରେ ଏହା ରଚିତ । ପଣ୍ଡିତ ନୀଳମଣି ମିଶ୍ରଙ୍କଦ୍ଵାରା ସମ୍ପାଦିତ ହୋଇ ଏଷଣାର ୫ମ ଖଣ୍ଡରେ ପ୍ରକାଶିତ । ଏଥିରେ ଖଲ୍ଲିକୋଟ ରାଜା ନାରାୟଣ ମର୍ଦ୍ଦରାଜଙ୍କ ସହ ଆଠଗଡ଼ ରାଜା ରାମଚନ୍ଦ୍ର ହରିଚନ୍ଦନ ଜଗଦେବଙ୍କ ଯୁଦ୍ଧ ବର୍ଣ୍ଣନା ରହିଛି । ‘ଢାବପଦର’ ଭଳି ଏକ ଅନୁର୍ବର ଭୂମି ପାଇଁ ଏହି ଯୁଦ୍ଧ ହୋଇଥିଲା । ଆଠଗଡ଼ ରାଜା ମାଦକ ଦ୍ରବ୍ୟ ସେବନ କରି ବୁଦ୍ଧି ବିବେକ ହରାଇଥିଲେ । ପ୍ରଥମ ଥର ଯୁଦ୍ଧରେ ଦଇତାରୀ ଦାସ ନାମକ ଆଠଗଡ଼ର ଗଡ଼ ସଂରକ୍ଷକ ଯୁଦ୍ଧରେ ଟଳି ପଡ଼ିଲେ । ଖଲ୍ଲିକୋଟ୍‌ ସୈନ୍ୟମାନେ ବାଉତି ଠାକୁରାଣୀଙ୍କୁ କଟାମୁଣ୍ଡ ଭେଟି ଦେଲେ-। ୩ ଦିନ ଶୋକ ପାଳନ ପରେ ଆଠଗଡ଼ ରାଜା ପୁନର୍ବାର ଯୁଦ୍ଧ ପାଇଁ ଆହ୍ୱାନ କଲେ । ବେଳ ସାତଘଡ଼ିଠାରୁ ତୋପ ମାଡ଼ ହେଲା । ଗଛ ପତ୍ର ସବୁ ଉଡ଼ିଗଲା । ବାରୁଦ ଧୂଆଁରେ ଚତୁର୍ଦ୍ଦିଗ ଅନ୍ଧାର ହେଲା । ଭୂମି ଥରି ଉଠିଲା । ଯୁଦ୍ଧ ବର୍ଣ୍ଣନାର ଚିତ୍ର ସାଧାରଣ –

 

କେହୁ ମଲ ଖଣ୍ଡା ଧରି କେହୁ ଫେରି

ଖଣ୍ଡା ଲଗାଇ କରି ଧାଙ୍ଗଡ଼ାରେ

କେହୁ ଝପଟନ୍ତି ଝଟ୍‌ କରି

ମତ୍ତଗଜକୁ କେଶରୀ ମାରି

ଯେହ୍ନେ ଦିଏ ସେହୁ ବିଦାରୀ

ବିଷମ ଯୁଦ୍ଧ

ଦିଏ ଶାର୍ଦୁଳାକୁ ବ୍ୟାଘ୍ର କରି ।

 

ଏଥି ପୂର୍ବରୁ ଯୁଦ୍ଧ ଅସ୍ତ୍ର ସହିତ ଢାଲ, ତରୁଆଲ୍‌ ଓ ତୋପର ପ୍ରୟୋଗ ହୋଇଛି । ଇଂରେଜୀ ଓ ଯାବନିକ ଶବ୍ଦ ତାଲୁକା, ପାତିଶା, ସଦର, ମେନେଜର, ଦଫାଦାର ଇତ୍ୟାଦିର ପ୍ରୟୋଗ ହୋଇଛି ।

 

ରାଜା ସୋମନାଥ ସିଂ ଜଗଦ୍ଦେବ ବା ବୁଢ଼ାପଙ୍କ ପୋଥି : କବି ଶ୍ରୀ ନୃସିଂହ କବିଚନ୍ଦ୍ର ରାୟଗୁରୁ ରାଜା ସୋମନାଥ ସିଂ ଜଗଦ୍ଦେବଙ୍କ ସମସାମୟିକ ଥିଲେ । ଏହି କାବ୍ୟରେ ରାଜା ସୋମନାଥ ସିଂଙ୍କର ଇଂରେଜମାନଙ୍କଦ୍ୱାରା ବନ୍ଦୀ ହେବା ଓ ୧୮୫୩ରେ ହଜାରିବାଗ୍‌ ଜେଲରେ ମୃତ୍ୟୁ ବିଷୟରେ ଉଲ୍ଲେଖ ରହିଛି । ୧୮୮୧ରେ ଏହା ଲେଖା ହୋଇଥିବା ଅନୁମାନ କରାଯାଇପାରେ । ବୁଢ଼ାପଙ୍କ ଯୁଦ୍ଧର ଘଟଣା ସହିତ ରାଜା ସୋମନାଥ ସିଂଙ୍କର ରାଜତ୍ଵରେ ଘଟିଥିବା ପ୍ରଧାନ ଘଟଣା ବର୍ଣ୍ଣିତ ହୋଇଥିବାରୁ ଏହାକୁ ସୁଧାକର ପଟ୍ଟନାୟକ ରାଜା ସୋମନାଥ ସିଂ ଜଗଦ୍ଦେବ ନାମରେ ନାମିତ କରିଛନ୍ତି । ବୁଢ଼ାପଙ୍କ ଗଡ଼ଟି ଅନୁଗୋଳର ପ୍ରଧାନ ଗଡ଼ । ବାରମ୍ବାର ଢେଙ୍କାନାଳଦ୍ଵାରା ଅଧିକୃତ ହୋଇଯାଉଥିଲା । ଢେଙ୍କାନାଳର ରାଜା ଶ୍ୟାମସୁନ୍ଦର ମହୀନ୍ଦ୍ର ବାହାଦୁର ବୁଢ଼ାପଙ୍କ ଅଧିକାର କରିବାକୁ ଯେତେବେଳେ ଚେଷ୍ଟାକଲେ ସେତେବେଳେ ଅନୁଗୋଳର ପ୍ରତାପୀ ରାଜା ସୋମନାଥ ସିଂ ଥିଲେ । ପ୍ରଥମ ଥର ପାଇଁ ଢ଼େଙ୍କାନାଳ ରାଜା ପରାସ୍ତ ହୋଇ ଫେରିଗଲେ । ଯୁଦ୍ଧ ବର୍ଣ୍ଣନା କରିବାକୁ ଯାଇ ରାଜା ଡାକ ଦେଇଛନ୍ତି ।

 

ବାହାର ଅନୁଗୁଳ ଫଉଜ

କି ଅବା ମାରି ମରିବେ ଆଜ ।

 

ବୁଢ଼ାପଙ୍କ ଗଡ଼ର ଚତୁଃପାର୍ଶ୍ଵରେ ସୈନ୍ୟମାନେ ଘେରି ରହିଲେ । ଗଡ଼ ବାହାରେ ନିଆଁ ଜାଳିଲେ ଢେଙ୍କାନାଳ ସୈନ୍ୟମାନେ ତୋପ ଧରି ଆସିଲେ । ଚଉଦ ଘଡ଼ି ଯାଏ ସମର ଏପରି ହେଲାଯେ ତିନି ଯୋଜନ ପର୍ଯ୍ୟନ୍ତ ପକ୍ଷୀ ଉଡ଼ି ପାରିଲେ ନାହିଁ ।

 

ଏମନ୍ତେ କହୁଁ ଲାଗିଲା ରଣ/ ସନ୍ଧି ବିସନ୍ଧି ମାରନ୍ତି ବାଣ

ଅସଂଖ୍ୟ ଯୁଦ୍ଧ ନାହିଁ ପ୍ରମାଣ/ ପ୍ରମାଣ କେପାରେ କହିରେ

ଦେଲା ପ୍ରବଳ ଘୋର ସମର/ ବେଢ଼ିଲେ ଢେଙ୍କା କୁର ସାଗର

ସମ୍ଭାଳି ନୁହେଁ ଯୁଦ୍ଧ ପ୍ରଚାର/ ପ୍ରଳୟ ଘାତ ଯେ

 

୯ମ ଛାନ୍ଦରେ ଅନୁଗୋଳ ସୈନ୍ୟଙ୍କଦ୍ୱାରା ହିନ୍ଦୋଳର କୁରୁମିଠା ଗ୍ରାମ ଅଧିକାର ଏବଂ ୧୦ମ ଛାନ୍ଦର ବ୍ରିଟିଶ୍‌ସରକାରଙ୍କର ଅନୁଗୋଳ ଶେଷ ରାଜା ଓ ପୁତ୍ରଙ୍କ ବନ୍ଦୀ ଜୀବନଯାପନ ଓ ମୃତ୍ୟୁ କଥା ଉଲ୍ଲେଖ ରହିଛି । ରାଜତନ୍ତ୍ର ଓ ରାଜକୀୟ ଶାସନ, ପ୍ରଜା ସମ୍ପର୍କ ପ୍ରଜାମେଳି, ବ୍ରିଟିଶ୍ ଅଧିକାର ଉଦ୍ୟମର ସୂଚନା ମିଳେ । ସମରର ସମ୍ପୂର୍ଣ୍ଣ ଚିତ୍ର, ନଥିଲେ ମଧ୍ୟ ସାମରିକ ଉତ୍ତେଜନା ଏବଂ ଦ୍ୱନ୍ଦ ଉତ୍କଣ୍ଠା ସୃଷ୍ଟି କରେ । ବିଷୟବସ୍ତୁରେ ସତ୍ୟତା ରହିଛି ।

 

କୃଷ୍ଣଚକ୍ର - କବି ଗୋବିନ୍ଦ ରାୟଗୁରୁ ୧୮୭୮ରେ ଏହି କାବ୍ୟ କୃଷ୍ଣଚକ୍ର ଗଡ଼କୁ ନେଇ ଲେଖିଛନ୍ତି ଅନୁଗୋଳ ରାଜାଙ୍କ ଚଉଦଟି ଗଡ଼ ଭିତରୁ ଏହା ଗୋଟିଏ । ଏହି ଗଡ଼ ଚତୁର୍ଦ୍ଦିଗରୁ ପର୍ବତ, ଘଞ୍ଚ ଅରଣ୍ୟ ଓ ବାଂଶବନଦ୍ୱାରା ବେଷ୍ଟିତ ଥିଲା । ଏହାର ନିର୍ମାଣ ଶୈଳୀ ଢ଼େଙ୍କାନାଳ ଗଡ଼ ସଦୃଶ ଥଲା । ଚନ୍ଦ୍ରମା ଦୁଆର ଘାଟି ଦ୍ୱାରରେ ରାମ ଲକ୍ଷ୍ମଣ ନାମକ ଦୁଇଟି ତୋପ ଖଞ୍ଜା ଯାଇଥଲା-। ସେହି ତୋପକୁ ଦାବିଲେ ଲକ୍ଷ ଲକ୍ଷ ଲୋକ ନିହତ ହେବେ । ଅନ୍ୟ ପକ୍ଷରେ ପ୍ରାଚୀର ସଦୃଶ ଅତି ଉଚ୍ଚ ପର୍ବତର ଶୀର୍ଷ ଭାଗରେ ବିରାଟ ବିରାଟ ପଥରବନ୍ଧା ହୋଇଥିଲା । ଯାହାକୁ ଫିଟାଇ ଦେଲେ କୋଟି କୋଟି ଲୋକ ଜୀବନ୍ତ ସମାଧି ପାଇବେ । ପର୍ବତ ଶୀର୍ଷରୁ ଅନୁଗୁଳ ସୈନ୍ୟଙ୍କ ଗୋଳା ବର୍ଷଣରୁ ନିସ୍ତାର ପାଇବା ଅସମ୍ଭବ । ରାଜା ସୋମନାଥ ନିଜକୁ ଓ ନିଜ ରାଜ୍ୟକୁ ରକ୍ଷା କରିବା ପାଇଁ ଏହି ଦୁର୍ଗରେ ରହୁଥିଲେ । ଇଂରେଜମାନେ ଏହି ଗଡ଼କୁ ଅବରୋଧ କରିବା ପାଇଁ ସମ୍ବଲପୁରରୁ ରାମଗଡ଼ ଅଶ୍ଵାରୋହୀ, ମାନ୍ଦ୍ରାଜରୁ ପଦାତିକ ସୈନ୍ୟ ଓ କଟକରୁ ଖେଲାତ ଗିଲଗାୟୀ ପଲଟଣ ଦଳର କିଛି ସୈନ୍ୟଙ୍କୁ ମଗାଇଲେ । ୧୮୪୭ ମେ ୧୫ ତାରିଖରେ କାମ୍ପବେଲ୍‌ଙ୍କ ଅଧିନାୟକତ୍ଵରେ ସେମାନେ ପ୍ରଥମେ କୁରୁମିଠା ଦୁର୍ଗ ଅଧିକାର କରି କୃଷ୍ଣଚକ୍ର ଗଡ଼ରେ ପହଞ୍ଚିଲେ । ସୁସଜ୍ଜିତ ବ୍ରିଟିଶ୍‌ବାହିନୀ ସମ୍ମୁଖରେ ଅଶିକ୍ଷିତ, ଅସ୍ତ୍ର ଶସ୍ତ୍ର ବିହୀନ ପାଇକ ଶକ୍ତି ହାର ମାନିଲା । ଅନୁଗୁଳ ଦଖଲ କଲେ । ଏହି ଐତିହାସିକ ଘଟଣା ହିଁ କାବ୍ୟର କଥାବସ୍ତୁ/୫ ବର୍ଷ ଧରି କୃଷ୍ଣଚକ୍ର ଦୁର୍ଗ ନିର୍ମାଣ ହୋଇଛି । ଦୁର୍ଗ ନିର୍ମାଣ କୌଶଳ ଉପରେ ଲେଖିଛନ୍ତି –

 

ଉତ୍କଳର ହେବ ଅଦ୍ଵିତୀୟ ଦୁର୍ଗ ଅବା

ଦୁର୍ଗର ଦ୍ୱାର ଦେଶକୁ କିଅବା ବର୍ଣ୍ଣିବା

ପ୍ରାସାଦ ସଂଲଗ୍ନେ ବିଷ୍କୀହୋଇଅଛି ଖୋଳା

ଗ୍ରଥିତ ସଜ୍ଜାକି ନିରାପଦ କଳିମାଳା ।

 

ଇଂରେଜମାନଙ୍କୁ ଧନ ଦେଇ ସେ ସ୍ଵାଧୀନ ରହିପାରିଥାନ୍ତେ । କିନ୍ତୁ ସ୍ଵାଧୀନଚେତା ରାଜା ରଣରେ ଆଗୁସାର ହୋଇଛନ୍ତି । ତାଙ୍କର ଅଷ୍ଟ ସରଦାର ସିନ୍ଧୁ ଗଡ଼ନାୟକ, ଚମ୍ପେଇତି ଲିଙ୍ଗରାଜ, ଜଗନ୍ନାଥ ସିଂଙ୍କୁ ଡାକିଛନ୍ତି । ସମର ମନ୍ତ୍ରଣା ପରେ ବୁଢ଼ାପଙ୍କ ଦୁର୍ଗ ଅଧ୍ୟକ୍ଷ, ବୈଷ୍ଣବ ଦଳ ବେହେରା କୃଷ୍ଣ ସାମନ୍ତରା ସମର ପାଇଁ ପ୍ରସ୍ତୁତ ହୋଇଛନ୍ତି ।

 

ମୁହୂର୍ତ୍ତକ ମଧ୍ୟେ ରଣ ସାଜସଜା କରିଲେ ସର୍ବ ସର୍ଦ୍ଦାର

ଚାହୁଁ ଚାହୁଁ ଚଳିଲାଚପଳା ପରାଏ ହେଲେ ପ୍ରଚାର

ଚୌଦିଗେ ଏକଥା ହେଲା ପ୍ରଚାରିତ ଅନୁଗୋଳ ନୃପମଣି

ସ୍ଵାଧୀନତା ପାଇଁ ଇଂରେଜ ବିରୋଧ ହୋଇ ଗଲେଣି ଅଗ୍ରଣୀ ।

 

ଇଂରେଜମାନଙ୍କ ସହିତ ଅନୁଗୋଳ ରାଜାଙ୍କ ସମର ବର୍ଣ୍ଣନା ଐତିହାସିକ ସତ୍ୟତା ସହ କବି କଳ୍ପନାର ସଂଯୋଜନା ଘଟିଛି । ପ୍ରଧାନରସ ବୀରରସ, ବୀରତ୍ଵ ଓ ସ୍ଵାଧୀନତାର ମୂଲ୍ୟ ଉପରେ ପ୍ରାଧାନ୍ୟ ଦେଇଛନ୍ତି ରାଜା । ହଜାର ହଜାର ସୈନ୍ୟଙ୍କୁ ବଞ୍ଚାଇବା ପାଇଁ ସ୍ଵେଚ୍ଛାରେ ବନ୍ଦୀଜୀବନକୁ ବରଣ କରିଛନ୍ତି ।

 

ମୁକୁନ୍ଦ ଦେବ : କବି ଚିନ୍ତାମଣି ମହାନ୍ତିଙ୍କ ଏହା ଏକ ଐତିହାସିକ କାବ୍ୟ ୧୯୨୩ରେ ଲିଖିତ । ମୁକୁନ୍ଦଦେବ ଏହି ଉତ୍କଳର ଶେଷ ସ୍ୱାଧୀନ ନରପତି । ଗଙ୍ଗା ପର୍ଯ୍ୟନ୍ତ ସେ ଦେଶ ଜୟ କରିଥିଲେ । ଶିଖି ମନାଇଙ୍କ ବିଶ୍ଵାସ ଘାତକତା ପାଇଁ ବଙ୍ଗ ନବାବ୍‌ ନାମକ ସୁଲେମାନଙ୍କ ଜାମାତା ଏବଂ ଯବନ ସେନାପତି କଳା ପାହାଡ଼ କର୍ତ୍ତୃକ ଉତ୍କଳର ସ୍ଵାଧୀନତା ଅପହୃତ ହୋଇଥିଲା । ଏହି ଐତିହାସିକ ଉପାଖ୍ୟାନକୁ କବି କାବ୍ୟ ଢାଞ୍ଚାରେ ଢାଳିଛନ୍ତି । ଇତିହାସର ପ୍ରାଣ ହାନି ହୋଇ ନାହିଁ ବରଂ କଳ୍ପନାର ସ୍ପର୍ଶରେ ପୁଲକି ଉଠିଛି । ବାରବାଟୀ ଦୁର୍ଗରେ ମୁକୁନ୍ଦ ଦେବ ବଙ୍ଗ ସୁଲେମାନଙ୍କ ବାରମ୍ବାର ଉତ୍କଳ ଆକ୍ରମଣ, ନୃପତି ରାମଚନ୍ଦ୍ର ଭଞ୍ଜ ଓ ଶିଖି ମନାଇଙ୍କ ବିଶ୍ଵାସଘାତକତା ପାଇଁ ଚିନ୍ତିତ ହୋଇ ପଡ଼ିଛନ୍ତି । ଏବଂ ବୀର ଭାବରେ ପ୍ରତିଜ୍ଞା କରିଛନ୍ତି-

 

କରୁଛି ପ୍ରତିଜ୍ଞା ଦେବ କରି ଅଧିକାର

ବଙ୍ଗ, ନିବାରିବି ରଣ କଣ୍ଡୁ ଯବନର

ସମଗ୍ର ଭାରତ ଯଦି ହୁଏ ତାହା ପକ୍ଷ

ଅବଶ୍ୟ କରିବି ଯୁଦ୍ଧ ତେବେ ଏହା ସତ୍ୟ, ।

 

ରାଣୀଙ୍କୁ ସ୍ଵପ୍ନ ଦର୍ଶନ ହୋଇଛି ଉତ୍କଳର ସ୍ଵାଧୀନତା ଖୁବ୍‌ଶୀଘ୍ର ଅପହୃତ ହେବ, ବଙ୍ଗର ନବାବ ସୁଲେମାନ ଶିଖି ମନାଇଙ୍କ ସହ ମିଶି ଉତ୍କଳ ଆକ୍ରମଣର ଖବର ବଙ୍ଗର ଗୋପନୀୟ ଦୂତଠାରୁ ରାଜା ପାଇଛନ୍ତି । ମହାରାଣୀ ଉତ୍କଳ ସାମ୍ରାଜ୍ଞୀ ବିଶ୍ରାମ ମଣ୍ଡପ ଉପରେ ବିଜେ କରି ସଖୀଙ୍କୁ ସ୍ଵପ୍ନ ବୃତ୍ତାନ୍ତ କହିଛନ୍ତି । ଜଣେ ଦେବୀଙ୍କୁ ଯବନମାନେ ବାନ୍ଧି ନେଇଛନ୍ତି । ସେହି ଦେବୀ ହେଉଛନ୍ତି ସ୍ଵାଧୀନତା ଉତ୍କଳର ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀଯେ ଯବନମାନଙ୍କଦ୍ୱାରା ପରାଧୀନ ହେବେ ଏହାର ସୂଚନା ମିଳିଛି । ଉତ୍କଳର ଶେଷ ସ୍ଵାଧୀନରାଜା ମୁକୁନ୍ଦଦେବଙ୍କ ହତ୍ୟାପରେ ଉତ୍କଳ ଯବନମାନଙ୍କଦ୍ଵାରା ବହୁଦିନ ଧରି ଅଧିକୃତ ହୋଇ ରହିଥିଲା । ଏବଂସଦା ସର୍ବଦା ଗୃହ ବିବାଦ ଓ ମରହଟ୍ଟା ଆକ୍ରମଣ ଲାଗି ରହିଥିଲା । ଏହା ପରେ ଇଂରେଜମାନେ ଉତ୍କଳ ଅଧିକାର କଲେ । ଶିକ୍ଷା ସଭ୍ୟତାର ପ୍ରସାର ସଙ୍ଗେ ସଙ୍ଗେ ଉତ୍କଳ ନିଜର ହଜିଯାଇଥିବା ସ୍ଵାଧୀନତା ପୁଣି ଫେରି ପାଇଲା । ଯବନ କନ୍ୟାକୁ ବ୍ରାହ୍ମଣ ବିବାହ କରିବା ଓ କଳାପାହାଡ଼ ଗଳ୍ପର ଅବତାରଣା ରହିଛି । ବଙ୍ଗ ନବାବଙ୍କ ସହିତ ସମରର ଆୟୋଜନ କରିବା ପାଇଁ ମନ୍ତ୍ରଣା ସଭା କରିଛନ୍ତି-

 

ସମର ମନ୍ତ୍ରଣା ସଭା ବସିବ ପ୍ରଭାତେ

ଥାଉଁ ରାତ୍ରୀ ଅର୍ଦ୍ଧଯାମ ଡାକୁଛି ତ ଡାକୁଆ

ଉଠ ଉଠ ନାଗରିକେ, ସମ୍ରାଟ ଆଦେଶେ

ବସିବ ମନ୍ତ୍ରଣା ସଭା ପ୍ରଭାତ ସମୟେ ।

 

ଯବନ ସହିତ ସମର କରିବାକୁ ଭୟ କରୁଥିବା ଦେଖି ଯୁବରାଜ ରାମଚନ୍ଦ୍ର କହିଛନ୍ତି –

 

ଯେ ଓଡ଼ିଆ ବାବୁ କରିଥିଲା

ଆ ଜାହ୍ନବୀ ଗୋଦାବରୀ ଜୟ

ଆଷାଢ଼ କି ଏବେ ତାହା

ନ ଡରେ ଓଡ଼ିଆ ବୀର ରଣେ ବା ମରଣେ

ମୃତ୍ୟୁ ପଥ ତାହା ପକ୍ଷେ ସରଳ ସୁଗମ୍ୟ

ବୀରର ଜୀବନ କେବେ ନୁହେଁ ବାଞ୍ଚନୀୟ

ମରଣ ହିଁ ବାଞ୍ଚନୀୟ

ଥିବାଯାଏ ଉତ୍କଳର ଜଣେ ମାତ୍ର ବୀର

ନ ପାରିବ ସ୍ପର୍ଶୀ କେବେ ତାହାକୁ ଯବନ

ଶୁଣି ଏହି ବୀରବାଣୀ ବୀରଙ୍କର ହିଆ

ଉଠିଲାକ ସମୁତ ଫୁଲି ନବୀନ ଉତ୍ସାହେ

 

ଏହି ଉଦ୍ଦୀପନାମୂଳକ ବାଣୀ ନିସ୍ତେଜ ଉତ୍କଳୀୟଙ୍କୁ ଶତ୍ରୁ ନିଧନ ପାଇଁ ପ୍ରେରଣା ଦେଇଥିଲା । ଦୂତମାନେ ରଣବାର୍ତ୍ତା ନେଇଯିବା ପରେ ନାନା ଜନେ ନାନା କାର୍ଯ୍ୟଭାର ହେଲା । ସମର୍ପିତ ସମର ପୂର୍ବରୁ ମନ୍ତ୍ରଣା ଓ ପରେ ସମର ସଜ୍ଜା ଆରମ୍ଭ ହୋଇଛି । ଶ୍ରମଜୀବୀମାନେ ସୈନ୍ୟମାନଙ୍କର ଗତିପଥକୁ ସମତଳ କଲେ । ମହାନ୍ଦୀ କୂଳେ କୂଳେ ବହୁଦୂରବ୍ୟାପୀ ଧାଡ଼ି ଧାଡ଼ି ସୈନ୍ୟବାସ ଏବଂ ନିମନ୍ତ୍ରିତ ନୃପତିମାନଙ୍କ ଅବସ୍ଥାନ ପାଇଁ ହର୍ମ୍ୟମାନ ନିର୍ମାଣ ହେବାକୁ ଲାଗିଲା । ଗଦା, ଶୂଳ, ଶେଳ, ଅସି, କୁନ୍ତ, ବର୍ଛା, ତୀର, ଚକ୍ର ଛେଲ, କାର୍ମୂକ ପ୍ରଭୃତି ତିଆରି ହେଲା । ବୀରମାନେ ଉତ୍ସାହରେ ଆଗେଇ ଆସିଲେ । ଖୋର୍ଦ୍ଧା, ପାରିକୁଦ, ଘୁମୁସର, ବାଙ୍କୀ, ଆଳି, ମଧୁପୁର, କୁଜଙ୍ଗ, ପଟିଆ ପ୍ରଭୃତି ବିଭିନ୍ନ କରଦ ରାଜ୍ୟରୁ ସାମନ୍ତ ରାଜା ଓ ପୁରୀ ଏବଂ ବାରବାଟୀ ଦୁର୍ଗ ରକ୍ଷା ପାଇଁ ସୈନ୍ୟମାନେ ବାଣ୍ଟି ହୋଇଗଲେ । ସେନାପତି କୁନି ସାମନ୍ତରାୟ ଯୁବରାଜ ରାମଚନ୍ଦ୍ର ଦେବ ଏବଂ ବନ୍ଧୁ ଇବ୍ରାହିମ୍ ବାରବାଟୀ ଦୁର୍ଗକୁ ରକ୍ଷା କରିବା ପାଇଁ କହିଲେ । ଇବ୍ରାହିମ୍‌ ଖାଁ ସୁର ହୁମାୟୁନ୍‍ଙ୍କଦ୍ଵାରା ପରାସ୍ତ ହୋଇ ବଙ୍ଗ ଦେଶକୁ ଆସି ସେଠି ମନସଦ୍ ଆଡ଼କୁ ଆଖି ପକାଇବାରୁ ସୁଲେମାନ୍ କରଣୀ ତାଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ । ଇବ୍ରାହିମ୍‌ ବଙ୍ଗରୁ ପଳାଇ ଆସି ଓଡ଼ିଶାରେ ମୁକୁନ୍ଦଦେବଙ୍କ ବନ୍ଧୁ ରୂପେ ଆଶ୍ରୟ ନେଇଥିଲେ । ବଙ୍ଗର ବାଦଶାହା ସ୍ଵପ୍ନରେ ଉତ୍କଳର ବିଭବ ଦେଖି ଲୋଭାତୁର ହୋଇଛନ୍ତି । ମୁକୁନ୍ଦଦେବଙ୍କ ଆକ୍ରମଣର ବାର୍ତ୍ତା ଦୂତପାଖରୁ ଶୁଣି କଳାପାହାଡ଼ ଉତ୍କଳ ଆକ୍ରମଣର ପରାମର୍ଶ ଦେଇଛନ୍ତି । ଅର୍ଦ୍ଧେକ ସୈନ୍ୟ ନେଇ ବାଦଶାହା ବଙ୍ଗରେ ରହିଛନ୍ତି । ଅର୍ଦ୍ଧେକ ସୈନ୍ୟ ନେଇ କଳାପାହାଡ଼ ଆକ୍ରମଣ କରିବା ପାଇଁ ଅଭିଯାନ ଆରମ୍ଭ କରିଛି । କଳାପାହାଡ଼ ତାର ସୈନ୍ୟମାନଙ୍କୁ ଉଦ୍‌ବୋଧନ ଦେଇଛି ।

 

ହେ ବୀରେନ୍ଦ ବୃନ୍ଦ, ସର୍ବେ ଜାଣିବ ନିକର

ଉସ୍ଲାମ ଧର୍ମରଟେକ, ଇସ୍ଲାମ ଗୌରବ

ନ୍ୟସ୍ତ ତୁମ୍ଭ ହସ୍ତେ ଆଜି, ବାନ୍ଧ ହେ ସାହସ

ନଡରିବ ଦେଖି ଅଗ୍ରେ ଭୀଷଣ ବିପଦ

ବୀର ବଂଶେ ଜାତ ତୁମ୍ଭେ ସ୍ମରିବ ସତତ ।

 

ଏହା ସହ ନାରୀଜାତି ପ୍ରତି ଅତ୍ୟାଚାର ନ କରିବାପାଇଁ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି-। ଅର୍ଦ୍ଧରାତ୍ରୀ ସମୟରେ ବାରବାଟୀ ଦୁର୍ଗ ଅବରୋଧ କରିଛି । ବିଶ୍ଵାସଘାତକମାନଙ୍କ ପ୍ରରୋଚନାରେ ଆରମ୍ଭ ହୋଇଛି ଭୀଷଣ ସମର ।

 

ଲାଗିଲା ହାତାହାତି/ତୁମୁଳ ସମର

ଉତ୍କଳ ଯବନ ସୈନ୍ୟ ହେଲେ ହଣାହଣି

ଉଠିଲା କୃପାଣ ଚୋଟ କଚକାଚ ଶବ୍ଦ

ଶିରପଦ ହସ୍ତ ଛିଡ଼ି ପଡ଼ିଲା ବିସ୍ତର

 

ଯୁଦ୍ଧରେ ପ୍ରଥମେ ସେନାପତି କୁନି ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି । ଯବନମାନେ ଯୁଦ୍ଧଅସ୍ତ୍ର ଭାବେ କମାଣ ଓ ଗୁଳା ବ୍ୟବହାର କରୁଥିବାବେଳେ ପରିଖ, ଚକ୍ର, ଖଡ୍ଗ ଏବଂ ଧନୁଶର ପ୍ରଭୃତି ଉତ୍କଳ ସୈନ୍ୟମାନେ ବ୍ୟବହାର କରୁଥିଲେ । ରାଜକୁମାର ଅନେକ ସମୟ ଯାଏ ସମର କରିଛନ୍ତି ଏବଂ ଶେଷରେ ଯବନ ସୈନ୍ୟମାନେ ତାଙ୍କୁ ବନ୍ଦୀକରିଛନ୍ତି । ଗୋହରା ଟିକିରିଠାରେ ମୁକୁନ୍ଦଦେବଙ୍କ ସହ ବଙ୍ଗ ନବାବଙ୍କର ଭୟଙ୍କର ସମର ହୋଇଛି । ସୈନ୍ୟମାନେ ଆଘାତ ପାଇ ମୃତପ୍ରାୟ ପଡ଼ି ରହିଲେ । ରାଜା ସେହିମାନଙ୍କୁ ହତ୍ୟା କଲେ ନାହିଁ । ରାତ୍ରୀ ଆଗମନରେ ସମର ସ୍ଥଗିତ ହୋଇଛି । ଶିଖି ମନାଇଙ୍କ ସହିତ ଦ୍ୱିତୀୟ କୁମାରଙ୍କର ଯୁଦ୍ଧ ହୋଇଛି । କୁମାର ଶିଖିଙ୍କୁ ହତ୍ୟା କଲାପରେ ଯବନ ସୈନ୍ୟମାନେ ଘେରି ଆସିଲେ । କୁମାରଙ୍କ ବିପଦ ଦେଖି ପାଟଣା ନୃପ ହୃଦୟଦେବ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ । ସାଲିମାନ ଏବଂ କଳାପାହାଡ଼ର ଭୀଷଣ ସମର ହେଲା । ମୁକୁନ୍ଦଦେବ ଅତୁଳ ବିକ୍ରମରେ ସମର କଲେ, କେହି ସମରରୁ ନିବୃତ୍ତ ହେଲେ ନାହିଁ ନିରୁତ୍ସାହିତ ହେଲେ ନାହିଁ । ମୁକୁନ୍ଦଦେବଙ୍କ ସମଗ୍ର ଶରୀରରୁ ରୁଧିର ଝରିବାକୁ ଲାଗିଲା । ମୂର୍ଚ୍ଛାହୋଇ ପଡ଼ିଗଲେ । ଶିବିରକୁ ନେବା ସମୟରେ ତାଙ୍କର ମୃତ୍ୟୁ ହେଲା । ଯବନମାନେ ବିଜୟ ଉନ୍ମତ୍ତ ହୋଇ ବାରବାଟୀଦୁର୍ଗ ଘେରାଉ କରିବା ସମୟରେ ରାଣୀ ସଖୀମାନଙ୍କ ସହ “ସର୍ବେ ଭୀମା ମୁକ୍ତକେଶୀ ସମର ରଙ୍ଗିନୀ ହୋଇ ଯବନମାନଙ୍କ ସହ ଯୁଦ୍ଧ କରିଛନ୍ତି ।

 

ଯୁଝନ୍ତି ଅବଳା ସ୍ଵୟଂ ରଣ ଚଣ୍ଡୀ ପ୍ରାୟେ

କିମ୍ବା ଧନୁର୍ବେଦ ବିଦ୍ୟା, ପୂଜେ ଶକ୍ତି ବହି

ଉତ୍କଳୀୟ ନାରୀ ରୂପେ କରନ୍ତି ସମର

 

ଶେଷରେ ଜିଣିବା ଅସାଧ୍ୟ ଜାଣି ରାଣୀ ସଖୀମାନଙ୍କ ସହ ଗୁପ୍ତ ସୁଡ଼ଙ୍ଗରେ ଚାଲି ଯାଇଛନ୍ତି । ଏହା ପୂର୍ଣ୍ଣତଃ ସମର କାବ୍ୟ । ପ୍ରତ୍ୟେକ ସ୍ଥାନରେ ସମରର ଚିତ୍ର ଫୁଟି ଉଠିଛି । କବିଙ୍କର ଉତ୍କଳକୁ ଗ୍ରାସ କରିବା ପାଇଁ ବଙ୍ଗର ବାଦଶାହାଙ୍କର ସମରାଭିଳାଷ, ଅନ୍ୟ ପକ୍ଷରେ ଦେଶକୁ ଜାତିକୁ ପରାଧୀନତାର ନିବିଡ଼ ବନ୍ଧନରୁ ରକ୍ଷାକରି ତାର ଗୌରବ ପ୍ରତିଷ୍ଠା କରିବା ନିମନ୍ତେ ଆପ୍ରାଣ ପ୍ରଚେଷ୍ଟା, କାବ୍ୟ ଆରମ୍ଭରୁ ଶେଷ ଯାଏ ସମର ପରିକଳ୍ପନା, କଳ୍ପନାର ପ୍ରଲେପ ଦିଆ ହୋଇଥିଲେ ମଧ୍ୟ ବର୍ଣ୍ଣିତ ସମର ବୃତ୍ତାନ୍ତ ଐତିହାସିକ । ପ୍ରତ୍ୟକ୍ଷଦର୍ଶୀର ବିବରଣୀ ନଥିଲେ ମଧ୍ୟ ଐତିହାସିକ ଘଟଣା ଓ କଳାପାହାଡ଼, ସୁଲେମାନ କରଣୀ ଓ ମୁକୁନ୍ଦଦେବଙ୍କ ଚରିତ୍ରମାନ ସତ୍ୟ । କାବ୍ୟର ଉପଯୁକ୍ତ ନାୟକ ମୁକୁନ୍ଦଦେବ ବୀରାରମଣୀ ଭାବରେ ସ୍ୱାମୀଙ୍କ ମୃତ୍ୟୁପରେ ଯୁଦ୍ଧ କରିଛନ୍ତି-। ଅମିତ୍ରାକ୍ଷରଛନ୍ଦରେ ରଚିତ ଏହି କାବ୍ୟ ବିଷୟବସ୍ତୁର ଉପସ୍ଥାପନା ଚରିତ୍ର ଚିତ୍ରଣ, ଯୁଦ୍ଧାସ୍ତ୍ର ବୀରବେଶର ବର୍ଣ୍ଣନା, ଯୁଦ୍ଧ ପୋଷାକ, ଅସ୍ତ୍ର ଶସ୍ତ୍ର ସାଜସଜ୍ଜା ଯୁଦ୍ଧ କୌଶଳ ଚିତ୍ରଣ ଦୃଷ୍ଟିରୁ ଏକ ସମର କାବ୍ୟର ମାନ୍ୟତା ରଖିଛି । ସମଗ୍ର କାବ୍ୟଟି ଓଜଃପୂର୍ଣ୍ଣ ଓ ବୀରଭାବର ପ୍ରକାଶକ । ରାଧାନାଥଙ୍କ ପ୍ରଭାବ ଲକ୍ଷ୍ୟ କରିହୁଏ । ଓଡ଼ିଶାର ସ୍ୱର୍ଣ୍ଣପ୍ରସ୍ଥ ବୀର ପ୍ରସବିନୀ ଅତୀତ ଉତ୍କଳର ଗୌରବୋଜ୍ୱଳ ଚିତ୍ର ପ୍ରଦାନ କରିବା କବିଙ୍କର ମୂଳ ଲକ୍ଷ୍ୟ ।

 

ଅନଗୁଳ ମହାନଗିରି ଲଢ଼େଇ : କଳାହାଣ୍ଡି ରାଜ୍ୟ, ବଉଦ ରାଜ୍ୟ ପାଟଣା ରାଜ୍ୟ ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ଅନଗୁଳ ନାମକ ଗୋଟିଏ ଗ୍ରାମ ଥିଲା, ଏହା ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ଅନେକ ବର୍ଷ ତଳେ ଏଠାରେ ଏକ ଯୁଦ୍ଧ ହୋଇଥଲା । ଏହି ଯୁଦ୍ଧକୁ ସୋନପୁରବାସୀ ଏହାକୁ ମହାନଗିରି ଲଢ଼େଇ ବୋଲି କହନ୍ତି । ଶ୍ରୀ ବଳଭଦ୍ର ବହିଦାର ୧୯୩୦ରେ ଏକ ଐତିହାସିକ ସମରର କଥାବସ୍ତୁକୁ ନେଇ ଏହା ଲିଖିତ । ୧୮୪୧ ମସିହା ପୂର୍ବବର୍ତ୍ତୀ ଘଟଣା । ଏହି ମହାନଗିରି ରାଜ୍ୟରେ ରାଜା ହେଉଛନ୍ତି ମୁକ୍ତର ରାଏ । ତାହାଙ୍କର ବନ୍ଧୁ ସିଆଳି ଅଧିବାସୀ ଶତ୍ରୁ ମର୍ଦ୍ଦନ ବୀରବର ଗିର୍ଦ୍ଦନ । ଜାତିରେ ଏମାନେ ଗଣ୍ଡ । ଏମାନେ ରାଜାଙ୍କ ବିରୋଧରେ ବିଦ୍ରୋହ କରି ଶାସନ ନିୟମ ମାନିଲେ ନାହିଁ । ରାଜସ୍ଵ ଦେଲେ ନାହିଁ । ଯେତେବେଳେ ସୁବର୍ଣ୍ଣପୁର ବା ସୋନପୁରରେ ସୋମବଂଶୀ ରାଜା ପୃଥ୍ୱୀ ସିଂ ଦେବ ରାଜୁତି କରୁଥିଲେ । କନ୍ଧ ପ୍ରଜା ଏବଂ ସାମନ୍ତ ରଜାଙ୍କର ବିଦ୍ରୋହ ବାର୍ତ୍ତା ମନ୍ତ୍ରୀ ରାଜାଙ୍କୁ ଜଣାଇଲେ । କନ୍ଧମାନଙ୍କୁ ମହାନ୍‍ଗିରିର ସାମନ୍ତରାଜା ସାମରିକ ସାହାଯ୍ୟ ଯୋଗାଉଥିଲେ । ରାଜାଙ୍କ ଆଦେଶ ପାଇ ଗିର୍ଦ୍ଦନଙ୍କର ଗୁପ୍ତତଥ୍ୟ ସଂଗ୍ରହ କଲେ । ରଣରଙ୍କା ସିପାହୀମାନେ ସମର ଯାତ୍ରା ପାଇଁ ପ୍ରସ୍ତୁତ ହେଲେ । କଲେ ଲଢ଼ାଇ ଗଣ୍ଡମାନଙ୍କ ସଙ୍ଗେ/ନିଜ ନିଜ ବିକ୍ରମ ପ୍ରକୃତ ରଖ ଯେ । ପରାସ୍ତ ହୋଇ ଗଣ୍ଡସେନାମାନେ ମହାନ୍ ଗିରି ସାମନ୍ତରାଜା ମକର ରାୟଙ୍କ ଶରଣ ପଶିଲେ । ଗିର୍ଦ୍ଦନ, ମୁକ୍ତର ରାୟ ପ୍ରଭୃତି ଦ୍ୱିତୀୟଥର ପାଇଁ ପ୍ରସ୍ତୁତି ହେଲେ । ବୁନ୍ଧୁଆ ଗଣ୍ଠି ପକାଇ ସୈନ୍ୟ ସଂଗ୍ରହ କଲେ । ସୁବର୍ଣ୍ଣପୁରର ରାଜା ପୃଥ୍ଵୀ ସିଂହଦେବ ଖବର ପାଇଁ ମୁଚ୍ଛ ମଲ୍ଲିକ ଗରିଗଡ଼ତିଆ ଓ ଜନାର୍ଦ୍ଦନ ନେଗିଙ୍କ ଅନଳସିଂହ ବାବୁଙ୍କ ସେନାଧିପତିତ୍ଵରେ ସିପାହୀମାନଙ୍କୁ ପଠାଇଲେ । ଘୋର ସମର ହେଲା । ଗଣ୍ଡମାନଙ୍କ ବୀରତ୍ଵ ନିକଟରେ ସିପାହୀମାନେ ତିଷ୍ଠି ପାରିଲେ ନାହିଁ । ଗଡ଼ତି ସିପାହୀମାନଙ୍କ ବିକଳ ଅବସ୍ଥା ଦେଖି ବୀରବର ଜନାର୍ଦ୍ଦନ ଉଦ୍‌ବୋଧନ ଦେଲେ -

 

କହିଲେ ଆହୋ ସ୍ୱର୍ଣ୍ଣପୁର ପାଇକ

କୁଆଡ଼େ ଗଲା ତୁମ୍ଭ ସାହସ ଟିକ

କେଡ଼େ ମହାସମରରେ ଶାର୍ଦ୍ଦୁଳ ସମ

ଦେଖାଇଥିଲ ଯେଉଁ ସୁପରାକ୍ରମ

ଏବେ ସେବଳ ଦମ୍ଭ ଗଲା କେଣିକି

ସୁନା ଯେ କଳଙ୍କ କି ଦେବ ଏଣିକି ।

 

ଭବାନୀ : ପଣ୍ଡିତ ଭୁବନେଶ୍ଵର ମିଶ୍ର, ଏହି କାବ୍ୟର ରଚୟିତା । ମୁସଲମାନ ଓ ମରହଟ୍ଟା ରାଜୁତି କାଳରେ ଘଟୁଥିବା ଅମାନବିକ ଅତ୍ୟାଚାର ଉପରେ ଆଧାରିତ କରି ଏକ ସମର କାବ୍ୟ ୧୯୩୬ରେ ଏହା ଲିଖିତ । ବୀର ରସାତ୍ମକ କାହାଣୀଟିକୁ ୧୭ଟି ଛାନ୍ଦରେ ଏବଂ ପ୍ରତ୍ୟେକ ଛାନ୍ଦକୁ ବିଭିନ୍ନ ନାମରେ ନାମିତ କରାଯାଇଛି । ସନ୍ଧାନ, ଉଦ୍ଧାର, ବିଷାଦ, ସଂକଳ୍ପ, ଆଶଙ୍କା, ଆଶ୍ରୟ, ମନ୍ତ୍ରଣା, ଲୁଣ୍ଠନ, ସାହସ, ଆତଙ୍କ, ଉତ୍ପାତ, ସମର, ବିଦ୍ରୋହ, ଧିକ୍କାର, ଚକ୍ରାନ୍ତ, ବିଜୟ ଓ ମିଳନ । ବଙ୍ଗର ଶାସକ ମୁସଲମାନ ନବାବଙ୍କର ସେନାପତି ସେର ସୟଦ ଅମୀରଙ୍କ ସହାୟତାରେ ନବାବ ସାରଙ୍ଗଗଡ଼ର ରାଜକନ୍ୟା ଶଶିକଳାଙ୍କୁ ଅପହରଣ କଲେ ରାସ୍ତାରେ ସବାରୀ ବାହାକର ଛଦ୍ମବେଶରେ ଥିବା ମରହଟ୍ଟା ବ୍ରାହ୍ମଣ ରଘୁବୀର ଅନ୍ୟ ସବାରୀ ବାହାକ ଓ ସୈନ୍ୟଙ୍କୁ ହତ୍ୟାକରି ଜେମାଙ୍କୁ ନିଜ ଆବାସକୁ ନେଇଗଲେ । ରାଜଜେମା ଶଶୀକଳା ଭବାନୀ ନାମ ଧାରଣ କରି ଧର୍ମପିତା ରଘୁବୀରଙ୍କ ସହାୟତାରେ ମୁସଲମାନମାନଙ୍କର ପ୍ରତିଶୋଧ ନେବା ପ୍ରତିଜ୍ଞାରେ ସମର ଯାତ୍ରା କଲେ । ଶଶୀକଳାଙ୍କ ସଖୀ ଉମା ଅପହରଣକାରୀଙ୍କ ଅନୁଧାବନ କଲେ । ସଖୀର ସନ୍ଧାନ ନ ପାଇ ଜାଠ ନୃପତି ସତ୍ୟପାଳଙ୍କ ଆଶ୍ରୟ ନେଲେ । ତାଙ୍କ ସହାୟତାରେ ଯବନମାନଙ୍କ ବିରୋଧରେ ‘ମୁକ୍ତକେଶୀ’ ସମଗ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ଏକ ପକ୍ଷରେ ଦିଲ୍ଲୀଶ୍ୱର ବଙ୍ଗର ନବାବ ଓ ଅପର ପକ୍ଷରେ ମୁକ୍ତକେଶୀ ଓ ଭବାନୀ ସମରରେ ପ୍ରବୃତ୍ତ ହେଲେ । ଶେଷରେ ହିନ୍ଦୁର ଜୟ ଓ ଯବନମାନଙ୍କର ପରାଜୟ ହେଲା । ଏହାଏକ ବିଶୁଦ୍ଧ ସମର କାବ୍ୟ । ବୀର ଓ ରୌଦ୍ରରସ ଏହି କାବ୍ୟରେ ମୁଖ୍ୟରସ । ମୁସଲମାନଙ୍କ ରାଜତ୍ଵ କାଳରେ ଯବନମାନଙ୍କଦ୍ୱାରା ହିନ୍ଦୁମାନେ ଅତ୍ୟାଚାରିତ ହେଉଥିଲେ ଏବଂ ହିନ୍ଦୁ ଲଳନାମାନଙ୍କୁ ବଳପୂର୍ବକ ମୁସଲମାନ ଅନ୍ତଃପୁରରେ ରଖାଯାଉଥିଲା । ହିନ୍ଦୁ ଜାତିକୁ ଉଦ୍ଦୀପିତ କରିବା ଉଦ୍ଦେଶ୍ୟରେ ଏହି କାବ୍ୟଟି ଲେଖାଯାଇଛି । ଐତିହାସିକ ଘଟଣା ସହ କଳ୍ପନାର ସଯୋଗ କରାଯାଇଛି । ଏହାକୁ କାଳ୍ପନିକ ସମରକାବ୍ୟ ପର୍ଯ୍ୟାୟଭୁକ୍ତ କରାଯାଇପାରେ । ୧୭୪୧-୧୨ରେ ରଘୁଜୀ ଭୋସଁଲେ, ଆଲିବର୍ଦ୍ଦୀ ଖାଁ, ମୀର ହବିବ୍ ପ୍ରଭୃତିଙ୍କର ଯୁଦ୍ଧ ହୋଇଥିଲା । ଭରତପୁରରେ ଅଧିପତି ଜାଠ ରାଜା ଥିବାର ଐତିହାସିକ ସତ୍ୟତା ରହିଛି । ଜାଠରାଜା, ମରହଟ୍ଟା ବୀର ରଘୁଜୀ ଏବଂ ବଙ୍ଗର ମୁସଲମାନ ଶାସକ ସମସ୍ତେ ଏତିହାସିକ ଚରିତ୍ର । ରାଜା ବିଶ୍ଵନାଥ ସାହା ମଧ୍ୟ ସାରଙ୍ଗଗଡ଼ର ରାଜା ଥିଲେ ବୋଲି ଉଲ୍ଲେଖ ଅଛି-। ରାଜକନ୍ୟା ଅପହୃତା ହେବା ପରେ ସାରଙ୍ଗଗଡ଼ ନୃପତି ଓ ତାଙ୍କର ପୁତ୍ର ଜେମାଙ୍କୁ ଉଦ୍ଧାର କରିବା ନିମିତ୍ତ ସଂଗ୍ରାମ କରି ପ୍ରାଣ ବିସର୍ଜନ କରିଛନ୍ତି । ସୟଦ ଅମୀର ଏବଂ ବିଶ୍ଵନାଥ ଭଞ୍ଜଙ୍କର ସମରର ଦୃଶ୍ୟ-

 

ଲାଗିଲା ତୁମୁଳ ସଂଗ୍ରାମ ସେଦିନ ଦିନ ଅବସାନ ଯାଏ

ବହିଲା ଧରଣୀସର୍ବ ଅଙ୍ଗେ ଶବ ନ ରହିଲା ଶୂନ୍ୟ ଠାଏ

 

ଯୁବରାଜ ଶତ୍ରୁମାନଙ୍କ ହସ୍ତରେ ନିହତ ହେବା ଦେଖି ବିଶ୍ଵନାଥ ଭଞ୍ଜ ନିଜ ହସ୍ତରେ ଛୁରିକାରେ ବକ୍ଷଦେଶ ବିଦ୍ଧ କରି ମୃତ୍ୟୁବରଣ କଲେ, କାବ୍ୟର ଅନ୍ୟ ଏକ ଜାଗାରେ ରଘୁବୀର ପ୍ରଥମେ ମୁସଲମାନଙ୍କ ଉପରେ ପ୍ରତିଶୋଧ ନେଇ ସମ୍ମୁଖ ସମର ନ କରି କେବଳ ଲୁଣ୍ଠନ କରିଛନ୍ତି । କିନ୍ତୁ ହଠାତ୍ ଦିନେ ନବାବଙ୍କ ରାଜ୍ୟ ଲୁଣ୍ଠନ କରିବାକୁ ଯାଇ ଗଙ୍ଗା କୁଳରେ ଦୁଇ ପକ୍ଷର ସମର ହୋଇଛି । ସମର ପରିଚ୍ଛେଦରେ କବି ବର୍ଣ୍ଣନା କରିଛନ୍ତି –

 

ଭାଗିରଥୀ ତୀରେ ଲାଗିଛି ସମର

ହିନ୍ଦୁ ଯବନର ମଧ୍ୟେ

ଯୁଝନ୍ତି ବେନିଏ କରି ଦୃଢ଼ପଣ

ଏକ ଅପରର ବଧେ

 

ସ୍ଥଳପଥରୁ ମୁସଲମାନ୍ ସୈନିକ ଗଣ ରଣବାଦ୍ୟରେ ପ୍ରକମ୍ପିତ କରି ଏବଂ ଜନପଥରୁ ଭବାନୀ ଚିହ୍ନିତ ପତାକା ଉଡ଼ାଇ ପରସ୍ପରକୁ ଆକ୍ରମଣ କରିଛନ୍ତି । ନଳୀର ଶବ୍ଦ, ଅସ୍ତ୍ର ଝନ୍‌ତ୍କାରର ସୈନ୍ୟମାନଙ୍କର ରେ ରେ କାର ଓ ଧର ଧର ମାର ଶବ୍ଦରେ ସମରାଙ୍ଗନ ପ୍ରକମ୍ପିତ ହୋଇଛି ।

 

କାହିଁ ରେରେକାର ଗର୍ଜନ ହୁଁକାର

ଧର ଧର ମାର ମାର

କାହିଁକି ତୁରଙ୍ଗମ ଧାବନ ଶୁଭଇ

ଟପଶବ୍ଦ ବାରମ୍ବାର

 

ଭବାନୀଙ୍କର ଅକଳନ୍ତି ସୈନ୍ୟ ବଳ ଓ ବୀରତ୍ଵ ଦେଖି ବଙ୍ଗ ନବାବ୍ ଆତ୍ମ ସମର୍ପଣ କରିଛନ୍ତି । ଭରତପୁର ଜାଠ ରାଜାଙ୍କ ସହ ଦିଲ୍ଲୀ ମୋଗଲ ବାଦଶାହା ପ୍ରେରିତ ସୈନ୍ୟମାନଙ୍କର ଯୁଦ୍ଧ ହୋଇଛି । ସେନାପତିଙ୍କ ସହ ଯବନ ସୈନ୍ୟମାନେ ପ୍ରାଣତ୍ୟାଗ କରିଛନ୍ତି । ପୁନଶ୍ଚ ବାଦଶାହାଙ୍କ ନିର୍ଦ୍ଦେଶରେ ତିନି ସେନା ନେଇ ତିନି ସେନାପତିଙ୍କ ଅଧୀନରେ ଗତି କରିଛନ୍ତି । ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଓ ପଛରେ ଅସ୍ତ୍ରଶସ୍ତ୍ର ନେଇ ଶକଟ ଚାଳକ ଗତି କଲେ । ବୃତ୍ତାଭାସ ବ୍ୟୁହ୍ୟରଚନା କରି ଜାଠମାନଙ୍କୁ ବେଢ଼ିଗଲେ । ତିନି କୋଣରୁ ସୟଦ୍ ଅମୀର ଶେକ ମୀର୍ଜାଫର ଓ ଶେକ୍‌ ହାସିମ ତିନି ସେନାପତିଙ୍କ ଅଧୀନରେ ରହି ସୈନ୍ୟମାନେ ଆକ୍ରମଣ କଲେ ମୁକ୍ତକେଶୀ ସୈନ୍ୟମାନଙ୍କୁ ପଦ୍ମବ୍ୟୁହ୍ୟ ରଚନା କରିବାକୁ କହିଛନ୍ତି । ଯବନ ତ୍ରିଭୁଜ ଆକାରରେ ବ୍ୟୁହ୍ୟ ରଚନା କରିଛନ୍ତି । ଶେଷରେ ମୋଗଲମାନଙ୍କର ପରାଜୟ ହୋଇଛି । ହିନ୍ଦୁମାନଙ୍କ ଜୟଧ୍ୱନୀରେ ସମର ବିଜୟର ଉତ୍ତେଜନା ଓ ଉଲ୍ଲାସ ପ୍ରକାଶିତ । ଗୋଳା ଓ ଖଣ୍ଡା ଅସ୍ତ୍ର ଭାବରେ ବ୍ୟବହାର କରାଯାଇଛି । ସମର ବର୍ଣ୍ଣନା, ସମର ସଜ୍ଜା ଓ ଯୁଦ୍ଧ ଯାତ୍ରାରବର୍ଣ୍ଣନା ରହିଛି । ନାୟିକା ବୀରରମଣୀ ଭବାନୀ ଓ ମୁକ୍ତକେଶୀଙ୍କ ପ୍ରରୋଚନାରେ ଜାଠ ନୃପତି ଓ ରୁଘୁବୀର ହୋଇ ବଙ୍ଗ ନବାବ ଓ ଦିଲ୍ଲୀ ବାହଶାହାଙ୍କ ସୈନ୍ୟମାନଙ୍କ ସହ ସମର କରିଛନ୍ତି । ରଘୁବୀର ମରହଟ୍ଟା ବ୍ରାହ୍ମଣ ଥିଲେ ମଧ୍ୟ ଯବନ ବିନାଶ ପାଇଁ କ୍ଷାତ୍ରଧର୍ମ ପାଳନ କରିଛନ୍ତି । ଏହାକୁ ଆର୍ତ୍ତବଲ୍ଲଭ ମହାନ୍ତି ଓ କୁଳମଣି ଦାଶ, ଶଶୀ ଭୂଷଣ ରାୟ ବୀର ରସାତ୍ମକ କାବ୍ୟ ଭାବରେ ସ୍ୱୀକାର କରିଛନ୍ତି । ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ଭାଷାରେ କବି ଉତ୍କଳୀୟ ରାଜକନ୍ୟାଙ୍କର ପ୍ରଗାଢ଼ ସ୍ଵଦେଶ ଓ ସ୍ଵଧର୍ମ ପ୍ରୀତି ତଥା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରତିହିଂସା ବହ୍ନିର ଜ୍ଵାଳାମୟୀ ଶକ୍ତିକୁ ବେଶ୍‌ ସୁଲଭ ଭାବେ ପରିସ୍ଫୁଟ କରିଛି ।

 

ଝାନ୍‌ସୀ ରାଣୀ : ରଘୁନାଥ ପାଣିଗ୍ରାହୀ ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ଵ ଓ ଭାରତ ମୁକ୍ତି ପାଇଁ ତାଙ୍କର ପ୍ରାଣ ଦାନ ବିଷୟ ବସ୍ତୁ ଉପରେ ଆଧାର କରି ଝାନ୍‌ସୀରାଣୀ କାବ୍ୟ ରଚନା କରିଛନ୍ତି । ୧୮୫୭ ମସିହାରେ ଫିରିଙ୍ଗିମାନଙ୍କ ବିରୋଧରେ ଭାରତ ପ୍ରଥମେ ଯେଉଁ ବିଦ୍ରୋହ କରିଥଲା, ତାହା ପ୍ରଥମ ମୁକ୍ତି ସଂଗ୍ରାମ । ସେଥିରେ ଯେଉଁମାନେ ଆତ୍ମବଳି ଦେଇଥିଲେ ସେମାନଙ୍କ ମଧ୍ୟରେ ଝାନ୍‌ସୀରାଣୀ ଲକ୍ଷ୍ମୀବାଈଙ୍କ ସ୍ଥାନ ଉଚ୍ଚରେ । ୭ ବର୍ଷରେ ଝାନସୀ ରାଜପୁତ୍ର ଗଙ୍ଗାଧରଙ୍କୁ ବିବାହ କରିଥିଲେ ଏବଂ ଅଠର ବର୍ଷରେ ବିଧବା ହୋଇଥିଲେ । ତାଙ୍କ ପାଳିତ ପୁତ୍ର ଦାମୋଦରଙ୍କୁ ଗଙ୍ଗାଧରଙ୍କ ଉତ୍ତରାଧୀକାରୀ ରୂପରେ ସ୍ୱୀକାର ନ କରି ଇଂରେଜ ସରକାର ବଳପୂର୍ବକ ଝାନ୍‌ସୀକୁ ନିଜ ରାଜ୍ୟରେ ମିଶାଇ ଦେଲେ ରାଣୀଙ୍କୁ ମାସିକ ଭତ୍ତା ଦେଲେ । ଏଥିରେ ରାଣୀ ଏବଂ ପ୍ରଜାକୁଳ ଉତ୍‍କ୍ଷିପ୍ତ ହୋଇ ସାରା ଦେଶକୁ ଏବଂ ନିଜ ରାଜ୍ୟକୁ ଉଦ୍ଧାର କରିବା ନିମନ୍ତେ ଚେଷ୍ଟା କଲେ । ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ ଦେଶରେ ବିଦ୍ରୋହର ବହ୍ନି ଜଳାଇଥିଲା । ତେଣୁ ଦେଶକୁ କମ୍ପାନୀ କବଳରୁ ମୁକ୍ତି କରିବା ପାଇଁ ଯେଉଁ ସିପାହୀ ବିଦ୍ରୋହ ହେଲା ତାହାର କର୍ଣ୍ଣଧାର ହେଲେ ଝାନ୍‌ସୀରାଣୀ । କାନପୁରଠାରେ ପେଶବା ନାନା ସାହେବଙ୍କ ନେତୃତ୍ୱରେ ନିଆଁ ଜଳି ଉଠିଲା । ଝାନ୍‌ସୀରୁ ଇଂରେଜମାନଙ୍କୁ ବିତାଡ଼ିତ କରି ସେମାନେ ଝାନ୍‌ସୀ ଦଖଲ କରିନେଲେ । ଇଂରେଜମାନଙ୍କ ଭିତରେ ଚହଳ ପଡ଼ିଲା ସବୁଠାରୁ ଟାଣୁଆ ସେନାପତି ହିଭଗରୋଜ ବିରାଟ ସୈନ୍ୟ ବାହିନୀ ଧରି ଝାନ୍‌ସୀ ଆକ୍ରମଣ କରିବାକୁ ବାହାରିଲେ । ମାର୍ଚ୍ଚ ୨୦ ତାରିଖରେ ଫିରିଙ୍ଗ ସୈନ୍ୟ ଝାନ୍‌ସୀକୁ ଘେରାଉ କଲେ । ଯୁଦ୍ଧ ବାଦ୍ୟ ବାଜି ଉଠିଲା । ରାଣୀ ଉଦ୍‍ବୋଧନ ଦେଲେ-

 

ଜାଳ ଜାଳ ଅଗନି ଅନନ୍ତ ଅନ୍ତରେ

ଆସିଛି ରକ୍ତର ଆହ୍ୱାନ ଆଜି

ଅନ୍ୟା ବିରୁଦ୍ଧେ ଉତ୍ତୋଳନ କର

ଖଡ଼ଗ ମସୃଣ ପାଷାଣେ ମାଜି

ଶତ୍ରୁ ଅସ୍ତ୍ର ଶସ୍ତ୍ର ଗୋଳା ବାରୁଦର

ଭୀଷଣ ଆବାଜ ନୁହଁକାତର

ଏ ମାଟି ସନ୍ତାନ ରାଣା ପ୍ରତାପର

ଦେଶ ତ୍ୟାଗ ପାଇଁ ମନେ ସୁମର

 

ଯୁଦ୍ଧର ପ୍ରସ୍ତୁତିରେ ଲାଗିଲେ ଯୁବକ ଯୁବତୀଙ୍କୁ ସମର ଶିକ୍ଷା ଦେଲେ । ଏହି ସମୟରେ ଇଂରେଜମାନେ ବନ୍ଧୁକର ଟୋଟାରେ ଗୋରୁ ଓ ଘୁଷୁରୀ ଚର୍ବି ଭରି ସିପାହୀମାନଙ୍କୁ ଦାନ୍ତରେ ଛିନ୍ନ କରିବା ପାଇଁ ଦେଲେ । ରାଜରାଜୁଡ଼ାଙ୍କ ହାତରୁ ସବୁ ଅଧିକାର କାଢ଼ି ନିଆଗଲା । ପେଶବା ବାଜିରାଓଙ୍କ ସନ୍ଧି ଚୁକ୍ତି ଅନୁଯାୟୀ ଦିଆଯାଉଥିବା ୮ ଲକ୍ଷ ଟଙ୍କା ତାଙ୍କର ଦୁଇ ପାଳିତ ପୁତ୍ର ନାନା ସାହେବ ଓ ରାୟ ସାହେବଙ୍କୁ ଦିଆଗଲା ନାହିଁ । ତେଣୁ ସିପାହୀ ବିଦ୍ରୋହ ତେଜି ଉଠିଲା । ଇଂରେଜ ରାଜତ୍ଵର ମୂଳଚ୍ଛେଦ ଲାଗି ରାଜା ପ୍ରଜା ସମସ୍ତେ ଏକତ୍ର ହେଲେ । ବନାରସ, ଲକ୍ଷ୍ମୌ, କାନପୁର, ଆହ୍ଲାବାଦ ଚାରିଆଡ଼େ ବିଦ୍ରୋର ନିଆଁ ଜଳି ଉଠିବାରୁ ଝାନ୍‌ସୀ ବାହିନୀ ମଧ୍ୟ ସମରକୁ ବାହାରି ପଡ଼ିଲେ, ଜୁନ୍୪ ତାରିଖ ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣରେ:

 

ଅଗ୍ନି ଝଡ଼ କାଟି ଝାନ୍‌ସୀ ବିଦ୍ରୋହୀ ଗୋରାଙ୍କୁ ପକାଇ ନିବିଡ଼ ଘେରେ

ବାଣ ପରେ ବାଣ ବରଷି କାଟିଲେ ଶତ ଶତ ମୁଣ୍ଡ କବଚ ବେରେ

 

ଇଂରେଜମାନେ ଭୟଭୀତ ହେଲେ । ସମର ବନ୍ଦ ହେଲା । ବିଦ୍ରୋହୀମାନେ ଗାର୍ଡ଼ନ ସାହେବଙ୍କୁ ହତ୍ୟା କଲେ । ସଦାଶିବ ରାଓଙ୍କ ଓରଛାର ନାଥେଖାଁ ଝାନ୍‌ସୀ ଆକ୍ରମଣ କଲେ । ନାଥେଖାଁ ପରାସ୍ତ ହୋଇ ଇଂରେଜମାନଙ୍କର ଶରଣ ନେଲେ । ଏହାର ସୁଯୋଗ ନେଇ ସେନାପତି ସାର ହ୍ୟୁକଙ୍କ ଗହଣରେ ବିପୁଳ ସୈନ୍ୟବାହିନୀ ଝାନ୍‌ସୀ ଆକ୍ରମଣ କଲେ । ୬୦ ହଜାର ସୈନ୍ୟ ଦୁର୍ଗକୁ ଘେରି ଶହ ଶହ ତୋପ ଫୁଟାଇବାକୁ ଲାଗିଲେ । ଚାରିଦିନ କାଳ କ୍ରମାଗତ ଯୁଦ୍ଧ ଲାଗି ରହିଲା । ଶେଷରେ ଫିରିଙ୍ଗ ଫଉଜ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ଦୁର୍ଗ ଭିତରେ ଥିବା କଳଭଣ୍ଡାର ଓ ବାରୁଦ ଭଣ୍ଡାର ଉପରେ ଗୋଳା ବୃଷ୍ଟି କଲେ । ଝାନ୍‌ସୀ ବାହିନୀ ଅବିଶ୍ରାନ୍ତ ଗୁଳିଗୋଳା ବର୍ଷଣରେ ବ୍ରିଟିଶ୍‌ବାହିନୀର ସବୁତୋପ ଅଚଳ ହୋଇଗଲା । ମାର୍ଚ୍ଚ ୨୫ ତାରିଖରେ ପୁନର୍ବାର ଘୋର ଯୁଦ୍ଧ ହେଲା । ଫିରିଙ୍ଗି ପଲଟଣ ସହର ଆଉ ଦୁର୍ଗକୁ ଲକ୍ଷ୍ୟ କରି କମାଣଗୁଡ଼ିକରୁ ଗୋଳା ବର୍ଷଣ କଲେ:

 

ବହୁବେଳ ଧରି ଲାଗିଲା ଲଢ଼େଇ ସହସ୍ର ସହସ୍ର କମାଣ ଫୁଟି

ଅନମ୍ବର ଛାତି ଓତାରି ଭୂତଳେ କଲା କୋଟି ଅଗ୍ନି ପିଣ୍ଡୁଳା ବୃଷ୍ଟି

ଦୁର୍ଗର ପ୍ରାଚୀର ପଡ଼ୁଛନ୍ତି ଝଡ଼ି ଭୂଇଁ ତଳେ ଗୋରାତୋପ ଗୁଳିରେ

ଦୁର୍ଗଦ୍ଵାର କିନ୍ତୁ ଦେଉ ନଥାନ୍ତି ଛାଡ଼ି ଝାନ୍‌ସୀବାହୀନୀ ବିପକ୍ଷେ ତିଳେ ।

 

ମାର୍ଚ୍ଚ ୩୦ ତାରିଖରେ ଝାନ୍‌ସୀ ଦୁର୍ଗର କମାଣ ଅଚଳ ହୋଇଗଲା । ସୈନ୍ୟମାନେ ମୃତାହତ ହେବାପରେ ନାନା ସାହେବଙ୍କ ସେନାପତି ତାନ୍ତିଆ ଟୋପି ଝାନ୍‌ସୀ ରାଣୀଙ୍କୁ ସାହାଯ୍ୟ କଲେ । ବୁନ୍ଦେଲ ସର୍ଦ୍ଦାର ଠାକୁର ଲାଲାଜୀ ବିଶ୍ଵାସଘାତକତା କରି ଇଂରେଜମାନଙ୍କଠାରୁ ଲାଞ୍ଚ ଖାଇ ଇଂରେଜମାନଙ୍କୁ ଦୁର୍ଗର ଗୁପ୍ତଦ୍ଵାର ଦେଖାଇ ଦେବାରୁ ଇଂରେଜ ସୈନ୍ୟ ସେହି ପଥରେ ଦୁର୍ଗ ଭିତରେ ପଶିଗଲେ । ଦୁର୍ଗ ଛାରଖାର ହେଲା । ରାଣୀ ସେହ୍ନା ପରିଧାନ କରି ଅଶ୍ଵ ପୃଷ୍ଠରେ ଶତ୍ରୁ ଶିବିର ଉପରେ ଲମ୍ଫ ପ୍ରଦାନ କଲେ । ରାଣୀ ବିଶ୍ଵସ୍ତ ସୈନ୍ୟମାନଙ୍କୁ ନେଇ ପୁରୁଷ ବେଶରେ କାଳ୍ପିକକୁ ଚାଲିଗଲେ । ଝାନ୍‌ସୀଠାରୁ ଦେଢ଼ଶହ କିଲୋମିଟର କାଳ୍ପିକୁ ଯାଇ ଇଂରେଜମାନେ ଲକ୍ଷ୍ମୀବାଈଙ୍କ ସୈନ୍ୟମାନଙ୍କୁ ଚଢ଼ାଉ କଲେ । ରାଣୀ ପୁନର୍ବାର ସମର କରିବା ପାଇଁ ଦୃଢ଼ ଦୁର୍ଗର ଆବଶ୍ୟକତା ହେବାରୁ ଗୋୟାଲିୟର ଦୁର୍ଗ ଆକ୍ରମଣ କଲେ । ଗୋଆଲିୟର ଅଧିପତି ସିନ୍ଧିଆଙ୍କ ସହ ଭୀଷଣ ଯୁଦ୍ଧ ହେଲା । ଦୁର୍ଗ ଅଧିକାର କଲେ । ଭୟାନକ ଯୁଦ୍ଧର ବର୍ଣ୍ଣନା କରି ଲେଖିଛନ୍ତି –

 

ରଣ ସିନ୍ଧୁ ପାରି ପାଞ୍ଚେ ଧୈର୍ଯ୍ୟ ଧରି

ଚଳାଇଲେ ରାଣୀ କମାଣ କାତେ

ବଜ୍ରପରି ଅସି ବୁଲୁଛି କେବେବା

କେବେ ଅଗ୍ନି ଗୋଳା ପଡ଼ୁଛି ଖସି

ଦୁଇ ଆଡ଼ୁ ସୈନ୍ୟ ପଡ଼ୁଛନ୍ତି ମରି

ସେ ଭୀଷଣ ଅଗ୍ନି ସଂଘର୍ଷେ ପଶି ।

 

ସାରହ୍ୟୁକ୍, କର୍ଣ୍ଣେ ପିଅର ବଳିଷ୍ଠ ବାହିନୀ ଧରି କାଳ୍ପି ଦୁର୍ଗ ପୁନର୍ବାର ଆକ୍ରମଣ କଲେ । ତାନ୍ତିଆ ଟୋପି ସୁସଜିତ ସୈନ୍ୟ ବାହିନୀ ପଠାଇଲେ । ତୃତୀୟ ଦିବସରେ ରାଣୀ ଅଗ୍ନି ମୂର୍ତ୍ତି ହୋଇ ସଂଗ୍ରାମ ଭୂମିକୁ ଥରାଇ ଦେଲେ । ରାଣୀଙ୍କର ଅଶ୍ୱବାହିନୀ ଯୁଦ୍ଧକ୍ଷେତ୍ରରେ ବାରମ୍ବାର ବୁଲିବାକୁ ଲାଗିଲା । ସାରହ୍ୟୁକ୍ ମହାରାଣୀଙ୍କୁ ସାହାଯ୍ୟ ଦେଉଥିବା ଗୋଳାବାରୁଦ ଓ ପଦାତିକ ସୈନ୍ୟଙ୍କୁ ଆକ୍ରମଣ କଲେ । ରାଣୀଙ୍କୁ ଚାରିପଟୁ ଘେରିଗଲେ । ଇଂରେଜ ସୈନ୍ୟମାନଙ୍କ ଘେର ଭାଙ୍ଗି ରାଣୀ ପଳାୟନ କଲେ ମଧ୍ୟ ଶେଷରେ ପୃଷ୍ଠଭାଗରୁ ଶତ୍ରୁର ଅସି ନିକ୍ଷେପ ଫଳରେ ତାଙ୍କର ମୃତ୍ୟୁ ହେଲା । କାବ୍ୟର ଆରମ୍ଭରୁ ଶେଷ ରାଣୀଙ୍କର ଇଂରେଜମାନଙ୍କ ସହ ସଂଗ୍ରାମର ଚିତ୍ର ପ୍ରକାଶିତ । ଏ ସଂଗ୍ରାମ କେବଳସୀମା ବିବାଦ ବା ଯୁଦ୍ଧ କୌଶଳ । ଗୋଟିଏ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଭାରତ ବର୍ଷକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଏକ ମୁକ୍ତି ସଂଗ୍ରାମ ୧୮୫୭ ଓ ୫୮ରେ ଘଟିଥିବା ଏକ ଐତିହାସିକ ସମର । ଏହା ଯଦିଓ ପ୍ରତ୍ୟକ୍ଷବାଣୀର ବିବରଣୀ ନୁହେଁ କିନ୍ତୁ ନାନା ସାହେବ, ତାନ୍ତିଆ ଟୋପି, ଚଳନ ହିକୁରି, କ୍ୟାମ୍ପବେଲ୍ ପ୍ରଭୃତି ଏକ ଏକ ଐତିହାସିକ ଚରିତ୍ର । ନାୟିକା ଝାନ୍‌ସୀରାଣୀ ଜଣେ ବୀରା ନାରୀ ରୌଦ୍ର ଓ ବୀର ରସର ସମାବେଶ କାବ୍ୟରେ ରହିଛି ।

 

ଏହି ବିଶିଷ୍ଟ ସମର କାବ୍ୟଗୁଡ଼ିକରେ ସମରଚିତ୍ର ବ୍ୟତୀତ ଜାତି ପାଇଁ ଉଦ୍‌ବୋଧନ ଦେଖିବାକୁ ମିଳେ । ସମର ସହିତ ନିଜ ମାତୃଭୂମି ପ୍ରତି ଏମାଟିର କ୍ଷତ୍ରିୟମାନଙ୍କର ଗୌରବ ଓ କର୍ତ୍ତବ୍ୟର ଚିତ୍ର ରହିଛି ।

 

୧.

ପ୍ରାଣକୁ ଆଶା ରଖିଛି ଯେହୁ/ କହୁଛି ଏତେବେଳେ ସେ ଯାଉ

 

ମରିବା ଲୋକ ମୋ ପାଶେ ଥାଉ/ ଚେମଣ ବାବୁ ଏ

 

ତୁଚ୍ଛା ଛିଣ୍ଡାଉ ଥାଉ ନିଶକୁ ମୋଡ଼ି ହେ

 

କାନ ଅଛି ଏତିକିବେଳକୁ ପଡ଼ି ହେ

 

କେ ପାଦ କେହୁ ମରଦ ଚିହ୍ନା/ଏହି ଠାବରେ ପଡ଼ିବ ସିନା- ସମର ତରଙ୍ଗ

୨.

ବୋଳି ଅଂଗରେ କର୍ପୂର ଚନ୍ଦନ/ମଣ୍ଡି ହୋଇଥିବ ହେମରତନ

 

ଘରେ ଥିବା ଶଚୀପତି ସମ୍ପତ୍ତି/ରକତ ଦେଖି ଦୁଲୁକିବ ଛାତି

 

ସେ ମନୁଷ୍ୟ ହୀନ/ଭୋଗ ନୋହେ ସେତ ରୋଗ ସମାନ

୩.

କ୍ଷତ୍ରିୟର ବୃତ୍ତି ଅଟେ ମାରିବା ମରିବା/ମରିବା ପାଇଁ କି ସେ ସଂଗ୍ରାମ ଡରିବା

 

- ଫିରିଙ୍ଗ, କନ୍ଧ, ଭାରତ

୪.

ବୋଇଲେ କେବେହେଁ ଆମ୍ଭେ ନ ଦେବୁଟି କର

 

ମରିବୁ ପଥେ କରିବୁ ସମର ନିକର/ଖଲିକୋଟ ଯୁଦ୍ଧ

୫.

ଆଜି ବୁଝିବା କେ ସାନବଡ଼/ବଡ଼ ଗୁଣ୍ଡକୁ ସମ୍ମାଳ ଗଡ଼

 

ପାରିଲେ ଆମ୍ଭ ସଙ୍ଗରେ ଲଢ଼ି/କେତେ ମାରୁକରେ ବୁଢ଼ାପଙ୍କ ଯୁଦ୍ଧ

 

ମୁକୁନ୍ଦ ଦେବ, ଝାନ୍‌ସୀ ରାଣୀ ଓ କୃଷ୍ଣଚକ୍ର ପୁସ୍ତକରେ ଓଡ଼ିଆ ଜାତିର ସମ୍ମାନ ଓ ଗୌରବମୟ ଐତିହ୍ୟ ଏବଂ ବୀରତ୍ଵର କାହାଣୀ ବର୍ଣ୍ଣିତ । ପରାଧୀନ ଉତ୍କଳୀୟମାନଙ୍କ ମନରେ ସ୍ଵାଧୀନ ଚେତନା, ଦେଶ ପ୍ରୀତି ଓ ଜାତି ପ୍ରୀତି ସୃଷ୍ଟି କରିବା କବିମାନଙ୍କର ଉଦ୍ଦେଶ୍ୟ ।

 

ଉତ୍କଳର ମହତ୍ତ୍ୱ :

ପୂଜାପୀଠ ଏ ଉତ୍କଳ ଶୌର୍ଯ୍ୟ ଦେବତାର

ଏ ଦେଶର ମୂର୍ତ୍ତିକାରେ, ଗଗନେ ପବନେ

ସାଗର କାନ୍ତାରେ, ଶୈଳେ ମିଶି ଅଛି ଶୌର୍ଯ୍ୟ

ଡର ପ୍ରସବୀନୀ ଏ ଉତ୍କଳ ମହୀ

ଏହି ଯେ ଦେଖୁଛ ହସ୍ତେ ମୁଦ୍ରିକା ମୋହର

ପ୍ରସବିଛି ଏ ସବୁଜେ କେନ୍ଦୁଝର ଖଣି

ଏଥିରେ ଜଡ଼ିତ ଯେଉଁ ହୀରକ କଣିକା (ମୁକୁନ୍ଦ ଦେବ)

 

ବୀର ଭବାନୀ-

ଯବନ ରାଜତ୍ଵ ଉଠାଇବ ହିନ୍ଦୁ

ସ୍ଥାନରୁ ବୋଲେ ସୁନ୍ଦରୀ

କରବାଳ କରେ ବ୍ରତ ତୁରଗରେ

ବସିଅଛି ବୀରପରି

ନରଖ ଭାରତେ ଗୋଟିଏ ଯବନ

ତା ଶୋଣିତ କର ଚିଡ଼ା ।

ଯା କବଳେ ପଡ଼ି ମୋ ଲାଗି ପରାଣ

ହରାଇଲେ ଭ୍ରାତା ପିତା

ଡାକ ଦେଲା ଉଠ ଆର୍ଯ୍ୟ ଯୋଦ୍ଧୃବୃନ୍ଦ

ବୀର ରସେ ହୋଇ ସ୍ନାତ

ଆସିଲାଣି ପୁଣି ସଦଳେ ଅରାତି      

କରତ୍ୱରା ଗୁଳିପାତ ।

 

ଝାନ୍‌ସୀରାଣୀ -

ଉଦ୍‌ବୋଧନ ଦେଇ ପରିଷଦେ ରାଣୀ

ଚାହିଁ ଦେଲେ ଥରେ ପ୍ରାଣରେ ଅସି

ମାଟି ଖଣ୍ଡେ ଶତ୍ରୁ ପାରିବନି ନେଇ

ଥିବା ଯାକେ ଅସି ବୋଇଲେ ହସି

ଶତ୍ରୁ ଅସ୍ତ୍ରଶସ୍ତ୍ର ଗୋଳା ବାରୁଦର

ଭୀଷଣ ଆବାଜେ ନୁହେଁ କାତର

ଏମାଟି ସନ୍ତାନ ରାଣା ପ୍ରତାପର

ଦେଶ ପାଇଁ ତ୍ୟାଗ ମନେ ସୁମର

X X X

ଦେଶ ମାତୃକାର ଯଜ୍ଞ ବେଦୀକାରେ

ଆହୁତି ଦେବାକୁ ଜନ୍ମ ଯା ଭବେ

ରହନ୍ତେ ବା ରାଣୀ କେଉଁ ପ୍ରାଣେ ତୁନୀ

ଶତ୍ରୁ କବଳିତ ଜନନୀ ରବେ ।

 

କୃଷ୍ଣଚକ୍ରଗତ-

ସ୍ଵାଧୀନତା ପାଇଁ ସଂଗ୍ରାମ ଜୀବନରେ କରିପଣ

ବୀରଦର୍ପେ ଅସିଧରି ରକ୍ତେ ଭାଷା ଲିଖନ କଲେ ରାଜନ

ରାଜ୍ୟ ସ୍ଵାଧୀନାର୍ଥେ ସ୍ଵାଧୀନ ସଂଗ୍ରାମ ଜୀବନରେ ଥିବା ବ୍ରତ

ନିର୍ଭୀକେ ନୃପତି ସମ୍ପାଦନ କଲେ ହୋଇଗଲା ପ୍ରଚାରିତ

ମହାପ୍ରତାପୀ ଏ ଭୂପତି ସାରା ଓଡ଼ିଶା ଖଣ୍ଡେ

ଅସମ୍ଭାଳ ତାର ପ୍ରତାପ ସମ୍ଭାଳିବ କେ ଦଣ୍ଡେ

ସମ୍ଭାଷଣ ତାର ଅଟଳ ଗିରି ମେରୁ ସମାନ

ଟାଣ କଲେ ପୁଣି ଶଙ୍କନ୍ତି ଯାକୁ ସର୍ବ ରାଜନ

 

ସମର ସାହିତ୍ୟକୁ ନେଇ ଏ ଆଲୋଚନା କଲେ ଜଣାଯାଏ ମାନବସଭ୍ୟତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସମାଜର ନିରାପତ୍ତା ମଙ୍ଗଳ ପାଇଁ ଯୁଦ୍ଧକୁ ସାଧାରଣ ସ୍ୱିକୃତୀ ମିଳିଛି । ନିଜର ଅଂହକାର ପାଇଁ, ସାମ୍ରାଜ୍ୟ ବୃଦ୍ଧି ପାଇଁ, କେତେବେଳେ ଧର୍ମ ପାଇଁ ଯୁଦ୍ଧକୁ ମାଧ୍ୟମ ରୂପେ ଗ୍ରହଣ କରାଯାଇଛି । ସେଥିପାଇଁ ସମରର ଭୟାବହତା ଦୁର୍ଦ୍ଦଶା ସତ୍ତ୍ୱେ ଯୁଦ୍ଧ ଓ ଯୁଦ୍ଧ ଭୂମି, ସୈନ୍ୟ ସାମନ୍ତଙ୍କୁ ଆଜିଯାଏ ସମଗ୍ର ବିଶ୍ଵ ମାନି ନେଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅବଦାନକୁ ଭୟଙ୍କର ମାରଣାସ୍ତ୍ରମାନ ଆଜି ଜନଜୀବନକୁ ଆତଙ୍କିତ କରି ରଖିଛି । ପ୍ରଥମ ବିଶ୍ଵଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରତିକ୍ରିୟା ଯୁଦ୍ଧ ପ୍ରତି ଘୃଣାଭାବ ସୃଷ୍ଟି କରିଛି । ସମରକାବ୍ୟର ସୃଷ୍ଟି ଏବେ ହ୍ରାସ ପାଇଛି-। କାରଣ ସାମାଜିକ ରୁଚି ବୋଧର ପରିବର୍ତ୍ତନ ଘଟିଛି । ପରମ୍ପରାଗତ ଓ ଗତାନୁଗତିକ ଯୁଦ୍ଧ କୌଶଳ ପ୍ରତି ଲୋକମାନଙ୍କର ଶ୍ରଦ୍ଧା କମିଛି ଏବେ ସେ ବୀର ବାକ୍ୟମାନଙ୍କ ଗଳ୍ପ ଓ ଚରିତ୍ରକୁ ନେଇ ତାର ମନସ୍ତତ୍ତ୍ଵ ଓ କଳ୍ପନା ଶକ୍ତିକୁ ବିଶ୍ଲେଷଣ କରାଯାଉଛି । ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସମର ବିମୁଖତା ଦେଖା ଦେଇ ନ ଥିବାରୁ ସମର କାବ୍ୟମାନ ସୃଷ୍ଟି ହୋଇଛି । ରାଜତନ୍ତ୍ର ଥବା ପର୍ଯ୍ୟନ୍ତ ରାଜାମାନଙ୍କର ଯଶ, ଗୌରବ, ବୀରତ୍ଵ ଗାନ କରିବା ରାଜା ପ୍ରଶସ୍ତି ପାଇଁ ସମର କାବ୍ୟ ରଚିତ ହୋଇଥିଲା । କିନ୍ତୁ ଐତିହାସିକ ଘଟଣା ଓ ଚରିତ୍ରକୁ ଭିତ୍ତି କରି ସମର କାବ୍ୟମାନ ରଚିତ ହୋଇଛି । ପରାଧୀନ ଭାରତବାସୀଙ୍କୁ ଅତୀତର ଗୌରବମୟ ଘଟଣାକହି ଉଦ୍‍ବୁଦ୍ଧ କରିବା ପାଇଁ ଚିନ୍ତାମଣି ମହାନ୍ତିଙ୍କ ମୁକୁନ୍ଦ ଦେବ ଓ ରଘୁନାଥ ପାଣିଗ୍ରାହୀଙ୍କର ଝାନ୍‌ସୀ ରାଣୀ ସୃଷ୍ଟି ହୋଇଛି । ବ୍ରିଟିଶ୍‌ମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ସ୍ୱାଧୀନତା ପାଇଁ ଗଜପତି ଦଳବେହେରା ଓ ପାଇକ ବୃନ୍ଦ ଯେଉଁ ସଂଗ୍ରାମ କରୁଥିଲେ ତାର ନିବନ୍ଧନ ହେଉଛି ଫିରିଙ୍ଗ କଳି ଭାରତ ।

 

ସମସ୍ତ ସମର କାବ୍ୟ ଅନୁଶୀଳନରେ ଉପନୀତ ହେବା ଯେ ଜାତି ଗୌରବ, ଜ୍ଞାନ ଓ ଗୌରବମୟ ଇତିହାସକୁ ସ୍ମରଣକରିବା ପାଇଁ ଏହାର ସୃଷ୍ଟି । ପ୍ରତ୍ୟେକ ଭାଷାର ସମର କାବ୍ୟ ଶୈଳୀପ୍ରାୟ ଏକ ପ୍ରକାର । ମନ୍ତ୍ରଣା ସମର ସଜ୍ଜା, ଅସ୍ତ୍ର ଶସ୍ତ୍ର ବର୍ଣ୍ଣନା ଇତିହାସ ଚରିତ୍ର ଏବଂ ଘଟଣାମାନଙ୍କ ଉପରେ ଆଧାରିତ । ବୀରମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ-। ଓଜଃ ପୂର୍ଣ୍ଣ ବାଣୀ ସହ ସମର କାବ୍ୟରେ ବିଶିଷ୍ଟ ଅଙ୍ଗ ବିଶେଷ ସମାଜ ଚିତ୍ର, ଧର୍ମ, ନୈତିକତା, ମନସ୍ତତ୍ତ୍ଵ ଜୀବନ ଦର୍ଶନର ଚିତ୍ର ନ ଥାଏ । ଯାହା ବର୍ଣ୍ଣନା ଥାଏ ତାହା ସହ ସମର ସଂଯୁକ୍ତ । ମନସ୍ତତ୍ତ୍ଵ, ଦର୍ଶନ ପାଖାପାଖି ରହିଛି । ଯୁଦ୍ଧକୁ ଯାଉଥିବା ବ୍ୟକ୍ତି କି ପରିବାରର ସଦସ୍ୟର ମାନସିକତା ଏବଂ ବ୍ୟକ୍ତିତ୍ଵ ଜିଣିବାର ଇଚ୍ଛା ଏଥିରେ ପ୍ରକାଶିତ । ମନୋରଞ୍ଜନ ପାଇଁ ଏହା ଉଦ୍ଦିଷ୍ଟ ନ ହେଲେ ମଧ୍ୟ ଶିଳ୍ପ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହାର ମୂଲ୍ୟ ରହିଛି । ଉପମା ଓ ଅଳଙ୍କାରର ପ୍ରୟୋଗ ସମୟ ସମୟରେ କରିଛନ୍ତି ।

 

ବିସବନେ ନାଗ ପଶି ଧ୍ଵଂସିବାର ଆକୃତିକୁ ପ୍ରଦର୍ଶନ

ଛାଗନ ଦଳକୁ ଶାର୍ଦ୍ଦୁଳ ପରାଏ ଦଳିଲେକ ନରସାଇଁ

(କୃଷ୍ଣଚକ୍ର)

 

ସେହିଭଳି ଛନ୍ଦ ପ୍ରୟୋଗେ ଓ ନିର୍ଦ୍ଦିଷ୍ଟରାଗ ରାଗିଣୀ ପ୍ରୟୋଗଦ୍ୱାରା ବିଷଶଷ ରସର ଉଦ୍‌ବୋଧନ ହୋଇଥାଏ । କାମୋଦୀ ଶଙ୍କରାଭରଣ, ପାହାଡ଼ିଆ କେଦାର ରସକୁଲ୍ୟା, ବଙ୍ଗଳାଶ୍ରୀ ପ୍ରଭୃତି ରାଗ ରାଗିଣୀର ସହ ରୌଦ୍ର ଓ ବୀର ରସର ପ୍ରୟୋଗ କାବ୍ୟକୁ ସମର ସାହିତ୍ୟର ଗୌରବ ଦିଏ । ବୀରତ୍ୱ ଉତ୍କଳୀୟ ଐତିହ୍ୟର ଉତ୍ତରାଧିକାର । ସେହି ସୂତ୍ରରେ କାବ୍ୟ କବିତାରେ ବୀର ରସର ସଞ୍ଚାର ଘଟିଛି ।

 

କଳିଙ୍ଗାଃ ସାହାସିକାଃ ଉକ୍ତିଟି ଯଥାର୍ଥିତଃ ଓଡ଼ିଆମାନଙ୍କର ସାମରିକ ଐତିହ୍ୟର ଅଭ୍ରାନ୍ତ ପ୍ରମାଣ । ଜାତୀୟ ଜୀବନର ଅଭିବ୍ୟକ୍ତି ଭାବରେ ଓଡ଼ିଆ ସାହିତ୍ୟ ଏହାର ପର୍ଯ୍ୟାପ୍ତ ପ୍ରମାଣ ଧରି ରଖିଛନ୍ତି । ବର୍ତ୍ତମାନର ଜାତୀୟତାବାଦ ଅଧିକତର ଗଣ ଆନ୍ଦୋଳନ ସହ ଜଡ଼ିତ ଥିଲାବେଳେ ଅତୀତର ଜାତୀୟତାବାଦର ଯୁଦ୍ଧ ସହ ଜଡ଼ିତ । ପୁରାଣର ପରୋକ୍ଷ ବର୍ଣ୍ଣନାଠାରୁ ଆରମ୍ଭ କରି ପ୍ରତ୍ୟକ୍ଷଦର୍ଶୀ ବାସ୍ତବ ଘଟଣାର ବର୍ଣ୍ଣନା ପର୍ଯ୍ୟନ୍ତ ଓଡ଼ିଆ ଜାତିର ସାମରିକତା ପ୍ରକଟିତ ହୋଇଛି । ଓଡ଼ିଆ ଜାତିର ଆତ୍ମ ପରିଚିତି ବା ପ୍ରଧାନ ପରିଚୟ ଏହି ସାମରିକତାକୁ ଭିତ୍ତି କରି ଗଢ଼ି ଉଠିଥିଲା-। ତେଣୁ ସାହିତ୍ୟରେ ତାର ସ୍ମୃତି ଓ ସଂକେତ ନିଶ୍ଚିତ ଭାବେ ଜାତୀୟ ଗୌରବର ପ୍ରତିପାଦକ । ଓଡ଼ିଆ ସମର ସାହିତ୍ୟର ପରମ୍ପରା ସର୍ବଭାରତୀୟ ପରିପ୍ରେକ୍ଷୀରେ ଏକାନ୍ତ ତାତ୍ପର୍ଯ୍ୟ ପୂର୍ଣ୍ଣସ୍ଥାନର ଅଧିକାରୀ, ଏହା ନିଃସନ୍ଦେହରେ କୁହାଯାଇପାରେ । ଆଧୁନିକ ଯୁଗରେ ଏହି ବୀରଭାବନା ବ୍ୟକ୍ତି ବିଶେଷ କୈନ୍ଦ୍ରିକ ବା ଗୋଷ୍ଠୀ କୈନ୍ଦ୍ରିକ ନ ହୋଇ ରାଷ୍ଟ୍ର କୈନ୍ଦ୍ରିକ ହୋଇପଡ଼ିଛି । ଆଧୁନିକ କାଳର ବିଶ୍ଵର ଶକ୍ତିଶାଳୀ ଦେଶମାନଙ୍କର ବିପୁଳ ଶକ୍ତି ସଜ୍ଜା ଏହି ମନୋଭାବର ଅନ୍ୟତମ ଦୃଷ୍ଟାନ୍ତ । ଯୁଦ୍ଧର ଧାରା ବଳଦିଛି କିନ୍ତୁ ବିଭିନ୍ନ ଶାନ୍ତି ଚୁକ୍ତି ସତ୍ତ୍ୱେ ମଣିଷ ଯୁଦ୍ଧ କରୁଛି । ନୂତନ ଉପାୟରେ । କବିର ଭାଷାରେ

 

ମାଟିକୁ ତ ବାଣ୍ଟି ସାରିଲୁଣି /ଆକାଶ ଆଉ ବା କେତେଦୂର

 

ସହାୟକ ଗ୍ରନ୍ଥସୂଚୀ :

୧.

ଓଡ଼ିଆ ସାହିତ୍ୟର ମଧ୍ୟପର୍ବ -

ସୁରେନ୍ଦ୍ର ମହାନ୍ତି

୨.

ଇଂରେଜୀ ସାହିତ୍ୟର ଇତିହାସ -

ଡଃ ଶ୍ୟାମସୁନ୍ଦର ମହାପାତ୍ର

୩.

ଓଡ଼ିଶା ଇତିହାସ -

ଡଃ ହରେକୃଷ୍ଣ ମହତାବ୍

୪.

ସାରଳା ସାହିତ୍ୟର ଐତିହାସିକ ଚିତ୍ର -

ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

୫.

ବଡ଼ଜେନା ଗ୍ରନ୍ଥାବଳୀ -

ସଂ ସୁଧାକର ପଟ୍ଟନାୟକ

୬.

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ

ପାଶ୍ଚାତ୍ୟ ପ୍ରଭାବ -

ଡଃ କ୍ଷେତ୍ରବାସୀ ନାୟକ

୭.

ଓଡ଼ିଆ ସମର କାବ୍ୟ -

ଡକ୍ଟର ପ୍ରମୋଦ ପରିଡ଼ା

 

***

 

ଓଡ଼ିଆ ବଙ୍ଗଳା ଓ ଅସମୀୟା ରୂଢ଼ି ବୈଚିତ୍ର୍ୟ

ଡକ୍ଟର ନାରାୟଣ ସାହୁ

 

ବିଶ୍ୱର ସର୍ବଶ୍ରେଷ୍ଠ ସମ୍ପଦ ହେଉଛି ଲୋକସାହିତ୍ୟ । ଲୋକସାହିତ୍ୟ ମଧ୍ୟରେ ଲୋକବାଣୀ ବା ଲୋକଭକ୍ତି ହେଉଛି ସବୁଠୁଁ ଆକର୍ଷଣୀୟ ବିଭବ । ଲୋକବାଣୀର ବିଶାଳ ପରିଧି ମଧ୍ୟରେ ଆମେ ଦେଖୁ ଢଗଢ଼ମାଳି, ରୂଢ଼ି, ପ୍ରବାଦ-ପ୍ରବଚନ ଆଦିକୁ ସ୍ୱକୀୟ ପ୍ରକାଶଭଙ୍ଗୀରେ । ଏସବୁ ଭିତରେ ଯୁଗଯୁଗର ଅଭିଜ୍ଞତାଜନିତ ସିଦ୍ଧି ଓ ସାର୍ବକାଳୀକ ସତ୍ୟ ଅନ୍ତନିର୍ହିତ ଥାଏ ଗୋଟାଏ ଜାତିର ସାମାଜିକ ଏବଂ ସାଂସ୍କୃତିକ ଇତିହାସ ଏହା ମାଧ୍ୟମରେ ରୂପ ନେଇଥାଏ ।

 

ରୂଢ଼ି ହେଉଛି ଏକ ବିଶେଷ ବଚନଭଙ୍ଗୀ । ଏହା ଖଣ୍ଡବାକ୍ୟ ବା ବାକ୍ୟାଂଶ ହୋଇପାରେ । ତେବେ ଲୋକଚରିତ୍ର ହେଉ ବା ଲୋକଚଳଣି ହେଉ, ଏମିତି ଦିଗ ନାହିଁ ଯାହା ରୂଢ଼ି ଭିତରେ ସ୍ଥାନ ନ ପାଇଛି । ଯାନିଯାତ୍ରାଠାରୁ ଆରମ୍ଭ କରି ପର୍ବପର୍ବାଣି, ସନ୍ତାନ ଜନ୍ମଠାରୁ ଆରମ୍ଭ କରି ବିବାହ ବା ମୃତ୍ୟୁ ପର୍ଯ୍ୟନ୍ତ ଯାବତୀୟ ଘଟଣା ଭିତରେ ରୂଢ଼ି ପ୍ରବେଶ କରିଥାଏ । ଏହା ଲୋକଜୀବନର ଏକ ଅଲିଖିତ ଦଲିଲ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ପ୍ରତ୍ୟେକ ଭାଷାର ସ୍ୱତନ୍ତ୍ର ପ୍ରକାଶଭଙ୍ଗୀ ରହିଛି । ଏହି ପ୍ରକାଶଭଙ୍ଗୀ କଥୋପକଥନର ଏକ ଅଂଶବିଶେଷ । କଥାକୁ ବୁଲେଇ ବଙ୍କେଇ କହିଲେ ତାର ଗୁରୁତ୍ୱ ବୃଦ୍ଧି ପାଏ । ଭାଷାର ଏକ ନୂଆ ଇଲାକା ମଧ୍ୟ ଆପେ ଆପେ ସୃଷ୍ଟି ହୋଇଯାଏ । ଏଇ ବାକ୍‌ଭଙ୍ଗୀରେ ଖଣ୍ଡବାକ୍ୟ କିମ୍ବା ପୂର୍ଣ୍ଣବାକ୍ୟ କିମ୍ବା କେତୋଟି ପଦ ମଧ୍ୟ ସ୍ଥାନ ପାଇପାରେ । କଥକର ରୁଚି ଅନୁଯାୟୀ କ୍ଷେତ୍ର ନେଇ ଏହା ବ୍ୟବହୃତ ହୋଇଥାଏ । କଥୋପକଥନର ଏଇ ବିଶେଷ ଅଳଙ୍କରଣକୁ ଇଂରାଜିରେ Idiom ବା ରୂଢ଼ି କୁହାଯାଏ । ବଙ୍ଗଳାରେ ‘ବାଗ୍‌ଧାରା’ ଏବଂ ଅସମୀୟାରେ ‘ଖଣ୍ଡବାକ୍ୟ’ କୁହାଯାଇଥାଏ । ଖଣ୍ଡବାକ୍ୟ ବା ବାକ୍ୟାଂଶ ବା ରୂଢ଼ିର ଅର୍ଥ ସିଧାସଳଖ ପୂର୍ଣ୍ଣମାତ୍ରାରେ ଜଣାପଡ଼େ ନାହିଁ । ତେବେ ବ୍ୟବହାରଦ୍ୱାରା ବାକ୍ୟ ମଧ୍ୟରେ ଏହା ବାକ୍‌ଭଙ୍ଗୀର ଲାଳିତ୍ୟ ବୃଦ୍ଧି କରିଥାଏ । ଏହା ଅର୍ଥଦ୍ୟୋତକ ବା ଗୂଢ଼ାର୍ଥବୋଧକ ମଧ୍ୟ ହୋଇଥାଏ ।

 

ରୂଢ଼ିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ଯାହା ରୂଢ଼ ବା ପ୍ରସିଦ୍ଧି ସମ୍ପନ୍ନ । ରୂଢ+ଇ= ରୂଢ଼ି ଅର୍ଥାତ୍‌ ଯାହାର ପ୍ରସିଦ୍ଧି ସର୍ବସମ୍ମତ । କଥିତ ଲୋକଭାଷାର ଏକ ପ୍ରଥାସିଦ୍ଧ ଶବ୍ଦଚାତୁରୀ ବା ବାକ୍‌ଧାରାର ଅଂଶ ବିଶେଷ । ରୂପରେ ଏହା ସଂକ୍ଷିପ୍ତ । ବିଶିଷ୍ଟ ବ୍ୟଞ୍ଜନାଦ୍ୟୋତକ ଖଣ୍ଡବାକ୍ୟ । ଏହାର ପ୍ରୟୋଗ ମଧ୍ୟ ଲୌକିକ ଢଙ୍ଗରେ ସମାହିତ ହୋଇଥାଏ । ରୂଢ଼ିର ସମାର୍ଥବୋଧକ ଶବ୍ଦ ଭାବେ ଇଂରାଜୀରେ Idiomକୁ ନିଆଯାଇପାରେ, ଯାହା ମୂଳ ଗ୍ରୀକ୍‍ଶବ୍ଦ Idioma ବା Idiomରୁ ଆସିଛି । ବାସ୍ତବ କ୍ଷେତ୍ରରେ ରୂଢ଼ି କହିଲେ ମୂଳ ଅର୍ଥକୁ ଛାଡ଼ି ଏକ ଅଭିପ୍ରେତ ଅର୍ଥକୁ ପ୍ରକାଶ କରୁଥିବା ଏକପ୍ରକାର ବଚନଭଙ୍ଗୀ ବା ବାକ୍‌ଧାରା । ଏହା ଅଭିଧା ଅର୍ଥକୁ ତ୍ୟାଗ କରି ଏକ ଆରୋପିତ ଅର୍ଥକୁ ପ୍ରକାଶ କରିଥାଏ ।

 

ଇଡ଼ିୟମ ସମ୍ପର୍କରେ ଏନ୍‌ସାଇକ୍ଲୋପାଏଡିଆ ଅଫ୍‌ ବ୍ରିଟାନିକା କହେ- Something Peculiar, in the sense it permits few generalizations; often the words used in idiomatic expressions lose their literal meaning or indicate something remotely suggested by a word in the expression; sometimes a literal meaning’’ . ଏଣୁ ରୂଢ଼ି କହିଲେ ଆମେ a peculiar variety of phrase ଭାବେ ହେଉ କିମ୍ବା ଏକପ୍ରକାର phoneme style ହେଉ କିମ୍ବା ଏକ ପ୍ରକାର Language expression ହେଉ, ଏ ସବୁଥିରେ ରହିଛି ଏକ ଅଭିନବ ପରିପ୍ରକାଶ ଭଙ୍ଗୀ, ଯାହା ଏକପ୍ରକାର ବିଶିଷ୍ଟ ଅର୍ଥର ଦ୍ୟୋତକ ।

 

ଓଡ଼ିଆରେ ରୂଢ଼ିର ପରିସର ଅତ୍ୟନ୍ତ ବ୍ୟାପକ । ଗଦ୍ୟ ପଦ୍ୟ ଉଭୟ ଦିଗନ୍ତରେ ରୂଢ଼ିର ପ୍ରାଧାନ୍ୟ ରହିଛି । ଏକ ସଂକ୍ଷିପ୍ତ ବଚନଭଙ୍ଗୀ ମଧ୍ୟରେ ଅନେକ କଥା କହି ହୋଇଯାଇଥାଏ । ଏହାର ବ୍ୟଙ୍ଗାତ୍ମକ ପରିପ୍ରକାଶ ଭଙ୍ଗୀ ସାମାଜିକ ଜୀବନକୁ ସୁଶୃଙ୍ଖଳ କରିଥାଏ । ଆଧୁନିକ ସାହିତ୍ୟର ପ୍ରକାଶଭଙ୍ଗୀରେ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ନାଟକ, କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ରାମ୍ୟରଚନା ଆଦିରେ ଏହାର ପ୍ରୟୋଗ ମଧ୍ୟ ପ୍ରଶଂସନୀୟ । ସାମାଜିକ ଜୀବନର ଉତ୍‌ଥାନ ପତନ ସହିତ ମଧ୍ୟ ତାଳଦେଇ ରୂଢ଼ି ଗତି କରିଛି । କାବ୍ୟ ପୁରାଣରେ ଏହାର ଯେଭଳି ପ୍ରୟୋଗ ରହିଥିଲା, ଆଧୁନିକ ସାହିତ୍ୟରେ ସେହି ମାତ୍ରା କଛିଟା ହ୍ରାସ ପାଇଲା । ଯୁଗୀୟ ପ୍ରବୃତ୍ତିର ପରିବର୍ତ୍ତନ ସାଥିରେ ଲୋକଜୀବନ ଓ ଲୋକଚଳଣି ମଧ୍ୟ ପ୍ରଭାବିତ ହେବାରେ ଲାଗିଛି । ହୁଏତ ଆଗାମୀ ପଚାଶ ବର୍ଷ ପରେ ରୂଢ଼ିର ସ୍ଥାନ କିପରି ଅବସ୍ଥାରେ ଥିବ, ସେ ନେଇ ଏକ ସନ୍ଦେହ ଜାଗ୍ରତ ହେବା ସ୍ୱାଭାବିକ ।

 

ଓଡ଼ିଆରେ ସାଧାରଣତଃ ଆମେ ତିନିପ୍ରକାର ରୂଢ଼ି ବ୍ୟବହାର କରିଥାଉ ଯଥା-କ୍ରିୟାଯୁକ୍ତ ରୂଢ଼ି, କ୍ରିୟାହୀନ ରୂଢ଼ି ଏବଂ ତୁଳନାତ୍ମକ ରୂଢ଼ି । ଏହାର ଗଠନ ପ୍ରକ୍ରିୟାରେ ବିଶେଷ, ବିଶେଷଣ ଓ କ୍ରିୟାପଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

କ୍ରିୟାଯୁକ୍ତ ରୂଢ଼ି : ଏଥିରେ ବିଶେଷ୍ୟପଦ ସହିତ କ୍ରିୟାପଦ ଯୁକ୍ତ ହୋଇ ରହିଥାଏ । ଉଦାହରଣ ସ୍ୱରୂପ-ଚିତା କାଟିବା, କୁହୁଡ଼ି ପହଁରିବା, ଆଖି ବୁଜିବା, ମଥା ଖେଳାଇବା । ରେଖାଙ୍କିତ ପଦଗୁଡ଼ିକ ହେଉଛି କ୍ରିୟା । ଏହା ବିଶେଷ୍ୟ ସହିତ ମିଶି ରୂଢ଼ି ଗଠନ କରୁଥିବାରୁ ଏହାକୁ କ୍ରିୟାଯୁକ୍ତ ରୂଢ଼ି କୁହାଯାଏ ।

 

କ୍ରିୟାହୀନ ରୂଢ଼ି : ଯେଉଁ ବାକ୍ୟାଂଶରେ କ୍ରିୟାପଦ ନ ଥାଏ ଏବଂ ବିଶିଷ୍ଟ ଅର୍ଥ ପ୍ରକାଶ କରୁଥାଏ । ତାକୁ କ୍ରିୟାହୀନ ରୂଢ଼ି କହନ୍ତି । ଉଦାହରଣ ସ୍ୱରୂପ- ଗୋବର ଗଣେଶ, ଅରଣ୍ୟ ରୋଦନ, ରାଣ୍ଡୀପୁଅ ଅନନ୍ତା, ମାନଧାତା ଅମଳ, ଅକଲ ସଲାମି, ବିରାଡ଼ି ବୈଷ୍ଣବ ଇତ୍ୟାଦି ।

 

ତୁଳନାତ୍ମକ ରୂଢ଼ି : ଯେଉଁ ବିଶିଷ୍ଟ ବାକ୍ୟାଂଶରେ ଅନ୍ୟ ବାକ୍ୟାଂଶ ସହିତ ତୁଳନା କରାଯାଇ ବିଶେଷ ଅର୍ଥକୁ ପ୍ରକାଶ କରାଯାଇଥାଏ, ତାହାକୁ ତୁଳନାତ୍ମକ ରୂଢ଼ି ବା ଉପମାବାଚକ ରୂଢ଼ି କୁହାଯାଏ । ଏଥିରେ ଉପମାବାଚକ ପଦ ରହିଥାଏ । ଉଦାହରଣ ସ୍ୱରୂପ- ଗଧପରି ଖଟିବା, ଶୁଣ୍ଢୀ ସାକ୍ଷୀ ମାତାଲ, ଜୋକପରି ଲାଗିବା, ସୁଅ ମୁହଁରେ ପତର, ଛୁଞ୍ଚିମୁହାଁ, ଶୁଆ ପରି ଘୋଷିବା ଇତ୍ୟାଦି ।

 

ଓଡ଼ିଆ ଅସମୀୟା ଏବଂ ବଙ୍ଗଳା ଭାଷାର ରୂଢ଼ିରେ ଅନେକ ସାମ୍ୟ ବୈଷମ୍ୟ ପରିଲକ୍ଷିତ ହୋଇଥାଏ । କେତେକ କ୍ଷେତ୍ରରେ ସିଧାସଳଖ ଅର୍ଥ ନ ମିଳି ପାଖାପାଖି ଅର୍ଥ ମିଳିଥାଏ । ଏଠାରେ ତିନୋଟି ଭାଷାରେ ରୂଢ଼ିର ବୈଶିଷ୍ଟ୍ୟ ଉପସ୍ଥାପନ କରୁଛୁ ।

 

ଓଡ଼ିଆ

ଅର୍ଥ

ବଙ୍ଗଳା

ଅରଣ୍ୟ ରୋଦନ

ନିଷ୍ଫଳ ଅନୁରୋଧ

fruitless attempt

ବଂ. ଅରଣ୍ୟ ରୋଦନ

ଅ. ଅରଣ୍ୟ ରୋଦନ

ଅହିନକୂଳ ସମ୍ପର୍କ

ଭୟଙ୍କର ଶତ୍ରୁତା

dead enemity

ଅ. ଅହିନକୂଳ ସମ୍ବନ୍ଧ

ବଂ. ଅହନକୂଳ ସମ୍ପର୍କ

ଅପାଣାହାତ ଜଗନ୍ନାଥ

ନିଜ ସାମର୍ଥ୍ୟ ଉପରେ ଭରସା

ବଂ. ଆପନ ହାତ ଜଗନ୍ନାଥ

ଅ. ଆପୋନି ହାତ ଜଗନ୍ନାଥ

ଉତ୍ତମ ମଧ୍ୟମ

ମାରଧର

sound thrashing

ବଂ. ଉତ୍ତମ ମଧ୍ୟମ

ଅ. ଉଦ୍ଭମ ମଧ୍ୟମ

ଉଣେଇଶି ବିଶ

ସାମାନ୍ୟ ତଫାତ୍‌

a slight difference

ଅ. ଉନେଛ ବିଛ

ବଂ. ଉନିଶ ବିଶ

ଏକାଦଶ ବୃହସ୍ପତି

ମହାସୌଭାଗ୍ୟ

ବଂ. ଏକାଦଶ ବୃହସ୍ପତି

ଅ. ଏକାଦଶ ବୃହସ୍ପତି

କଥାର ମଣିଷ

ପ୍ରତିଷ୍ଠିତ ଲୋକ/

କଥା ଘୁରାଉଥିବା ଲୋକ

ବଂ. କଥାର ମାନୁଷ

ଅ. କଥା ପାଗୋଲା

କାକ ନିଦ୍ରା

ହାଲକା ନିଦ/ ଅତି ସଜାଗ

ବଂ. କାକ ନିଦ୍ରା

ଅ. କାଉରି ଟୋପନୀ

ଖତଗଦାର ପଦ୍ମ

ଆସ୍ଵାଭାବିକ ପରସ୍ଥିତିରେ

ଗୁଣର ବିକାଶ

ବଂ ଗୋବର କୁଡ଼େ ପଦ୍ମଫୁଲ

ଅ. ବୋକାତେ ପଦୁମ

ଗଙ୍ଗା ପ୍ରାପ୍ତି ହେବା

ମୃତ୍ୟୁବରଣ କରିବା

ବଂ. ଗଙ୍ଗା ପାଓୟା

ଅ. ଗତି ହୋଆ

ଗୋରୁମାରି ଜୋତା ଦାନ

ବଡ଼ଦୋଷ କରି ନାମାମାତ୍ର

an infructuous

action

ବଂ. ଗରୁ ମେରେ ହୁତୋ ଦାନ

ଅ. ଗରୁ ଚୋରର ଗଙ୍ଗା ସ୍ନାନ

ଗୋବର ଗଣେଶ

ଅକର୍ମଣ୍ୟ

ବଂ. ଗୋବର ଗଣେଶ

ଅ. ଗୋବର ଗଣେଶ

ଆଖି ପକାଇବା

to be envious

ଅ. ଚକୁ ପୋରା

ବଂ. ଚୋଖ୍‌ପାକାନୋ

ଜଗା ଖେଚୁଡ଼ି

ବିଭିନ୍ନ ଜିନିଷର ମଶ୍ରଣ

ବଂ. ଜଗା ଖିଚୁଡ଼ି

ଜଡ଼ ଭରତ

ଜଡ଼ବୁଦ୍ଧି/ଜଡ଼ତାଗ୍ରସ୍ତ ଲୋକ

ବଂ. ଜଡ଼ ଭରତ,

ଅ. ଜଗାକାଠ

ଠାକୁର ଦେଖା କଦଳୀ ବିକା

ଏକା ସାଙ୍ଗେ ଦୁଇଟି

କାମ ସାଧନ କରିବା

ବଂ. ରଥଦେଖା କଲା ବେଚା

ଜୋକ ମୁଖରେ ଲୁଣ

ଆସ୍ଫାଳନକାରୀକୁ ହରାଇଲା

ଭଳି କଥା କହିବା to snule

ବଂ. ଜୋକେର ମୁଖେ ନୁନ୍‌

ଅ. ଜୋକର ମୁଖ ତ ତୂନ ଦିଆ

ତିଳକୁ ତାଳ କରିବା

ସାମାନ୍ୟ କଥାକୁ ଅଯଥା

ବଡ଼ କରି ଦେଖାଇବା

ବଂ. ତିଲ୍‌କେ ତାଲ କରା

ଅ. ତିଲଟୋକେ ତାଲଟୋକରା

ଦାତାକର୍ଣ୍ଣ

ଅତ୍ୟନ୍ତ ଉଦାର ଓ ଦାନଶୀଳ

ବଂ. ଦାତାକର୍ଣ୍ଣ ଅ. ଦାତାକର୍ଣ୍ଣ

ହାତରେ ନ ମାରି

ଭାତରେ ମାରିବା

to destroy indirectly by policy not directly by force

ଅ. ହାଦେ ନ ମାରି ଭାତେ ମାରା

ରାମରାବଣ ଯୁଦ୍ଧ

କୁରୁପାଣ୍ଡବ ଯୁଦ୍ଧ

Terrible War

ବଂ. ରାମରାବଣର ଯୁଦ୍ଧ

ଅ. ରାମରାବଣର ଯୁଦ୍ଧ

 

ପ୍ରତ୍ୟେକ ଭାଷାରେ ସ୍ଥାନୀୟ ପରିବେଶ ଅନୁଯାୟୀ ଏମିତି କିଛି ବିଶିଷ୍ଟ ଶବ୍ଦ ବା ଶବ୍ଦସମଷ୍ଟି ଗଢ଼ି ଉଠିଛି । ଯାହାର ମାଧ୍ୟମରେ ମନର ଭାବ ଯେତେ ଭଲ ଭାବେ ପ୍ରକାଶିତ ହୋଇଥାଏ, ତାହା ଅନ୍ୟ କୌଣସି କ୍ଷେତ୍ରରେ ସମ୍ଭବ ହୋଇ ନଥାଏ । ଏଇସବୁ ବିଶିଷ୍ଟ ପ୍ରୟୋଗରୀତି ଘଟିଥାଏ ଶବ୍ଦର ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା ଏ ତିନିର ଅର୍ଥ ପାର୍ଥକ୍ୟକୁ କେନ୍ଦ୍ରକରି-। (କ) ଏଇ ବିଶିଷ୍ଟ ପ୍ରୟୋଗରୀତିକୁ Idiom କୁହାଯାଇଥାଏ । ବଙ୍ଗଳା ଭାଷାରେ ବାଗ୍‌ଧାରା ବା ଇଡ଼ିଅମ୍‌ ଗଢ଼ିଉଠିଛି କେତେବେଳେ ନିଚ୍ଛକ କଥ୍ୟରୀତି ବା ଗ୍ରାମ୍ୟରୀତିକୁ ଆଧାର କରି ତ ପୁଣି କେତେବେଳେ ଆଞ୍ଚଳିକ ରୀତିକୁ ଆଧାର କରି । ଅର୍ଥାତ୍‌ ଆଧୁନିକ ଅଭିଧାନତତ୍ତ୍ୱରେ ବର୍ଣ୍ଣନାତ୍ମକ ବା descriptive ରୀତିର ପ୍ରାଧାନ୍ୟ ସ୍ୱୀକୃତ ।

 

ବଙ୍ଗଳା ବାଗ୍‌ଧାରା ଅଭିଧାନର ପ୍ରଣେତା ସୁଭାଷ ଭଟ୍ଟାଚାର୍ଯ୍ୟଙ୍କ ମତରେ ‘‘ଭାଷା ମାତ୍ରେଇ କିଛି ନିଜସ୍ଵ ବୈଶିଷ୍ଟ୍ୟ ଥାଏ । ବିଶିଷ୍ଟ ପ୍ରକାଶଭଙ୍ଗୀ ଥାଏ । ବାକରୀତିରେ ଯେମିତି ବୈଶିଷ୍ଟ୍ୟ ରହିଥାଏ, ସେମିତି ବାଗ୍‌ଭଙ୍ଗୀରେ ବୈଶିଷ୍ଟ୍ୟ ରହିଛି । ବାଗ୍‌ଧାରାକୁ ଏକ ଧରଣର ବାଗ୍‌ଭଙ୍ଗୀ ବୋଲାଯାଏ । ଇଂରାଜୀରେ ଏଇ ଧରଣର ବିଶିଷ୍ଟି ବାଗ୍‌ଭଙ୍ଗୀ Idiom ନାମରେ ପରିଚିତ । ବଙ୍ଗଳାରେ ଆମେ ଇଡ଼ିୟମ୍‌କୁ ବାଗ୍‌ଧାରା କହିଥାଉ । (ଖ) ବଙ୍ଗଳା ଭାଷାରେ ବହୁ ବିଶେଷ୍ୟବାଚକ, ବିଶେଷଣବାଚକ, କ୍ରିୟାବାଚକ ଶବ୍ଦ ବିଶେଷ ଅର୍ଥରେ ବ୍ୟବହୃତ ହୋଇଥିବା ଦେଖାଯାଏ । ଏଗୁଡ଼ିକର ବିଶିଷ୍ଟ ଅର୍ଥ ରହିଛି । ଉଦାହରଣ ସ୍ୱରୂପ ହାତ, ବଡ଼, ଚଲା, ପଡ଼ା, ଫେରା ଇତ୍ୟାଦି । ଏସବୁ ସିଧାସଳଖ Idiom ନୁହେଁ । ତେବେ ଏସବୁର Idiomatic ପ୍ରୟୋଗ ଦେଖାଇ ଦିଆଯାଇପାରେ । ତେଣୁ ବଙ୍ଗଳା ଭାଷାରେ ଅଜସ୍ର, ବିଶିଷ୍ଟାର୍ଥକ ଶବ୍ଦ ରହିଛି ଯାହା ଇଡ଼ିୟମ ନୁହେଁ ବରଂ phrase ଗୋଷ୍ଠୀଭୁକ୍ତ । ଏଇଭଳି ଶବ୍ଦଗୁଡ଼ିକର Idiomatic ବ୍ୟବହାର ରହିଛି ।

 

ବଙ୍ଗଳା ଭାଷାରେ ଅନେକ ବାଗ୍‌ଧାରା କେବଳ କଥାବାର୍ତ୍ତା ମଧ୍ୟରେ ସୀମିତ । ଏହା ଶିଷ୍ଟଭାଷାରେ ଦେଖାଯାଏନା । ଏଗୁଡ଼ିକୁ Informal କହିବା ଯୁକ୍ତିଯୁକ୍ତ ହେବ । ଏଗୁଡ଼ିକ କଥ୍ୟ ହେଲେ ମଧ୍ୟ ଅଶ୍ଲୀଳ ନୁହେଁ/ଆଉ କିଛି ବାଗ୍‌ଧାରା ରହିଛି, ଯାହା ଆଶୋଭନ ପର୍ଯ୍ୟାୟଭୁକ୍ତ । ବହୁ ବାଗ୍‌ଧାରା ଗ୍ରାମୀଣ ନ ହେଲେ ମଧ୍ୟ ଆଞ୍ଚଳିକତା ଚିହ୍ନିତ । ଏମିତି କିଛି ବାଗ୍‌ଧାରା ରହିଛି, ଯାହା ଗ୍ରାମ୍ୟ ପରିବେଶ ବାହାରେ ପୂରାପୂରି ଅଶ୍ରୁତ । କେବଳ ଗଦ୍ୟ କାହିଁକି ପଦ୍ୟରେ ମଧ୍ୟ ଏହାର ପ୍ରୟୋଗ ରହିଚି । ତେଣୁ ବାଗ୍‌ଧାରାକୁ କେବଳ କଥ୍ୟ ଭାଷାର ସମ୍ପଦଭାବେ ପରିଗଣିତ କରିବା ଠିକ୍‌ ହେବନି । ଏଣୁ ବାଗ୍‌ଧାରାକୁ କେବଳ ଶବ୍ଦାର୍ଥ ଭାବେ ନଗଣି ଏକ ବିଶେଷ ଅର୍ଥରେ ଗଣିବା ଉଚିତ ହେବ ।

 

ମଣିଷ ସମାଜର ଅଭିଜ୍ଞତାଳବ୍ଧ ଜ୍ଞାନ ଭିତରୁ ବାଗ୍‌ଧାରାର ଜନ୍ମ । ଜନସମାଜର ସଂସ୍କାର, ଅଭ୍ୟାସ, ସମସ୍ୟାର ପ୍ରତିଫଳନ ଏଥିରେ ଦେଖିବାକୁ ମିଳିଥାଏ । ବାଗ୍‌ଧାରା ସହିତ କେତେକ କ୍ଷେତ୍ରରେ ପ୍ରବାଦ-ପ୍ରବଚନର ମେଳ ରହିଛି । ତେବେ ଉଭୟ ମଧ୍ୟରେ ଚରିତ୍ରଗତ ଓ ଗଠନଗତ ପାର୍ଥବ୍ୟ ଦେଖିବାକୁ ମିଳିଥାଏ । ପ୍ରବାଦ ଓ ବାଗ୍‌ଧାରା ଉଭୟ ଲୋକ ସମାଜର ଅଭିଜ୍ଞତାର ପରିପ୍ରକାଶ । ପ୍ରବାଦ ଉପଦେଶ ଗର୍ଭିତ ହୋଇଥିବାବେଳେ ବାଗ୍‌ଧାରା ସେଭଳି ନୁହେଁ-। ପ୍ରବାଦ ପ୍ରାୟତଃ ସମ୍ପୂର୍ଣ୍ଣ ବାକ୍ୟ ହୋଇଥିବାବେଳେ ବାଗ୍‌ଧାରା ବାକ୍ୟାଂଶ ମାତ୍ର ।

 

ବାଗ୍‌ଧାରାର ଗଠନ ପ୍ରଣାଳୀ ସରଳ । ଏହା ଏକାଧିକ ଶବ୍ଦର ସମଷ୍ଟି । ଏହାର ବିନ୍ୟାସ ସମ୍ପର୍କରେ ଶ୍ରୀ ଭଟ୍ଟାଚାର୍ଯ୍ୟ ଉଲ୍ଲେଖ କରିଛନ୍ତି-

 

(୧) ଦୁଇଟି ବିଶେଷ ଶବ୍ଦ ସମାସବଦ୍ଧ ହୋଇ ବିଶେଷ୍ୟ ବା ବିଶେଷଣ ହିସାବରେ ବ୍ୟବହୃତ ହୋଇପାରେ- ଗୋବର ଗଣେଶ, କୁରୁକ୍ଷେତ୍ର କାଣ୍ତ (୨) ଗୋଟିଏ ବିଶେଷ୍ୟ ଓ ଗୋଟିଏ ବିଶେଷଣ ଶବ୍ଦ ସମାସବଦ୍ଧ ହୋଇପାରେ- ବକଧାର୍ମିକ (୩) ଏକ ବା ଏକାଧିକ ବିଶେଷ୍ୟବାଚକ ବା ବିଶେଷଣବାଚକ ଶବ୍ଦ ସଙ୍ଗେ କ୍ରିୟାବାଚକ ଶବ୍ଦ ଯୁକ୍ତ ହୋଇ ସଂପୂର୍ଣ୍ଣ ବାଗ୍‌ଧାରାଟି କ୍ରିୟାପଦ ହିସାବରେ ଗଣ୍ୟ ହୋଇପାରେ ଲାଲବତି ଜ୍ୱାଲା (ଜଳାଇବା), ଏକଟିଲେ ଦୁଇ ପାଖିମାରା, କାଟା ଘାୟେ ନୁନେଇ ଛିଟେ ଦେଓୟା (୪) ଗୋଟିଏ ଧାତୁର ଦ୍ୱିତ୍ୱ କରି ପ୍ରଥମ ଅଂଶରେ ‘ଆ’ ଏବଂ ଦ୍ୱିତୀୟ ଅଂଶରେ ‘ଇ’ ଯୋଗ କରି ବିଶିଷ୍ଟାର୍ଥକ ଶବ୍ଦ ତିଆରି ହୁଏ । ପୂରା ଶବ୍ଦଟି ବିଶେଷ୍ୟ ଭାବେ ବ୍ୟବହୃତ ହୋଇଥାଏ । ଧରାଧରି, ନାଚାନାଚି, ମାଖାମାଖି (୫) ଧାତୁ ସଙ୍ଗେ ‘ଆନୋ’ ପ୍ରତ୍ୟୟ ଯୋଗକରି ବିଶେଷ୍ୟ ବା ବିଶେଷଣ ବା କ୍ରିୟାପଦ ଗଠିତ ହୋଇପାରେ-ସାଁଟାନୋ, କାଲାନୋ, ଗାଁଜାନୋ (୬) ଧାତୁ ସଙ୍ଗେ ‘ଆନି’ ପ୍ରତ୍ୟୟ ଯୋଗକରି ବିଶେଷ୍ୟବାଚକ ଶବ୍ଦ ତିଆରି କରାଯାଏ- ଲାଗାନି-ଭାଙ୍ଗାନି (୭) ଶବ୍ଦର ଦ୍ୱିତ୍ୱ କରି ବିଶିଷ୍ଟାର୍ଥକ ଶବ୍ଦ ଗଠିତ ହୁଏ ଏବଂ ଶବ୍ଦଟି ବା ଶବ୍ଦଗୁଚ୍ଛଟି ବିଶେଷଣ ବା କ୍ରିୟା-ବିଶେଷଣ ହିସାବରେ ବ୍ୟବହୃତ ହୁଏ- ଗୁଟି-ଗୁଟି, କେମନ-କେମନ, ଗଲାୟ-ଗଲାୟ (୮) ଅଜସ୍ର ଅନୁକାରମୂଳକ ଶବ୍ଦ ବାଗ୍‌ଧାରା ବା ବିଶିଷ୍ଟାର୍ଥକ ଶବ୍ଦର ପର୍ଯ୍ୟାୟରେ ପଡ଼ିଥାଏ । ଗୋଟିଏ ଶବ୍ଦ ସଙ୍ଗେ ଅନୁଗାମୀ ଶବ୍ଦ ଯୋଡ଼ି ବିଶିଷ୍ଟାର୍ଥକ ଶବ୍ଦ ତିଆରି କରାଯାଇପାରେ-ବାଁ ଧାଛାନ୍ଦା, ଛୋଟମୋଟୋ, ଠାଟଠମକ ।(ଗ)

 

ଏଠାରେ ଗୋଟିଏ କଥା ଉଲ୍ଲେଖ କରାଯାଇପାରେ ଯେ ସମୟର ସହିତ ତାଳ ଦେଇ ନ ପାରି କେତେବେଳେ ବାଗ୍‌ଧାରା ଅଚଳ ହେଉଛି ତ ପୁଣି କେତେବେଳେ ବାଗ୍‌ଧାରା ନୂଆ କରି ରୂପ ପରିଗ୍ରହ ଲାଭ କରୁଛି । ନିମ୍ନରେ ବଙ୍ଗଳା ଓଡ଼ିଆ ରୂଢ଼ି ବା ବାଗ୍‌ଧାରାର କେତୋଟି ଉଦାହରଣ ଉପସ୍ଥାପନ କରୁଛୁ ।

 

 

ବଙ୍ଗଳା

ଅର୍ଥ

ଓଡ଼ିଆ

ଅକାଲ କୁସମ

ଅସମ୍ଭବ ଜିନିଷ

ଆକାଶ କୁସୁମ

ଅଗ୍ନି ପରୀକ୍ଷା

କଠିନ ପରୀକ୍ଷା

ଅଗ୍ନି ପରୀକ୍ଷା

ଅନ୍ଧକାରେ ଟିଲ ଛୋଁଡ଼ା

ଅନୁମାନ ଉପରେ ନିର୍ଭର

କରି କାମ କରିବା

ଅନ୍ଧାରରେ ବାଡ଼ି ବୁଲାଇବା

ଅନ୍ଧକାରେ ଥାକା

 

ଅନ୍ଧାରରେ ରଖିବା

ଅମାବାସ୍ୟାର ଚାଁନ୍ଦ

କୌଣସି ବିଷୟରେ

କିଛି ନ ଜଣାଇବା

ଅମାବାସ୍ୟାର ଚାନ୍ଦ

ଆକାଶଥେକେ ପଡ଼ା

 

ଆକାଶରୁ ପଡ଼ିବା

ଆଦା ବ୍ୟାପାରୀର

ଜାହାଜେର ଖବରେ କାଜ୍‌କୀ

ଦୁର୍ଲଭ ବସ୍ତୁ ନ ଜାଣିବାର

ଅଭିନୟ କରିବା ସାଧାରଣ

ଲୋକର ବଡ଼ ବଡ଼

କଥାରେ ମଥା ଗଳାଇବା

ଜାହାଜ ମୂଲ କାହିଁକି ?

ଉଡ଼ିୟେ ଦେଓୟା

ଅଗ୍ରାହ୍ୟ କରିବା

ଉଡ଼େଇଦେବା

ଏକ କାନେ ଶୁନେ ଆର

ଏକ କାନେ ବାର୍‌ କରା

ଗ୍ରହଣ ନ କରିବା/

ଅବହେଳା କରିବା

ଏ କାନରେ ପୂରାଇ ସେ

କାନରେ ବାହାର କରିବା

ଏକ ଗୋୟାଲେର ଗୋରୁ

ଗୋଟିଏ ଦଳର ଲୋକ

ଏକା ଗୁହାଳର ଗୋରୁ,

ଗୋଟିଏ ଭାଡ଼ିର ପାରା

ଓଷୁଧ୍‌ ଧରା

ଔଷଧ ଫଳପ୍ରଦ ହେବା

ଓଷଧ କାମ କରିବା

କପାଲ୍‌ଫେରା

ସୌଭାଗ୍ୟ ଉଦୟ ହେବା

କପାଳ ଫେରିବା

ଗଙ୍ଗା ଜଲେ ଗଙ୍ଗା ପୂଜା

ତାରି ଜିନିଷର ତାକୁ

ଆପ୍ୟାୟିତ କରିବା

ଗଙ୍ଗାଜଳରେ ଗଙ୍ଗା ପୂଜିବା

ମାଛ ତେଲରେ ମାଛ ଭାଜିବା

ଗଭୀର ଜଲେର୍‌ ମାଛ

ଧୁରନ୍ଧର ଲୋକ

ଗହୀର ପାଣିର ମାଛ

ଗଲାୟ ଦଡ଼ି ଦେଓୟା

ଆତ୍ମହତ୍ୟା କରିବା

ଗଳାରେ ଦଉଡ଼ି ଦେବା

ଘୋଡ଼ାର ଡିମ

ଅଳୀକ ବସ୍ତୁ

ଘୋଡ଼ାଡ଼ିମ୍ବ

ଚୋଖ୍‌ କାନ ବୁଜେ ଥାକା

ନିର୍ଲିପ୍ତ ରହିବା

ଆଖି କାନ ବନ୍ଦ କରି ରହିବା

ଦାନ୍ତ ଭାଙ୍ଗା

ଦର୍ପଚୂର୍ଣ୍ଣ କରିବା

ଦାନ୍ତ ଭାଙ୍ଗିବା

ନଜର ଲାଗା

ଅଶୁଭ ଦୃଷ୍ଟି ପଡ଼ିବା

ନଜର ଲାଗିବା

ପାକାଧାନେ ମଇଦେଓୟା

କାର୍ଯ୍ୟ ପଣ୍ତ କରିବା

ପାଚିଲା ଧାନରେ ମଇଦେବା

ପେଟେ ଖିଦେ ମୁଖେ ଲାଜ

ଲଜ୍ଜାବଶତଃ ଇପ୍‌ସିତ କଥା

କହି ନ ପାରିବା

ପେଟଭୋକ ମୁହଁ ଲାଜ

ଫୁଲଚନ୍ଦନ ଦିୟେ ପୂଜୋକରା

ଦେବତା ଭଳି ଭକ୍ତି କରିବା

ଫୁଲଚନ୍ଦନ ଦେଇ ପୂଜିବା

ବାଘେ ଗୋରୁ ତେ ଏକ

ଘାଟେ ଜଲ ଖାଓୟା

କ୍ଷମତା ପାଇଁ ଶତ୍ରୁତା

ଭୁଲି ଏକ ସଙ୍ଗେ ବାସ କରିବା

ଗୋଟିଏ ଘାଟରେ ବାଘ

ଛେଳି ପାଣି ପିଇବା

ବାରୋ ମାସେ ତେରୋ ପାର୍ବଣ

ବର୍ଷସାରା ଉତ୍ସବ

ବାରମାସରେ ତେର ପର୍ବ

ବିନାମେଘେ ବଜ୍ରପାତ

ଅପ୍ରତ୍ୟାଶିତ ସଂବାଦ

ବିନା ମେଘରେ ବଜ୍ରପାତ

ବିଡ଼ାଲ ତପସ୍ୱୀ

ଭଣ୍ତ ଲୋକ

ବିରାଡ଼ି ବୈଷ୍ଣବ

ଭୂତେର ମୁଖେ ରାମନାମ

ପ୍ରକୃତି ବିରୁଦ୍ଧ କାର୍ଯ୍ୟ ବା କଥା

ଲଙ୍କାରେ ହରିଶବ୍ଦ

ମାଥାୟ ଆକାଶ ଭେଙ୍ଗେ ପଡ଼ା

ଆକସ୍ମିକ ବିପଦରେ ହତବୁଦ୍ଧି ହେବା

ମଥା ଉପରେ ଆକାଶ ଛିଡ଼ି ପଡ଼ିବା

ମୁଖହାସାନୋ

ଧିକ୍କାର କାର୍ଯ୍ୟ କରିବା

ଲୋକହସା କରିବା

ସାପ ଓ ମରେ ଲାଠି ଓ ଭାଙ୍ଗେନା

କଠିନ କାର୍ଯ୍ୟ ସମ୍ପନ୍ନ ହେବା

ଅଥଚ କ୍ଷତି ହେବନି

ସାପ ମରିବନି କି ଲାଠି ଭାଙ୍ଗିବନି (କିଛିଟା ଭିନ୍ନ)

ହାତେ ଆକାଶ ପାଓୟା

ଅପ୍ରତ୍ୟାଶିତ ଭାବେ

କିଛି ଲାଭ କରିବା

ହାତରେ ଚାନ୍ଦ ପାଇବା

ଭସ୍ମେ ଘି ଡାଲା

ଅପାତ୍ରରେ ଦାନ/ବୃଥା ହେବା

ନିଆଁରେ ଘିଅ ଢାଳିବା

 

ଆସାମର ଲୋକ ଜୀବନକୁ ସରସ ସୁନ୍ଦର ଓ ମଧୁମୟ କରିବା ପାଇଁ ‘ଲୋକୋକ୍ତି’ର ସୃଷ୍ଟି । ପୁରାଣ ଯୁଗରୁ ହିନ୍ଦୁ ଓ ମୁସଲମାନ ସମାଜରେ ଲୋକୋକ୍ତି ବା ଖଣ୍ତବାକ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମାଲୋଚନା, ତ୍ରୁଟି ସଂଶୋଧନ, ଉପଦେଶ ଆଦି ଛଳରେ ଆସାମର ଜନସାଧାରଣଙ୍କ ଦୈନନ୍ଦିନ ଜୀବନ କ୍ଷେତ୍ରରେ ଏହାର ସୁଦୂରପ୍ରସାରୀ ପ୍ରଭାବ ଦେଖିବାକୁ ମିଳେ । ମଣିଷର ଜୀବନଯାତ୍ରାକୁ ଅନେକ ପରିମାଣରେ ନିୟନ୍ତ୍ରିତ ମଧ୍ୟ କରିଥାଏ ଏହି ଲୋକୋକ୍ତିସମୂହ । ଏଥିରେ ଭରି ରହିଥାଏ ପୁରୁଷ ପୁରୁଷର ଅଭିଜ୍ଞତା । ଢଗଢ଼ମାଳି, ପ୍ରବାଦ ବାକ୍ୟ, ଖଣ୍ତବାକ୍ୟ ଆଦିରେ ବହୁଦିନର ଜ୍ଞାନ ସହିତ ତୀକ୍ଷ୍‍ଣ ପର୍ଯ୍ୟବେକ୍ଷଣ ଶକ୍ତି ଭରି ରହିଥାଏ ।

 

ଆସାମର ଗଣଜୀବନରେ ପ୍ରାଚୀନ କାଳରୁ ଯୋଜନା, ଫକରା, ପ୍ରବାଦ ପ୍ରବଚନ ଆଦିର ପ୍ରଚଳନ ରହି ଆସିଛି । ଯୋଜନା-ଫକରା (ଢଗଢ଼ମାଳି ଛଟା)ରେ ବହୁ ଉପଲବ୍ଧିର ଜ୍ଞାନ ସଞ୍ଚିତ ହୋଇ ରହିଛି । ପ୍ରସିଦ୍ଧ ଲୋକସାହିତ୍ୟବିଦ୍‌ ହେମଚନ୍ଦ୍ର ବରୁଆ ସାଁଥର, ଫକରା, ଯୋଜନା, ପ୍ରବାଦ ପ୍ରବଚନ ଆଦି ସମାର୍ଥବୋଧକ ବୋଲି ସ୍ୱୀକାର କରିଛନ୍ତି । ଅସମୀୟା ଭାଷାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଛି ଖଣ୍ତକାବ୍ୟ, ଅନୁକାର, ଅନୁରୂପ ଶବ୍ଦ, ଜତୁଆ ଠାଁଚ ଇତ୍ୟାଦି ଲୋକଉକ୍ତି । ଆଲୋଚକ ଶ୍ରୀଜଗତଚନ୍ଦ୍ର ଗୋସ୍ୱାମୀଙ୍କ ମତରେ-‘ଅଳଙ୍କାର ବିହୀନ ଭାଷା ବା ଆଲେଖ୍ୟ ସଦାବେଳ ନିରସ ଓ ପାଠକର ମନୋଗ୍ରାହୀ ହୋଇନଥାଏ । ଲେଖାଲେଖି ବା କଥାବାର୍ତ୍ତା ମଝିରେ ଜତୁଆ ଠାଁଚ ବା ବାକ୍ୟାଂଶ ପ୍ରୟୋଗ କରାଗଲେ ଭାଷାର ସମ୍ପଦ ବୃଦ୍ଧି ପାଇଥାଏ । ତା’ଛଡ଼ା ଏହା କିଛିମାତ୍ରରେ ଗୁପ୍ତ ଅର୍ଥ ପ୍ରକାଶ କରିଥାଏ, ଯାହା ଇଙ୍ଗିତ ମାଧ୍ୟମରେ ସହଜରେ ବୁଝି ହୋଇଥାଏ ।(ଘ)

 

ଅଳଙ୍କାରଯୁକ୍ତ ଖଣ୍ତବାକ୍ୟ, ଅନୁକାର ଶବ୍ଦ, ଅନୁରୂପ ଶବ୍ଦ, ଜତୁଆ ଠାଁଚ ଇତ୍ୟାଦି କେବଳ କଥାବାର୍ତ୍ତାବେଳେ ବ୍ୟବହୃତ ହୋଇନ ଥାଏ, ଅଭିଧାନରେ ମହିଳାଗଣ ଏହାକୁ ବ୍ୟବହାର କରି ଅସମୀୟ ଭାଷାର ସୌନ୍ଦର୍ଯ୍ୟ ବୃଦ୍ଧି କରିଛନ୍ତି । ବେଣୁଧର ରାଜଖୋଆ ତାଙ୍କର ସଙ୍କଳିତ ‘ଅସମୀୟା ଖଣ୍ତବାକ୍ୟକୋଷ’ ବା A dictionalry of phrases ରେ ପଂକାର ଯୋଜନା, ପଟନ୍ତର ଏବଂ ଜତୁଆ ବାକ୍ୟ ବିଶେଷ୍ୟ, ବିଶେଷଣ, କ୍ରିୟା, କ୍ରିୟା ବିଶେଷଣ ଆଦି ରୂପେ ଗଠନ କରିଛନ୍ତି । ‘ହେମକୋଷ’ରେ ହେମଚନ୍ଦ୍ର ବରୁଆ ଫକରା (Adge, maxim) ଯୋଜନା (proverb, adage) ପଟାନ୍ତର (provern, simile) ଆଦି ମଧ୍ୟରେ ବିଶେଷ ପାର୍ଥକ୍ୟ ଦେଖିନାହାନ୍ତି । ସେ ଏ ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲିଛନ୍ତି ।

 

ଅସମୀୟା ଖଣ୍ତବାକ୍ୟ କୋଷରେ, ୨୩୮୭ ଖଣ୍ତବାକ୍ୟ ବ୍ୟବହାର କରିଛନ୍ତି ଶ୍ରୀ ରାଜଖୋଆ ମହାଶୟ । ଏ ସମ୍ପର୍କରେ ତାଙ୍କର ବିନମ୍ର ନିବେଦନ ହେଲା- ‘‘I have endeavoured to elucidate the phrases in the best way possible. I have found that people use some phrases freely in their ordinary parlance, though they are absolutely ignorant of their origin. In those case, I have given such explanations as conform as nearly as possible to their current meanings.’’ (ଙ)

 

ଅସମୀୟା ଏବଂ ଓଡ଼ିଆ ଖଣ୍ତବାକ୍ୟ ବା ରୂଢ଼ିରେ ଅନେକ ସାମ୍ୟ ପରିଲକ୍ଷିତ ହୁଏ । ଏ ଉଭୟ ଭାଷାରେ କ୍ରିୟାଯୁକ୍ତ, କ୍ରିୟାହୀନ ଏବଂ ତୁଳନାତ୍ମକରୂପ ଦେଖିବାକୁ ମିଳେ ।

 

ଅସମୀୟା

ଇଂରାଜୀ

ଓଡ଼ିଆ

ଅକାଳ କୁଷ୍ମାଣ୍ତ

Worthless person

ଅକାଳ କୁଷ୍ମାଣ୍ତ

ଅଗ୍ନିଶର୍ମା

Short tempered man

ଅଗ୍ନିଶର୍ମା

ଅଜମୂର୍ଖ/ଜଧାମୂର୍ଖ

a great fool/

a blockhead

ଗଜମୂର୍ଖ

ଅଥଳ ସାଗର

deepest calamity

ଅଥଳଜଳ

ଆକାଶ ପତାଲ

tension at mind

ଆକାଶପାତାଳ

ଅକାଶର (ପରା)

ତରା ବିଚରା

to aim at the

impossible

ଆକାଶର ଚାନ୍ଦ ମାଗିବା

ଆଣ୍ଠୁଓ୍ୱେ ଆଣ୍ଠୁଓ୍ୱେ ସାଁତୋର

to move about in

great distress/

to wake/to wither

ଆଣ୍ଠୁଏ ପାଣିରେ ପହଁରିବା

ଇକାନ ସକାନ ହୈ

ସହସ୍ରକାନ ହୋଓ୍ୱା

to spread far and

wide if known

to a second person

ଏକାନରୁ ସେକାନ ହେବା

ଊନଛେ ବିଛ

a slight difference

ଊଣେଇଶ ବିଶ

ଓଁଠର ପାନିପରା

to be strongly

tempered to

eat or drink

ଓଠରୁ ପାଣି ଗଡ଼ିବା

ଓପର-ଚକୁଆ ମାନୁହ

a careless person

ଉପର ଠାଉରିଆ ଲୋକ

କଟା ଘା’ତ ଚେଙ୍ଗା

(ଗରମ ତେଲ ଦିୟା)

to aggrevate

one's trouble

କଟା ଘା’ରେ ଚୂନ ଦେବା

କପାଲର ଘାମ

ମାଟିତ ପେଲୋଆ

to labour very hard

ତାଳୁପାଣି ତଳିପାରେ ମରିବା

କମାର ଦିନ ରାତି

an opinion giver

by a person who

is naturally

disqualified to give it

ଅନ୍ଧାର କିବା ଦିବାରାତ୍ରି

କଲଗ୍ରହ ହୋଆ

to be burden

ଗଳଗ୍ରହ ହେବା

କଲିକ ତୀୟା ଫାଁକି

a clevertrick

କଲିକତି ଚାଲ୍‌

ଗରୁ ଚୋରେର ଗଙ୍ଗାସ୍ନାନ

an infructous action

ଗୋଇଠା ମାରି ବିଷ୍ଣୁପୁରାଣ

ଚକୁତ ବାଲିମରା

to cheat daringly

ଆଖିରେ ଧୂଳି ପକେଇବା

ଚକୁତ ଲଗା

of attractive

appearance

ଆଖି ଲାଖି ରହିବା

ଚକୁ ମୁଦା

to die

ଆଖି ବୁଜିବା

ଚକୁତ ଥାକି ବୁକତ କାମୋରା

to serve one a

bad turn ungratefully

ଅଣ୍ଟିଛୁରି ତଣ୍ଟିକାଟେ

ଜାଲପତା

to conspire/to plan

ଜାଲ ବିଛାଇବା

ଜୋକର ମୁଖତ ଚୂନ ଦିଆ

to punish a

person appropriately

ଜୋକ ମୁହଁରେ ଲୁଣ ଦେବା

ଜୁଇପାନୀ ଅଟକ

boycotted

ନିଆଁପାଣି ଅଟକ

ଠନ ଠନ ମଦନଗୋପାଲ

good for nothing

ଠନ୍‌ ଠନ୍‌ ମଦନ ଗୋପାଲ

ତୁଲସୀର ଲଗତ

କଲ୍‌ପଟୁଆର ମୁକ୍ତି

to attain salvation

because of his

association with

a saint or great

person

ଡାଳୁଅ ଲାଗି କନିସିରି ପାଣି ପାଇବା

ଦୁଇ ନାଓ୍ୱତ ଭରଦିବା

dilemma, puzzle

ଦୁଇ ନାଆରେ ଗୋଡ଼ ଦବା

ମାନ୍ଧାତା ଅମୋଲର କଥା

beyond the reach of memory

ମାନଧାତା ଅମଳର କଥା

ମାଛର ତେଲତ ମାଛଭଜା

ଯମର ଯାତନା

agonies to death

ମାଛ ତେଲରେ ମାଛ ଭାଜିବା ଯମଯନ୍ତ୍ରଣା

ଯମର ଦୁଓ୍ୱାରର ପରା ଅହା

to attain new life

ଯମ ଦୁଆରୁ ଫେରି ଆସିବା

ହାତେ ନ ମାରି ଭାତେ ମରା

to destory indirectly

not by direct

physical force

ହାତରେ ନ ମାରି ଭାତରେ ମାରିବା

 

 

 

 

ଏହିପରି ଭାବରେ ଦେଖିଲେ ଅସମୀୟା ଓ ଓଡ଼ିଆ ରୂଢ଼ିରେ ଧ୍ୱନି, ଶବ୍ଦ, ସମାସ, ଅର୍ଥ ଆଦି ଦୃଷ୍ଟିରୁ ଅନେକ ସାମ୍ୟ ପରିଲକ୍ଷିତ ହୁଏ ।

 

ତିନୋଟି ଭାଷାର Idiom କୁ ତୁଳନା କଲେ ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ, ବ୍ୟାପ୍ତି, ସାଦୃଶ୍ୟ ବୈସାଦୃଶ୍ୟ ଆଦି ଦିଗ ପରିଷ୍କାର ହୋଇଯାଏ । ଏହି ତୁଳନାତ୍ମକ ଆଲୋଚନାରେ ତିନୋଟି ଭୂଖଣ୍ତର ସାମାଜିକ ଓ ସାଂସ୍କୃତିକ ଚାଳିଚଳଣି, ପରିବେଶ, ରୀତିନୀତି ପ୍ରାଧାନ୍ୟ ଲାଭ କରିଥାଏ । ଏଣୁ ପ୍ରତ୍ୟେକ କ୍ଷେତ୍ରରେ perception ର ଭିନ୍ନତା ଦେଖାଯିବା ସ୍ୱାଭାବିକ । କାରଣ ଗୋଟିଏ ବିଷୟକୁ ବା ବସ୍ତୁକୁ ସବୁ ସମୟରେ ମଣିଷର ମନ ଏବଂ ଚକ୍ଷୁ ଏକାଭାବେ ଦେଖେନା । ତିନୋଟି ଭାଷାରେ Linguistic Relation ଦୃଷ୍ଟିରୁ ବିଚାର କଲେ Idiom ର ସାଦୃଶ୍ୟ, ବୈସାଦୃଶ୍ୟ ଗୋଟିଏ: common origin ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବ । ଘଟଣାଗତ କ୍ରିୟା ସବୁଠି ସମାନ, ମାତ୍ର ଶାବ୍ଦିକ ପ୍ରୟୋଗରେ ଭିନ୍ନତା ଦେଖିବାକୁ ମିଳେ । କେତେକ କ୍ଷେତ୍ରରେ Sanskrit Origin ର ଶବ୍ଦକୁ ନେଇ ଗଠିତ Idiom ର ରୂପ ପ୍ରାୟତଃ ସମାନ ।

 

ଭାଷା ଓ ରୂପଗତ ବୈଚିତ୍ର୍ୟ ଦିଗରୁ ଦେଖିଲେ ଓଡ଼ିଆ-ବଙ୍ଗଳା ପାଖାପାଖି ରହିଥିବାବେଳେ ଅସମୀୟା କିଛିଟା ଦୂରରେ ରହିଛି । ସେହିପରି ବଙ୍ଗଳା ଅସମୀୟା ପାଖାପାଖି ରହିଥିବାବେଳେ ଓଡ଼ିଆ କିଛିଟା ଦୂରରେ ରହିଛି । ତିନୋଟି ସ୍ଥାନର ଭାଷା, ସଂସ୍କୃତି ଓ ମନୋଭଙ୍ଗୀ ମଧ୍ୟରେ structural comparision ବା ଗଠନଗତ ତୁଳନା କରି ବସିଲେ ଅନେକ ସାଦୃଶ୍ୟ ଦେଖିବାକୁ ମିଳିବ । ବସ୍ତୁ ଭାବରେ Idiom ଯେମିତି ଲୋକମନସ୍ତରକୁ ତୋଳି ଧରିଛି । ଗଠନ ଦିଗରେ ମଧ୍ୟ ସାଧାରଣ ଲକ୍ଷଣକୁ ତ୍ୟାଗ କରି ନାହିଁ । ତିନୋଟି ଭାଷାରେ ଖଣ୍ତବାକ୍ୟ/ବାଗ୍‌ଧାରା/ରୂଢ଼ି ରହିଛି । ଅନେକ ସମୟରେ ବାକ୍ୟାଂଶର Idiomatic ବ୍ୟବହାର ଦେଖିବାକୁ ମିଳେ। ଏ ପ୍ରକାର ପ୍ରୟୋଗରୀତି ତିନୋଟି ଭାଷାରେ ପ୍ରାୟତଃ ସମାନ ।

 

ତିନୋଟି ଭାଷାର Idiom ରେ ଦେହାଂଶ (Bodyparts), ସ୍ଥାନର ନାମରେ ଭିନ୍ନତା (spotial change), ବ୍ୟକ୍ତି ନାମର ବ୍ୟବହାର (personal name), ଭିନ୍ନ ଭିନ୍ନ କ୍ରିୟା ବ୍ୟବହାର (Different verbs), ଲିଙ୍ଗର ଭିନ୍ନତା (change in gender), ଧ୍ୱନିଗତ ପାର୍ଥକ୍ୟ (Phonemic contrast) ନଞ୍‌ର୍ଥକ ଶବ୍ଦର ବ୍ୟବହାର (negativisation of words), ଆତ୍ମୀୟ ସୂଚକ ଶବ୍ଦର ବ୍ୟବହାର (congeneric terms) ଇତ୍ୟାଦି ପ୍ରାଧାନ୍ୟ ବିସ୍ତାର କରିଛି । ଏ ସବୁକୁ ଆଧାର କରି Idiom ବା Idiomatic ଶବ୍ଦର ବ୍ୟବହାର ଦେଖାଯାଏ ।

 

 

ଓଡ଼ିଆ ବିଭାଗ,

ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର

ଭୁବନେଶ୍ୱର

***

 

ସହାୟକ ଗ୍ରନ୍ଥସୂଚୀ

୧.

ରଚନା ବିଚିତ୍ରା-ତାରକାନାଥ ଗଙ୍ଗୋପାଧ୍ୟାୟ, ପୃ-୯୧ ପରିମାର୍ଜିତ ସଂସ୍କରଣ-୨୦୦୨ ଗ୍ରନ୍ଥଭାରତୀ, କଲିକତା-୯

୨.

ସଂସଦ ବାଗ୍‌ଧାରା ଅଭିଧାନ- ସୁଭାଷ ଭଟ୍ଟାଚାର୍ଯ୍ୟ, ପୃ- ଆଠ, ୧୯୯୩ ଶିଶୁସାହିତ୍ୟ ସଂସଦ, କଲିକତା-୯

୩.

ଏଜନ-ସୁଭାଷ ଭଟ୍ଟାଚାର୍ଯ୍ୟ, ପୃ- ଆଠ, ୧୯୯୩ ଶିଶୁସାହିତ୍ୟ ସଂସଦ, କଲିକତା-୯

୪.

ଅସମୀୟା ଖଣ୍ତବାକ୍ୟ କୋଷ- ଶ୍ରୀ ଜଗତଚନ୍ଦ୍ର ଗୋସ୍ୱାମୀ, ପୃ. ଆଗକଥା, ପ୍ରକାଶ-୧୯୯୧, କୈଳାସ ନଗର, ତେଜପୁର, ଆସାମ

୫.

ଅସମୀୟା ଖଣ୍ତବାକ୍ୟ କୋଷ- ବେଣୁଧର ରାଜଖୋଓ୍ୱା, Preface, ନୂତନ ସଂସ୍କରଣ-୧୯୯୯, ଆସାମ ସାହିତ୍ୟସଭା, ଗୁଆହାଟି

୬.

ବାଂଲା ଲୋକ ସାହିତ୍ୟ- ଓ୍ୱାଲିକ ଅହମଦ, ବାଂଲା ଏକାଡେମୀ, ଢାକା-୧୯୯୪

୭.

ରୂଢ଼ି ଓ ଅଳଙ୍କାର-ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ତକ୍ଷଶିଳା, କଟକ-୧୯୯୬

୮.

Dictionary of Idioms (ରୂଢ଼ିକୋଷ)-ଢ, ନାରାୟଣ ସାହୁ, ଜ୍ଞାନଯୁଗ

୯.

ରୂଢ଼ି ସଂଚୟନ- ଡକ୍ଟର ଅଜୟ କୁମାର ମିଶ୍ର, ବୁକ୍ସ ଏଣ୍ଡ ବୁକ୍ସ -୧୯୯୫

୧୦.

ପ୍ରବନ୍ଧ ସଂଚୟନ(ବଂ)-ସଂ, ଡକ୍ଟର ସତ୍ୟବତୀ ଗିରି ଓ ଡକ୍ଟର ସମରେଶ ମଜୁମଦାର, ରତ୍ନାବଳୀ, କଲିକତା-୯, ପ୍ରକାଶ-୧୯୯୭

୧୧.

Idioms and phrases- Sidhanath Prasad, Bharati Bhawan, Patna, 1991

 

Unknown

ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ‘ପ୍ରଭାତ’

ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ

 

ଓଡ଼ିଆ ଶିଶୁ-ସାହିତ୍ୟରେ ଯେ କୌଣସି ଦିଗକୁ ଆଲୋଚନାର ପରିସରଭୁକ୍ତ କରିବାକୁ ଗଲେ ଗଣେଶଙ୍କ ପରି ଭକ୍ତକବି ମଧୁସୂଦନ ରାଓ ସର୍ବାଗ୍ରେ ପୂଜ୍ୟ ହେବେ ।

 

(କ)

ବିଦ୍ୟା ଅଟଇ ମହାଧନ

ବାଳକେ କର ଉପାର୍ଜନ ।।

(ଛାନ୍ଦମାଳା-ପ୍ରଥମଖଣ୍ତ-ମଧୁସୂଦନ ଗ୍ରନ୍ଥାବଳୀ-ପୃ-୧୮)

 

(ଖ)

ବୈକୁଣ୍ଠ ସମାନ ଆହା ଅଟେ ଏହି ଘର

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।।

(ପରିବାର-ଛାନ୍ଦାମାଳା-ପ୍ରଥମ ଖଣ୍ତ-ମଧୁସୂଦନ ଗ୍ରନ୍ଥାବଳୀ-ପୃ-୧୭)

 

ଶିଶୁ-ସାହିତ୍ୟର ଏହିପରି ଏକ ସମର୍ପିତ ଆତ୍ମାଟି ‘ବିଦ୍ୟା’ ଓ ‘ପରିବାର’ ପ୍ରତି କେତେ ନିଷ୍ଠା ପ୍ରଦର୍ଶନ କରିଛନ୍ତି ତାହା ଆମ୍ଭମାନଙ୍କଠାରେ ଏବେବି ଏକ ଆଦର୍ଶ ଭାବେ ବିଦ୍ୟମାନ । ତାଙ୍କର ପାରିବାରିକ ଦିଗଟିକୁ ଆଲୋଚନା କଲେ ଦେଖାଯାଏ ଯେ ସେ ବାଲ୍ୟ ବିବାହ କରିଥିଲେ ଏବଂ ସେ ଥିଲେ ଏକବଡ଼ ପରିବାରର କର୍ଣ୍ଣଧାର । ନିଜର ଚାରିଗୋଟି କନ୍ୟା ଓ ଚାରିଗୋଟି ପୁତ୍ର ବ୍ୟତୀତ ସେ ଅନ୍ୟ କେତେକ ବନ୍ଧୁ ଓ ସ୍ୱଜନମାନଙ୍କର ପାଳନଭାର ଗ୍ରହଣ କରିଥିଲେ । ସମସ୍ତ ସନ୍ତାନ ଓ ସନ୍ତତିମାନଙ୍କୁ ବାଦ ଦେଲେ, ତାଙ୍କର ଦୁଇଗୋଟି ଭ୍ରାତୁଷ୍ପୁତ୍ରୀ ମଧ୍ୟ ମଧୁସୂଦନଙ୍କର କନ୍ୟା ସ୍ଥାନୀୟା ଥିଲେ । ଯଥା- ପ୍ରଥମା ଶ୍ରୀମତୀ ରେବାରାୟ, ଦ୍ୱିତୀୟଟି ଶ୍ରୀମତୀ ସରସ୍ୱତୀ ରାୟ ।

 

ରେବା ରାୟ- ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ‘ପ୍ରଭାତ’ ବିଷୟରେ ଆଲୋଚନା କରିବାକୁ ହେଲେ, ସର୍ବପ୍ରଥମେ ପ୍ରଥମ ଶିଶୁପତ୍ରିକାର ସମ୍ପାଦିକା ପ୍ରାତଃ ସ୍ମରଣୀୟା ଶ୍ରୀମତୀ ରେବାରାୟଙ୍କୁ ଭଲ ଭାବରେ ଜାଣିବା ଦରକାର । ରେବା ରାୟ ଥିଲେ ଭକ୍ତକବି ମଧୁସୂଦନଙ୍କର କନିଷ୍ଠ ଭ୍ରାତା ଜଗନ୍ନାଥ ରାଓଙ୍କର କନ୍ୟା । ମଧୁସୂଦନଙ୍କର ସମସ୍ତ ସନ୍ତାନସନ୍ତତି ରାଜ୍ୟ ବାହାରେ ବିବାହବନ୍ଧନରେ ଆବଦ୍ଧ ଥିବାବେଳେ କେବଳ ରେବା ରାୟ ହିଁ ଜଣେ ଉତ୍କଳୀୟଙ୍କୁ ସ୍ୱାମୀ ରୂପେ ଲାଭ କରିଥିଲେ । ସେ ଥିଲେ ଯାଜପୁର ସବ୍‌ଡ଼ିଭିଜନର କତରାପୁର ନାମକ ଗ୍ରାମରେ ଖଣ୍ତାୟତ କୁଳର ସାଧୁଚରଣ ରାୟ । ଏକାଧିକ ଥର ଏଫ୍‌.ଏ. ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ କଟକ ଏକାଡେମୀରେ ଅଳ୍ପ ବେତନରେ ଶିକ୍ଷକତା କାର୍ଯ୍ୟ ଗ୍ରହଣ କରିଥିଲେ । ତତ୍କାଳୀନ ଉତ୍କଳର ସାରସ୍ୱତ ମହଲରେ ସାଧୁଚରଣ ଏକ ବିଶିଷ୍ଟ ସାହିତ୍ୟିକ ରୂପେ ପରିଚିତ ଥିଲେ । ‘ନବସମ୍ବାଦ’, ‘ଉତ୍କଳର ସାହିତ୍ୟ’ର ସେ ଜଣେ ଆଗଧାଡ଼ିର ଲେଖକ ଥିଲେ । ପରେ ସେ ‘ନବସମ୍ବାଦ’ର କିଛିଦିନ ପାଇଁ ସମ୍ପାଦକ ମଧ୍ୟ ଥିଲେ । ସେ ମଧ୍ୟ ‘ଆଶା’ ନାମକ ଏକ ମାସିକ ପତ୍ରିକାର ସମ୍ପାଦନା କରୁଥିଲେ । ରେବା ରାୟଙ୍କର (୧୮୭୨-୧୯୫୭) କବିତା ଗ୍ରନ୍ଥ ଆଶା ଓ ଅଞ୍ଜଳି ଥିବାର ଜଣାଯାଏ । ସ୍ୱାମୀଙ୍କର ଦେହାବସାନ ପରେ ୧୯୦୯ ମସିହାରେ ସେ ଶିଶୁ ପତ୍ରିକା ‘ପ୍ରଭାତ’ର ସମ୍ପାଦନା କଲେ । ରେବାରାୟଙ୍କର ପୁତ୍ର ସଚ୍ଚି ରାୟ ଶିକ୍ଷା ବିଭାଗର ଦୀର୍ଘଦିନ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ୧୯୪୫ ରୁ ୧୯୪୮ ପର୍ଯ୍ୟନ୍ତ ସେ ରେଭେନ୍‌ସା କଲେଜର ଅଧ୍ୟକ୍ଷ ପଦ ମଣ୍ତନ କରି ପରେ ଡି.ପି. ଆଇ. ପଦକୁ ଉନ୍ନିତ ହୋଇଥିଲେ । ପତ୍ରିକା ବିଷୟରେ ଆଲୋଚନା କରିବା ପୂର୍ବରୁ ତତ୍କାଳୀନ ଓଡ଼ିଶା ରାଜନୀତିର ଅସ୍ଥିରତା, ଭାଷା ବିଲୋପ ପରି ବହୁ ଆଲୋଚନାକୁ ମଧ୍ୟ ସଂକ୍ଷେପରେ ଗ୍ରହଣ କରାଯାଇପାରେ ।

 

ଭାଷା ବିପର୍ଯ୍ୟୟ : ଇଂରେଜମାନେ ୧୮୦୩ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଆ ଭାଷୀ ଗଞ୍ଜାମ ଜିଲ୍ଲା ମାଡ୍ରାସ ପ୍ରେସିଡେନ୍ସିରେ ଏବଂ କଟକ, ପୁରୀ, ବାଲେଶ୍ୱର ମଧ୍ୟ ବଙ୍ଗଳା ପ୍ରେସିଡେନ୍‍ସି ଅଧୀନରେ ଓ ସମ୍ବଲପୁର ଥିଲା ମଧ୍ୟ ପ୍ରଦେଶ ଅଧୀନରେ-। ଏଥିରୁ ଓଡ଼ିଆ ଭାଷାର ବିପର୍ଯ୍ୟୟର କାରଣ ସ୍ପଷ୍ଟ ଭାବରେ ଅନୁମେୟ । ‘ସୂର୍ଯ୍ୟାସ୍ତ ଆଇନ’ ବଳରେ ଓଡ଼ିଶାବାସୀଙ୍କ ଉପରେ ଅଧିକରୁ ଅଧିକ କର ଲଦିବା ପାଇଁ ୧୮୦୬ ରୁ ୧୮୧୭ ମଧ୍ୟରେ ପ୍ରାୟ ୩୫୦ଟି ବଡ଼ ବଡ଼ ଜାଗିରି ବଙ୍ଗାଳୀମାନଙ୍କ ହାତକୁ ଟେକି ଦେଇଥିଲେ । କହିବାକୁ ଗଲେ ଓଡ଼ିଶାକୁ ବଙ୍ଗାଳୀମାନଙ୍କର ଏକ ଉପନିବେଶ ଭାବେ ଚିତ୍ରଣ କରାଯାଉଥିଲା । ୧୮୫୭ରେ ପାଇକ ଏକତା (ପାଇକ ବିଦ୍ରୋହ) ପରେ ଇଂରେଜମାନେ ଓଡ଼ିଆମାନଙ୍କୁ ଏକ ସନ୍ଦେହ ଚକ୍ଷୁରେ ଦେଖିଲେ । ଏହା ସହିତ ୧୮୬୬ ରୁ ୧୮୬୮ ପର୍ଯ୍ୟନ୍ତ କ୍ରମାଗତ ଭାବେ ସଙ୍ଘଟିତ ପ୍ରାକୃତିକ ବିପଦ ଏବଂ ସର୍ବୋପରି ୧୮୬୭ରେ ନ’ଅଙ୍କ ଦୁର୍ଭିକ୍ଷର ଅନାହାର କବଳରୁ ରକ୍ଷା ପାଇବା ପାଇଁ ଘାସ, ଚାକୁଣ୍ତାପତ୍ର ଅଖାଦ୍ୟଖାଇ ଝାଡ଼ାବାନ୍ତିରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଏକ କଳଙ୍କର ସମୟ ଥିଲା ।

 

ଓଡ଼ିଶାରେ ରାଜନୈତିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ ସହିତ ଓଡ଼ିଆ ଭାଷାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଉତ୍କଳ ଆକାଶର ଏକାଦଶ ରୁଦ୍ରଭାବେ ଏଗାରଜଣ ପ୍ରତିଭା ସମ୍ପର୍ଣ୍ଣ ମନିଷୀ ପ୍ରାତଃ ସ୍ମରଣୀୟ ହୋଇ ରହିଗଲେ । ସେମାନେ ଥିଲେ କର୍ମବୀର ଗୌରୀଶଙ୍କର ରାୟ (୧୮୩୮-୧୯୧୭), ବ୍ୟାସ କବି ଫକୀରମୋହନ ସେନାପତି (୧୮୪୩-୧୯୧୮), ପଲ୍ଲୀକବି ନନ୍ଦ କିଶୋର ବଳ (୧୮୭୫-୧୯୨୮), କବିବର ରାଧାନାଥ ରାୟ (୧୮୪୮-୧୯୦୮), କୁଳବୃଦ୍ଧ ମଧୁସୂଦନ ଦାସ (୧୯୪୮-୧୯୩୪), ପୁରୁଷ ସିଂହ ପ୍ୟାରୀମୋହନ ଆଚାର୍ଯ୍ୟ (୧୮୫୧-୧୯୮୧), ଭକ୍ତ କବି ମଧୁସୂଦନ ରାଓ (୧୮୫୩-୧୯୧୨), ଚନ୍ଦ୍ରମୋହନ ମହାରଣା (୧୮୭୦-୧୯୨୯), ଗୋପାଳଚନ୍ଦ୍ର ପ୍ରହରାଜ (୧୮୮୪-୧୯୪୫), ମୃତ୍ୟୁଞ୍ଜୟ ରଥ (୧୮୮୨-୧୯୨୪), କବିଶେଖର ଚିନ୍ତାମଣି ମହାନ୍ତି (୧୮୬୭-୧୯୪୩) । ଅବଶ୍ୟ କାଳକ୍ରମେ ଏହି ମହାଯଜ୍ଞରେ ବହୁ ପ୍ରତିଷ୍ଠିତ ମନିଷୀ, ସେମାନେ ସେମାନଙ୍କର ବହୁ ଦକ୍ଷତା ପ୍ରତିପାଦନ କରି ଅମର ହୋଇଯାଇଛନ୍ତି । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ସାମାଜିକ ଆର୍ଥିକ ଦୁରାବସ୍ଥା, ପ୍ରାକୃତିକ ବିପର୍ଯ୍ୟୟ ଓ ବିପର୍ଯ୍ୟୟ ଓଡ଼ିଆଭାଷାକୁ ଏକ କାଳଗ୍ରାସି ମୃତ୍ୟୁମୁଖରୁ ଉଦ୍ଧାର କରି ଯଥେଷ୍ଟ ସଫଳତା ଅର୍ଜନ କରିଥିଲେ । ଓଡ଼ିଶାର ଦୁରାବସ୍ଥାର ଛବି ସରକାରଙ୍କଠାରେ ଉପସ୍ଥାପିତ କରିବା ସହିତ ଓଡ଼ିଶାର ଅଜ୍ଞତା ଦୂର କରିବା ପାଇଁ ନାନା ପ୍ରକାର ପାଠ୍ୟପୁସ୍ତକ ପ୍ରକାଶ କରିବା, ପତ୍ରପତ୍ରିକା ପ୍ରକାଶ କରିବା ସହିତ ଏକ ସାରସ୍ୱତ ପ୍ରବାହ ସୃଷ୍ଟି କରିଥିଲେ ।

 

ଫଳରେ କଟକର ନର୍ମାଲ ସ୍କୁଲ, ବାଳିକା ହାଇସ୍କୁଲ, ମେଡ଼ିକେଲ ସ୍କୁଲ, ଜରିବ ସ୍କୁଲଗୁଡ଼ିକର ପ୍ରତିଷ୍ଠା ସାଙ୍ଗକୁ ଓଡ଼ିଶା ନିମିତ୍ତ ସ୍ୱତନ୍ତ୍ର ଇନିସ୍‌ପେକ୍ଟର ନିଯୁକ୍ତି ପାଇଲେ । ପୁସ୍ତକ ପ୍ରକାଶ ନିମନ୍ତେ ପ୍ରୋତ୍ସାହନ ଓ ଚାଷଜମି ନିମନ୍ତେ ଜଳସେଚନ ପ୍ରତି ଧ୍ୟାନ ଦିଆଯାଇଥିଲା । ଏହି ସମୟରେ ଜନହିତୈଷୀ ଜନବିମ୍‌ସ ଓ ହିତାକାଂକ୍ଷୀ ରେଭେନ୍‍ସା ସାହେବ ଓଡ଼ିଶାରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଫଳରେ କଟକ ଜିଲ୍ଲା ସ୍କୁଲ, ରେଭେନ୍‌ସା କଲେଜ ଓ କଟକ ହାଇସ୍କୁଲ ରେଭେନ୍‌ସା କଲେଜିଏଟ୍‌ରେ ପରିଣତ ହୋଇଥିଲେ । ଏଣୁ ଓଡ଼ିଶାରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଏକ ନବଜାଗରଣ ସୃଷ୍ଟି ହେବା ଫଳରେ ବହୁ ସମ୍ବାଦଧର୍ମୀ ପତ୍ରିକା ଓ ସାହିତ୍ୟ ପତ୍ରିକାମାନ ପ୍ରକାଶ ଲାଭ କଲା ।

 

ସମ୍ବାଦପତ୍ର ଓ ପତ୍ରପତ୍ରିକାର ଧାରା :

୧୮୩୮ ମସିହାରେ ମିଶନାରୀମାନଙ୍କ ଉଦ୍ୟମରେ ସର୍ବପ୍ରଥମ ମୁଦ୍ରଣାଳୟ ଓଡ଼ିଶା ମିଶନ୍‌ ପ୍ରେସ ସମେତ କଟକ ପ୍ରିଣ୍ଟିଂ କମ୍ପାନୀ (୧୮୬୬), ଫକୀର ମୋହନ ସେନାପତିଙ୍କ ବାଲେଶ୍ୱରସ୍ଥ ଉତ୍କଳ ପ୍ରିଣ୍ଟିଂ କମ୍ପାନୀ (୧୮୬୮), ଦେ ପ୍ରେସ ବାଲେଶ୍ୱର (୧୮୭୩), ଓଡ଼ିଶା ପେଟ୍ରିୟଟ ପ୍ରେସ୍‌ କଟକ (୧୮୭୩), ଭକ୍ତି ଦାୟିନୀ ଯନ୍ତ୍ରାଳୟ ପୁରୀ (୧୮୭୪) ଓ କ୍ରମେ ବ୍ରହ୍ମପୁର, ବାରିପଦା, ବାମଣ୍ତା, ବଡ଼ଖେମଣ୍ତି, ପାରଳାଖେମଣ୍ତି ପ୍ରଭୃତିର ନାମ ଉଲ୍ଲେଖଯୋଗ୍ୟ । ଏହିସବୁ ମୁଦ୍ରଣାଳୟରୁ ପ୍ରକାଶ ପାଇବାକୁ ଲାଗିଲା ‘ଉତ୍କଳ ଦୀପିକା’ (୧୮୬୬), ‘ସମ୍ବାଦ ବାହିକା’ (୧୮୬୮), ‘ଉତ୍କଳ ଦର୍ପଣ’ (୧୮୭୩), ‘ଉତ୍କଳ ପତ୍ର’ (୧୮୭୩), ‘ଉତ୍କଳ ସଂସ୍କାରକ’ (୧୮୭୪), ‘ପ୍ରଜାବନ୍ଧୁ’ (୧୮୮୨), ‘ସେବକ’ (୧୮୮୩), ‘ନବ ସମ୍ବାଦ’ (୧୯୮୭),‘ଆଶା’ (୧୮୯୨), ‘ଉତ୍କଳ ସାହିତ୍ୟ’ (୧୮୯୬) ପ୍ରଭୃତି ପତ୍ରପତ୍ରିକାଗୁଡ଼ିକ ସମ୍ବାଦ, ସାହିତ୍ୟ ଓ ସାଂସ୍କୃତିକ ପରିବେଶକୁ ଋଦ୍ଧିମନ୍ତ କରିଥିଲା । ୧୮୯୭ ମସିହାରେ ‘ଉତ୍କଳ ସାହିତ୍ୟ’ ବିଶ୍ୱନାଥ କରଙ୍କ ସମ୍ପାଦନାରେ ପ୍ରକାଶିତ ହେଲା । ଏଣୁ ଊନବିଂଶ ଶତାବ୍ଦୀରେ ଓଡ଼ିଆ ପତ୍ରପତ୍ରିକାମାନଙ୍କର ଉନ୍ମେଷ ସହିତ ବିକାଶ ମଧ୍ୟ ହେଲା । ଉତ୍କଳ ଦୀପିକା ସାପ୍ତାହିକ ଥିଲା ଓ ସେଥିରେ ସମ୍ବାଦ ସହିତ ସ୍ୱତନ୍ତ୍ର ଭାବରେ ସାରସ୍ୱତ ବିଭାଗଟି ଦୀପିକା କଳେବରକୁ ପରିପୃଷ୍ଠ କରିଥିଲା । କର୍ମବୀର ଗୋରୀଶଙ୍କର ଏହାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ଦେଖାଗଲା ୧୮୮୦ ବେଳକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଷୋଳଟି ପତ୍ରିକା ପ୍ରକାଶ ପାଇଥିଲା । ସେଗୁଡ଼ିକ ମଧ୍ୟରୁ ଦୀପିକା, ବାହିକା, ଦର୍ପଣ ବ୍ୟତୀତ କେହି ଦୀର୍ଘଜୀବୀ ହୋଇପାରି ନ ଥିଲେ । ୧୮୯୦ ମସିହା ବେଳକୁ ୭୨ଟି ନୂତନ ପତ୍ରିକା ପ୍ରକାଶ ପାଇଲା । କିନ୍ତୁ ଦୀପିକା ହିଁ ସେ ତାର ଗୌରବକୁ ପ୍ରତିପାଦନ କରି ଚାଲିଥିଲା । ୧୮୯୦ ମସିହାରେ ପ୍ରକାଶିତ ହେଲା ଇନ୍ଦ୍ରଧନୁ ଓ ବିଜୁଳି । ୧୮୯୧ ମସିହାରେ ଉତ୍କଳପ୍ରଭା ଆତ୍ମପ୍ରକାଶ ଲାଭ କଲା ଓ ଏଥିରେ ପ୍ରବନ୍ଧ ପାଇଁ ପୁରସ୍କାର ରଖାଯାଇଥିଲା ।

 

ଉତ୍କଳ ସାହିତ୍ୟ ସମାଜ ୧୯୦୩ ମସିହାରେ ଗଠନ କରାଗଲା । ଓଡ଼ିଶାର ପ୍ରଥମ ମହିଳା ପତ୍ରିକା ‘ଆଶା’ ୧୮୯୨ ମସିହାରେ ପ୍ରକାଶ ପାଇଲା ଏବଂ ଏହାର ସମ୍ପାଦିକା ‘ରେବାରାୟ’ । ୧୯୦୫ ମସିହାରେ ପ୍ରକାଶ ପାଇଲା ମୁକୁର । ଏହି ପତ୍ରିକାଟି ଓଡ଼ିଆ ଜାତୀୟ ସାହିତ୍ୟର ବିକାଶ ଦିଗରେ ଯଥେଷ୍ଟ ସହାୟକ ଥିଲା ।

 

ଶିଶୁ ପତ୍ରିକାର ଆବଶ୍ୟକତା :

ନାରୀ ପତ୍ରିକା ‘ଆଶା’ରେ ନାରୀମାନଙ୍କର ବହୁବିଧ ଆଶା, ଆକାଂକ୍ଷାକୁ ପୂରଣ କରିବାରେ ସକ୍ଷମ ହେବାର ଦେଖିଥିଲେ । ସମ୍ପାଦିକା ‘ରେବାରାୟ’ ଶିଶୁମାନଙ୍କ ପାଇଁ ପୁରାତନ ଚିନ୍ତାଧାରାକୁ ନୂତନ ରୂପରେଖ ମାଧ୍ୟମରେ ଶୈଳୀକୁ ବଦଳାଇ ଉପସ୍ଥାପନା କରିବାର ଅଭିଳାଷର ସ୍ୱପ୍ନ ଦେଖିବାହିଁ ଶିଶୁପତ୍ରିକାର ଆବଶ୍ୟକତା ଅନୁଭୂତ ହେଲା । କୋମଳମତି ଶିଶୁମାନଙ୍କୁ ଉପଯୁକ୍ତ ଆଦର୍ଶରେ ଅନୁପ୍ରାଣିତ କରି, ଜାତିର ନନ୍ଦିଘୋଷକୁ ନିର୍ଦ୍ଦିଷ୍ଟ ଆଦର୍ଶ ପଥରେ ଟାଣି ନେବା ଏବଂ ସହଜ ସରଳ ବୋଧଗମ୍ୟ ସାହିତ୍ୟ ମାଧ୍ୟମରେ ଶିଶୁର କଳ୍ପନା ଶକ୍ତିକୁ ବୃଦ୍ଧି କରିବା ହେଉଛି ଶିଶୁପତ୍ରିକାର ମୌଳିକ ଚିନ୍ତାଧାରା । ଏଣୁ ସେମାନଙ୍କ ମଧ୍ୟରେ ଉଭୟ ବୌଦ୍ଧିକ ଓ ସୃଜନଶକ୍ତିର ବିକାଶ ଘଟାଇବା ଦିଗରେ ଶିଶୁ ପତ୍ରିକାଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ବିଂଶ ଶତାବ୍ଦୀ ପୂର୍ବରୁ ଶିଶୁମାନଙ୍କର ସ୍ୱତନ୍ତ୍ର ରୁଚିବୋଧ ସ୍ୱୀକୃତିକୁ କୌଣସି ବୁଦ୍ଧିଜୀବୀଙ୍କ ଚିତ୍ତକୁ ଆଲୋଡ଼ିତ କରି ନ ଥିଲା । ବିଶ୍ୱର ବହୁ ବିକାଶିତ ସଭ୍ୟ ରାଷ୍ଟ୍ରମାନଙ୍କରେ ଶିଶୁର ସ୍ୱତନ୍ତ୍ର ଚିନ୍ତା ଓ ଚିନ୍ତନକୁ ଏ ଦିଗରେ ରୂପ ଦେବା ପାଇଁ ପ୍ରୟାସହେଲା । ଏଣୁ ବହୁ ବିକଶିତ ରାଷ୍ଟ୍ରମାନଙ୍କରେ ଶିଶୁମନଲାଖି ପୁସ୍ତକ ପ୍ରଣୟନ ଓ ପତ୍ରିକା ପ୍ରକାଶିତ ହେଲା । ଏଣୁ ବହୁ ବିକଶିତ ରାଷ୍ଟ୍ରମାନଙ୍କରେ ଶିଶୁମନଲାଖି ପୁସ୍ତକ ପ୍ରଣୟନ ଓ ପତ୍ରିକା ପ୍ରକାଶିତ ହେଲା । ଏହି କ୍ରମରେ ଉଦ୍‌ବୁଦ୍ଧ ହୋଇ ଆମର ପଡ଼ୋଶୀ ରାଜ୍ୟ ବଙ୍ଗଳାରେ ଭାରତର ପ୍ରଥମ ୧୯୦୦ ମସିହାରେ ଏପ୍ରିଲ ପାଞ୍ଚ ତାରିଖରେ ବଙ୍ଗଳାର ଦୈନିକ ଆନନ୍ଦ ବଜାର ପତ୍ରିକା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ‘ଶିଶୁକ୍ରୋଡ଼ ପତ୍ର’ ମଣ୍ତନ କଲା । ଶିଶୁମାନଙ୍କ ମନୋରଞ୍ଜନ ମୂଲ୍ୟବୋଧ, ସାହିତ୍ୟିକ, ରୁଚିବୋଧ, ଶିଶୁମାନଙ୍କର ପଠନଭ୍ୟାସର ବୃଦ୍ଧି ହିଁ ଶିଶୁ ପତ୍ରିକାର ଆବଶ୍ୟକତା ମଧ୍ୟ ଅନ୍ୟ ଏକ ଦିଗ ବୋଲି ବୁଦ୍ଧିଜୀବୀମାନଙ୍କ ମହଲରେ ଏକ ଆଲୋଡ଼ନ ସୃଷ୍ଟି ହେଲା । ଏହିସବୁ ମୌଳିକ ଚିନ୍ତା ଓ ଚିନ୍ତନର ଆବଶ୍ୟକତାକୁ ଲକ୍ଷ୍ୟ କରି ‘ରେବାରାୟ’ ଏହି ସ୍ୱପ୍ନ ଦେଖିବାକୁ ଲାଗିଲେ ।

 

ପ୍ରଥମ ଶିଶୁ ପତ୍ରିକା ପ୍ରଭାତ (୧୯୦୯-୧୯୧୪) :

ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ‘ପ୍ରଭାତ’ ଆତ୍ମପ୍ରକାଶ କଲା ପ୍ରାତଃ ସ୍ମରଣୀୟ ରେବାରାୟଙ୍କ ସମ୍ପାଦନାରେ ୧୯୦୯ ମସିହା (୧୩୧୬) ସାଲ ବୈଶାଖ ମାସ କଟକସ୍ଥ ଓଡ଼ିଶା ପେଟ୍ରିୟଟ୍‌ ପ୍ରେସରେ । ଓଡ଼ିଶାର ଗୌରବ ମଣ୍ତିତ ସତ୍ୟବାଦୀର ପଞ୍ଚସଖା ବକୁଳ, ଛୁରିଅନା କୁଞ୍ଜରେ ସ୍ଥାନ ନିରୂପିତ କରି ୧୯୦୯ ମସିହା କୁମାରପୂର୍ଣ୍ଣିମାରେ ମଧ୍ୟ ଆରମ୍ଭ କଲେ ସତ୍ୟବାଦୀ ବନବିଦ୍ୟାଳୟ । ଓଡ଼ିଶାରେ ଏକାଧାରରେ ଜ୍ଞାନାଲୋକର ଦୁଇଟି ବର୍ତ୍ତିକା ଜଳିଛି ସେହି ୧୯୦୯ ମସିହାରେ । ସେହି ବକୁଳ ଛୁରିଅନା କୁଞ୍ଜ ଅଛି, ହେଲେ ନାହାନ୍ତି ପୂଣ୍ୟ ପ୍ରାଣର ସେହି ପଞ୍ଚସଖା । ପତ୍ରିକାଟି ଫୁଲସ୍କେପ ଆକାରରେ ବାରପୃଷ୍ଠାରେ ସୀମିତ ଥିଲା । ରେବାରାୟଙ୍କ ଏହି ଓଡ଼ିଆ ଶିଶୁପତ୍ରିକା ‘ପ୍ରଭାତ । ଏହାର ପ୍ରଥମ ଭାଗ ପ୍ରଥମ ସଂଖ୍ୟାଟିରେ ପ୍ରଭାତର କଥା ଶୀର୍ଷକର ସମ୍ପାଦକୀୟରେ ସମ୍ପାଦିକା ସ୍ପଷ୍ଟ କରିଛନ୍ତି ଯେ ‘‘* * * ପ୍ରଭାତ ଯେପରି ତରୁଣ ଅରୁଣ ଘେନି ବିଶ୍ୱବିଧାତାଙ୍କ ରାଜ୍ୟରେ ନିତ୍ୟ ନିୟମିତ ରୂପେ ପ୍ରକାଶିତ ହୋଇ ପୃଥିବୀକୁ ଆଲୋକ ଦାନ କରୁଛି । ଜୀବଜଗତକୁ ସଞ୍ଜିବିତ କରି ରଖିଛି, ସେହିରୂପ ଆମ୍ଭମାନଙ୍କର ଏହି ଶିଶୁ ପ୍ରଭାତ ଉତ୍କଳରେ ନିୟମିତ ପ୍ରକାଶ ହୋଇ ଉତ୍କଳର ବାଳକ ବାଳିକାଙ୍କ ହୃଦୟରେ ଆନନ୍ଦ, ଉତ୍ସାହ, ଜ୍ଞାନ, ପୂଣ୍ୟ ସଞ୍ଚାରିତ କରି ତାର କ୍ଷୁଦ୍ର ଜୀବନକୁ ଧନ୍ୟ କରୁ; ପରମ ପିତାଙ୍କର ଚରଣ ତଳେ ଆମ୍ଭମାନଙ୍କର ଏକାନ୍ତ ପ୍ରାର୍ଥନା (ଓଡ଼ିଆ ଶିଶୁ-ସାହିତ୍ୟର ଉନ୍ମେଷ ଓ ବିକାଶ-ଡକ୍ଟର ମନୀନ୍ଦ୍ର ମହାନ୍ତି, ପୃ-୩୬୧) ପ୍ରଭାତର ପ୍ରଥମ ସଂଖ୍ୟାରେ ପ୍ରଥମ ପୃଷ୍ଠା ମଣ୍ତିତ କରିଥିବା ‘ପ୍ରଭାତ’ ଶୀର୍ଷକ କବିତାର କିଛି ଅଂଶ ଏଠାରେ ପ୍ରଦତ୍ତ କରାଗଲା । ଯଥା-

 

‘‘ଉଠ ଉଠ ଜାଗ ବାଳକେ

 

ଦେଖ ଫେଡ଼ି ନୟନ

 

ରହିଚି ଅନ୍ଧାର ରଜନୀ

 

ଧୀରେ ଉଇଁ ତପନ ।

ନବୀନ ଆଶାର ଆଲୋକେ

 

ଆଙ୍କି ନୂତନ ଛବି,

 

ପ୍ରକାଶେ ବିଭୂଙ୍କ ମହିମା

 

ସେହି ପରମ-କବି ।।

।।

ବିହଙ୍ଗ ମଧୁର କଣ୍ଠରେ

 

ମୋହି ହୃଦୟ ମନ

 

ଡାକଇ ଆଦରେ ବାଳକେ

 

ଜାଗ ଜାଗ ବହନ ।।

।।

ପ୍ରଭାତ ସମୀରେ ଦୋହଲି

 

ମଲ୍ଲୀ ଗୋଲାପ ଜାଇ

 

ସୁରଭି ଆଘ୍ରାଣେ ଡାକନ୍ତି

 

ଜାଗ ଭଗିନୀ ଭାଇ ।।

।।

ନିଜ ନିଜ କାର୍ଯ୍ୟେ ବାଳକେ

 

ଏବେ ହୁଏ ତତ୍ପର

 

ଦେଖ ସ୍ରୋତସ୍ୱତୀ ବେଗରେ

 

କାଳ ଧାଉଁଛି ଖର ।’’

(ଓଡ଼ିଆ ଶିଶୁ- ସାହିତ୍ୟର ସାମାଜିକ ପୃଷ୍ଠଭୂମି- ଡଃ ମହେଶ୍ୱର ମହାନ୍ତି, ପୃ-୩୧୬)

 

ପତ୍ରିକାର ପ୍ରାୟତଃ ପ୍ରତ୍ୟେକ ସଂଖ୍ୟାରେ ‘ପ୍ରଭାତ’ ସମ୍ପର୍କରେ କବିତା ପ୍ରକାଶ ପାଉଥିଲା-। ଲୋକକଥା, ପୁରାଣକଥା, ବିଜ୍ଞାନ କଥା, ଦର୍ଶନୀୟ ସ୍ଥାନ, ଐତିହାସିକ କାହାଣୀ, ପ୍ରାଣୀ ଓ ଉଦ୍ଭିଦ ଜଗତର କାହାଣୀ, ଜୀବନୀ ପ୍ରବନ୍ଧ, ସାଧାରଣ ବିଜ୍ଞାନ କୌତୁକ ପ୍ରଶ୍ନ ଇତ୍ୟାଦି ବହୁ ରଙ୍ଗରେ ରଙ୍ଗାୟିତ ହୋଇ ଓଡ଼ିଶାରେ ଶିଶୁପତ୍ରିକାର ଉନ୍ମେଷ ଲାଭ କରି କ୍ରମେ କ୍ରମେ ବିକାଶ ଦିଗରେ ଅଗ୍ରଗତି କଲା । ପତ୍ରିକାଟିରେ କେତେଗୁଡ଼ିଏ ପୁରାପୃଷ୍ଠାର ଛବି ଓ ହାପଟୋନ୍‌ର ଛବି ମଧ୍ୟ ତାର ଶୋଭାବର୍ଦ୍ଧନ କରୁଥିଲା । ଏହି ଛବିଗୁଡ଼ିକ ମୁଖ୍ୟତଃ କଲିକତାର ରାୟ ଚଉଧୁରୀଙ୍କ ପ୍ରେସରେ କରାଯାଉଥିଲା । ପତ୍ରିକାଟିର ଦ୍ୱିତୀୟ ଭାଗ ଦ୍ୱିତୀୟ ସଂଖ୍ୟା ସମ୍ମୁଖ ଭାଗରେ ଉଲ୍ଲେଖ ଅଛି ଯେ, ପତ୍ରିକାଟି ବାଳକ ବାଳିକାମାନଙ୍କ ନିମନ୍ତେ ଏକାନ୍ତ ଉପଯୋଗୀ । ପତ୍ରିକାଟି ଗଳ୍ପ ଓ କଥା ବିଭାଗରେ ମୁଖ୍ୟତଃ ଅନୁବାଦ ଗଳ୍ପଗୁଡ଼ିକ ସ୍ଥାନ ପାଉଥିଲା । ତଥାପି ବିପିନ ବିହାରୀ ସରକାର (ଧୂଳିକଣା ମେଘ), ପ୍ରଶାନ୍ତ ରାଓ (ଖଣ୍ତଗିରି-ଉଦୟଗିରି), କିଶୋର ରାୟ ଚଉଧୁରୀ (ଦେବତା ଅସୁର କଥା), ନୀଳମଣୀ ଧଳ (ବିଲେଇ ଓ ମାଙ୍କଡ଼ କଥା), ସ୍ନେହଲତା ଦେବୀ (ଅନ୍ଧବିଶ୍ୱାସ), ଲକ୍ଷ୍ମୀ ନାରାୟଣ ସାହୁ (ମହାରାଣୀ ଭିକ୍ଟୋରିଆ), ବ୍ରହ୍ମାନନ୍ଦ ଷଡ଼ଙ୍ଗୀ (ଶ୍ରେଷ୍ଠାଚାର), ମୋହନ ପଟ୍ଟନାୟକଙ୍କ (ଗଳ୍ପ), ପ୍ରାଣକୃଷ୍ଣ ପରିଜା (ବାଘ ଓ ମହାଜନ କଥା), ସଚ୍ଚିଦାନନ୍ଦ ରାୟ (ରେବାରାୟଙ୍କ ପୁତ୍ର) (ଚନ୍ଦ୍ରସୂର୍ଯ୍ୟ), ବାଙ୍କନିଧି ପଟ୍ଟନାୟକ (ଗଧ ଓ କାଜି) ଇତ୍ୟାଦିଙ୍କ ସୃଷ୍ଟିରେ ‘ପ୍ରଭାତ’ର ସୁନେଲି କିରଣ ଚତୁର୍ଦ୍ଦିଗ ବିଛୁରିତ ହେବାକୁ ଲାଗିଲା । ଏତଦ୍‌ବ୍ୟତୀତ ଉପେନ୍ଦ୍ର କିଶୋର ରାୟ ଚଉଧୁରୀ, ଫକୀର ମୋହନ ସେନାପତି, ଦ୍ୱିଜେନ୍ଦ୍ର ଲାଲ ବସୁ, ହେମପ୍ରଭା ଦାସ, ବାଙ୍କନିଧି ପଟ୍ଟନାୟକ, ମୃତ୍ୟୁଞ୍ଜୟ ରଥ, ଜୟକୃଷ୍ଣ ମହାପାତ୍ର, ନାରାୟଣ ମୋହନ ଦେ, ପ୍ରମୁଖ ମଧ୍ୟ ପ୍ରଭାତର ପୃଷ୍ଠାକୁ ସମୃଦ୍ଧ କରିଥିଲେ । ଏଣୁ ତତ୍କାଳୀନ ବହୁ ପ୍ରତିଷ୍ଠିତ ସ୍ରଷ୍ଟାମାନଙ୍କଦ୍ୱାରା ଓଡ଼ିଶାର ଏହି ପ୍ରଥମ ଶିଶୁ ପତ୍ରିକା ‘ପ୍ରଭାତ’ ଶ୍ରେଷ୍ଠ ହୋଇଥିଲା । (ଓଡ଼ିଆ ଶିଶୁ ଗଳ୍ପର ସ୍ୱରୂପ ଓ ବିକାଶ-କୃତ୍ତିବାସ ନାୟକ, ପୃ-୨୭୫) । ପ୍ରଥମ ଓଡ଼ିଆ ଶିଶୁ-ଉପନ୍ୟାସ ‘ସୁଧି କୁମାର ଓ ମାତା’କୁ ନିୟମିତ ପ୍ରକାଶ କରିବାରେ ‘ପ୍ରଭାତ’ ଗୌରବ ଲାଭ କରିଥିଲା । ଏହା ପ୍ରଭାତର ପ୍ରଥମ ବର୍ଷ ଦ୍ୱିତୀୟ ସଂଖ୍ୟାଠାରୁ ପ୍ରକାଶ ପାଉଥିଲା।

 

ଶିଶୁ ସାହିତ୍ୟ କ୍ଷେତ୍ରରେ ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ହୋଇଥିବାରୁ ଏହାର ସୁନାମ ଚତୁର୍ଦ୍ଦିଗରେ ବ୍ୟାପିଯିବା ସଙ୍ଗେ ସଙ୍ଗେ ପାରଳା ମହାରାଣୀ ମାସିକ ଦଶଟଙ୍କା ଲେଖାଏଁ ଏହି ପତ୍ରିକା ପାଇଁ ସାହାଯ୍ୟ ପଠାଉଥିଲେ । ଏହାର ଏପରି ସୁନାମ ବ୍ୟାପିଯାଇଥିଲା ଯେ, ବିହାର ଓଡ଼ିଶାର ଡ଼ି. ପି. ଆଇ. ଙ୍କଦ୍ୱାରା ବିଦ୍ୟାଳୟ ଓ ପାଠାଗାରମାନଙ୍କ ପାଇଁ ସ୍ୱୀକୃତି ଲାଭ କରିଥିଲା । (ଓଡ଼ିଆ ଶିଶୁ-ସାହିତ୍ୟ ଉନ୍ମେଷ ଓ ବିକାଶ- ଡଃ ମନୀନ୍ଦ୍ର, ପୃ- ୩୬୧)

 

ଏହି ପତ୍ରିକାର ପ୍ରଥମ ବର୍ଷ ତୃତୀୟ ସଂଖ୍ୟାରେ ଫକୀର ମୋହନ ସେନାପତିଙ୍କର ‘ପ୍ରାର୍ଥନା’ କବିତାର କିଛି ଅଂଶ ପ୍ରଦତ୍ତ କରାଗଲା । ଯଥା-

 

‘‘ହେ ମହା ପ୍ରଭୁ ଭଗବାନ

 

କରନ୍ତି ମଙ୍ଗଳ ବିଧାନ

।।

ପ୍ରତି ଦିନରେ ଉପାସନା

 

କରିବି ତୁମ୍ଭକୁ ପ୍ରାର୍ଥନା

।।

ପିତାମାତାଙ୍କ ଚରଣରେ

 

ଖଟି ରହିବି ନିରନ୍ତରେ

।।

ଯେ କଥା କହିବେ ସେମାନେ

 

ପାଳିବି ତାହା ସାବଧାନେ

।।

କହିବି ନାହିଁ ମିଛ କଥା

 

ନ ଦେବି କାହା ମନେ ବ୍ୟଥା

।।

କରିବି ପର ଉପକାର

 

ଦେହ ମନରେ ଶୁଦ୍ଧାଚାର

।।

(ଓଡ଼ିଆ ଶିଶୁ ସାହିତ୍ୟରେ ସାମାଜିକ ପୃଷ୍ଠଭୂମି, ଡଃ ମହେଶ୍ୱର ମହାନ୍ତି, ପୃା-୩୧୭)

 

ଶିଶୁ ଉପନ୍ୟାସ ପରି ଓଡ଼ିଶାର ଦର୍ଶନୀୟ ସ୍ଥାନ ଖଣ୍ତିଗିରି ଓ ଉଦୟଗିରି ପ୍ରବନ୍ଧ ମଧ୍ୟ ନିୟମିତ ପ୍ରକାଶ ପାଉଥିଲା । ପତ୍ରିକାଟିର ସହିତ କବିବର ରାଧାନାଥ ରାୟଙ୍କର ସମ୍ପର୍କ ପ୍ରତ୍ୟକ୍ଷ ଭାବେ ନ ଥିଲେ ବି ଦରବାର କାବ୍ୟର ‘‘ଧର୍ମପୋତ ଏକ ଗଢ଼ିଛନ୍ତି- ବିଧି, ତରିବାକୁ ଏହି ସଂସାର ବାରିଧି ।।’’; ‘‘ଧର୍ମ ସିନା ଏକମହତ ପଣିଆ, ଆଉ ବଡ଼ ପଣ ଅଢ଼େଇ ଦିନିଆ ।।’’ ପଦଟି ଉଦ୍ଧାର କରାଯାଇଥିଲା । ବ୍ୟବସାୟିକ ଅସୁସ୍ଥତା ହେତୁ ପତ୍ରିକାଟି ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ଲାଗିଲା । ଅନ୍ୟ ଏକ କାରଣ ମଧ୍ୟ ଥିଲା ଯେ, ତତ୍କାଳୀନ ପାଠକ ଗୋଷ୍ଠୀର ଚେତନା ସୃଷ୍ଟିର ଅଭାବରୁ ପତ୍ରିକାଟିର ଆର୍ଥିକ ଉନ୍ନତି ଘଟିପାରି ନ ଥିଲା । ତେଣୁ ପତ୍ରିକାଟିକୁ ସଚିତ୍ର, ସରସ ଓ ସୁନ୍ଦର ତଥା ଆକର୍ଷଣୀୟ କରିବାକୁ ସମ୍ପାଦିକାଙ୍କର ଇଚ୍ଛା ସତ୍ତ୍ୱେ ତାହା କରି ପାରୁ ନଥିଲେ । ତେଣୁ ଇଚ୍ଛା ଓ ଆଗ୍ରହକୁ ପୁଞ୍ଜି କରି ପତ୍ରିକାଟିର ସର୍ବମୋଟ ୨୦ଟି ସଂଖ୍ୟା ପ୍ରକାଶିତ ହୋଇ ପାରିଥିଲା । ଏଣୁ ଏହା ୧୯୧୪ ମସିହାରେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହାର ସାତବର୍ଷ ପରେ ଓଡ଼ିଶାର ଦ୍ୱିତୀୟ ଶିଶୁ ପତ୍ରିକା ‘ପଞ୍ଚାମୃତ’ ପ୍ରକାଶ ପାଇଥିଲା ।

 

ଶିଶୁ ପତ୍ରିକା ପ୍ରଭାତର ଆଦର୍ଶ :

ଓଡ଼ିଶାର ପ୍ରଥମ ଶିଶୁପତ୍ରିକା ‘ପ୍ରଭାତ’ ଏକ ଆଦର୍ଶ ଓ ଶିକ୍ଷଣୀୟ ଶିଶୁ ପତ୍ରିକା ଥିଲା ବୋଲି ମୁକ୍ତ କଣ୍ଠରେ କହିହେବ କାରଣ ଏହି ପତ୍ରିକାର ମୁଖ୍ୟତଃ ଆଠଗୋଟି ଉପାଦାନ ଦେଖିବାକୁ ମିଳେ ବୋଲି ଡକ୍ଟର ମନୀନ୍ଦ୍ର ମହାନ୍ତି ‘‘ଓଡ଼ିଆ ଶିଶୁ ସାହିତ୍ୟ ଉନ୍ମେଷ ଓ ବିକାଶ’ରେ ପ୍ରତିପାଦନ କରିଛନ୍ତି ।

 

ଯଥା-

ଜ୍ଞାନ ବିଜ୍ଞାନ ଓ ସାଧାରଣ ଜ୍ଞାନ ସମ୍ପର୍କରେ ପିଲାମାନଙ୍କୁ ଜଣାଇବା ପାଇଁ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । ଏଥିପାଇଁ ବିବିଧ ପ୍ରସଙ୍ଗ ଓ ବିବିଧ ସଂଗ୍ରହ ପରି ସ୍ଥାୟୀ ସ୍ତମ୍ଭଗୁଡ଼ିକରେ ସୃଷ୍ଟି ହୋଇଥିଲା ।

କବିତାଗୁଡ଼ିକ ସ୍ତୁତି ଓ ଉପଦେଶମୂଳକ ଥିଲା ।

ଅନୁବାଦ ଓ ସଂଗ୍ରହ ବହୁ ଅଂଶରେ ସ୍ଥାନ ପାଉଥିଲା ।

ପ୍ରଥମ କରି ଓଡ଼ିଆ ପ୍ରଥମ ଶିଶୁ ଉପନ୍ୟାସକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଥିଲା ।

ପିଲାମାନଙ୍କର ଉତ୍ସାହ ବୃଦ୍ଧି ପାଇଁ କୌତୁକ ପ୍ରଶ୍ନ ଓ ମଜା ଅଙ୍କମାନ ପ୍ରକାଶ ପାଉଥିଲା-

ଉତ୍କଳର ପ୍ରାଚୀନ ଇତିହାସ ସମ୍ପର୍କୀୟ ରଚନା ମଧ୍ୟରେ ଜାତୀୟ ଚେତନା ପରିପୃଷ୍ଠ ହେଉଥିଲା ।

୭.

ଗଳ୍ପଗୁଡ଼ିକ ମୁଖ୍ୟତଃ ପୁରାଣ ଓ ଲୋକଗଳ୍ପ ଉପରେ ଆଧାରିତ ଥିଲା ।

ଭାଷାଦିଗରୁ ଲକ୍ଷ୍ୟ କଲେ ଏହାର ଗଦ୍ୟ ବିଭାଗରେ ଭାଷା ସହଜ, ସରଳ ଓ ସାବଲୀଳା ଥିଲା ।

 

ପ୍ରଥମ ଶିଶୁ ପତ୍ରିକା ‘ପ୍ରଭାତ’ ଏକ ଆଦର୍ଶଭିତ୍ତିକ ଶିଶୁ ପତ୍ରିକା ବୋଲି ଗଣ୍ୟ ହେବାର ମୁଖ୍ୟତଃ କେତୋଟି ତଥ୍ୟରୁ ଜଣାଯିବ । ସମ୍ପାଦିକା ରେବାରାୟଙ୍କ ପାରିବାରିକ ପରମ୍ପରା ଅନୁଯାୟୀ ସେ ଥିଲେ ଜଣେ ବ୍ରହ୍ମ ମହିଳା । ବିଶେଷ ଭାବରେ ମଧୁସୂଦନଙ୍କ ପୁତ୍ରକନ୍ୟାମାନେ ସମସ୍ତେ ବଙ୍ଗଳାର ବିଶିଷ୍ଟ ବ୍ରାହ୍ମ ପରିବାର ସହିତ ବୈବାହିକ ସୂତ୍ରରେ ଆବଦ୍ଧ ଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ଜୟନ୍ତ ରାଓ ଉପେନ୍ଦ୍ର ରାୟ ଚଉଧୁରୀଙ୍କ ଜ୍ୟେଷ୍ଠ କନ୍ୟା ସୁଖଲତାଙ୍କୁ ବିବାହ କରିଥିଲେ । ଉପେନ୍ଦ୍ର କିଶୋର ଥିଲେ ବଙ୍ଗଳାର ଜଣେ ପ୍ରସିଦ୍ଧ ଚିତ୍ରକର, ମୁଦ୍ରାକର, ବ୍ଳକ ନିର୍ମାଣ, ଲେଖକ ତଥା ଲୋକପ୍ରିୟ ଶିଶୁପତ୍ରିକା ‘ସନ୍ଦେଶ’ର ସମ୍ପାଦକ । ନିଜେ ସୁଖଲତା ଜଣେ ସୁପରିଚିତ ଲେଖକ ଓ ଚିତ୍ରକର । ସେ ‘ସନ୍ଦେଶ’ ପତ୍ରିକାରେ ନିୟମିତ ଲେଖିକା ଥିଲେ । ବଙ୍ଗଳା ଶିଶୁ-ସାହିତ୍ୟ ଅଭିବୃଦ୍ଧିରେ ବ୍ରାହ୍ମମାନଙ୍କର ଭୂମିକା ଯଥେଷ୍ଟ ଥିଲା । ନିଜେ ଉପେନ୍ଦ୍ର କିଶୋରଙ୍କଠାରୁ ଆରମ୍ଭ କରି ପୁତ୍ର ସୁକୁମାର, କନ୍ୟା ସୁଖଲତା ଓ ପୂଣ୍ୟଲତା ଏବଂ ପରେ ସେହି ପରିବାରର କୁଳଦା ରଞ୍ଜନ, ପ୍ରମଦା ରଞ୍ଜନ, ଲୀଳା ମଜୁମଦାର (ରାୟ), ସତ୍ୟଜିତ୍‌ ରାୟ ପ୍ରମୁଖ ନିଜ ନିଜ ଲେଖନୀ ବଳରେ ବଙ୍ଗଳା ଶିଶୁ-ସାହିତ୍ୟକୁ ସମୃଦ୍ଧ କରିଥିଲେ । ପାରମ୍ପରିକ ରୁଚିବୋଧ ତଥା ଆଗହକୁ ନେଇ ସୁଖଲତା କଟକ ଆସିବା ପରେ ତାଙ୍କରି ସଂସ୍ପର୍ଶ ଯୋଗୁଁ ରେବାଙ୍କର ଶିଶୁ-ସାହିତ୍ୟ ପ୍ରତି ଅନୁରାଗ ବଢ଼ିବା ସ୍ୱାଭାବିକ।

 

ଶେଷକଥା :

୧୯୦୯ ମସିହାରେ ଓଡ଼ିଆ ଶିଶୁ ପତ୍ରିକାର ଶୁଭଶଙ୍ଖକୁ ରେବାରାୟ ନିନାଦିତ କରି ଶିଶୁ-ସାହିତ୍ୟର ଏହି ଅବହେଳିତ ଦିଗକୁ ଆଲୋକିତ କରି ଲୋକଲୋଚନକୁ ଆଣି ଆଜି ସ୍ମରଣୀୟ ହୋଇ ପାରିଛନ୍ତି । ସେହି ଦିନଠାରୁ ଓଡ଼ିଆ ଶିଶୁ ପତ୍ରପତ୍ରିକା ସଂଖ୍ୟାଧିକ ଭାବରେ ବଢ଼ିଥିଲେ ବି ବହୁ ଶିଶୁ ପତ୍ରିକା ମଧ୍ୟ କାଳଗର୍ଭରେ ବିଲୀନ ହୋଇ ଯାଇଛନ୍ତି । ତାହା କେବଳ ପାଠକମାନଙ୍କର ଅନାଗ୍ରହ ଯୋଗୁଁ । ଆଜି ୨୦୦୯ ମସିହା ଆର୍ଥିକ ଶହେ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ଗୁଣାତ୍ମକ କେତୋଟି ଶିଶୁପତ୍ରିକା, ସେମାନେ ସେମାନଙ୍କର ଅଧ୍ୟବସାୟ ଫଳରେ ବଞ୍ଚି ରହିଛନ୍ତି । ଆଜି ଶହେ ବର୍ଷ ପରେ ପ୍ରଥମ ଶିଶୁ ପତ୍ରିକା ‘ପ୍ରଭାତ’ର ସମ୍ପାଦିକା ରେବାରାୟ ଓ ‘ପ୍ରଭାତ’ ଶିଶୁ ପତ୍ରିକାର ବିଭିନ୍ନ ଦିଗ ସମ୍ବନ୍ଧରେ ରୋମନ୍ଥ କଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ।

 

ଭାଟପଡ଼ା, ତିହିଡ଼ି, ଭଦ୍ରକ

***

 

ସହାୟକ ଗ୍ରନ୍ଥସୂଚୀ :

୧.

ଓଡ଼ିଆ ଶିଶୁ-ସାହିତ୍ୟର ଉନ୍ମେଷ ଓ ବିକାଶ

ଡକ୍ଟର ମନୀନ୍ଦ୍ର ମହାନ୍ତି

୨.

ଓଡ଼ିଆ ଶିଶୁ ସାହିତ୍ୟର ସାମାଜିକ ପୃଷ୍ଠଭୂମି

ଡଃ ମହେଶ୍ୱର ମହାନ୍ତି

୩.

ଓଡ଼ିଆ ଶିଶୁଗଳ୍ପର ସ୍ୱରୂପ ଓ ବିକାଶ

ଡଃ କୃତ୍ତିବାସ ନାୟକ

୪.

ଓଡ଼ିଆ ଲେଖକ ପରିଚୟ- ଆଧୁନିକ ଭାଗ

(ଓଡ଼ିଶା ସାହିତ୍ୟ ଏକାଡେମୀ)

୫.

ଓଡ଼ିଆ ଶିଶୁ ସାହିତ୍ୟକୁ ମଧୁସୂଦନଙ୍କ ଅବଦାନ

ଡଃ ଲାବଣ୍ୟ ଚନ୍ଦ୍ର ସାହୁ

୬.

ମଧୁସୂଦନ ଗ୍ରନ୍ଥାବଳୀ

କଟକ ଷ୍ଟୁଡେଣ୍ଟ ଷ୍ଟୋର, କଟକ

୭.

ମଧୁସୂଦନ ଗ୍ରନ୍ଥାବଳୀ

ଗ୍ରନ୍ଥ ମନ୍ଦିର, କଟକ

 

Unknown

ଓଡ଼ିଶାର ଲୋକ ନାଟକରେ ରାମ ନାଟକ

ଲିଙ୍ଗରାଜ ନାହାକ

 

ଲୋକଙ୍କଦ୍ୱାରା ଅଭିନୀତ, ଲୋକଶୈଳୀ ଅନୁସୃତ, ଲୋକ ସଂସ୍କୃତି ଆଧାରିତ ନାଟକକୁ ହିଁ ଲୋକନାଟକ କୁହାଯାଏ । ଲୋକକଳା, ଲୋକଗୀତ, ଲୋକଗାଥା, ଲୋକଜୀବନ, ଲୋକନୃତ୍ୟ ପ୍ରଭୃତିର ସମନ୍ୱୟରେ ଲୋକନାଟକ ଏକ ପ୍ରଭାବଶାଳୀ ଯୌଥକଳା । ଲୋକନାଟକ ଲୋକମାନଙ୍କ ପାଇଁ ଉବ୍ଦିଷ୍ଟ । ଲୋକ କବିଦ୍ୱାରା ସ୍ପଷ୍ଟ ଏବଂ ଲୋକ ଚେତନାରେ ପଲ୍ଲବୀତ ଲୋକକଳାର ଏକ ଅତ୍ୟନ୍ତ ପ୍ରଭାବଶାଳୀ ଅଙ୍ଗ । ଓଡ଼ିଆ ଲୋକନାଟକକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ ଯଥା- ସଂଗୀତ ପ୍ରଧାନ, ନୃତ୍ୟ ପ୍ରଧାନ ଓ ମିଶ୍ର । ପାଲା, ଦାସକାଠିଆ, ସଂକୀର୍ତ୍ତନ ଇତ୍ୟାଦି ସଂଗୀତ ପ୍ରଧାନ । କଣ୍ଢେଇ ନାଚ, ଗୋଟିପୁଅ ନାଚ, ଦଣ୍ଡ, ଛଉ, ପାଇକ, ରଣପା ଇତ୍ୟାଦି ନୃତ୍ୟ ପ୍ରଧାନ । ତୃତୀୟ ବିଭାଗ ହେଉଛି ଏ ଉଭୟ ରୀତିର ଏକ ମିଶା ମିଶି ବ୍ୟବସ୍ଥା । ସଂଗୀତ,ନୃତ୍ୟ ଓ ସଂଳାପର ପ୍ରଧାନ । ତୃତୀୟ ବିଭାଗ ହେଉଛି ଏ ଉଭୟ ରୀତିର ଏକ ମିଶାମିଶି ବ୍ୟବସ୍ଥା । ସଂଗୀତ, ନୃତ୍ୟ ଓ ସଂଳାପର ସମନ୍ୱୟରେ ଏଗୁଡ଼ିକ ସମୃଦ୍ଧ ଯଥା -ଲୀଳା, ଯାତ୍ରା, ସୁଆଙ୍ଗ ଇତ୍ୟାଦି । ଡଃ କପିଳ ବାସାୟନ ଲୋକନାଟକକୁ ଆଧ୍ୟତ୍ମିକ, ସ୍ଥାନୀୟ ସଂସ୍କୃତି ଭିତ୍ତିକ, ଗାଥାଶ୍ରିତ ପ୍ରଭୃତି ତିନି ଭାଗରେ ବିଭକ୍ତ କରିଛନ୍ତି । ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ରାଧାପ୍ରେମଲୀଳା ପ୍ରହଲ୍ଲାଦ ନାଟକ ଓ ରାମ ନାଟକ ଧର୍ମମୂଳକ ବିଷୟକୁ ନେଇ ରଚିତ ।

 

ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପରମ ପୁରୁଷ ଭଗବାନ୍‌ ବିଷ୍ଣୁଙ୍କ ବିଭିନ୍ନ ଅବତାରର ଲୀଳା ବର୍ଣ୍ଣନା ମଧ୍ୟରେ ସୃଷ୍ଟିର ପର୍ଯ୍ୟାୟକ୍ରମ ସହିତ ଏକ ଦିଗରେ ମାନବ ସମାଜ ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ବର୍ଣ୍ଣମୟୀ ରୂପାୟନ ଓ ଅପର ଦିଗରେ ବ୍ୟକ୍ତି ବା ଗୋଷ୍ଠୀର ରୁଚି ଅନୁକୂଳ ଧାର୍ମିକ ଚିନ୍ତାଧାରାର ପରିପ୍ଳାବନ ପରିଲକ୍ଷିତ ହୁଏ । ଅନ୍ତତଃ ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସିବା ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟର ଏହା ହିଁ ଥିଲା ମୁଖ୍ୟ ଆଭିମୁଖ୍ୟ । ସେହି ଭିତ୍ତିଭୂମିରେ ଓଡ଼ିଶାରେ ଲୀଳା, ଯାତ୍ରା ଓ ନାଟକ ଆକାରରେ ବହୁ ଗ୍ରନ୍ଥ ଲିଖିତ ହୋଇଥିବାର ଜଣାଯାଏ, ତନ୍ମଧ୍ୟରୁ ରାମ ନାଟକ ଅନ୍ୟତମ, ଯାହାକି ପୁରାଣ ବର୍ଣ୍ଣିତ ରାମାବତାରର ପ୍ରତିପାଦନ ହିଁ ମୂଳ ଉପଜୀବ୍ୟ ବିଷୟ ।

 

ନାଟକର ବାଲ୍ୟବସ୍ଥା ହେଉଛି ଲୋକନୃତ୍ୟ, ଏହା ଆଦିମ ଯୁଗର ଏକ କଳାତ୍ମକ ବୃତ୍ତି । ଅଷ୍ଟାଦଶ ଶତାବ୍ଦୀରେ ଲୀଳା ନାଟକ ପ୍ରଚଳିତ । ତା’ ପରବର୍ତ୍ତୀ କାଳରେ ଊନବିଂଶ ଶତାବ୍ଦୀର ଆରମ୍ଭରେ ଲୀଳା, ସୁଆଙ୍ଗଠାରୁ ଭିନ୍ନ ଏକ ଉଚ୍ଚକୋଟିର ମଞ୍ଚ ମାଧ୍ୟମରେ ବିଷୟବସ୍ତୁ ଉପସ୍ଥାପନା ପାଇଁ ଆଗ୍ରହ ବଢ଼ିଲା, ଫଳରେ ପ୍ରାଚୀନ ଓଡ଼ିଆ ଲୀଳା, ସୁଆଙ୍ଗ ଓ ଆଧୁନିକ ନାଟକର ସନ୍ଧିକାଳରେ ପ୍ରହଲ୍ଲାଦ ନାଟକ ଓ ରାମ ନାଟକର ଜନ୍ମ ।

 

ରାମ ନାଟକର ବିଷୟବସ୍ତୁ ମାଧ୍ୟମରେ ଶ୍ରୀରାମ ଜନ୍ମଠାରୁ ରାବଣ ବଧ ପର୍ଯ୍ୟନ୍ତ ସ୍ଥାନ ପାଇଛି । ଏଣୁ ରାମ ନାଟକକୁ ରାବଣ ଦର୍ପ ଦଳନ ନାଟକ ନାମରେ ନାମିତ କରିଛନ୍ତି । ଏହି ନାଟକ ଊନବିଂଶ ଶତାବ୍ଦୀର ଆରମ୍ଭରେ ଲେଖା ହୋଇଥିବାର ଜଣାଯାଏ । ଏହାର ଲେଖକ ଅଗାଧୁ ପାଢ଼ୀ ହୋଇଥିବାବେଳେ ଏହି ନାଟକରେ ସନ୍ନିବେଶିତ ଗୀତଗୁଡ଼ିକର ଭଣତି ହରିଡ଼ାଖଣ୍ତି ସ୍ଥିତ ଲକ୍ଷ୍ମୀ ନୃସିଂହ ମଠାଧୀଶ ରାମାଧୀନ ଦାସଙ୍କ ନାମରେ ହୋଇଛି । କବି ଅଗାଧୁ ପାଢ଼ୀଙ୍କ ଜନ୍ମସ୍ଥାନ ବ୍ରହ୍ମପୁର ନିକଟସ୍ଥ ଲାଠୀ ଗ୍ରାମ । ସେ ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲେ । ସେ ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଓ ବହୁଶାସ୍ତ୍ର ଅଧ୍ୟୟନ କରିଥିଲେ । ରାବଣ ଦର୍ପ ଦଳନ (ରାମ ନାଟକ) ଓ କଂସ ବଧ ନାଟକ ନାମରେ ଦୁଇଟି ନାଟକ ସେ ଲେଖିଛନ୍ତି । ରାମ ନାଟକ ହରିଡ଼ା ଖଣ୍ଡି ମହନ୍ତ ରାମାଧୀନ ଦାମଙ୍କ ନାମରେ ଭଣତି କରିଥିବା ବେଳେ କଂସ ବଧ ନାଟକ ତତ୍କାଳୀନ ମହୁରୀ ରାଜା ନବୀନ ଚନ୍ଦ୍ର ନରେନ୍ଦ୍ର ଦେବଙ୍କ ନାମରେ ଭଣତି କରାଯାଇଛି । ଲେଖକ ଗୋଟିଏ ଗୀତରେ ଲେଖିଛନ୍ତି,‘ରାବଣ ଦର୍ପ ଦଳନ ନାଟକ ସଂଗୀତ ବର, ଶ୍ରୀ ରାମାଧୀନ ଦାସ ନାମେ ଭଣତି ବିସ୍ତର’-। ରାବଣ ଦର୍ପ ଦଳନ ନାଟକ ବା ରାମ ନାଟକକୁ କବି ସଂସ୍କୃତ ମହାନାଟକ ଛାୟାରେ ରାମ ଜନ୍ମଠାରୁ ରାବଣ ବଧ ପର୍ଯ୍ୟନ୍ତ ଲେଖିଛନ୍ତି । ନାଟକରସ୍ୱର ଓ ରାଗଗୁଡ଼ିକ ପ୍ରହଲ୍ଲାଦ ନାଟକରୁ ଅନୁସୃତ । ଜନ୍ମ ଚରିତ୍ରରେ କେତେକ ଗୀତ ଗୋପାଳ କୃଷ୍ଣ ପଦ୍ୟାବଳୀକୁ ଅନୁକରଣ କରାଯାଇଛି-। କେତେକ ସ୍ଥଳରେ ଭଞ୍ଜ ସାହିତ୍ୟର ଅବିକଳ ପଦ ମଧ୍ୟ ରଖାଯାଇଛି । କବି ବିଚିତ୍ର ରାମାୟଣରୁ ମଧ୍ୟ ଅନେକ ଛାନ୍ଦର ଅବତାରଣ କରିଛନ୍ତି । କବି ବହୁତ ଗ୍ରନ୍ଥ ଅଧ୍ୟୟନ ଓ ସଂଗ୍ରହ କରି ଏ ନାଟକଟି ଲେଖିଛନ୍ତି । ନାଟକର ବିଷୟବସ୍ତୁରୁ ଜଣାଯାଏ ନାଟକରେ ରାମଜନ୍ମଠାରୁ ରାବଣ ବଧ ପର୍ଯ୍ୟନ୍ତ ଲେଖାଯାଇଛି । ତେଣିକି ଆଉ ଲେଖା ମିଳୁ ନାହିଁ । କବିଙ୍କ ଲେଖାରେ ବହୁ ଯମକ ପଦ ଦେଖିବାକୁ ମିଳେ । ମାୟାମୃଗ ମାରି କୁଟୀରକୁ ଫେରି ରାମ ସୀତାକୁ ନ ପାଇ କହିଛନ୍ତି..... (ରାଗ କଲ୍ୟାଣୀ)

 

କନକ ଗୌରୀ ସୁନ୍ଦରୀ, କନକ କୁରଙ୍ଗୀ ମାରି,

ଆଣି ଅଛି ରାମାମଣି ତୋ ସ୍ନେହ ଧାରି

ବୀଣାବଚନି କରୁଣା ଉଣାକରୁ ମୁଁ ତୋ କିଣା,

ଏମନ୍ତ ହିମତ୍ତ କଲେ ହେବି କାହାରି

ବଚନକୁ ଘେନି ମୋର, ବଚନାମୃତକୁ ଢାଳ,

ରଚନା କଲେ ନୃସିଂହ ମଠାଧିକାରୀ ।

 

ସର୍ବ ପ୍ରଥମେ ହରିଡ଼ାଖଣ୍ଡି ମଠାଧୀଶ ରାମାଧୀନ ଦାସଙ୍କ ପୃଷ୍ଠପୋଷକତାରେ ୧୯୨୫ ଖ୍ରୀଷ୍ଟାବ୍ଦରେ ନାଟ୍ୟଗୁରୁ ମାଧିଆମଳିକଙ୍କ ନିର୍ଦ୍ଦେଶନାରେ ହରିଡ଼ାଖଣ୍ଡ ମଠସ୍ଥ ସ୍ଥାୟୀ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଥିଲା । ସେତେବେଳେ କଳାକାରମାନେ ମୁହଁରେ ହରିତାଳ ଓ କାଠ ନିର୍ମିତ ମୁଖାରେ ବିଭିନ୍ନ ରଙ୍ଗ ଦେଇ ମୁଣ୍ଡରେ ମୁଣ୍ଡାଇ ନାଚ କରୁଥିଲେ । ତା ପରବର୍ତ୍ତୀ କାଳରେ ୧୯୩୫ ଖ୍ରୀଷ୍ଟାବ୍ଦରେ ମୋହଡ଼ା, ୧୯୩୯ରେ ବ୍ରହ୍ମପୁର ସୀତାରାମ ସାହି, ୧୯୫୫ରେ ଲାଠୀ କାଳିନ୍ଦୀ ସାହି, ୧୯୬୦ରେ ଲାଠୀ କୁମ୍ଭାର ସାହି, ୧୯୬୫ରେ ଖଳାମୁହଁ ପାରିକୁଦ ଓ ୧୯୭୬ରେ ସୁକୁଣ୍ଡାର ରାମ ନାଟକର ନାଟ୍ୟଦଳ ଗଢ଼ିଉଠି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହା ମଞ୍ଚସ୍ତ କରାଇ ଥିଲେ । କିନ୍ତୁ ମୋହଡ଼ା ନାଟ୍ୟଦଳ ୧୯୪୯ ଠାରୁ ୧୯୭୪ ପର୍ଯ୍ୟନ୍ତ ଦୀର୍ଘ ୨୭ ବର୍ଷ ଧରି ନାଟକ ମଞ୍ଚସ୍ତ କରି ସୁଖ୍ୟାତି ଅର୍ଜନ କରିଥିଲେ । ଶେଷଥରପାଇଁ ମୋହଡ଼ା ରାମ ନାଟକ ୧୯୭୬ରେ ବ୍ରହ୍ମପୁର ପ୍ରକାଶ ମହଲରେ ରାଜ୍ୟସ୍ତରୀୟ କଳାକାର ସମ୍ମିଳନୀରେ ମଞ୍ଚସ୍ଥ ହୋଇ ତତକାଳୀନ ମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହା ଛଡ଼ା ୧୯୯୭ରେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରଦ୍ୱାରା ଏହା ଧାରାବାହିକ ପ୍ରଚାରିତ ହୋଇ ଶ୍ରୋତାମଣ୍ଡଳୀଦ୍ୱାରା ଉଚ୍ଚ ପ୍ରଶଂସିତ । ଏସବୁ ଦୃଷ୍ଟିରୁ ମୋହଡ଼ାକୁ ‘ରାମ ନାଟକର ଗାଁ’ କୁହାଯାଉଥିଲା । ସର୍ବପ୍ରଥମେ ମୋହଡ଼ା ଗ୍ରାମ କଳାକାରମାନେ ରାମନାଟକରେ ସିନ୍ ସିନେରୀ ଦୃଶ୍ୟ ସହ କିରିଟୀ ଓ ବେଶଭୂଷା ପରିପାଟିରେ ଭିନ୍ନ ଧରଣର କରି ଦର୍ଶକଙ୍କ ମନମୁଗ୍ଧ କରିବାରେ ସକ୍ଷମ ହୋଇଥିଲେ । ତଥ୍ୟ ସଂଗ୍ରହ ଅବସରରେ ମୋହଡ଼ା ଯାଇ ଜାଣିପାରିଛି ପ୍ରଥମେ ନାଟ୍ୟଗୁରୁ କାଶିନାଥ ପଣ୍ଡା ୧୯୩୫ରେ ରାମନାଟକ ନିର୍ବ୍ଦେଶନା ଦେଇ ଏଠାରେ ନାଟ୍ୟଦଳ ଆରମ୍ଭ କରିଥିଲେ । କିଛିଦିନ ପରେ ଏହା ବନ୍ଦ ହୋଇଯାଇଥିଲା । ୧୯୪୯ରେ ଏହି ପରମ୍ଫରାକୁ ତାର ପରବର୍ତ୍ତୀ ବଂଶଧମାନେ ଜୀବିତ ରଖିବା ପାଇଁ ତତ୍କାଳୀନ ସରପଞ୍ଚ ଉଦ୍ଧବ ବିଷୋୟୀଙ୍କ ସଂଗଠନରେ ଭୋବନି ପ୍ରଧାନ ନିଜେ ନାଟ୍ୟଗୁରୁ ଭାବେ ପ୍ରଶିକ୍ଷଣ ଦେଇ ନାଟ୍ୟଦଳକୁ ପୁନର୍ଗଠିତ କଲେ । ଏଥିରେ ରାବଣ ଭୂମିକାରେ ଦାଶରଥି ନାହାକ, ମଦାଳ ବାଦକ ବୃନ୍ଦାବନ ନାହାକ, ରାମ ଭୂମିକାରେ ଈଶ୍ୱର ସାହୁ, ଲକ୍ଷ୍ମଣ ଭୂମିକାରେ କିର୍ତ୍ତନ ପ୍ରଧାନ, ସୀତା ଭୂମିକାରେ ଭାସ୍କର ସାହୁ, ହନୁମାନ ଭୂମିକାରେ ନିଜେ ଭୋବନି ପ୍ରଧାନ, ଇନ୍ଦ୍ରଜିତ ଭୂମିକାରେ ମଙ୍ଗୁଳୁ ସାହୁ, ମନ୍ତ୍ରୀ ଭୂମିକାରେ ରାଜୀବ ମହାନ୍ତି, ଅକ୍ଷୟ ଭୂମିକାରେ ଦୁଃଖିଶ୍ୟାମ ପ୍ରଧାନ, ସୂତ୍ରଧର ଶ୍ରୀଧର ସାହୁ, କୃଷ୍ଣ ପ୍ରଧାନ ପ୍ରମୁଖ ଅଭିନୟ କରୁଥିଲେ-। ତାପରେ ଗୁରୁଙ୍କଠାରୁ ଶିଷ୍ୟ ପରମ୍ଫରାରେ ଭାସ୍କର ନାହାକ ଓ ଇଶ୍ୱର ସାହୁ ପ୍ରଶିକ୍ଷଣ ଦେଇ ନାଟ୍ୟଦଳକୁ ବଞ୍ଚାଇ ରଖିଥିଲେ । ସେ ଦୁଇ ଜଣ ବିଭିନ୍ନ ସ୍ଥାନରେ ନାଟ୍ୟଦଳକୁ ପ୍ରଶିକ୍ଷଣ ଦେଉଥିଲେ, ଏପରିକି ଗଞ୍ଜାବ ବାହାରେ ଚିଲିକା ପାରିକୁଦରେ ରାମ ନାଟକ ପ୍ରଶିକ୍ଷଣ ଦେଇଥିଲେ-

 

ରାମନାଟକ ପ୍ରହଲ୍ଲାଦ ନାଟକ ପରି ଓଡ଼ିଆ ଯାତ୍ରାଶୌଳୀରେ ରାମାୟଣର କଥାବସ୍ତୁକୁ ନେଇ ଆଧାରିତ । ଏଥିରେ ସୂତ୍ରଧରଙ୍କ ରାଗରାଗୀଣୀ, ବୀଣାକାରର ବୀଣା ବାଦନ ସହ ମର୍ବ୍ଦଳ ଓ ତାଳଧ୍ୱନୀ ନାଟକର ଗତିଶୀଳକୁ ଆଗେଇ ନିଏ । ଏହି ନାଟକ ଏକମୁଖୀ ଉତ୍ଥିତ ମଣ୍ଡପ (Raised Pandel)ରେ ମଞ୍ଚସ୍ତ ହୁଏ । ସିନ୍ ସିନେରୀ ମଧ୍ୟରେ ବିଭିନ୍ନ ପ୍ରକାର ଦୃଶ୍ୟ ଯଥା ଦଶଅବତାର, ଅନନ୍ତ ଶୟନ ପ୍ରଭୃତି ଦୃଶ୍ୟ ପରେ ବିଭିନ୍ନ ରାଗରାଗିଣୀ ସହ ଗୀତକୁ ସ୍ୱରରେ ପକାନ୍ତି । ମୁଖବୀଣା, ମର୍ବ୍ଦଳ, ହାରମୋନିୟମ, ଗିନିର ଐକତାନ ଶବ୍ଦ ଦର୍ଶକମାନଙ୍କ ମନରେ ଶିହରଣ ସୃଷ୍ଟି କରେ । ଏହି ନାଟକର ପ୍ରଦର୍ଶନ କରିବା ନିମନ୍ତେ ପ୍ରଥମେ ସୂତ୍ରଧର ନିଜର ପ୍ରିୟାକୁ ଥରେ ପଚାରି ବୁଝିବାକୁ ମଞ୍ଚକୁ ଆହ୍ୱାନ କରନ୍ତି । ସୂତ୍ରଧରଙ୍କ ପତ୍ନୀ (ନଟୀ) ଏଥିପ୍ରତି ନିଜର ସମ୍ମତି ପ୍ରଦାନ ପୂର୍ବକ ନିର୍ବିଘ୍ନରେ ନାଟକ ପରିବେଷଣ ପାଇଁ ବିଘ୍ନ ବିନାଶନ ଗଣେଶ ଓ ଦେବୀ ସରସ୍ୱତୀଙ୍କୁ ମଞ୍ଚକୁ ଆହ୍ୱାନ କରି ଆଶୀର୍ବାଦ ନିଅନ୍ତି । ରାମନାଟକରେ ସୂତ୍ୟଧରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନାଟକ କଥାବସ୍ତୁ ସହିତ ନାୟକ, ନାୟିକା, ରସ, ସଂଗୀତ ଓ ନୃତ୍ୟାଦିର ପ୍ରାକ୍‍କଥନ ସଂଳାପରେ ବର୍ଣ୍ଣନା କରୁଥିବାରୁ ସେ ସୂତ୍ରଧର ନାମରେ ପରିଚିତ । ସେଥିପାଇଁ ଭାବ ପ୍ରକାଶରେ ଶାରଦା ତନୟ କହିଛନ୍ତି :-

 

‘‘ସୂତ୍ରୟନକାବ୍ୟ ନିକ୍ଷିପ୍ତ ବସ୍ତୁ ନେତୃ କଥାର ସାନ, ନାନ୍ଦୀଶ୍ଲୋକେନ ନାନ୍ଦ୍ୟନ୍ତେ ସୂତ୍ରଧର ଇତି ସ୍ତୁତଃ ।’’

 

ରାମନାଟକର ଗୀତ ଗୁଡ଼ିକରେ ମୁଖ୍ୟତଃ ୩୨ ପ୍ରକାର ରାଗ ଯଥା କଲ୍ୟାଣୀ, ମୁଖାରୀ, କାମୋଦି, ସାବେରି, ଭୈରବୀ, ଶ୍ରୀ, ସିନ୍ଦୁ ଖମାଚ, ପାନ୍ତୁ ବରାଡ଼ି, ଖମାଚ, ସେହେନା, ଶଙ୍କରା ଭରଣ, ନାଟା, ଶ୍ରୋଟ, ଆରାଭି, ରେଗୁପ୍ତ ବେହାଗ, ନାଦନାମ କ୍ରିୟା, ଆନନ୍ଦ ବୈରବୀ, ତୋଡ଼ି, ଆହାରୀ ସୌରାଷ୍ଟ୍ର, ପରଜ, ମାରୁଆ, ହିନ୍ଦୁସ୍ଥାନ ଭୈରବୀ, କିରୋବାଣୀ, ନାଟ କୁରଙ୍ଗୀ, ହିନ୍ଦୁସ୍ଥାନ ତୋଡ଼ି, ଆସାବରୀ, ହିନ୍ଦୁସ୍ଥାନ ବେହାଗ, ଧନାଶ୍ରୀ, କାଫି ଓ ମାୟା ମାଳବଗୌଡ଼ା ରାଗ ବ୍ୟବହୃତ ହୋଇଛି । ସେହିପରି ୧୭ ପ୍ରକାର ତାଳ ଯଥା- ଆଦିତାଳ, ରୂପକ, ଏକତାଳ, ଆଠତାଳ, ତାଳ ଅଟ, ଆଡ଼ ତାଳ.ଝୁଲା, ଏକତାଳ, ଝୁଲା ଟପପା, ତ୍ରିପୁଟା, ଖଣ୍ଡ ତ୍ରିପୁଟା, ଟପ୍ପା, ଖେମଟା ଝୁଲା, ଆଡ଼ ଖେମଟା ଝୁଲା ଓ ସରିମାନ ତାଳ ବ୍ୟବହୃତ ହୋଇଛି । ନାଟକରେ ତାଳରୂପକ, ରାଗ ଖମାଚରେ ଶ୍ରୀରାମ ଓ ଅହଲ୍ୟାଙ୍କ କଥପୋକଥନ, ଆଦିତାଳ ଓ ପାନ୍ତୁ ବରାଡ଼ୀ ରାଗରେବାଳୀ ଓ ତା ସ୍ତ୍ରୀ ତାରା ମଧ୍ୟରେ କଥା କଟାକଟି, ଯମଜ ତାଳ ଓ ଶଙ୍କରାଭରଣ ରାଗରେ ବାଳୀର ରଣହୁଙ୍କାର, ଆଦି ତାଳ ଓ ମୁଖାରୀ ରାଗରେ ସୀତା ବିଚ୍ଛେଦରେ ଶ୍ରୀରାମଙ୍କ ବିରହ ବେଦନା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ । ନାଟକ ବିଭିନ୍ନ ଭୂମିକାରେ ପ୍ରାୟ ୩୦ ଜଣ ପୁରୁଷ ଓ ୧୨ ଜଣ ସ୍ତ୍ରୀ ଅଭିନୟ ପ୍ରଦର୍ଶନ କରନ୍ତି । ଏଥିରେ ସୂତ୍ରଧର ଉପସ୍ଥିତି କେତେକ ସ୍ଥଳରେ ପ୍ରଦର୍ଶିତ ହୋଇଥିଲେ ମଧ୍ୟ ନାଟକ ଚରିତ୍ର, ବିଷୟବସ୍ତୁ ଓ ଘଟଣା ପ୍ରବାହର ମୁଖ୍ୟ ନିର୍ବ୍ଦେଶକ ରୂପେ ଗାହାକର ଅବତାରଣା ମଧ୍ୟ କରାଯାଇଛି ।

 

ବିଚିତ୍ର ରାମାୟଣରେ ହନୁମାନଙ୍କୁ ସୀତା ରାମଙ୍କ କୁଶଳବାର୍ତ୍ତା ପଚାରିବାକୁ ଯାଇ କହିଥିଲେ, ଯଥା- କହ ହନୁ ମୋର କାନ୍ତରକୁଶଳ ଲକ୍ଷ୍ମଣର ସର୍ବ କୁଶଳ, ମରକତ ହେମ ବେନି କଳେବର ହୋଇ ଅଛିଟିକି ଦୁର୍ବଳ, ହନୁ ହେ, ବେନି ଭାଇଙ୍କର କୁଶଳ । କୁଶଳ କରି ଲକ୍ଷ୍ମଣ ସେବା କରୁଛନ୍ତିଟିକି ପଦ କମଳ ।

 

ରାମ ନାଟକରେ ତାକୁ କବି ରୂପ ଦେଇଛନ୍ତି-

 

(ରାଗ ଶ୍ରୀ)-

କହ ମୋ କାନ୍ତର କୁଶଳ ବାତ କୁମର.....

 

ବେନି ଭାଇଙ୍କର ଶରୀର ହୋଇ ଅଛି କି ଦୁର୍ବଳ,

 

ସଉମିତ୍ରି ସେବନ୍ତି କି ଯୁଗଳ ପଦ କମଳ ।

 

ମୋହର ବିଚ୍ଛେଦ ଦିନୁ କ୍ଷୀଣ ହୋଇ ଥିବ ତନୁ,

 

ଅଧୈର୍ଯ୍ୟ ହେଲେ ମୋ ଧବ, ଭ୍ରାତା କରାନ୍ତି କି ଧୀର ।

 

କାବ୍ୟଭାଷା ମାଧ୍ୟମରେ କବି ଆପଣାର ଆବେଗକୁ ସୁସଂହତ ଢଙ୍ଗରେ ସମିଶ୍ରିତ କରି ନାଟକରେ ପରିପ୍ରକାଶ କରିଛନ୍ତି । କବିଙ୍କର ଶବ୍ଦସାମ୍ୟ, ବାକ୍ୟବିନ୍ୟାସ ଓ ପଦଶଯ୍ୟା ଦର୍ଶକଙ୍କ ହୃଦୟକୁ ଆକୃଷ୍ଟ କରେ । ଲେଖାର ପଦବିନ୍ୟାସ ମଧ୍ୟରୁ ରାବଣ ସୀତାଙ୍କୁ କହନ୍ତି ରାଗ କାମୋଦିରେ.....

 

ଆରେ ଜାନକୀ ଡରାଉ କେତେ ମୋତେ,

ତୋର ପତିକି ନଡରେ ସତେ ।

ଶକ୍ରଙ୍କର ବଜ୍ରଶର ବକ୍ର ହେଲା ଅଙ୍ଗେ ମୋର,

ଚକ୍ରପାଣି ଚକ୍ରବାଜି ସହିଛି ଭାର ।

ଅଣ୍ଡ ବ୍ରାହ୍ମଣ ପ୍ରଚଣ୍ଡ, ଦୁର୍ଦ୍ଦଣ୍ଡ ମୁଁ ବୀର ଶୌଣ୍ଡ,

ଦଣ୍ଡ ରାଜାଙ୍କ ଉଦଣ୍ଡ ଦଣ୍ଡ ସହିଛି ମୋ ପିଣ୍ଡ ।

ସୁର ନର ନାଗ ପୁର, ବୀରମାନଙ୍କର ଶିର,

କରବାଳେ ଭେଦିକରି ଫଳିଛି ଫଳ,

ହେଳେ କପିଳାସ ଗିରି, ବଳେ ଅଛି ମୁହିଁ ଟାଳି,

ଇଶ ଆସିଲେ ତୋହରି ଦଶ ଦିଗେ ଦେବି ବଳି ।

 

ନୃତ୍ୟ, ଗୀତ, କାବ୍ୟ, ବାଦ୍ୟ, ଅଭିନୟ, ଆଳାପ, ଅଭିସାର, ଉତ୍କଣ୍ଠା, ଦ୍ୱନ୍ଦ୍ୱ ପ୍ରଭୃତି ଏହି ନାଟକରେ ପ୍ରତିଫଳିତ ହୋଇଛି । ସେହିପରି ଶ୍ରୀରାମ କିସ୍କିନ୍ଧ୍ୟାରେ ଦୁନ୍ଦର୍ଭିର ହାଡ଼କୁ ପାଦଦ୍ୱାରା ଫିଙ୍ଗି ସପ୍ତଶାଳାକୁ ଏକ ଶରରେ ଛେଦନ କଲାପରେ ମହାବଳୀ ବାଳୀ ସଂଗ୍ରାମ କରିବା ପାଇଁ ଆସିବାବେଳେ ନିଜପତ୍ନୀ ତାରାକୁ ନିଜର ବଡ଼ିମା ଦେଖାଇ କହିଥିଲେ....(ରାଗ ଶଙ୍କରାଭରଣ) କେହି ମୂଢ଼ ଛେଦିଲା ମୋର ସପ୍ତଶାଳ, ଏହିକ୍ଷଣି ତାର ଦହି ଦେବି ଶୀର । ସେହିପରି ପାନ୍ତୁ ବରାଡ଼ି ରାଗରେ.... ଶକ୍ର ବିହି ଧୂର୍ଜଟୀ ହରି, ସପକ୍ଷ ପଡ଼ି ଆସିଲେ ନ ଯିବେ ବାହୁଡ଼ି....

 

ନିର୍ବଂଶ ବଂଶ ତାହାରି,

କରିବିରେ ପ୍ରାଣେଶ୍ୱରୀ ।.....

 

ଅର୍ଥ - କିଏ ସେ ମୃଢ଼ ଭାବେ ମୋ ସପ୍ତଶାଳାକୁ କାଟି ଦେଲା, ଯଦି ଶକ୍ର ଯେ ଇନ୍ଦ୍ର ବହି ଯେ ବ୍ରହ୍ମା, ଧୂର୍ଜଟୀ ଯେ ଶିବ, ହରି ଯେ ବିଷ୍ଣୁ ଏମାନେ ମଧ୍ୟ ତାର ସପକ୍ଷରେ ଯୁଦ୍ଧ କରିବା ପାଇଁ ଆସିଲେ ବଂଶ ତାହାର ନିର୍ବଂଶ କରିଦେବି ।

 

ସ୍ଥଳ ବିଶେଷରେ ସୂତ୍ରଧରର ଗଦ୍ୟ ବଚନିକା ନାଟ୍ୟ ଚରିତ୍ରଙ୍କ ବାର୍ତ୍ତାଳାପ ନାଟ୍ୟୋତ୍କଣ୍ଠା ସୃଷ୍ଟି କରିଥାଏ । ପୁଣି ବର୍ଣ୍ଣାଢ଼୍ୟ ଶବ୍ଦ ଓ ଶାସ୍ତ୍ରୀୟ ତତ୍ତ୍ୱ ସଂଗୀତର ମଧୁର ପୁଟଯୁକ୍ତ ନାଟକକୁ ଅତୀନ୍ଦ୍ରିୟ ସ୍ତରରେ ପହଞ୍ଚାଇ ଥାଏ । ରାମ ରାବଣ ଯୁଦ୍ଧବେଳେ ରାବଣ ରାମକୁ କହିଥିଲେ... (କାମୋଦି ରାଗ)

 

ଆରେ ପାମର ବାରେ ଶୁଣ ମୋଗିର,

ଶରେ ଛେଦିବି ତୋହର ଶିର

ବୀରବର ବୋଲି ତୁହି ମୋ ଆଗେ କହୁବାଇ,

ଶ୍ୱରପଣିଆ ତୋହର ଜାଣଇ ମୁହିଁ...

ବାଳି ତାଡ଼କ ଅଟଇ ବାଳିଶାଖା ମୃଗ ସେହି,

ହରିଣ ଶିଶୁ ମାରିଚ ମାରି ଗର୍ବ ଅଛୁ ବହି ।

 

ଅର୍ଥ - ତାଡ଼କା ଏକ ବାଳି-ସ୍ତ୍ରୀ ଲୋକ, ବାଳି ଏକ ମୃଗ ଶାଖା ମାଙ୍କଡ଼, ମାରିଚ ଏକ ହରିଣ ଛୁଆ । ଏମାନଙ୍କୁ ମାରି ଗର୍ବ କରୁଛୁ । ପୁଣି କହିଛନ୍ତି..... ବିହିଙ୍କ ପୁଣି ମୁଁ ନାତି, ମହିମା ମୋର ପ୍ରତାପି, ଦହିପାରେ ଚୌଦପୁର ମୋ କାଳମୂର୍ତ୍ତି ।

 

ବ୍ରହ୍ମାଣ୍ଡରେ ମୁଁ ଇଶ୍ୱରମାର୍ତ୍ତଣ୍ଡ ରଜନୀକର, ଚଣ୍ଡ ଦଣ୍ଡ ଧରାଦିକୁ ଦଣ୍ଡେ ଦଣ୍ଡକେ ମୋ ଶର-। ମାର୍ତ୍ତଣ୍ଡ ଯେ ସୂର୍ଯ୍ୟ, ରଜନୀକର ଯେ ଚନ୍ଦ୍ର, ଚଣ୍ଡ ଦଣ୍ଡ ଧର ଯେ ଯମ ଏମାନଙ୍କୁ ଦଣ୍ଡକ ମଧ୍ୟରେ ମୋର ଶର ଦଣ୍ଡ ଦେଇପାରେ । ଏହିପରି ସୁନ୍ଦରପଦ ସଂଯୋଜନାଦ୍ୱାରା ରାମ ନାଟକ ରୁଦ୍ଧିମନ୍ତ ହୋଇଛି । ସଂଗୀତରେ ଅନ୍ୟତମ ଉପାଦାନ ନୃତ୍ୟ । ଏହି ନୃତ୍ୟ, ଗୀତ, ବାଦ୍ୟର ଅଙ୍ଗୀକାର ଦର୍ଶକର ଆନନ୍ଦ ସୃଷ୍ଟି କରେ । ରାମନାଟକର ସଂଳାପର ଛନ୍ଦକୁ ଲକ୍ଷ କଲେ ଏହା କିପରି ଛନ୍ଦୋବଦ୍ଧ ଜଣାଯିବ । ଏହି ସଂଳାପଗୁଡ଼ିକ ପାତ୍ରମୁଖୀ ବିଷୟବସ୍ତୁ ବିନ୍ୟାସର ସହାୟକ ହୋଇଥିବାରୁ ଆଧୁନିକ ନାଟକର ସଂଳାପ ସହ ସମକକ୍ଷ ।

 

ରାଜା- ମହାପାର୍ଶ୍ୱ ସହୋଦର, ଶୁକ ସାରଣ, ପ୍ରଶସ୍ତ, ତ୍ରିଶିର, ଅରବିନ୍ଦ, ବିରୁପାକ୍ଷ, ଅମାତ୍ୟ ପୁଙ୍ଗବ ମନ୍ତ୍ରୀମାନେ ?

 

ମନ୍ତ୍ରୀ- ମହାପ୍ରଭୁ କୈଣପଇନ୍ଦ୍ର ।

 

ରାଜା- ଆମ୍ଭ ସିଂହଦ୍ୱାରେ ଦ୍ୱାରପାଳକୁ ଅତି ଜାଗ୍ରତେ ରଖାଅ ।

 

ମନ୍ତ୍ରୀ- ଯେ ଆଜ୍ଞା ପ୍ରମାଣେ । ଆରେ ଦ୍ୱାରକ, ଆମ୍ଭ ରାଜାଙ୍କ ଆଦେଶ ହୋଇଅଛି, ସିଂହଦ୍ୱାରେ ଅତି ଜାଗ୍ରତ ରହ ।

 

ଦ୍ୱାରୀ- ହୁକୁମ ପ୍ରମାଣେ ।

 

ରାଜା- ବେଦବର, ଶଙ୍କର, ପୁରନ୍ଦର, ଭାସ୍କର, ରଜନୀକର, କୁବେର, ଅଶ୍ୱନୀ କୁମାର, ଅନୀଳ, ଅନଳ, ପିତୃପତି, ଗଣପତି, ନୈରୁତ, ଭୂମିସୁତ, ପଣ୍ଡିତ, ଦେବମନ୍ତ୍ରୀ, ଦୈତ୍ୟମନ୍ତ୍ରୀ, ଛାୟାସୂତ, ଆଦିତ୍ୟ, ବିଶ୍ୱବସୁ, ତୁଷିତ, ମହାରାଜିକ, ସିଦ୍ଧସାଧ୍ୟ, ରୁଦ୍ର ବିଦ୍ୟାଧର, ଅପସରା, ଯକ୍ଷ, ରକ୍ଷ, ଗନ୍ଧର୍ବ କିନ୍ନର, ପିଶାଚ ଗୃହକ ସିଦ୍ଧ, ଭୂତ, ସୌଧସାଧ୍ୟ, କିଂ ପୁରୁଷାଦି, ତ୍ରୟତ୍ରଂଶ କୋଟି ଦେବଗଣ, ନାଗରାଜା, ଲବଣ, ନିର୍ବାଚ, କବଚ, ମଧୁ ଆଦି ଅସୁର ରାଜାମାନେ, କମ୍ୱୋଜ, ମଗଧ, ନେପାଳ, ଘଟକ, ପାଞ୍ଚଳ, କରୁ, ଅଙ୍ଗବଙ୍ଗ କଳିଙ୍ଗ, ଯମନାଦି ମାନବ ରାଜାମାନେ, ଏ ସର୍ବେ ଆମ୍ଭର ପାଦ କମଳରେ ଦାସାନୁବାସ ହୋଇ, ନିଖିଳ ଘଟିତ କର ପୁଟାଞ୍ଜଳିତ କରି, ଆମ୍ଭର ସିଂହଦ୍ୱାରେ ହୋଇଅଛନ୍ତି କିହେ ମନ୍ତ୍ରୀମାନେ ?

 

ମନ୍ତ୍ରୀ- ସର୍ବେ ହାଜରହୋଇ ରହି ଅଛନ୍ତି ହେ ଦାନବାଧୀଶ ।

 

ରାଜା- ଉର୍ବଶୀ, ମେନକା, ରମ୍ଭା, ଘୃତାଶି, ତିଳୋତ୍ତମା, ସୁକେଶୀ, ମଞ୍ଜୁଘୋଷା, ଚିତ୍ରଲେଖା ଆଦି ଅପସରାମାନେ ଆମ୍ଭ ରାଜ ସଭାରେ ହାଜରହୋଇ ନୃତ୍ୟ କରୁଛନ୍ତି ଟିକି ?

 

ମନ୍ତ୍ରୀ- ଆଜ୍ଞା ପ୍ରମାଣେ ଅପସରାମାନେ ନୃତ୍ୟ କରୁଛନ୍ତି ହେ କୌଣପେନ୍ଦ୍ର ।

 

ରାଜା- ଆହେ ପ୍ରଧାନମନ୍ତ୍ରୀମାନେ, ଆମ୍ଭେ ଲଙ୍କେଶ୍ୱରୀ ମନ୍ଦୋଦରୀଙ୍କୁ ଦେଖିବାକୁ ଆମ୍ଭ ଅଭିଳାଷ ବୃଦ୍ଧି ହେଉଅଛି, ଏଣୁ ମହାରାଣୀଙ୍କୁ ଆମ ସଭାରେ ହାଜର କରାଅ ।

 

ମନ୍ତ୍ରୀ- ଯେ ଆଜ୍ଞା ! ଆରେ ଦ୍ୱାର ରକ୍ଷକ ଆମ୍ଭ ରାଜାଙ୍କ ଆଦେଶ ହୋଇଅଛି ମହାରାଣୀଙ୍କୁ ସଭାରେ ବିଜେ କରାଅ । ସେହିପରି ରଘୁନାଥ ପରିଜାଙ୍କ ‘ଗୋପିନାଥ ବଲ୍ଲବ’ ନାଟକର ଗଦ୍ୟ ସଂଳାପ ଓ ସଂସ୍କୃତ ଶ୍ଲୋକରେ ବ୍ୟବହୃତ ମନ୍ଦାକାନ୍ତା ଛନ୍ଦ ରାମ ନାଟକରେ ବି ଦେଖିବାକୁ ମିଳେ ।

 

ରାଜା- ଜନ୍ମ ବୃତ୍ତାନ୍ତକୁ ମୋହର ବ୍ୟାଖ୍ୟାୟନ କରି କହୁଅଛି ଶୁଣ । ବ୍ରହ୍ମା ପିତାମହ ମୋହର ଜନକ ବିଶ୍ରବା ତପୋଧନ । ଅଗ୍ରଜ ଧନେଶ୍ୱର ମୋର ଅନୁଜ କୁମ୍ଭକର୍ଣ୍ଣ ମହାବୀର । ସୁରରାଜଜିତ ମେଘନାଦ ତନୁଜ ଅଟଇ ମୋହର, କନକ ଲଙ୍କାଗଡ଼େ ମୋହର ଘର । ଦଶଶିର ବିଂଶଭୂଜ ନେତ୍ର ମୋହର ସୁନ୍ଦର, ଅଧୋ ଉର୍ଦ୍ଧ୍ୱ ମଧ୍ୟ ପୁରେ ମୁହଁଟି ବିଜୟୀ, ପୁଷ୍ପକ ଯାନାସନେ ବସି ମୁଁ ଏ ବ୍ରହ୍ମାଣ୍ଡ ଭ୍ରମଇ । ଆମର ନର କିନ୍ନର ଯକ୍ଷ୍ୟ ବିଦ୍ୟାଧର, ସର୍ବେ ମୋହର ଅଟନ୍ତି ସଦା ବଚଷ୍କର । ବୀରବର ସୁନ୍ଦର ନାମ ରାବଣେଶ୍ୱର, ସସାଗରା ଧରିତ୍ରୀରେ ମୁଁ ଏକ ଅଧୀଶ୍ୱର ।

 

ଏହିପରି ବହୁ ସଂଳାପ ରାମ ନାଟକରେ ଦେଖିବାକୁ ମିଳେ । ସଂଗୀତ ଏବଂ ଅନେକ ଗଦ୍ୟଧର୍ମୀ ସଂଳାପର ସମାହାରକୁ ଅନୁଧ୍ୟାନ କଲେ ଏହା ରଘୁନାଥ ପରିଚ୍ଛାଙ୍କ ‘ଗୋପିନାଥ ବଲ୍ଲବ’ ନାଟକଠାରୁ କୌଣସି ଗୁଣରେ କମ୍‌ ନ ଥିଲା । ଅର୍ଥାତ୍‌ ଆଧୁନିକ ନାଟକର ସମସ୍ତ ଲକ୍ଷଣ ରାମ ନାଟକରେ ନିହିତ ଥିଲା ।

 

ପରିବେଷଣ ଶୈଳୀ-

ସାଧାରଣରେ ଗ୍ରାମ୍ୟ ନାଟକ ପରିବେଷଣ ନିମିତ୍ତ ଏକ ଉନ୍ମୁକ୍ତ ଓ ବିସ୍ତୃତ ସ୍ଥାନ ନିର୍ବାଚିତ ହୁଏ, ସମବେତ ଦର୍ଶକମାନେ ଯେପରି ପୂର୍ଣ୍ଣପ୍ରାଣରେ ଆନନ୍ଦ ଉପଲବ୍ଧ କରି ପାରିବେ ସେଥିପ୍ରତି ଦୃଷ୍ଟି ଦେଇ ନୃତ୍ୟ, ଗୀତ ଓ ଅଭିନୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଥାଏ । ସେହିପରି ରାମନାଟକର ଅଭିନୟ ପାଇଁ ଏକ ବୃହତାକାର ସୋପାନ ଥିବା ମଞ୍ଚ ବା ସିଂହାସନ ନିର୍ମିତ ହୁଏ । ମଞ୍ଚର ବିଭିନ୍ନ ଦୃଶ୍ୟ ପ୍ରଦର୍ଶନ ପାଇଁ ସିନ୍‌ ସିନେରୀ ବ୍ୟବସ୍ଥା କରାଯାଇଥାଏ । ମଞ୍ଚର ପୁରୋଭାଗରେ ହିଁ ଦର୍ଶକ ଗଣ ଆସନ ଗ୍ରହଣ କରନ୍ତି । ଗ୍ରାହକର ଉଦ୍‌ଘୋଷଣା ଅନୁସାରେ ପାତ୍ର ପାତ୍ରୀମାନେ ପ୍ରବେଶ ଓ ପ୍ରସ୍ଥାନ କରନ୍ତି । ମଞ୍ଚର ଏକ ପାର୍ଶ୍ୱରେ ବାଦ୍ୟକାର ବୃନ୍ଦ, ଗ୍ରାହକ, ସୂତ୍ରଧର ଓ ସେମାନଙ୍କର ସହାୟକମାନେ ଥାଆନ୍ତି ।

 

ବେଶ ଓ ପୋଷାକ -

ପ୍ରହଲ୍ଲାଦ ନାଟକ ପରି ରାମ ନାଟକରେ ରାଜା, ମନ୍ତ୍ରୀ ଓ ଦ୍ୱାରୀ ଅଚନକ ପାଇଯାମା ଓ ମୁଣ୍ଡରେ କିରିଟି ପିନ୍ଧିଥାନ୍ତି । ରାବଣ ଦଶମୁଣ୍ଡ ବିଶିଷ୍ଟ କିରିଟି ପିନ୍ଧିଥାନ୍ତି । ରାମ, ଲକ୍ଷ୍ମଣ, ସୀତା ବିଭିନ୍ନ ସମୟରେ ବିଭିନ୍ନ ବେଶ ଧାରଣ କରନ୍ତି । ସେ ସମୟରେ ଚିତ୍ରାଳୟ ବ୍ୟବସ୍ଥା ନ ଥିବାରୁ ନାଚ ଦଳ ହିଁ ନିଜ ଉଦ୍ୟମରେ ବିଭିନ୍ନ ବେଶ ପୋଷାକ କିରିଟୀ, ମୁକୁଟ, ବାହୁ କିରିଟୀ, ଘାଗରା ପୋଷାକ ଆଦିର ବ୍ୟବସ୍ଥା କରୁଥିଲେ । ଏଥିପାଇଁ କାଚଖଣ୍ଡ, ପୋହଳା, କଣ୍ଠି, କାଇଁଚ ଓ ଜରି ଖଚିତ ମଖମଲ କପଡ଼ା ବ୍ୟବହାର କରାଯାଉଥିଲା ।

 

ରସ -

‘ରସାଶ୍ରୟ ନାଟ୍ୟମ’ ରସ ହିଁ ନାଟକର ପ୍ରାଣ । ନାଟକର ଶୃଙ୍ଗାର, ବୀର, କରୁଣାଦି ରସ ମଧ୍ୟରୁ ଗୋଟିଏ ପ୍ରଧାନ ରସ ଓ ଅନ୍ୟାନ୍ୟ କେତୋଟି ଅପ୍ରଧାନ ରସ ରୂପେ ଗ୍ରହଣ କରାଯାଏ । ଆଲୋଚ୍ୟ ନାଟକରେ ହାସ୍ୟ, କରୁଣ, ଭୟ ସହିତ ମୁଖ୍ୟତ ରୌଦ୍ରରସର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ରାବଣ, ଇନ୍ଦ୍ରଜିତ, ଆଦି ରାକ୍ଷାସଗଣଙ୍କ ଅଭିନୟରେ ରୌଦ୍ର ରସ, ଦ୍ୱାରୀ, ନଟୀ, ସ୍ୱର୍ପର୍ଣ୍ଣଖା ପ୍ରଭୃତି ବେଶଭୂଷା ଓ ସଂଳାପର ହାସ୍ୟରସର ଉଦ୍ରେକ ହୋଇଥାଏ । ଦେବୀ ସୀତା, ମନ୍ଦୋଦରୀ କୌଶଲ୍ୟା, ତାରା, ଅହଲ୍ୟା ଚରିତ୍ରରେ କରୁଣ ରସ ଦେଖାଯାଏ ।

 

ନାୟକ ଓ ନାୟିକା -

ନାଟକର ନାମକରଣରୁ ସାଧାରଣତଃ ନାୟକ ନାୟିକା ନିରୂପଣ କରାଯାଇଥାଏ । ମୁଖ୍ୟ ବିଷୟବସ୍ତୁ ସୂଚକ କୌଣସି ଏକ ସଂଜ୍ଞା ବା ନାୟିକା ମଧ୍ୟରୁ କୌଣସି ଗୋଟିକର ବା ଉଭୟଙ୍କର ନାମ ଅନୁସାରେ ନାଟକର ନାମକରଣ ହୁଏ । ଆଲୋଚ୍ୟ ରାମ ନାଟକରେ ରାମଚନ୍ଦ୍ରଙ୍କୁ ନାୟକ, ରାବଣଙ୍କୁ ପ୍ରତି ନାୟକ ଓ ସୀତାଙ୍କୁ ନାୟିକା ରୂପେ ଚିତ୍ରଣ କରାଯାଇଛି ।

 

ଅଙ୍କ ଓ ଦୃଶ୍ୟ -

ରାମ ନାଟକର ଅଙ୍କର ବିଭାଗ କରାଯାଇ ନାହିଁ । କିନ୍ତୁ ପ୍ରହଲ୍ଲାଦ ନାଟକ ପରି ଏହାର ସମୟ ସୀମା ଆରମ୍ଭରୁ ଶେଷ ଯାଏଁ ସାତ ରାତି । ବିଭିନ୍ନ ଦଳ ଯେତେବେଳେ ଗୋଟିଏ ରାତି ପାଇଁ ନାଟକ ପରିବେଷଣ କରନ୍ତି, ନାଟକର ପ୍ରମୁଖ ଅଂଶକୁ ପ୍ରଦର୍ଶନ କରି ଅନ୍ୟ ଅଂଶକୁ ବାଦ୍‌ ଦେଇଦିଅନ୍ତି । ଏସବୁ ସତ୍ତ୍ୱେ ନଟୀର ଆହ୍ୱାନ, ଗଣେଶ ବନ୍ଦନା, ସରସ୍ୱତୀ ବନ୍ଦନା ପରେ ନାଟକ ଆରମ୍ଭ କରନ୍ତି । ଦଶରଥ ପୁତ୍ରେଷ୍ଠି ଯଜ୍ଞଠାରୁ ରାମ ବନବାସକୁ ଅଯୋଧ୍ୟା କାଣ୍ଡ, ରାମ ହନୁମାନ ଭେଟଠାରୁ ବାଳୀବଦ୍ଧ ପର୍ଯ୍ୟନ୍ତ କିସ୍କିନ୍ଧ୍ୟା କାଣ୍ଡ ଓ ସେତୁବନ୍ଧ ପ୍ରତିଷ୍ଠାଠାରୁ ରାବଣ ବଦ୍ଧ ପର୍ଯ୍ୟନ୍ତ ଲଙ୍କା କାଣ୍ଡ ରୂପେ ନିଆଯାଇଛି, ଯାହାକି ଅଙ୍କର ସଂକେତ ଦିଏ । ପ୍ରତ୍ରେକ କାଣ୍ଡର କେତେ ଗୁଡ଼ିଏ ଦୃଶ୍ୟ ଥିବା ନାଟକରୁ ଦେଖାଯାଏ ଓ ଏହା ଯବନିକା ପତନ ସହ ଅଭିନୀତ ହେଉଥିଲା । ମଞ୍ଚ ଉପରେ ଲଙ୍କା ଦହନ, ବାଳୀ ସୁଗ୍ରୀବ ଯୁଦ୍ଧ, ରାବଣ ସଂହାର, ସୀତା ହରଣ ନିମନ୍ତେ ବିମାନ ଉଡ଼ାଣ, ଧନୁଭଗ୍ନ, ସ୍ୱୟମ୍ୱର ସଭା ଆଦି ବ୍ୟୟ ବହୁଳ ଦୃଶ୍ୟକୁ ନାଟ୍ୟଦଳ ଦେଖାଉଥିଲେ, ଫଳରରେ ରାମନାଟକ ଅନ୍ୟ ଲୋକନୃତ୍ୟଠାରୁ ଚିତାକର୍ଷକ ଥିଲା ।

 

ସଂଳାପ -

ନାଟକୀୟ ବିଷୟବସ୍ତୁର ଗତିଶୀଳତା, ଚରିତ୍ର ଚିତ୍ରଣ ଏବଂ ଉପଜୀବ୍ୟ ରସର ସଫଳ ପରିପ୍ରକାଶ ମୁଖ୍ୟତଃ ପାତ୍ରପାତ୍ରୀଙ୍କ ସଂଳାପ ଉପରେ ନିର୍ଭରକରେ । ସଂଳାପ, ଚରିତ୍ର ଉପଯୋଗୀ ସମୟାନୁକୂଳ ନ ହେଲେ ନାଟକୀୟ ବିଷୟବସ୍ତୁ ସ୍ପଷ୍ଟ ଓ ହୃଦୟଗ୍ରାହି ହୋଇପାରେ ନାହିଁ । ଆଲୋଚ୍ୟ ନାଟକର ଚରିତ୍ର ଉପଯୋଗୀ ସଂଳାପର ଅଭାବ, ସଂଗୀତ ବାହୁଲ୍ୟ, ଗ୍ରାହକ ଓ ସୂତ୍ରଧରଦ୍ୱାରା ସମ୍ଭାବ୍ୟ ଘଟଣାବଳୀର ସୂଚନାଦିଦ୍ୱାରା ବହୁକ୍ଷେତ୍ରରେ ଏହା ଦର୍ଶକମାନଙ୍କର ହୃଦୟକୁ ଭାରାକ୍ରାନ୍ତ କରିପାରେ । ମାତ୍ର କୁଶଳୀ କଳାକାରଙ୍କ ଅଭିନୟଦ୍ୱାରା ଏ ପ୍ରକାର ଅସୁବିଧା ଅନେକାଂଶରେ ଦୂରୀଭୂତ ହୋଇଥାଏ । ସଂଗୀତାତ୍ମକ ସଂଳାପ, ଶେଷରେ ନାଟ୍ୟକାରଙ୍କ ନାମ ଭଣତି, ଦୃଶ୍ୟାନ୍ତର ବା ବିଷୟାନ୍ତରର ସୂଚନା, ପାତ୍ର ଓ ପାତ୍ରୀଙ୍କର ଦୀର୍ଘ ସଂଳାପ, ଅନାବଶ୍ୟକ କଥୋପକଥନ ଏବଂ ଭାଷାପ୍ରୟୋଗଜନିତ ବୈଷମ୍ୟ ପ୍ରଭୃତିଦ୍ୱାରା କେତେକାଂଶରେ ନାଟକୀୟ ଔଚିତ୍ୟର ଅଭାବ ପରିଲକ୍ଷିତ ହୁଏ । ସେ ଯାହାହେଉ ବିଭିନ୍ନ ଅସୁବିଧା ଥାଇ ମଧ୍ୟ ଯେଉଁ ସମୟରେ ଏହି ରାମ ନାଟକ ବହୁଳ ଭାବରେ ପ୍ରଦର୍ଶିତ ହୋଇଥିଲା, ସେ ସମୟରେ ଏହାର ଲୋକପ୍ରିୟତା କେହି ଅସ୍ୱୀକାର କରିବେ ନାହିଁ ।

 

ଭାଷା -

ନାଟକର ଚରିତ୍ରମାନଙ୍କ ଭାଷା ସରଳ ଓ ଲଳିତ ହେବା ସଙ୍ଗେ ସଙ୍ଗେ ସର୍ବସାଧାରଣଙ୍କର ସହଜ ବୋଧ ହେବା ବାଞ୍ଛନୀୟ । କିନ୍ତୁ ରାମନାଟକରେ ଅନେକ ସ୍ଥଳରେ ଆଡ଼ମ୍ୱରପୂର୍ଣ୍ଣ, ସମସ୍ୟାବହୁଳ, ଦୁର୍ବୋଧ୍ୟ ଓ ଶ୍ରୁତିକଟୁର ଶବ୍ଦାବଳୀ ପ୍ରୟୋଗ ହୋଇଥିବାରୁ ଭାଷା ସାବଲୀଳତା ବ୍ୟାହତ ହୋଇଥିବା ଦେଖାଯାଏ । ଏଥିରେ ତେଲୁଗୁ, ପାର୍ସି, ସଂସ୍କୃତ ସହିତ ବହୁ ଆଞ୍ଚଳିକ ଶବ୍ଦ ବ୍ୟବହୃତ ହୋଇଛି ।

 

ବିବିଧ ପ୍ରସଙ୍ଗ -

ଆଲୋଚ୍ୟ ରାମ ନାଟକରେ ପ୍ରସଙ୍ଗକ୍ରମେ ଗନ୍ଧର୍ବ ବିଦ୍ୟା, ଜ୍ୟୋତି ବିଜ୍ଞାନ, ଅଭିଚାରିକ ବିଦ୍ୟା, ଭକ୍ତି ଧର୍ମ, ଗାନ୍ଧର୍ବ ଧର୍ମ, ବିଭିନ୍ନ ଦେଶ ନଦନଦୀ, ଗୀରି ପର୍ବତ, ପୁର ନଗର, ଆଶ୍ରମ ତଥା ମନୌଷଧର ନାମ ସହିତ ଚତୁଷଷ୍ଟିଂ ବିଦ୍ୟାର ସୂଚନା ଦିଆଯାଇଛି । ଏହାଛଡ଼ା ଏଠାରେ ହାସ୍ୟରସ ସହିତ ସାମାଜିକ ଚଳଣୀ ଓ ଚିନ୍ତାର ନିଖୁଣ ରୂପାୟନ ହୋଇଥିବା ଦେଖାଯାଏ ।

 

ରାମନାଟକ ମୁଖ୍ୟତଃ ଏହାର ପରିବେଷଣ ଶୈଳୀ ନିମିତ୍ତ ଉପଭୋଗ୍ୟ ଓ ସୁପ୍ରସିଦ୍ଧ ହୋଇପାରିଛି । ଆଧୁନିକ ନାଟ୍ୟ ପରିବେଷଣ କୌଶଳ ଅନୁଧ୍ୟାନ କଲେ ଏହି ନାଟକ ପାଇଁ ଅନୁସୃତ ହୋଇଥିବା ଶୈଳୀଠାରୁ ଅଧିକ ଉନ୍ନତ ଶୈଳୀ ବିଷୟ ସମ୍ଭବତଃ ଚିନ୍ତା କରା ନ ଯାଇପାରେ । ନାଟକୀୟ କାହାଣୀ, ଚରିତ୍ର, ଅଭିନୟ, ସଂଳାପ, ନାଟକୀୟ ଗତି, ଦ୍ୱନ୍ଦ୍ୱ, ଉତ୍କଣ୍ଠା, ସିନ୍‌ ସିନେରୀ ଇତ୍ୟାଦି ଏହି ନାଟକରେ ସୁସଂହତ ଭାବରେ ରହିଛି । ଏ ଦୃଷ୍ଟିରୁ ରାମ ନାଟକର ସବିଶେଷ ଆଲୋଚନା କରାଗଲେ ଏହା ସମ୍ଭବତଃ ପ୍ରଥମ ଓଡ଼ିଆ ନାଟକର ମର୍ଯ୍ୟାଦା ଲାଭ କରିପାରେ ।

ଗଞ୍ଜାମ

***

 

ମଧ୍ୟଯୁଗୀୟ ଭକ୍ତି ପରମ୍ପରା ଓ କବି ଭକ୍ତଚରଣ ଦାସ

ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ

 

ଭାରତୀୟ ଭକ୍ତି ସାଧନା :-

ସାଧାରଣତଃ ‘ଭଜ୍‌’ ଧାତୁରୁ ‘ଭକ୍ତି’ ଶବ୍ଦ ନିଷ୍ପନ୍ନ; ଯାହାର ବିଭିନ୍ନ ଅର୍ଥ ମଧ୍ୟରୁ ଏକ ବିଶେଷ ଅର୍ଥ ହେଉଛି । ‘ବିତରଣ କରିବା’ । କୌଣସି ଶକ୍ତି ବା ଦେବାଦେବୀଙ୍କ ଉଦ୍ଦେଶ୍ୟରେ ବିତରଣ କରାଯାଉଥିବା ଶ୍ରଦ୍ଧା, ସ୍ନେହ ଓ ପ୍ରେମକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରାଯାଇପାରେ । ନିଷ୍କାମ କର୍ମ ମଧ୍ୟରେ ଅନୁରାଗଦ୍ୱାରା ପରମେଶ୍ୱରଙ୍କ ପାଇଁ ତନ୍ମୟ ପ୍ରାଣ ହେବା ଭକ୍ତିଭାବେ ଗୃହୀତ । ସମାଜ ସହିତ ଭକ୍ତିଭାବନାର ସମ୍ପର୍କ କେଉଁ ପ୍ରାଗ୍‌ଐତିହାସିକ କାଳରୁ ଜଡ଼ିତ ରହି ଗୋଷ୍ଠୀ ମଣିଷକୁ ତାର ସାମାଜିକ ପରିଧି ମଧ୍ୟରେ ନିୟନ୍ତ୍ରଣ କରିଆସିଛି । ‘ଭକ୍ତି’ ‘ଜ୍ଞାନ’ ସହିତ ନିଗୂଢ଼ ସମ୍ପର୍କ ସ୍ଥାପନ କରିଥାଏ ବୋଲି ରାମାନୁଜ ମତ ଦେଇଥାନ୍ତି । ‘‘ଭକ୍ତି ରୂପାନାଂ ଜ୍ଞାନ’’ । ଭକ୍ତିର ସ୍ୱରୂପକୁ ନେଇ ଜ୍ଞାନମାର୍ଗୀ ଏବଂ ରାଗାନୁଗାମାର୍ଗୀଙ୍କ ମଧ୍ୟରେ ମତାନ୍ତର ପରିଲକ୍ଷିତ ହୋଇଥାଏ । ଜ୍ଞାନମାର୍ଗୀ ଭକ୍ତି କ୍ଷେତ୍ରରେ ଜ୍ଞାନର ଗୁରୁତ୍ୱକୁ ସ୍ୱୀକାର କରୁଥିବା ସମୟରେ ରାଗାନୁଗାମାର୍ଗୀଗଣ ‘ପ୍ରେମ’ର ମହତ୍ତ୍ୱକୁ ଗୁରୁତ୍ୱ ଦେଇଥାନ୍ତି । କେହି କେହି ଜ୍ଞାନ, କର୍ମ ଓ ଉପାସନାର ସମନ୍ୱିତ ଅବସ୍ଥାରେ ସେ ଭକ୍ତିକୁ ଗ୍ରହଣ କରିଥାନ୍ତି ।

 

ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ‘ମୋକ୍ଷ’ ମାନବ ଜୀବନର ସର୍ବଶ୍ରେଷ୍ଠ ଅଭିଳାଷ ରୂପେ ପରିଗୃହୀତ । ‘ମୋକ୍ଷ’ ପାଇଁ ‘ଶ୍ରୀମଦ୍‌ ଭାଗବତ’ରେ ନବଧା ଭକ୍ତିର ସୂଚନା ପ୍ରଦାନ କରାଯାଇ କୁହାଯାଇଛି-

 

ଶ୍ରବଣଂ କୀର୍ତ୍ତନଂ ବିଷ୍ମୋଃ ସ୍ମରଣଂ ପାଦସେବନମ୍‌

ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମ ନିବେଦନମ୍‌ ।

(୭।୫୨୩)

 

ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦସେବନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ-ନବଧା ଭକ୍ତିର ଏହା ହେଉଛି ବିଭିନ୍ନ ସୋପାନ । ବଲ୍ଲଭାଚାର୍ଯ୍ୟ, ସୂର ଦାସ ପ୍ରମୁଖ ଏହି ନବଧା ଭକ୍ତି ବ୍ୟତିରେକେ ‘ପ୍ରେମ’ ଭକ୍ତିକୁ ଦଶଧା ଭକ୍ତି ରୂପେ ଗ୍ରହଣ କରିଛନ୍ତି । ସାଧକର ମୁଖ୍ୟ ପଥ ଦୁଇଟି : ଜ୍ଞାନ ଓ ଭକ୍ତି । ଭଗବାନ୍‌ ଏକଧାରାରେ ଜ୍ଞେୟ ଓ ପ୍ରେମାସ୍ପଦ । ଜ୍ଞାନଦ୍ୱାରା ଭକ୍ତିର ସ୍ୱରୂପ ପ୍ରକାଶିତ ହେଉଥିବା ସମୟରେ, ଭକ୍ତିଦ୍ୱାରା ବସ୍ତୁ ସହିତ ଅଭିନ୍ନ ସମ୍ପର୍କ ସ୍ଥାପିତ ହୋଇଥାଏ । ବୈଷ୍ଣବ ଦର୍ଶନାନୁଯାୟୀ ଜ୍ଞାନର ସ୍ଥାନଠାରୁ ଭକ୍ତିର ସ୍ଥାନ ଊର୍ଦ୍ଧ୍ୱରେ । ‘ଶ୍ରୀମଦ୍‌ ଭାଗବତ’ରେ ଏହାକୁ ସମର୍ଥନ କରି କୁହାଯାଇଛି-

 

ଜ୍ଞାନେ ପ୍ରୟାସ ମୁଦପାସ୍ୟ ନମନ୍ତ ଏବ

ଜୀବନ୍ତି ସନ୍ମୁଖତିତାଂ ଭବତୀୟ ବାର୍ତୋମ

 

ସ୍ଥାନେ ସ୍ଥିଥାଃ ଶ୍ରୁତିଗତାଂ ତନୁବାଙ୍‌ମନୋଭି-

ର୍ଯ୍ୟେ ପ୍ରାୟିଶୋଦ୍ଧଜିତ ଜିତୋଦ୍ଧପ୍ୟସି ତୈସ୍ତ୍ରିଲୋକ୍ୟାମ୍‌

(୧୦।୧୪।୩)

 

ଅର୍ଥାତ୍‌ ଐଶ୍ୱର୍ଯ୍ୟ ଓ ମହିମାର ବିଚାର ଜ୍ଞାନଦ୍ୱାରା କରାଯାଉଥିବା ସମୟରେ, ଭକ୍ତି ଧର୍ମରେ ଶରୀର, ମନ ଓ ବାକ୍ୟରେ ଈଶ୍ୱର ଚିନ୍ତା ଓ ତାଙ୍କ ଚରଣରେ ଆତ୍ମଲୀନ ହେବାର ପ୍ରୟାସ ଜାରି ରହିଥାଏ ।

 

ଭାରତୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାରେ ଓଡ଼ିଶାର ରହିଛି ସ୍ୱତନ୍ତ୍ର ଗୁରୁତ୍ୱ । ଏହି ଗୁରୁତ୍ୱର କେନ୍ଦ୍ରବିନ୍ଦୁ ହେଉଛନ୍ତି ଶ୍ରୀଜଗନ୍ନାଥ । ଓଡ଼ିଶାରେ ସଂଘଟିତ ସମସ୍ତ ଧାର୍ମିକ ଆନ୍ଦୋଳନ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବିବର୍ତ୍ତିତ, ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଛି । ପଞ୍ଚଦଶ/ଷୋଡ଼ଶ ଶତକରେ ଭାରତର ବିଭିନ୍ନ ସ୍ଥାନରୁ ଯେତେ ଧର୍ମ ପ୍ରଚାରକ ଆସିଛନ୍ତି, ସେମାନେ ପ୍ରଥମେ ଶ୍ରୀକ୍ଷେତ୍ରରେ ପଦାର୍ପଣ କରି ଜଗନ୍ନାଥଙ୍କୁ ନିଜ ଧର୍ମରେ ଦୀକ୍ଷିତ କରିବାକୁ ଚେଷ୍ଟାକରି ବିଫଳ ହେବା ପରେ ନିଜେ ହିଁ ସାମିଲ ହୋଇଯାଇଛନ୍ତି ଜଗନ୍ନାଥଙ୍କଠାରେ । ସବୁମତ ଓ ପଥର ମିଳନ ସ୍ଥଳ ହୋଇଛନ୍ତି ଶ୍ରୀଜଗନ୍ନାଥ ।

 

ଭକ୍ତିମାର୍ଗର ଦୁଇଟି ଦିଗ : ଓଡ଼ିଶାରେ ବୈଷ୍ଣବଧର୍ମର ଦୁଇଟି ଦିଗ ପରିଲକ୍ଷିତ । ଗୋଟିଏ ଜ୍ଞାନମିଶ୍ରା ଓ ଅନ୍ୟଟି ଶୁଦ୍ଧରାଗାନୁଗା । ଓଡ଼ିଶାରେ ଜ୍ଞାନମିଶ୍ରା ଭକ୍ତିର ପରମ୍ପରା ଅତୀବ ପ୍ରାଚୀନ । ଏଥିରେ ଜ୍ଞାନମାର୍ଗର ପ୍ରାଧାନ୍ୟ ପରିଲକ୍ଷିତ । ଭକ୍ତିମାର୍ଗ ହେଉଛି ଜ୍ଞାନମାର୍ଗର ଅନ୍ତିମ ପରିଣତି । ଜ୍ଞାନମିଶ୍ରା ଭକ୍ତିଧର୍ମରେ ଜ୍ଞାନକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ । ଯଥା : ତତ୍ତ୍ୱଜ୍ଞାନ ଓ ଆତ୍ମଜ୍ଞାନ । ବେଦ, ପୁରାଣ ଓ ଶାସ୍ତ୍ରାଦିରେ ଆଲୋଚିତ ବ୍ରହ୍ମ ସମ୍ପର୍କୀୟ ଜ୍ଞାନ ତତ୍ତ୍ୱଜ୍ଞାନ ଅନ୍ତର୍ଗତ ହୋଇଥିବା ସମୟରେ ସାଧକର ଅନ୍ତର୍ଦୃଷ୍ଟିଦ୍ୱାରା ଯେଉଁ ଆତ୍ମ ପରିଚିତି ଏବଂ ବ୍ରହ୍ମ ସନ୍ଦର୍ଶନ ହୋଇଥାଏ, ତାହା ଆତ୍ମଜ୍ଞାନ ଅନ୍ତର୍ଭୁକ୍ତ । ଓଡ଼ିଆ ଜ୍ଞାନମିଶ୍ରା ଭକ୍ତି ସାହିତ୍ୟରେ ଏହି ଆତ୍ମଜ୍ଞାନ ଉପରେ ଗୁରୁତ୍ୱ ଆରୋପିତ । ଜ୍ଞାନମିଶ୍ରା ଭକ୍ତିଧର୍ମର ପରିସର ଅତ୍ୟନ୍ତ ବ୍ୟାପକ । ଯନ୍ତ୍ର, ମନ୍ତ୍ର, ତନ୍ତ୍ର, ବ୍ରହ୍ମତତ୍ତ୍ୱ, ଶୂନ୍ୟତତ୍ତ୍ୱ, ସୃଷ୍ଟିତତ୍ତ୍ୱ, ଜଗନ୍ନାଥତତ୍ତ୍ୱ, ରାଧାକୃଷ୍ଣତତ୍ତ୍ୱ, ଭକ୍ତିତତ୍ତ୍ୱ ଆଦି ବହୁ ବିଷୟ ଏଥିରେ ଚର୍ଚ୍ଚିତ । ଏଥିରେ ଜ୍ଞାନ ଓ ଭକ୍ତି ପରସ୍ପର ସାପେକ୍ଷ । ଶ୍ରୀଜଗନ୍ନାଥ ଏହି କାରଣରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପେ ପରିକଳ୍ପିତ ହୋଇଛନ୍ତି । ଖ୍ରୀଷ୍ଟୀୟ ଏକାଦଶ ଶତକରୁ ଶ୍ରୀଜଗନ୍ନାଥଙ୍କୁ ପାଞ୍ଚରାତ୍ର ଆଗମ ମତାନୁଯାୟୀ ବାସୁଦେବ ବା ବିଷ୍ଣୁ ରୂପରେ ପୂଜା କରାଯାଇଥିବାର ପ୍ରମାଣ ରହିଛି । ଶ୍ରୀ ରାମାନୁଜାଚାର୍ଯ୍ୟ ଶ୍ରୀଜଗନ୍ନାଥଙ୍କୁ ପାଞ୍ଚରାତ୍ର ଆଗମ ମତରେ ପୂଜା କରିଛନ୍ତି । ୧୬ଶ ଶତକ ବେଳକୁ ଶ୍ରୀକ୍ଷେତ୍ରରେ ବୌଦ୍ଧଧର୍ମ, ନାଥଧର୍ମ, ତାନ୍ତ୍ରିକଧର୍ମ, ବୈଷ୍ଣବଧର୍ମ, ଶୈବଧର୍ମ ଆଦିର ଅପୂର୍ବ ସମନ୍ୱୟ ସଂଘଟିତ ହୋଇଛି ଏବଂ ଶ୍ରୀ ଜଗନ୍ନାଥ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ଏମାନଙ୍କ ସହିତ ବିଭିନ୍ନ ପରିସ୍ଥିତିରେ ଜଡ଼ିତ ହୋଇ ପଡ଼ିଛନ୍ତି । ଦ୍ୱାଦଶ ଶତକରୁ ଷୋଡ଼ଶ ଶତକ ମଧ୍ୟରେ ଶ୍ରୀ ଜଗନ୍ନାଥ ମାଧ୍ୱ ସଂପ୍ରଦାୟଦ୍ୱାରା ଗୋପାଳ କୃଷ୍ଣ ରୂପେ ପୂଜିତ ହୋଇଛନ୍ତି । ପୁଣି ଜ୍ଞାନମିଶ୍ରା ଭକ୍ତି ଧର୍ମାନୁଯାୟୀ ଶ୍ରୀ ଜଗନ୍ନାଥଙ୍କଠାରେ ରାଧା-କୃଷ୍ଣ ତତ୍ତ୍ୱର ଅନୁପ୍ରବେଶ ଘଟିଛି । ରାଧା ଜୀବାତ୍ମା ଓ କୃଷ୍ଣ ପରମାତ୍ମା ରୂପରେ ହୋଇଛନ୍ତି ପରିକଳ୍ପିତ । ଜ୍ଞାନମିଶ୍ରା ଭକ୍ତି ଧର୍ମରେ ରାଧା-କୃଷ୍ଣ କେତେବେଳେ ଜୀବ-ପରମ, ଆତ୍ମା-ପରମାତ୍ମା, ପ୍ରକୃତି-ପୁରୁଷ ରୂପରେ ତ ଅନ୍ୟ କେତେବେଳେ କୁଳ କୁଣ୍ଡଳିନୀ-ଜ୍ୟୋତିବ୍ରହ୍ମ ରୂପେ ପରିକଳ୍ପିତ ହୋଇଛନ୍ତି । ପୁଣି ରାଧାକୃଷ୍ଣଙ୍କୁ ଶ୍ରୀଜଗନ୍ନାଥଙ୍କଠାରେ ଏକୀଭୂତ କରାଯାଇ ରାଧାକୃଷ୍ଣ ପୀଠକୁ ଶ୍ରୀଜଗନ୍ନାଥକ୍ଷେତ୍ର ମଧ୍ୟରେ ଚିହ୍ନିତ କରାଯାଇଛି । ପଞ୍ଚସଖା ସାହିତ୍ୟରେ ଜ୍ଞାନମିଶ୍ରା ଭକ୍ତିଧର୍ମର ଆରାଧ୍ୟଦେବତା ରୂପେ ଶ୍ରୀଜଗନ୍ନାଥଙ୍କୁ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ରାଧାକୃଷ୍ଣଙ୍କୁ ତାଙ୍କ ମଧ୍ୟରେ ଆରୋପିତ କରାଯାଇ ତାତ୍ତ୍ୱିକ ବ୍ୟାଖ୍ୟା ପ୍ରଦତ୍ତ ହୋଇଛି ।

 

ଜ୍ଞାନମିଶ୍ରା ଭକ୍ତି ପରି ଓଡ଼ିଶାରେ ଶୁଦ୍ଧାଭକ୍ତିର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରୀ ଚୈତନ୍ୟଙ୍କ ପ୍ରଚାରିତ ଭକ୍ତିମାର୍ଗ ଶୁଦ୍ଧରାଗାନୁଗା ବା ଶୁଦ୍ଧାଭକ୍ତି ରୂପେ ପରିଚିତ । ବିଦେହ ମୁକ୍ତି ନିମିତ୍ତ ରାଗାତ୍ମିକ ପ୍ରେମ ମାର୍ଗ ଯେ ସର୍ବୋତ୍କୃଷ୍ଟ, ତାହା ସେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ଏହି ଭକ୍ତି ଅନୁଯାୟୀ ଜଗତ ଏବଂ ଜୀବ ଭଗବାନଙ୍କର ଶକ୍ତି ବିଶେଷ । ପ୍ରେମ ବା ଶୁଦ୍ଧରାଗଦ୍ୱାରା ଶ୍ରୀକୃଷ୍ଣ ରୂପୀ ପରଂବ୍ରହ୍ମଙ୍କ ସାନ୍ନିଧ୍ୟ ଲାଭ ସମ୍ଭବ ବୋଲି ଏହା ବିଶ୍ୱାସ କରେ । ତ୍ୟାଗ ସର୍ବସ୍ୱ ରାଧାଭାବ ଭାବିତ ସାଧକ ପ୍ରେମମୟ ଶ୍ରୀକୃଷ୍ଣଙ୍କୁ କେବଳ ଲାଭ କରିବାକୁ ସମର୍ଥ । ଚୈତନ୍ୟ ଶ୍ରୀକୃଷ୍ଣଙ୍କୁ ଅବତାରୀ ଭାବରେ ଗ୍ରହଣ କରିଥିଲେ । ନିଜକୁ ସ୍ୱାର୍ଥହୀନ ଭାବରେ ଆତ୍ମସମର୍ପଣ କରିଦେବାରେ ଏହାର ମହତ୍ତ୍ୱ ପ୍ରତିପାଦିତ । ସୁରେନ୍ଦ୍ର ମହାନ୍ତି ଯଥାର୍ଥରେ କୁହନ୍ତି- ‘‘ରାଗାନୁଗା ବା ରାଗାତ୍ମିକା ଭକ୍ତି ମଧ୍ୟ ଆଚାର ଭିତ୍ତିକ ହେଲେ ହେଁ ଏଥିରେ ସାଧ୍ୟ ଓ ସାଧକ ମଧ୍ୟରେ ଏକ ବ୍ୟକ୍ତିଗତ ଘନିଷ୍ଠ ସମ୍ପର୍କ ବା ରାଗ ପ୍ରତିଷ୍ଠାର ଉଦ୍ୟମ ଥିବା ଆବଶ୍ୟକ । ଏହା ବାହ୍ୟିକ ଆଚାର କ୍ଷେତ୍ରରେ ଅନୁସୃତ ହେବା ସଙ୍ଗେ ସଙ୍ଗେ ମାନସିକ କ୍ଷେତ୍ରରେ ମଧ୍ୟ ଆଚରିତ ହୋଇଥାଏ । ଶାସ୍ତ୍ର ଓ ଯୁକ୍ତି ପରିହାର କରି, ବ୍ରଜବାସୀ ଭାବରେ କୃଷ୍ଣସେବା, ରାଗାତ୍ମିକା ବା ରାଗାନୁଗା ଭକ୍ତିର ମର୍ମକଥା ।’’ ଏହି କାରଣରୁ ଚୈତନ୍ୟ ପ୍ରେମକୁ ସର୍ବଶ୍ରେଷ୍ଠ ପୁରୁଷାର୍ଥ ଭାବରେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଜ୍ଞାନ ଓ ବୈରାଗ୍ୟକୁ ସହକାରୀ ସାଧନ ରୂପେ ସ୍ୱୀକୃତି ଦେଇଥିଲେ । ଏତଦ୍‌ବ୍ୟତୀତ ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର ଭାବ ମଧ୍ୟରୁ ମଧୁର ଭାବକୁ ଗୁରୁତ୍ୱ ଦେଇଥିଲେ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାରେ ପ୍ରଚଳିତ ଥିବା ଜ୍ଞାନମିଶ୍ରା ଭକ୍ତି ଏକ ସ୍ୱତନ୍ତ୍ର ଉପାସନା ଓ ଭଜନର ପରମ୍ପରା ସୃଷ୍ଟି କରିଛି । ଷୋଡ଼ଶ ଶତକରେ ଚୈତନ୍ୟ ପ୍ରଚାରିତ ରାଗାନୁଗାଭକ୍ତି ଏହି ପରମ୍ପରାରେ ଦେଇଥିଲା ନୂତନ ମୋଡ଼ । ଏଥିରେ ରାଧାକୃଷ୍ଣ ଥିଲେ ଉପାସନାର ପ୍ରାଣକେନ୍ଦ୍ର । ରାଗାନୁଗାଭକ୍ତି ଧର୍ମରେ ତର୍କବିହୀନ ଆତ୍ମସମର୍ପଣ ଥିଲା ମୁଖ୍ୟ ଉପାସନାର ମାର୍ଗ ।

 

ଭକ୍ତି କାବ୍ୟର ଦୁଇଟି ଧାରା :- ଭାରତୀୟ କାବ୍ୟ ସାହିତ୍ୟରେ ଭକ୍ତିଧର୍ମର ଦୁଇଟି ଧାରା ରାମକୈନ୍ଦ୍ରିକ ଓ କୃଷ୍ଣକୈନ୍ଦ୍ରିକ । କୃଷ୍ଣ ହେଉଛନ୍ତି ସର୍ବାଧିକ ଜନପ୍ରିୟ ଦେବତା । ଭାରତୀୟ ସାହିତ୍ୟରେ ଶ୍ରୀକୃଷ୍ଣଙ୍କର ବିବିଧ ରୂପ ପରିଲକ୍ଷିତ । ଆଚାର୍ଯ୍ୟ ଗୋସ୍ୱାମୀଗଣ ଶ୍ରୀକୃଷ୍ଣଙ୍କର ଦାର୍ଶନିକ ଓ ତାତ୍ତ୍ୱିକ ରୂପଟି ହୋଇଛି ଅଧିକ ଧ୍ୟେୟ । ଦକ୍ଷିଣ ନାୟକ ରୂପେ ତାଙ୍କ ମହତ୍ତ୍ୱ ଅଧିକାଂଶ କାବ୍ୟରେ ପ୍ରକଟିତ । କେତେବେଳେ ସେ ଅବତାରୀ ତ ପୁଣି କେତେବେଳେ ଅବତାର-। ନାରାୟଣ, ବାସୁଦେବ ଓ ଶ୍ରୀଜଗନ୍ନାଥଙ୍କ ସହିତ ତାଙ୍କର ଅଭେଦତ୍ୱ ପୁଣି ପରିକଳ୍ପିତ । ସେ ନିର୍ଗୁଣ ପୁଣି ସଗୁଣ । ସେ ପ୍ରେମିକ ପୁଣି ବ୍ରହ୍ମତତ୍ତ୍ୱବିତ୍‌ । ଭାରତୀୟ ଅନ୍ୟାନ୍ୟ ପ୍ରାନ୍ତୀୟ ସାହିତ୍ୟ ପରି ଓଡ଼ିଆ କାବ୍ୟ ସାହିତ୍ୟରେ ଶ୍ରୀକୃଷ୍ଣଙ୍କର ପ୍ରେମିକ ଓ ରସିକ ରୂପଟି ମୁଖ୍ୟ ଆକର୍ଷଣ ହୋଇଥିଲେ ହେଁ, କେତେକ କାବ୍ୟରେ ଶ୍ରୀକୃଷ୍ଣଙ୍କର ତାତ୍ତ୍ୱିକ ରୂପ ବାଦ୍‌ ପଡ଼ି ନାହିଁ ।

 

ଶ୍ରୀକୃଷ୍ଣଙ୍କର ଲୋକପ୍ରିୟତା ଯୋଗୁଁ ଓଡ଼ିଶାରେ ବହୁ କୃଷ୍ଣ କାବ୍ୟ ରଚିତ ହୋଇଛି । ଏହି କାବ୍ୟଗୁଡ଼ିକରେ ତାଙ୍କର ଉଭୟ ସ୍ୱକୀୟ ଓ ପରକୀୟ ମହତ୍ତ୍ୱ ପ୍ରକାଶିତ । କେତେକ କାବ୍ୟ ଜ୍ଞାନମିଶ୍ରା ଭକ୍ତିକୁ ଆଧାର କରି ରଚିତ ହୋଇଥିବା ସମୟରେ ଅଧିକାଂଶ କାବ୍ୟ ରାଗାନୁଗା ଭକ୍ତିକୁ ଉପଜୀବ୍ୟ କରି ରଚିତ । ଲୋକ ସାହିତ୍ୟଠାରୁ ଆରମ୍ଭ କରି ବିଦଗ୍ଧ ସାହିତ୍ୟ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ଶ୍ରୀକୃଷ୍ଣଙ୍କର ବହୁମୁଖୀ ଭାବ ପ୍ରକଟିତ । ସାରଳା ଦାସଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣଙ୍କର ଭିନ୍ନ ଏକ ରୂପ ପରିକଳ୍ପିତ ହୋଇଥିବା ସମୟରେ ପଞ୍ଚସଖା ସାହିତ୍ୟରେ ରାଧାକୃଷ୍ଣ ଅନେକତ୍ର ପ୍ରକୃତି-ପୁରୁଷ, ଜୀବାତ୍ମା-ପରମାତ୍ମା ରୂପେ ବର୍ଣ୍ଣିତ । ମନ୍ତ୍ର ସ୍ଥାପିତ ଯନ୍ତ୍ର ଉପରେ ରାଧାକୃଷ୍ଣଙ୍କ ରାସକଳ୍ପନା, ପୁଣି ସହସ୍ରଦଳ ଚକ୍ରରେ ତାଙ୍କର ନିତ୍ୟ ବିହାର ବର୍ଣ୍ଣନା ମାଧ୍ୟମରେ ପଞ୍ଚସଖାଙ୍କ ଜ୍ଞାନମିଶ୍ରା ଭକ୍ତିରୂପଟି ପ୍ରକଟିତ । ରାଧାକୃଷ୍ଣ ତତ୍ତ୍ୱକୁ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଗର୍ଭିତ କରି ପଞ୍ଚସଖା କବିଗଣ ଶ୍ରୀକ୍ଷେତ୍ରକୁ ନିତ୍ୟ ବୃନ୍ଦାବନ; ବଳରାମଙ୍କୁ ଅନନ୍ତ; ସୁଭଦ୍ରାଙ୍କୁ ପ୍ରେମରୂପୀ ଏବଂ ଜଗନ୍ନାଥଙ୍କୁ ରାଧାକୃଷ୍ଣଙ୍କ ମିଳିତ ରୂପ ଭାବରେ ପରିକଳ୍ପନା କରିଛନ୍ତି । ବଳରାମ, ଜଗନ୍ନାଥ, ଅଚ୍ୟୁତାନନ୍ଦ, ଅନନ୍ତ, ଯଶୋବନ୍ତ ଆଦିଙ୍କ ରାଧାକୃଷ୍ଣ ପରିକଳ୍ପନା ଜ୍ଞାନମିଶ୍ରା ଭକ୍ତିର ତାତ୍ତ୍ୱିକ ଆଧାର ଉପରେ ଗଢ଼ି ଉଠିଛି ।

 

ପଞ୍ଚସଖା ପରବର୍ତ୍ତୀ ସମୟରେ ବହୁ କବି ରାଧାକୃଷ୍ଣ ତତ୍ତ୍ୱର ବିଶଦ ବିବରଣୀ ପ୍ରଦାନ କରିଛନ୍ତି । କାହ୍ନୁ ଖୁଣ୍ଟିଆଙ୍କ ‘ମହାଭାବ ପ୍ରକାଶ’, ହରିଦାସଙ୍କ ‘ନିତ୍ୟ ନୀଳାଦ୍ରି ବିଳାସ’, ଦିବାକର ଦାସଙ୍କ ‘ଜଗନ୍ନାଥ ଚରିତାମୃତ’, ଭାବିୟା ଦାସଙ୍କ ‘ଜ୍ଞାନ ସାଗର’, ଈଶ୍ୱର ଦାସଙ୍କ ‘ଶ୍ରୀରାଧା ଜନ୍ମ’, ବିଷ୍ଣୁଦାସଙ୍କ ‘ଉତ୍ପଳ ଟୀକା’, ଅରକ୍ଷିତ ଶିବଙ୍କ ‘ରାଧା ରସାମୃତ ଗୀତା’, ଦ୍ୱାରିକା ଦାସଙ୍କ ‘ପ୍ରେମ ରସ ଚନ୍ଦ୍ରିକା’ ଆଦି ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ । ଏହି ସମୟରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳାକୁ ଉପଜୀବ୍ୟ କରି ଅନେକ କାବ୍ୟ ରଚିତ ହୋଇଛି । ଚାନ୍ଦ ଦାସଙ୍କ ‘ଗୋପୀ ଚନ୍ଦନ’, ବୃନ୍ଦାବତୀ ଦାସୀଙ୍କ ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’, ଭୀମ ଦାସଙ୍କ ‘ଭକ୍ତି ରତ୍ନାବଳୀ’, ଦନାଇ ଦାସଙ୍କ ‘ଗୋପୀ ଭାଷା’, ଭୂପତି ପଣ୍ଡିତଙ୍କ ‘ପ୍ରେମ ପଞ୍ଚାମୃତ’, ଲୋକନାଥଙ୍କ ‘ବୃନ୍ଦାବନ ବିହାର’, ଦାଶରଥି ଦାସଙ୍କ ‘ବ୍ରଜ ବିହାର’, କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ‘ବ୍ରଜ ବିଳାସ’ ଆଦିରେ ଶ୍ରୀକୃଷ୍ଣଙ୍କ ଜୀବନର ବିଭିନ୍ନ ଉପାଖ୍ୟାନ କାବ୍ୟ ଶୈଳୀରେ ବର୍ଣ୍ଣିତ । ରୀତି ଯୁଗରେ ବହୁ କବି ରାଧାକୃଷ୍ଣଙ୍କ ବହୁବିଧ ଲୀଳାକୁ ଚମତ୍କାର କାବ୍ୟ ରୂପେ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ରସର ପରିବେଷଣ ମାଧ୍ୟମରେ ରସିକ ପାଠକଙ୍କ ମନୋରଞ୍ଜନ କରିବାକୁ ସମର୍ଥ ହୋଇଛନ୍ତି । ସେହିପରି କେତୋଟି ବିଶିଷ୍ଟ କାବ୍ୟ ହେଉଛି- ଦୀନକୃଷ୍ଣ ଦାସଙ୍କ ‘ରସ କଲ୍ଲୋଳ’, ଧନଞ୍ଜୟ ଭଞ୍ଜଙ୍କ ‘କୃଷ୍ଣକ୍ରୀଡ଼ା କାବ୍ୟ’, ଘନ ଭଞ୍ଜଙ୍କ ‘ଗୋବିନ୍ଦ ବିଳାସ’, କୃପାସିନ୍ଧୁ ଦାସଙ୍କ ‘ବ୍ରଜ ବିହାର’, ଦୀନବନ୍ଧୁ ରାଜହରିଚନ୍ଦନଙ୍କ ‘ନବ ବୃନ୍ଦାବନ ବିହାର’ ଓ ‘ରାଧାବିଳାସ କାବ୍ୟ’, ଉପେନ୍ଦ୍ର ଭଞ୍ଜଙ୍କ ‘କଳା କଉତୁକ’, କୁଞ୍ଜବିହାରି ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’, ‘ଗୋବିନ୍ଦ ବିଳାସ କାବ୍ୟ’, ମାଗୁଣି ପଟ୍ଟନାୟକଙ୍କ ‘ଗୋପୀ ଭାଷା ଚରିତ’, ନାରାୟଣ ଦାସଙ୍କ ‘ରାଗାଧିମୃତ’, ସଦାନନ୍ଦ କବିସୂର୍ଯ୍ୟଙ୍କ ‘ଯୁଗଳ ରସାମୃତ ଭଉଁରୀ’, ‘ଯୁଗଳ ରସାମୃତ ଲହରୀ’, ‘ପ୍ରେମ ତରଙ୍ଗିଣୀ’, ‘ନିଷ୍ଠା ନୀଳମଣି’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ପ୍ରେମ ଚିନ୍ତାମଣି’, ‘ବିଦଗ୍ଧ ଚିନ୍ତାମଣି’, ଚକ୍ରପାଣି ପଟ୍ଟନାୟକଙ୍କ ‘କୃଷ୍ଣ ବିଳାସ’, ମୁକୁନ୍ଦ ଦେବଙ୍କ ‘କୃଷ୍ଣ ଅଭିଳାଷ’, ଶ୍ୟାମସୁନ୍ଦର ଦେବଙ୍କ ‘ଅନୁରାଗ କଳ୍ପଲତା’, କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦା ଚମ୍ପୂ’, ଯଦୁମଣିଙ୍କ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’, ନାରାୟଣ ମର୍ଦ୍ଦରାଜଙ୍କ ‘ମହାରାହାସ’ ଇତ୍ୟାଦି । ଶ୍ରୀକୃଷ୍ଣଙ୍କ ସ୍ୱକୀୟା ଓ ପରକୀୟା ଲୀଳା ବର୍ଣ୍ଣନାରେ ଓଡ଼ିଆ କାବ୍ୟପୁଞ୍ଜ ସର୍ବଦା ନିନାଦିତ ହୋଇ ଆସିଛି ।

 

ଭକ୍ତଚରଣଙ୍କ କାବ୍ୟମାନସ ଓ ମଥୁରା ମଙ୍ଗଳ :- ଭକ୍ତଚରଣ ଯେତେବେଳେ କାବ୍ୟ ସାଧନା ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଉତ୍କଳରେ ରାଗାନୁଗା ପ୍ରେମ ଭକ୍ତିର ପ୍ରବଳ ପ୍ରାବଲ୍ୟ ପରିଲକ୍ଷିତ ହୋଇଥିଲା । ଓଡ଼ିଶାର ବହୁ କବି ପ୍ରେମଭକ୍ତି ଆଧାରରେ କାବ୍ୟ ରଚନା କରିବାର ଏକ ବଳିଷ୍ଠ ଭିତ୍ତି ପକାଇ ସାରିଥିଲେ । କେତେବେଳେ ଶ୍ରୀକୃଷ୍ଣଙ୍କ ନାୟିକା ରୂପେ ଗୋପାଙ୍ଗନା ତ (ରସ କଲ୍ଲୋଳ ଆଦି କାବ୍ୟ), ଅନ୍ୟ କେତେବେଳେ ଶ୍ରୀରାଧା (ବିଦଗ୍ଧ ଚିନ୍ତାମଣି, ପ୍ରେମ ଚିନ୍ତାମଣି ଆଦି କାବ୍ୟ) ପୁଣି କେତେବେଳେ ଚନ୍ଦ୍ରାବଳୀ (କଳା କଉତୁକ ଆଦି କାବ୍ୟ) ପରିକଳ୍ପିତା ହୋଇଥିଲେ । ରୁକ୍ମିଣୀ, ସତ୍ୟଭାମା, ଆଦିଙ୍କୁ ନାୟିକା ରୂପେ ସନ୍ନିବେଶିତ କରାଯାଇ କାବ୍ୟ ରଚିତ ହୋଇଥିଲା । ବେଳେବେଳେ ଉଭୟ ସ୍ୱକୀୟା ଓ ପରକୀୟା ନାରୀ ମଧ୍ୟ କାବ୍ୟ ନାୟିକା ରୂପେ (ରହସ୍ୟମଞ୍ଜରୀ) ପରିକଳ୍ପିତା ହୋଇଛନ୍ତି । ମାତ୍ର ସେ କ୍ଷେତ୍ରରେ ଶୁଦ୍ଧରାଗାନୁଗା ଭକ୍ତିର ଜୟଗାନ କରାଯାଇଛି । ‘ମଥୁରା ମଙ୍ଗଳ’ କାବ୍ୟରେ ଶୁଦ୍ଧାଭକ୍ତି ଓ ଜ୍ଞାନ ମିଶ୍ରା ଭକ୍ତି ସମ୍ପର୍କରେ ରୋଚକ ବର୍ଣ୍ଣନା ରହିଥିଲେ ହେଁ ଜ୍ଞାନମାର୍ଗୀ ଉଦ୍ଧବଙ୍କ ଯୁକ୍ତି ପ୍ରେମମାର୍ଗୀ ଗୋପାଙ୍ଗନାଙ୍କ ନିକଟରେ ମ୍ଳାନ ପଡ଼ିଯାଇଛି ।

 

ଭକ୍ତଚରଣ ଥିଲେ ଭକ୍ତ, ବୈରାଗ୍ୟ ପୁଣି କବି । ଅନ୍ୟ କବିମାନଙ୍କଠାରୁ ଭକ୍ତଚରଣଙ୍କ ସ୍ୱାତନ୍ତ୍ର୍ୟ ହେଉଛି- ସେ ପ୍ରଥମେ ଭକ୍ତ ଓ ପରେ କବି । ତେଣୁ ‘ମଥୁରା ମଙ୍ଗଳ’ କାବ୍ୟରେ ଭକ୍ତି, ତତ୍ତ୍ୱ ଓ କବିତ୍ୱର ସୁମଧୁର ସମନ୍ୱୟ ସଂଘଟିତ ହୋଇଛି । ଭକ୍ତଚରଣଙ୍କ ସୃଷ୍ଟି ସମ୍ଭାର ବିପୁଳକାୟ ନୁହେଁ । ‘କଳା କଳେବର ଚଉତିଶା’, ‘ମନବୋଧ ଚଉତିଶା’, ‘ମନ ଶିକ୍ଷା’, (କେହି କେହି ତାଙ୍କର ‘ଗୋପମଙ୍ଗଳ’ ନାମରେ କାବ୍ୟଟିଏ ଅଛି ବୋଲି ମତ ଦେଇଥାନ୍ତି), ମଥୁରାମଙ୍ଗଳ ଆଦି ଅଳ୍ପ କେତୋଟି ହେଉଛି ତାଙ୍କର ସମୁଦାୟ ସୃଷ୍ଟି ସମ୍ଭାର । ଉପରୋକ୍ତ ଦୁଇଟି ଚଉତିଶାର କଳାତ୍ମକମାନ, ସାଙ୍ଗୀତିକତା, ଅପୂର୍ବ ରସବୋଧ, ଭକ୍ତିଭାବନା ଆଦି ଅତୁଳନୀୟ ।

 

‘ମନଶିକ୍ଷା’ ଭକ୍ତଚରଣ ଦାସଙ୍କ ପ୍ରାଥମିକ ରଚନା । ରାଗାନୁଗା ଭକ୍ତି ମାର୍ଗ ସମ୍ପର୍କରେ ଏଥିରେ ବର୍ଣ୍ଣନା ରହିଛି । ବୈଷ୍ଣବ ଧର୍ମର ମହତ୍ତ୍ୱ ପ୍ରଖ୍ୟାପନରେ ଗ୍ରନ୍ଥଟି ମୁଖରିତ । ସମୁଦାୟ ସତରଟି ଅଧ୍ୟାୟରେ ସୀମିତ ଗ୍ରନ୍ଥଟିରେ ବୈଷ୍ଣବ ଦର୍ଶନ, ଚୈତନ୍ୟ ଓ କୃଷ୍ଣ ମହିମା ବର୍ଣ୍ଣନା ପାଇଁ ଆଠଟି ଅଧ୍ୟାୟ ଏବଂ ଅବଶିଷ୍ଟ ନଅଟି ଅଧ୍ୟାୟରେ ଅନ୍ୟାନ୍ୟ ବିଷୟ (ଏକାଦଶୀ, ରାଗମାର୍ଗ, ଦ୍ୱାଦଶ ଶବନ, ବିଭିନ୍ନ ରସ ଆଦି) ବର୍ଣ୍ଣିତ । ଗ୍ରନ୍ଥଟିର ବହୁକ୍ଷେତ୍ରରେ କବିଙ୍କର ବୈରାଗ୍ୟ ଭାବନା ପ୍ରକାଶିତ । ‘ମନ-ଚୈତନ୍ୟ’ ଶୈଳୀରେ ଏହା ରଚିତ । ସଂସାରାସକ୍ତ ମନକୁ ବିଷୟ ବାସନାଠାରୁ ଦୂରରେ ରଖିବା ପାଇଁ ଚୈତନ୍ୟ (ମନ) ବିଭିନ୍ନ ଉପଦେଶ ପ୍ରଦାନ କରିଛନ୍ତି । ନିୟନ୍ତ୍ରଣହୀନ ମନକୁ କୃଷ୍ଣ ମହିମା ଶ୍ରବଣ ଓ ହରିନାମ କୀର୍ତ୍ତନ ପାଇଁ ପରାମର୍ଶ ଦିଆଯାଇଛି ।

 

‘ମନବୋଧ ଚଉତିଶା’ଟି ଚଉତିଶା ଶୈଳୀରେ ରଚିତ ହୋଇଥିଲେ ହେଁ, ଏହାର କଳାତ୍ମକ ଓ ଭାବାତ୍ମକ ଦିଗ ବେଶ୍‌ ଉଚ୍ଚକୋଟୀର । ସଂସାରର ଅଳୀକତା ଓ କ୍ଷଣଭଙ୍ଗୁରତାକୁ ବର୍ଣ୍ଣନା କରିବା ସମୟରେ କବି ଭକ୍ତିରସକୁ ଅଙ୍ଗୀରସ ରୂପେ ଗ୍ରହଣ କରିଛନ୍ତି । ବସ୍ତୁବାଦୀ ମଣିଷ ବିଷୟ ବାସନାରେ ନିମଜ୍ଜିତ ରହି ଜୀବନର ମହାର୍ଗ ଭାବନାଟିକୁ ବିସ୍ମୃତ ହୋଇଥାଏ । ଅନିତ୍ୟ ଶରୀର ପ୍ରତି ଅତ୍ୟଧିକ ଲାଳସା ପ୍ରକାଶ କରୁଥିବା ମାନବ ସମାଜକୁ ଚିରନ୍ତନର ପଥ ଅନୁସରଣ କରିବା ନିମିତ୍ତ ବିଭିନ୍ନ ଉଦାହରଣ ମାଧ୍ୟମରେ ଏଥିରେ ସୂଚନା ପ୍ରଦାନ କରାଯାଇଛି । ଅର୍ଥ ଓ କାମ ନୁହେଁ; ଧର୍ମ ଏବଂ ମୋକ୍ଷ ଜୀବନର ଅନ୍ତିମ ଲକ୍ଷ୍ୟ- ଏହା ଚଉତିଶାଟିରେ ବାରମ୍ୱାର ସତର୍କ କରାଇ ଦିଆଯାଇଛି । ମୃତ୍ୟୁ ଧ୍ରୁବସତ୍ୟ । ତେଣୁ ଆତ୍ମାର ମୁକ୍ତି ଓ ସୁରକ୍ଷା ପାଇଁ ନାମଭଜନ ଉପରେ କବି ଗୁରୁତ୍ୱ ଦେଇଛନ୍ତି । ଅନାସକ୍ତି ଓ ବୈରାଗ୍ୟ ସମ୍ୱନ୍ଧରେ କହିବାବେଳେ ସେ ସଂସାରର ଅନିତ୍ୟତାକୁ ବାରମ୍ବାର ଉଲ୍ଲେଖ କରିଛନ୍ତି । ମାୟାଚ୍ଛନ୍ନ ଜଗତ ଓ ଜନ୍ମ-ମୃତ୍ୟୁ ଚକ୍ରରୁ ମଣିଷର ମୁକ୍ତି ପାଇଁ ଏହି ଚଉତିଶାଟିରେ ବିଭିନ୍ନ ଉପମା ଓ ଉଦାହରଣ ପ୍ରଦାନ କରାଯାଇଛି । ଏଥିରୁ କବିଙ୍କ ବୈରାଗ୍ୟ ଭାବନା ସ୍ୱତଃ ପ୍ରକଟିତ ହୋଇଥାଏ ।

 

‘କଳା କଳେବର ଚଉତିଶା’ରେ କବିଙ୍କ ଭକ୍ତି ଭାବନାର ବିମଳ ପରିପ୍ରକାଶ ପରିଲକ୍ଷିତ । ବଳରାମ ଏବଂ ଶ୍ରୀକୃଷ୍ଣ- ଦୁଇ ଭାଇଙ୍କର ରୂପବର୍ଣ୍ଣନା ଅତୀବ ରମଣୀୟ । ଲଳିତ ମଧୁର ପଦ ମଧ୍ୟରେ ମଥୁରା ଯାତ୍ରାକାଳୀନ ରଥାରୂଢ଼ ରାମକୃଷ୍ଣଙ୍କ ବର୍ଣ୍ଣନା କବି ଚେତନାର ଚମତ୍କାର ଭାବକୁ ଗ୍ରହଣ କରିଛି । ଶ୍ରୀକୃଷ୍ଣଙ୍କ ସଂସର୍ଗ ନିମିତ୍ତ ମଧୁପୁର ଯୁବତୀମାନଙ୍କର ବ୍ୟାକୁଳତା, ତାଙ୍କ ରୂପ ଶୋଭାରେ ମଥୁରା ରମଣୀମାନଙ୍କର କାମଭାବ, ନାରୀମାନଙ୍କର ବିଭିନ୍ନ କାମୋଦ୍ଦୀପକ ଅଙ୍ଗଭଙ୍ଗୀର ସୁନ୍ଦର ବର୍ଣ୍ଣନା ଏଥିରେ ଦେଖିବାକୁ ମିଳେ । ଏହି ଚଉତିଶାଟିର କବିତ୍ୱ ଓ ସାଙ୍ଗୀତିକତା ବେଶ୍‌ ଉଚ୍ଚମାନର । କବି ହୃଦୟର ତନ୍ମୟତାର ମଞ୍ଜୁଳ ବର୍ଣ୍ଣନାରେ ଚଉତିଶାଟି ଅତ୍ୟନ୍ତ ମନୋରମ ହୋଇପାରିଛି ।

 

ଭକ୍ତଚରଣଙ୍କ ‘ମଥୁରା ମଙ୍ଗଳ’ କାବ୍ୟର ଜନପ୍ରିୟତା ସର୍ବଜନ ବିଦିତ । କବିତ୍ୱ, କଳ୍ପନା, ଭକ୍ତିଭାବନା ଓ ସାଙ୍ଗୀତିକତାର ଅପୂର୍ବ ସମନ୍ୱୟ ସଂଘଟିତ ଏହି କାବ୍ୟରେ । କବିଥିଲେ ଶୁଦ୍ଧରାଗାନୁଗା ଭକ୍ତିର ଉପାସକ । କବିଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣ ପ୍ରେମମୟ ଶୁଦ୍ଧ ପୁରୁଷ ଓ ଗୋପାଙ୍ଗନାଗଣ ପ୍ରେମମୟୀ ପ୍ରକୃତି । ସରଳ ଭାଷାରେ ଉପସ୍ଥାପିତ କରାଯାଇ ଶୁଦ୍ଧାଭକ୍ତିର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି । ଶ୍ରୀକୃଷ୍ଣ ହେଉଛନ୍ତି ସାକାର ବ୍ରହ୍ମ । ଉଦ୍ଧବ ଓ ଗୋପାଙ୍ଗନାଙ୍କ ମଧ୍ୟରେ କଥୋପକଥନ ମାଧ୍ୟମରେ କବି ଜ୍ଞାନମାର୍ଗ ଓ ପ୍ରେମମାର୍ଗର ବିଭିନ୍ନ ସୋପାନ ଉନ୍ମୋଚନ କରିଛନ୍ତି । ଗୋପୀମାନଙ୍କର ଅକାଟ୍ୟ ଯୁକ୍ତି ନିକଟରେ ଜ୍ଞାନମାର୍ଗୀ ଉଦ୍ଧବ ମଥାନତ କରିଛନ୍ତି ।

 

କାବ୍ୟଟି ସମୁଦାୟ ତିରିଶଟି ଛାନ୍ଦରେ ରଚିତ । କବି ଅନେକ କ୍ଷେତ୍ରରେ ଶ୍ରୀକୃଷ୍ଣଙ୍କ ମାନବୋଚିତ ଗୁଣାବଳୀର ପ୍ରଦର୍ଶନ କରାଇଥିଲେ ହେଁ, ତାଙ୍କ ଦୃଷ୍ଟିରେ ସେ କିନ୍ତୁ ସ୍ୱୟଂ ପରଂବ୍ରହ୍ମ । ଧନୁଯାତ୍ରା ଉପଲକ୍ଷେ କଂସର କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣଠାରୁ କାବ୍ୟର ଆରମ୍ଭ ଏବଂ ଗୋପପୁରରୁ ପ୍ରତ୍ୟାବର୍ତ୍ତିତ ଉଦ୍ଧବଙ୍କ ମଥୁରାରେ ଶ୍ରୀକୃଷ୍ଣଙ୍କୁ ଗୋପପୁରର ସମ୍ୱାଦ ପ୍ରଦାନରେ କାବ୍ୟର ପରିସମାପ୍ତି । ଅନ୍ୟାନ୍ୟ ଛାନ୍ଦମାନଙ୍କରେ ଅକ୍ରୂରଙ୍କ ଗୋପଗମନ ଏବଂ କଂସର ଚିଟାଉ ପ୍ରଦାନ ପରେ ଗୋପାଙ୍ଗନା, ଯଶୋଦାଙ୍କ କୃଷ୍ଣ ବିଚ୍ଛେଦ ଆଶଙ୍କାରେ କ୍ରନ୍ଦ, କୃଷ୍ଣ-ବଳରାମଙ୍କୁ ରଥରେ ବସାଇ ମଥୁରା ପୁରକୁ ଆଣିବା ସମୟରେ ଅକ୍ରୂରର ଭ୍ରାନ୍ତି ଓ ତାର ନିରାକରଣ ମଧ୍ୟରେ ଭକ୍ତିର ସାରୂପ୍ୟ ବର୍ଣ୍ଣନ, କୃଷ୍ଣ ନିଧନ ନିମିତ୍ତ କଂସର ନିଜ ପାରିଷଦ ଓ ଅନ୍ୟମାନଙ୍କ ସହିତ ମନ୍ତ୍ରଣା, ମଥୁରାରେ କୃଷ୍ଣ ବଳରାମଙ୍କ ଦର୍ଶନରେ ମଥୁରା ନଗରବାସୀଙ୍କ ଆନନ୍ଦଭାବ, ମଥୁରା ରମଣୀଙ୍କ ମନରେ କାମଭାବ ସୃଷ୍ଟି; ମଲ୍ଲମାନଙ୍କ ସହିତ କୃଷ୍ଣ ବଳରାମଙ୍କ ସମର, କଂସର ମୃତ୍ୟୁ, ଶୋକାର୍ତ୍ତ କଂସ ରମଣୀମାନଙ୍କୁ ଶ୍ରୀକୃଷ୍ଣଙ୍କ ଆଶ୍ୱାସନା ଓ ଛଦ୍ମକ୍ରନ୍ଦନ, ଉଦ୍ଧବଙ୍କର ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଗୋପଗମନ ଆଦି ବିଷୟର ଅବତାରଣା କରାଯାଇଛି ।

 

ଗୋପୀ ଭାବର ମହିମା ପ୍ରଖ୍ୟାପନ ‘ମଥୁରା ମଙ୍ଗଳ’ କାବ୍ୟର ମୁଖ୍ୟ ଉଦ୍ଦେଶ୍ୟ । ଆନୁଷଙ୍ଗିକ ଭାବେ ଏଥିରେ ଅନ୍ୟାନ୍ୟ ପ୍ରସଙ୍ଗ ସଂଯୋଜଜିତ ହୋଇ କାବ୍ୟଟିକୁ ଆକର୍ଷଣୀୟ ଓ ମନୋରଞ୍ଜକ କରିପାରିଛି । କାବ୍ୟ ଆମୂଳାନ୍ତ ଶାନ୍ତରସ ପ୍ରଧାନ । କେହି କେହି ଭକ୍ତିରସ ପ୍ରଧାନ ବୋଲି ମତବ୍ୟକ୍ତ କରିଥାନ୍ତି । ତେବେ ଏହି ଦୁଇଟି ରସ ମଧ୍ୟରେ ବିଶେଷ ପାର୍ଥକ୍ୟ ନ ଥିବାରୁ ‘ମଥୁରାମଙ୍ଗଳ’ ପରିପ୍ରେକ୍ଷୀରେ ଉଭୟ ରସର ଗୁରୁତ୍ୱ ସ୍ୱୀକାର୍ଯ୍ୟ । ମଧ୍ୟଯୁଗୀୟ କାବ୍ୟ ପରମ୍ପରାରେ ସେ କାଳ୍ପନିକ କାବ୍ୟ ହେଉ କିମ୍ବା ପୌରାଣିକ କାବ୍ୟ ହେଉ, ପ୍ରେମର ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ବିଶେଷ ଭାବରେ ପ୍ରେମଭକ୍ତି ଧର୍ମରେ ଏହାର ସର୍ବାଧିକ ଗୁରୁତ୍ୱ ଉପଲବ୍‌ଧ । ଶ୍ରୀକୃଷ୍ଣଙ୍କ ପାଇଁ ଗୋପାଙ୍ଗନା ଓ ମଥୁରା ନାରୀମାନଙ୍କ ମନରେ ଯେଉଁ ବେପଥୁ ଭାବର ସୃଷ୍ଟି, ତାହା ଯେ ଦେହଜ ପ୍ରେମର ଊର୍ଦ୍ଧ୍ୱରେ ତାହା କୁହାଯାଇପାରିବ ନାହିଁ । ମାତ୍ର ଭକ୍ତଚରଣ ମାନସିକ ସ୍ତରରେ ଥିଲେ ଶୁଦ୍ଧ ରାଗାନୁଗା ଭକ୍ତିର ଉପାସକ । କାବ୍ୟାନୁରୋଧରେ ରସିକ ପାଠକମାନଙ୍କ ରୁଚିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସେ ଏପରି ବର୍ଣ୍ଣନା ପ୍ରଦତ୍ତ କରିବାକୁ ବାଧ୍ୟ ହୋଇଛନ୍ତି । ‘ମଥୁରା ମଙ୍ଗଳ’ କାବ୍ୟରେ ଉଭୟ ପାର୍ଥିବ ଓ ଅପାର୍ଥିବ ପ୍ରେମର ମହତ୍ତ୍ୱ ସ୍ୱୀକୃତ-। ଏଥିରେ ଯେଉଁ ସାର୍ବକାଳିକ ପ୍ରେମର ଗାଥା ପ୍ରଚାରିତ, ତାହା ସ୍ଥାନ, କାଳ ଊର୍ଦ୍ଧ୍ୱରେ ଇନ୍ଦ୍ରିୟ ଓ ଅତୀନ୍ଦ୍ରିୟ ଭାବକୁ କେବଳ ଦ୍ୟୋତିତ କରେ ନାହିଁ; ମଣିଷ ମନର ଚିରନ୍ତନ ଭାବାବେଗକୁ ହିଁ ସମ୍ମାନ ଦେଇଥାଏ । ଅବଶ୍ୟ ଭାଗବତରେ ଗୋପାଙ୍ଗନାଙ୍କ ସହିତ ଶ୍ରୀକୃଷ୍ଣଙ୍କ ରାସକ୍ରୀଡ଼ା ବା ଅନ୍ୟାନ୍ୟ କ୍ରୀଡ଼ା ଲୀଳା ଭାବରେ ଖ୍ୟାତ । ‘ମଥୁରା ମଙ୍ଗଳ’ କାବ୍ୟରେ ଶ୍ରୀକୃଷ୍ଣ ଓ ଗୋପାଙ୍ଗନାଙ୍କ ପ୍ରେମ ମଧ୍ୟ ଦେଇ ଯେଉଁ ଜୀବନବୋଧର ପରିପ୍ରକାଶ ଘଟିଛି, ତାହା ହିଁ ଏହାର ସର୍ବଶ୍ରେଷ୍ଠ ବିଭବ ରୂପେ ପରିଗଣିତ । ଏଥିରେ ଦେବତ୍ୱ ଅପେକ୍ଷା ମାନବୋଚିତ ଗୁଣାବଳୀର ପରିପ୍ରକାଶ ଘଟିଥିବାରୁ ତାହା ଅଧିକ ଆକର୍ଷଣୀୟ ଓ ଚିତ୍ତମୋଦକ ହୋଇପାରିଛି । ଗୋପାଙ୍ଗନାଙ୍କୁ ଶ୍ରୀକୃଷ୍ଣଙ୍କର ପତ୍ର ଏବଂ ଗୋପାଙ୍ଗନାଙ୍କ ପ୍ରତ୍ୟୁତ୍ତର ମଧ୍ୟରେ ପୁରୁଷ ଓ ନାରୀ ପ୍ରାଣର ଚରମ ବ୍ୟଥା ତଥା ହୃଦୟର ବହୁ ଗୋପନ ରହସ୍ୟ ଉନ୍ମୋଚିତ । ଶ୍ରୀକୃଷ୍ଣଙ୍କ ପତ୍ରରେ ଗୋଟିଏ ପୁରୁଷ ପ୍ରାଣର ଦରଦୀ ଭାବ ଯେପରି ଭାବରେ ପ୍ରକାଶିତ, ଅନୁରୂପ ଭାବେ ଗୋପାଙ୍ଗନାଙ୍କ ପତ୍ରରେ ନାରୀ ହୃଦୟର ରୁଦ୍ଧ ଦ୍ୱାର ଉନ୍ମୋଚିତ । ଉଦାହରଣଟିଏ ଉଦ୍ଧାର କରାଯାଇପାରେ-

 

ଅଶନ ବିଷ ତହିଁ ସମବସନ ଝଟକ ହେଲାଣି ଅଙ୍ଗର

ତାଟଙ୍କ ହାର ଭାର ବହି ନ ପାରୁ ତୁମ୍ଭ ଅଭାବରୁ ନାଗର

କୃଷ୍ଣ ହେ ! ନ ଯାଉ ଯମୁନା ଜଳକୁ

ଯେବେ ଯାଉଁ ତେବେ ନେତ୍ର ବୁଜି ଥାଉଁ ନ ଚାହୁଁ କଦମ୍ୱ ମୂଳକୁ

ନିଶାକାଳେ ନିଶାକରକୁ ନ ଚାଡୁ ନ ଘେନୁ କର୍ପୂର ଚନ୍ଦନ

ଝର ପରା ହୋଇ ନିରତେ ନୟନୁ ଲୋତକ ଝରଇ ମୋହନ

ନାଥ ହେ ! ଏଣୁ ନ ଘେନୁଛୁ ଅଞ୍ଜନ ।

ମସ୍ତକେ ସିନ୍ଦୂର ବିନ୍ଦୁକୁ ନ ଘେନୁ ନ କରୁ ମକରୀ ଲେଖନ ।

(୨୯ ଛାନ୍ଦ)

 

ଅତୀତର ସ୍ମୃତିଚାରଣ ମଧ୍ୟରେ ପତ୍ରର ପ୍ରତ୍ୟେକଟି ଧାଡ଼ି ଅଶ୍ରୁସଜଳ । ଉଦ୍ଧବ ଜ୍ଞାନମିଶ୍ରା ଭକ୍ତିର ସାଧକ । ତାଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣ ସ୍ୱୟଂ ପରଂବ୍ରହ୍ମ । ପୁତ୍ର ବିଚ୍ଛେଦ । ଯଶୋଦାଙ୍କ ନିକଟରେ ଉଦ୍ଧବ ତେଣୁ ଶ୍ରୀକୃଷ୍ଣଙ୍କର ସେହି ପରଂବ୍ରହ୍ମ ସ୍ୱରୂପର ନିଗୂଢ଼ ତତ୍ତ୍ୱ ପ୍ରକାଶ କରିବାକୁ ଯାଇ କୁହନ୍ତି-
 

ସକଳ ଜୀବରେ ବିହାର କରଇ ନାହିଁ ତା ବିକାର

ସକଳ ମନ୍ତେ ସକଳ ବେଦାନ୍ତରେ ଯେସନ ଓଁକାର

ସେହି ରୂପେ ଜଳ ସ୍ଥଳ ଅନଳରେ ପୂରିଛି ଗୋବିନ୍ଦ

ତାହା ନ ଥିବାରେ ସଂସାରେ କେ ଅଛି ବିଅର୍ଥେ ନ କାନ୍ଦ

ତୁମ୍ଭ ଦେହେ ସେହି ମୋର ଦେହେ ସେହି ମନ୍ଦାଇ କନ୍ଦାଇ କାନ୍ଦଇ

ହସାଇ ହସି ରସାଇ ରସେ ବାନ୍ଧି ବନ୍ଧାଇ ହୁଅଇ

ମାରଇ ତାରଇ ସୃଜଇ ସକଳ ତାହାର ଘଟଣା

କୀଟୁ ବ୍ରହ୍ମଯାଏ ବ୍ୟାପି ରହିଅଛି ନ ଯାଇ କଳଣା ।

(୨୫ ଛାନ୍ଦ)

 

ଉଦ୍ଧବଙ୍କ ଦୃଷ୍ଟିରେ ଗୋପୀନାଥ ସ୍ୱୟଂ ପରଂବ୍ରହ୍ମ । ଜ୍ଞାନମିଶ୍ରା ସାଧକଙ୍କ ଦୃଷ୍ଟିରେ ପରଂବ୍ରହ୍ମ ପ୍ରଭୁ; ଦାସ୍ୟଭକ୍ତିର ଅନ୍ୟତମ ଉଦାହରଣ । ଯଶୋଦାଙ୍କ ବାତ୍ସଲ୍ୟ ଭାବ (ଭକ୍ତି) ନିକଟରେ ଉଦ୍ଧବଙ୍କ ସମସ୍ତ ଜ୍ଞାନତତ୍ତ୍ୱ ନିଷ୍ପ୍ରାଣ ଓ ମହଳଣ : ତେଣୁ ଉଦ୍ଧବଙ୍କ ତାତ୍ତ୍ୱିକ ବ୍ୟାଖ୍ୟାର ଉତ୍ତର ଦେଇ ମାତା ଯଶୋଦା କହିଛନ୍ତି :

 

ଛାଡ଼ ସେ ବିଷୟ ନକର ସଂଶୟ ଗୋବିନ୍ଦ ଡଗର

ବ୍ରହ୍ମ ବ୍ରହ୍ମ ବୋଲି କେତେ ବୋଲୁଥାଅ ସେ ମୋର କୁମରxxx

ଯହିଁକି ଆସିଛ ସେ କଥା ନ କହି କହୁଛ ଏମାନ

କେ ଜାଣଇ ଜ୍ଞାନ କେ ଜାଣଇ ବ୍ରହ୍ମ କେ ଜାଣେ ଭଜନ

ଯେଉଁ ଜ୍ଞାନ ଯେଉଁ ଭଜନ ସାଧନ କରିଛ କହଇ

ଏକ ଶ୍ୟାମଘନ ବରନ ମୋ ଧନ ଏତିକି ଜାଣଇ

(୨୫ ଛାନ୍ଦ)

 

ଜ୍ଞାନମିଶ୍ରା ଭକ୍ତିର ସାଧକ ଶୂନ୍ୟତତ୍ତ୍ୱ, ଷଡ଼ଚକ୍ର ସାଧନା, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ଆଦି ସମ୍ପର୍କରେ ବିଶେଷ ଅବଗ୍ରାହୀ । ଗୋପାଙ୍ଗନାଙ୍କ ସହିତ ଉଦ୍ଧବଙ୍କ କଥୋପକଥନରେ ଜ୍ଞାନମିଶ୍ରା ଭକ୍ତିର ବିଭିନ୍ନ ଦିଗ ଉନ୍ମୋଚିତ :-

 

ସେ ବ୍ରହ୍ମକୁ କରି ଧ୍ୟାନ କାମନା ହେଉ ଦହନ ହୃଦରେ ଦେଖିବ ନିରଞ୍ଜନ

ଏ ଯେ ମିଥ୍ୟା କଳେବର କ୍ଷଣକେ ହୁଏ ଭଙ୍ଗୁର ଏଣୁ କହୁଅଛି ତାଙ୍କୁ ଚିହ୍ନଗୋ

ଗୋପୀମାନେ, ଷଡ଼ଚକ୍ର ଭେଦିଲେ ପାଇବ

ଚକ୍ଷୁବୁଜି ହୃଦରେ ଚାହିଁବ ଗୋ

ମଣିମୟ ମଣ୍ଡପରେ ରତ୍ନ ସିଂହାସନ ପରେ ପଞ୍ଚାଶ ଦଳ ପାଖୁଡ଼ା ପଦ୍ମ

ତା କେଶର ମଧ୍ୟେ ହରି ଚତୁର୍ଭୂଜ ରୂପଧରି ସେହୁ ପ୍ରଭୁ ପାଦେ କର ସଦ୍ମ ଗୋ

(୨୭ ଛାନ୍ଦ)

 

ପ୍ରେମଭକ୍ତି ସାଧିକା ଗୋପାଙ୍ଗନାଗଣ ଉଦ୍ଧବଙ୍କ ଏହି ତାତ୍ତ୍ୱିକ ବ୍ୟାଖ୍ୟାର ସରଳ ଓ ନିଷ୍କପଟ ଉତ୍ତରଦେଇ କହିଛନ୍ତି-

 

ହରିଦୂତ ! ଆମ୍ଭର ଭକତି ରତ୍ନାକର । ଜ୍ଞାନନଦୀ ତହିଁ ରାମକର ହେ ।

ଅଭାଗ୍ୟ ହୋଇଲା ଯେରୁ ସେକଥା ଶୁଣିଲୁ ତେଣୁ ଆମ୍ଭଆଗେ ଏହା ନ କହିବ

ବ୍ରହ୍ମକୁ ଭାବନ୍ତି ଯେହୁ ଏ ଭାବ ଜାଣନ୍ତି ସେହୁ ଆମ୍ଭେ ତ ନ ଜାଣୁ ତୁମ୍ଭ ଭାବ ହେ ।

ଯେସନେ କପିତ୍‌ଥ ଗଜ ଖାଇ । ପୁଣି ତାହା ବାହାର କରଇ ହେ ।

ଦେଖିଲେ ଦିଶେ ସୁନ୍ଦର ନ ଥାଇ କିଛି ଭିତର ସେହିପରି ରସହୀନ ଜ୍ଞାନ ।

(୨୭ ଛାନ୍ଦ)

 

ଗୋଟିଏ ସମୟରେ ଉତ୍କଳରେ ଜ୍ଞାନମିଶ୍ରା ଓ ଶୁଦ୍ଧାଭକ୍ତି ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା । ଶୁଦ୍ଧାଭକ୍ତିର ଜୀବନବାଦୀ ଦୃଷ୍ଟିଭଙ୍ଗୀ ଜନସାଧାରଣଙ୍କୁ ସହଜରେ ଆକୃଷ୍ଟ କରିପାରିଥିଲା । ‘ମଥୁରା ମଙ୍ଗଳ’ କାବ୍ୟରେ ମଧ୍ୟ ଉଦ୍ଧବ ଓ ଗୋପାଙ୍ଗନାଙ୍କ ମଧ୍ୟରେ ଭକ୍ତି ପ୍ରତ୍ୟୁକ୍ତିରେ ଉଦ୍ଧବ ଗୋପାଙ୍ଗନାଙ୍କ ନିଷ୍କାମ, ନିଃସ୍ୱାର୍ଥ, ପ୍ରେମଭକ୍ତି ନିକଟରେ ମଧ୍ୟ ନିଜର ପରାଜୟ ସ୍ୱୀକାର କରି କହିଛନ୍ତି-

 

ଶୁଣ ଗୋ ଗୋବିନ୍ଦ ପ୍ରିୟେ କୃଷ୍ଣଭକ୍ତି ତୁମ୍ଭ ଦେହେ ଯେଣୁ ଅଛି ତେଣୁ ତୁମ୍ଭେ ବଡ଼

ଆମ୍ଭେ ନ ଜାଣୁ ସେ ରସ ଶେଷ ବିରଞ୍ଚି ମହେଶ ଯେଉଁ ପ୍ରେମ ଅଟେ ମହାଗୂଢ଼ ଗୋ

ଗୋପୀମାନେ ! ତୁମ୍ଭେ ତ କରିଛ ଦେହ ବହି । ତୁମ୍ଭ ସମ ହେବୁ ଆମେ କାହିଁ ଗୋ

ଏହା ଭାଷି ପ୍ରେମ ଭରେ ପୁଣି ଗୋପୀ ପାଦ ଧରେ ପ୍ରେମେ ତନୁ କମ୍ପେ ଥରହର

ଆନନ୍ଦେ ବୋଲଇ ହରି ଉନ୍ମାଦରେ କରତାଳି ପ୍ରେମ ଗଦେ ହେଲା ଜରଜର ସେ

ହରିଦୂତ ! ଗୋପୀଙ୍କ ବଦନ ଚାହିଁ କାନ୍ଦେ । ଜ୍ଞାନ ଛାଡ଼ି ଭକ୍ତି ପାଦେ ବନ୍ଦେ ।

(୨୭ ଛାନ୍ଦ)

 

କେବଳ ସେତିକି ନୁହେଁ; ଗୋପାଙ୍ଗନାଙ୍କ ପ୍ରେମର ଏକ ନିଷ୍ଠତା, ଭକ୍ତି ତଦ୍‌ଗତ ପ୍ରାଣ, ନିଃସ୍ୱାର୍ଥ ସେବା ଓ ଆତ୍ମସମର୍ପଣ ଭାବଦ୍ୱାରା ଉଦ୍‌ବୁଦ୍ଧ ଉଦ୍ଧବ ନିଜକୁ ଗୋପୀ ଭାବରେ ଭାବିତ କରି ମଥୁରା ତ୍ୟାଗ ପୂର୍ବକ ଗୋପ ନଗରରେ ଅବଶିଷ୍ଟ ଜୀବନ ଅତିବାହିତ କରିବାର ସିଦ୍ଧାନ୍ତ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ‘ମଥୁରା ମଙ୍ଗଳ’ର କେତେକାଂଶ ଏଠାରେ ଉଲ୍ଲେଖଯୋଗ୍ୟ-

 

ମୋଠାରେ ସୁଦାୟା କରି ପେଷିଲେ ବରଜ ଶିରୀ ଭାଗ୍ୟ ବଳେ କଲି ଦରଶନ

ଏବେ ଏହି କୃପାକରି ଆଜ୍ଞାଦିଅ ଗିରିଧାରୀ ଫେରିଯିବି ସେହି ବୃନ୍ଦାବନ

ହେ ଦୀନବନ୍ଧୁ ! ଗୋପୀଙ୍କ ସଙ୍ଗରେ ବଞ୍ଚୁଥିବି । ଏଥି ଥାଇ କି ସୁଖ ଭୁଞ୍ଜିବି

କରୁଥିବି ତାଙ୍କ କର୍ମ ସାଧୁଥିବି ତାଙ୍କ ଧର୍ମ କାନ୍ଦୁଥିବି ତାଙ୍କରି ପରାୟେ

ହେଉଥିବି ତାଙ୍କ ବେଶ କରୁଥିବି ବ୍ରଜେ ବାସ କରୁଥିବି ତବ ରୂପ ଧ୍ୟାୟେ ହେ

ଦୀନବନ୍ଧୁ ! କୃଷ୍ଣ ବୋଲି ଗାଉଥିବି ମୁଖେ । ଥିବି ସଦା ସେ ଗୋପୀଙ୍କ ପାଖେ

 

ଉତ୍କଳରେ ଭକ୍ତି ଆନ୍ଦୋଳନର ପରମ୍ପରାକୁ ଲକ୍ଷ୍ୟ କଲେ ଜଣାଯାଏ, ଗୋଟିଏ ସମୟରେ ଶ୍ରୀଜଗନ୍ନାଥଙ୍କଠାରେ ଜ୍ଞାନମିଶ୍ରା ଭକ୍ତି ଓ ଶୁଦ୍ଧ ରାଗାନୁଗା ଭକ୍ତିର ସମ୍ମିଶ୍ରଣ ଘଟି ଉଭୟଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦିତାର ଅବସାନ ଘଟିଥିଲା । ‘ମଥୁରା ମଙ୍ଗଳ’ କାବ୍ୟରେ ଜ୍ଞାନମିଶ୍ରା ସାଧକ ଉଦ୍ଧବଙ୍କର ଗୋପାଙ୍ଗନାଙ୍କ ଶୁଦ୍ଧ ରାଗାନୁଗା ବା ପ୍ରେମଭକ୍ତି ପ୍ରତି ଆକର୍ଷିତ ହେବା ଏବଂ ଗୋପପୁରରେ ରହି ଗୋପାଙ୍ଗନାଙ୍କ ସହିତ ସାଧନା କରି ପ୍ରେମମୟ ଶ୍ରୀକୃଷ୍ଣଙ୍କ ପ୍ରାପ୍ତି ନିମିତ୍ତ ଅଭିଳାଷ ପୋଷଣ କରିବା ସମୟର ସେହି ସମନ୍ୱୟ ଆହ୍ୱାନକୁ ସ୍ୱୀକାର କରିଥାଏ । ଉଦ୍ଧବଙ୍କ ଅଭିଳାଷ ମଧ୍ୟରେ ପ୍ରେମଭକ୍ତିର ଗୌରବ କେବଳ ବନ୍ଦିତ ହୋଇ ନାହିଁ; ପରନ୍ତୁ ଉତ୍କଳରେ ବିଭିନ୍ନ ଧର୍ମର ପରସ୍ପର ମଧୁର ସହାବସ୍ଥାନକୁ ମଧ୍ୟ ସ୍ୱୀକାର କରିଥାଏ । ଭକ୍ତଚରଣଙ୍କ ଆଧ୍ୟାତ୍ମିକ ଭାବ ଭାବନାର ସ୍ପଷ୍ଟ ସଙ୍କେତ ‘ମଥୁରା ମଙ୍ଗଳ’ କାବ୍ୟରୁ ସୁଲଭ ହୋଇଥାଏ ।

 

ଅଷ୍ଟାଦଶ ଶତକର ଶେଷାର୍ଦ୍ଧରେ ଉତ୍କଳ୍ଳରେ ସଂଘଟିତ ଧାର୍ମିକ ଆନ୍ଦୋଳନର ଏକ ସ୍ୱଚ୍ଛ ଚିତ୍ର ‘ମଥୁରା ମଙ୍ଗଳ’ କାବ୍ୟରେ ଉତ୍‌କୀର୍ଣ୍ଣ । ଏତଦବ୍ୟତୀତ ସାମସମୟିକ ଉତ୍କଳୀୟ ଜନମାନସର ଧାର୍ମିକ ଚିନ୍ତାଧାରାକୁ ଏହା ମଧ୍ୟରେ ଲକ୍ଷ୍ୟ କରାଯାଇପାରେ । ଜଗନ୍ନାଥ ଦାସଙ୍କ ଭାଗବତ ପରି ‘ମଥୁରା ମଙ୍ଗଳ’ରେ ବହୁ ସୂକ୍ତି ସ୍ଥାନ ପାଇଛି, ଯାହା ସାମାଜିକ ମଣିଷର ନୈତିକ ବିଚାରବୋଧ ଓ ଜୀବନକୁ ମାର୍ଗ ପ୍ରଦର୍ଶନ କରିପାରିବ । ଯେପରି-

 

ବ୍ୟାଧି ଅଳପ ହୋଇ ସଞ୍ଚରଇ । ହେଳା ମାତ୍ରମେ ପରାଣ ମାରଇ

ସାନବଡ଼ ହେଲେ କି କାର୍ଯ୍ୟ ହୋଇବ, ଯେଉଁ ଜନ ବୁଦ୍ଧି ଯେମନ୍ତ

ଦୁର୍ଜନ ଜନକୁ ସୁଜନ ନ ରୁଚେ, ମୂର୍ଖକୁ ନ ରୁଚଇ ବେଦ

ଯାହାକୁ ଯେ ଦ୍ରବ୍ୟ ରୁଚେ, ସେ କାହିଁ ତାହାକୁ ମୁଞ୍ଚେ

ପରଧନେ ବଡ଼ପଣ କଲେ, ଯାହା ଧନ ସେହୁ ଝୁରି ମରେ

ଅନ୍ଧ ହସ୍ତରୁ ଯଷ୍ଟି ଗଲେ ସେ ଯେହ୍ନେ ହୁଅଇ

ତପତ ଜଳେ ସଫରୀ ରହିଥିଲା ପରାୟେ

ଭଲମନ୍ଦ କି ହୋଇ ଜାଣଇ ଦଇବ

 

ନନ୍ଦ-ଯଶୋଦା ଓ ଗୋପାଙ୍ଗନାଙ୍କ ସହିତ କୃଷ୍ଣଙ୍କର ସମ୍ପର୍କ ଓ ମଧୁରପଣ; ବନ୍ଧୁମାନଙ୍କ ସହିତ ସଖ୍ୟଭାବ, ଉଦ୍ଧବଙ୍କ ସହିତ ହୃଦୟର ସମ୍ପର୍କ, ବାତ୍ସଲ୍ୟ, ପ୍ରେମ, ସଖ୍ୟ ଓ ଦାସ୍ୟ- ଏହି ଚାରିପ୍ରକାର ଭକ୍ତିକୁ ସୂଚାଇଥାଏ । ତେବେ ଚାରିଭକ୍ତି ମଧ୍ୟରେ ପ୍ରେମଭକ୍ତି ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି । ଏହାଛଡ଼ା କୃଷି ପ୍ରଧାନ ଉତ୍କଳୀୟ ସମାଜରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ଓ ସାମାଜିକ ବିଧିବିଧାନ ଏବଂ ସର୍ବୋପରି ଉତ୍କଳୀୟ ସାଂସ୍କୃତିକ ଜୀବନ ପ୍ରବାହର ଚିତ୍ର ଏଥିରେ ଦୁର୍ଲକ୍ଷ୍ୟ ନୁହେଁ ।

 

ଭକ୍ତଚରଣ ଦାସ କେବଳ ଜଣେ ଭକ୍ତ, ବୈରାଗୀ ବା କବି ନ ଥିଲେ; ଥିଲେ ମଧ୍ୟ ନୈତିକ ଆଦର୍ଶର ପ୍ରଖ୍ୟାପକ । ତାଙ୍କର ‘ମନବୋଧ ଚଉତିଶା’, ‘କଳାକଳେବର ଚଉତିଶା’ର ସାର୍ବଜନୀନ ମୂଲ୍ୟବୋଧ ଓ ଆଦର୍ଶବତ୍ତା ଦୀର୍ଘଦିନ ଧରି ଉତ୍କଳୀୟ ଜନସମାଜକୁ ଉଚିତ ମାର୍ଗ ପ୍ରଦର୍ଶନ କରି ଆସିଛି । ସୁକୋମଳ ଛାତ୍ର-ଛାତ୍ରୀଙ୍କ ମନରେ ନୀତିବୋଧ ସୃଷ୍ଟି କରିବା ଏବଂ ଅକ୍ଷର ଶିକ୍ଷା ନିମିତ୍ତ ଦୀର୍ଘଦିନ ପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ଏହା ପଠିତ ହୋଇ ଆସୁଥିଲା । ଏବେ ମଧ୍ୟ ତାଙ୍କ ଚଉତିଶାଗୁଡ଼ିକର ଆବେଦନ ଊଣା ପଡ଼ି ନାହିଁ । ସେହିପରି ‘ମଥୁରା ମଙ୍ଗଳ’ର ଭକ୍ତିକତା, ସାମାଜିକ ଆଦର୍ଶ ଓ ନୈତିକ ଜୀବନବୋଧ ଏ ଜାତିକୁ ଦୀର୍ଘଦିନ ଧରି ଉଚିତ ମାର୍ଗ ପ୍ରଦର୍ଶନ କରି ଆସିଛି । ତେଣୁ ଭକ୍ତଚରଣ ଦାସ ବିପୁଳ ସୃଷ୍ଟିର ଅଧିକାରୀ ନ ଥିଲେ ହେଁ, ତାଙ୍କ ସ୍ୱଳ୍ପ ସୃଷ୍ଟିର ଗୁଣାତ୍ମକମାନ ତାଙ୍କୁ ସବୁଦିନ ପାଇଁ ଓଡ଼ିଆ ସାହିତ୍ୟରେ ଅମର କରି ରଖିବ ।

 

 

ପ୍ରଫେସର ଓ ବିଭାଗୀୟ ମୁଖ୍ୟ

ଓଡ଼ିଆ ବିଭାଗ, ସମ୍ୱଲପୁର ବିଶ୍ୱବିଦ୍ୟାଳୟ

ଜ୍ୟୋତିବିହାର, ବୁର୍ଲା-୭୬୮୦୧୯

 

***

 

‘‘ସମନ୍ୱୟବାଦୀ କବି ରାଧାମୋହନ ଗଡ଼ନାୟକ’’

ବିରଞ୍ଚି ନାରାୟଣ ସାମଲ

 

ସତ୍‌ପାଠକ ଓ ବିବେକୀ ଗ୍ରାହକମାନଙ୍କର ସହୃଦୟତା ଘେନି କବିରୂପେ ସିଦ୍ଧିପ୍ରାପ୍ତ ରାଧାମୋହନ ଗଡ଼ନାୟକ ବିଂଶ ଶତାବ୍ଦୀ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ରମାନର ଅଧିକାରୀ । ଜଣେ ପ୍ରାଜ୍ଞ ରସବନ୍ତ କବି ରୂପେ ସୁପରିଚିତ । ମୌଳିକ ଓ ଅନୁଦିତ କାବ୍ୟ, କାବ୍ୟ ନାଟିକା ଓ କାବ୍ୟ ସମୀକ୍ଷା କ୍ଷେତ୍ରରେ କବି ଗଡ଼ନାୟକଙ୍କ ସାରସ୍ୱତ ଚିନ୍ତାଚେତନାର ପ୍ରଶସ୍ତତା ପ୍ରଶଂସନୀୟ । ତାଙ୍କର ବିଭିନ୍ନ ସାହିତ୍ୟିକ ଭୂମିକା ଭିତରେ କବି ଭୂମିକାଟି ସର୍ବାଧିକ କୃତିତ୍ୱ ମଣ୍ଡିତ ଓ ଆଲୋଚନା-ସମାଲୋଚନାର ପରିସରଭୁକ୍ତ । ମାଟିରୁ ଆକାଶ, କୀଟଠୁଁ ମନୁଷ୍ୟଯାଏଁ ସବୁଠି ତାଙ୍କର ପ୍ରବେଶିକାର ପଥ ପରିଷ୍କାର । ଅର୍ଜିତ ଅନୁଭବକୁ କବିତ୍ୱ ଶକ୍ତିରେ ପରଶି ଦେବାରେ ସେ ଆଦୌ କୁଣ୍ଠିତ ହୋଇନାହାନ୍ତି ।

 

କବି ଆଠବର୍ଷ ବୟସରେ ପ୍ରଥମେ କବିତା ‘ତାରା’ ରଚନା କରିଥିଲେ ହେଁ ୧୯୨୪ ମସିହାରେ ସେ ପ୍ରଥମେ ପତ୍ରପତ୍ରିକାରେ ଆତ୍ମପ୍ରକାଶ କଲେ । ସେହି ସମୟଠାରୁ ମୃତ୍ୟୁପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ତାଙ୍କ ସୁଦୀର୍ଘ କାବ୍ୟ ସାଧନା ବିରତ ହୋଇନାହିଁ ବରଂ ଚଳଚଞ୍ଚଳ ହୋଇ ସମୟର ବିଚାରଧାରା ସହ ସମତାଳରେ ଗତି କରିଛି । ତଥାକଥିତ ଆଧୁନିକତାର ସୁଅ ଓ ମୋହରେ ରାଧାମୋହନ ଭାସି ଯାଇନାହାନ୍ତି । ଅପୂର୍ବ ଗୀତିଛନ୍ଦ, ଗୀତିଧର୍ମିକା ଓ ମୁକ୍ତଛନ୍ଦକୁ ପରିହାର ନ କରି ନିଜସ୍ୱ କବିଗୁଣକୁ ବଜାୟ ରଖିଛନ୍ତି । ତାଙ୍କ ସାରସ୍ୱତ ସୃଷ୍ଟିରେ ବିଭିନ୍ନ ସାହିତ୍ୟିକ ମତବାଦ ଯଥେଷ୍ଟ ପରୀକ୍ଷାପ୍ରବଣ ହୋଇଥିବାର ମନେହୁଏ ନାହିଁ । କୌଣସି ଆଖିଦୃଶିଆ ପ୍ରୟୋଗାତ୍ମକ ପ୍ରୟାସ, ପାଶ୍ଚାତ୍ୟ ପ୍ରବଣତା ତାଙ୍କୁ ଅଧିକ ମାତ୍ରାରେ କବଳିତ କରି ନାହିଁ । ଯଦିଓ ସେ ବହୁପାଠୀ ଓ ନୂତନତାକୁ ଗ୍ରହଣ କରିବାରେ ଅଭିରୁଚି ରଖିଛନ୍ତି । ରାଧାମୋହନୀୟ କବିତାର ସ୍ୱାତନ୍ତ୍ର୍ୟ ତାଙ୍କୁ ବହୁ ଶାସ୍ତ୍ରାବଗାହନ ଓ ମନନର ଫଳଶ୍ରୁତି ।

 

କବି ଜୀବନର ପ୍ରାରମ୍ଭ ପର୍ଯ୍ୟାୟରେ ‘ବନରାଜିନୀଳା’ କବିତାବଳୀ ୧୯୨୪ରୁ ୧୯୨୮ ମସିହା ମଧ୍ୟରେ ରଚିତ । ଜାତୀୟଚେତା ଗ୍ରାମ୍ୟଜୀବନ ଏବଂ ଆଧ୍ୟାତ୍ମ୍ୟବୋଧ ବା ଭାଗବତବୋଧ, କବିତାଗୁଡ଼ିକର ଭାବବସ୍ତୁ ଏହି ସମୟ ମଧ୍ୟରେ ରଚିତ ଏହାର ନିର୍ଝର ବିଭାଗର ମୌଳିକ କବିତାଗୁଡ଼ିକରେ ଗଭୀର ଜୀବନବୋଧ ଓ ପରମ୍ପରାର ସମ୍ମିଶ୍ରଣ ଘଟିବା ସହ ପ୍ରକୃତିର ବିଚିତ୍ରତା ପରିଲକ୍ଷିତ ହୋଇଥାଏ । କବିତାଗୁଡ଼ିକରେ କଞ୍ଚାହାତର ସ୍ପର୍ଶ ଅଧିକ ଅନୁଭୂତ ଓ ସମସାମୟିକ ଓଡ଼ିଆ କବିତାର ସ୍ପନ୍ଦନ ଆଦୌ ଦୁର୍ଲକ୍ଷ୍ୟ ନୁହେଁ । ‘ନିର୍ଝର’ର କାବ୍ୟିକଧାରା କାବ୍ୟନାୟିକାରେ ଉପଲବ୍ଧ । ୧୯୪୫ ମସିହାରେ ଆତ୍ମପ୍ରକାଶ କରିଥିବା କାବ୍ୟନାୟିକାର କବିତାଗୁଡ଼ିକ ନିର୍ଝରର ଭାବଚେତନାସହ ପୌରାଣିକ ଓ ସାଂସ୍କୃତି ମୂଲ୍ୟବୋଧ ଗର୍ଭିତ କଥାଭାଗର କାବ୍ୟରୂପ । ଏହାର ତିନୋଟି ବିଭାଗ ଯଥା- ଜୈତ୍ରୀ, ପ୍ରାକ୍ତନୀ ଓ ଅର୍ଘ୍ୟ ମଧ୍ୟରୁ ପ୍ରାକ୍ତନୀ ପର୍ଯ୍ୟାୟର କବିତାବଳୀରେ ଏହା ଅଧିକ ସ୍ପଷ୍ଟ । ଜୈତ୍ରୀ ବିଭାଗରେ ସ୍ଥାନିତ କବିତାଗୁଡ଼ିକ ମାନବ ଓ ମାନବବାଦ ଜୟଗାନର ମୁଖର । କବି ଉକ୍ତିରେ ଏହାକୁ ଲକ୍ଷ୍ୟ କରାଯାଇପାରେ-

 

ସବୁରି ଲୁହରେ ସବୁରି ଲହୁ

ଅନ୍ତରେ ଆଣି କରଇ ମହୁ

ସେଇତକ ମୋର ବୁକୁର ଥାତି

କବି ହେବା ପାଇଁ ବାସନା ମୋହର

ଦିବସ ରାତିରେ ଦିବସ ରାତି ।

(କବି ହେବା ପାଇଁ ବାସନା ମୋର)

 

କେବଳ ମାନବ ଓ ମାନବିକତା ଭିତରେ କବି ଗଡ଼ନାୟକ ସୀମାବଦ୍ଧ ନୁହନ୍ତି । ଉଦ୍ଭିଦ ଓ ମାଟିର ଅର୍ଚ୍ଚନାରେ କବିଚିତ୍ତ ଉଲ୍ଲସିତ । କବି ମାଟିକୁ ଚରିତ୍ର ରୂପେ ଅବତାରଣା କରି ଯେଉଁ ନୂତନତା ସୃଷ୍ଟି କରିଛନ୍ତି, ତାହା ଅନନ୍ୟ । ପୂର୍ବରୁ ମଧୁସୂଦନ, ବୈକୁଣ୍ଠନାଥ ଓ ମାନସିଂହଙ୍କ ଭଳି କବିଗଣ ମାଟିକୁ ନେଇ କବିତା ରଚନା କରିଥିଲେ ମଧ୍ୟ କବି ଗଡ଼ନାୟକ ମାଟି ଜୀବନ୍ତ । ତାଙ୍କ ‘ମାଟି’ ନିଜେ ହିଁ କଥା କହେ ।

 

‘‘ମାଟି ମୁହିଁ ମାଟି

ମୃତ୍ତିକା ଅଥବା କ୍ଷିତି ପ୍ରୟୋଗ କରନା ଯେ ଭାଷାଟି

ମାଟି ମୁହିଁ ମାଟି ।’’

 

କବି ସ୍ୱ ଆଭିମୁଖ୍ୟରେ ମାଟି ଓ ପରଂପରାନିଷ୍ଠତା ପ୍ରତି ଅଧିକ ଯତ୍ନଶୀଳ । ଏକ ଭାବତଲ୍ଲୀନ ସୌନ୍ଦର୍ଯ୍ୟାନୁରାଗ ତାଙ୍କୁ ଆଚ୍ଛନ୍ନ କରିରଖିଛି । ଏହି ସୌନ୍ଦର୍ଯ୍ୟବୋଧର ବଳୟ ଭିତରେ କବିଙ୍କର ପ୍ରକୃତି ପ୍ରୀତି, ମର୍ତ୍ତ୍ୟାନୁରାଗ ଓ ରୋମାଣ୍ଟିକ ଭାବର ସ୍ୱଚ୍ଛନ୍ଦ ପରି ପ୍ରକାଶ ଘଟିଛି । କବି ହେବା ପାଇଁ ବାସନା ମୋର, ମାଟି ଅପଥଗାମୀ, ସଜାଅନା ସଜନୀ ଗୋ, ଚିରନ୍ତନୀ, ଅଶ୍ରୁସାଧନା, ରୂପହୀନାର ବ୍ୟଥା ପ୍ରଭୃତି କବିତାଗୁଡ଼ିକ ଏହି ଭାବପକ୍ଷରେ ବିସ୍ତାରୀତ ।

 

କାବ୍ୟ ନାୟିକାର ଅର୍ଘ୍ୟ ବିଭାଗରେ ସ୍ଥାନିତ କବିତାଗୁଡ଼ିକ ଭଗବତ୍‌ ଚେତନାରେ ଉଜ୍ଜ୍ୱଳ-। ଅତୀନ୍ଦ୍ରିୟ ଦର୍ଶନର ଭାବ ଅତି ସ୍ପଷ୍ଟ ହୋଇଛି ଏହି କବିତାଗୁଡ଼ିକରେ । ପରମେଶ୍ୱରଙ୍କ ସ୍ଥିତି ପ୍ରତି କବିଙ୍କର ଅଗାଧ ବିଶ୍ୱାସ ଜନ୍ମିଛି । ଏକ ଅଲୌକିକ ଭାସ ସତ୍ତାରେ ବିଭୋର ହୋଇଉଠିଛି କବିର ହୃଦୟ ।

 

‘‘ମୁଁ ତା’ ଜାଣେ ନାହିଁ କେତେବେଳେ ତୁମେ

ହରି ନେଇଅଛ ମରମ ମୋର

ଆହେ ନିରିମମ ମରମ ଚୋର ।’’

(ଅର୍ଘ୍ୟ)

 

ପୌରାଣିକ ଓ ସାଂସ୍କୃତିକ ମୂଲ୍ୟବୋଧ ‘ପ୍ରାକ୍ତନୀ’ ପର୍ଯ୍ୟାୟର କବିତାବଳୀର ଭାବସମ୍ପଦ-। ପିଙ୍ଗଳାର ଅଭିସାର, ଲଳିତା, ବିଭୀଷଣ, ଉର୍ମିଳା ଆଦି କବିତାଗୁଡ଼ିକ ଏହାର ଦୃଷ୍ଟାନ୍ତ । ଲୋକମାନସରେ ପ୍ରସିଦ୍ଧ ଅର୍ଜନ କରିଥିବା ଏହି ଚରିତ୍ରଗୁଡ଼ିକର ଅନ୍ତଃବିଶ୍ଳେଷଣାତ୍ମକ ରସବାହୀ କାବ୍ୟରୂପ ଚମତ୍କାର ଅବଶ୍ୟ ପୌରାଣିକ ମହାକାବ୍ୟିକ ଧାରା ଗଡ଼ନାୟକ କବିତାର ଏକ ପ୍ରମୁଖ ବୈଶିଷ୍ଟ୍ୟ । ରାଧାମୋହନଙ୍କୁ କବି ପ୍ରସିଦ୍ଧି ଆଣି ଦେଇଥିବା ‘କାବ୍ୟନାୟିକା’ ତାଙ୍କ ସଫଳ କାବ୍ୟ ସାଧନାର ପ୍ରତୀକ । ମାତ୍ରାବୃତ୍ତର କମନୀୟ ପରିପ୍ରକାଶରେ ‘କାବ୍ୟନାୟିକା’ ଅଧିକ ରସମଂଜୁଳ ଓ ମର୍ମସ୍ପର୍ଶୀ । କବି ରାଧାମୋହନଙ୍କ କବି ଚେତନାର ଏହି ଉନ୍ମେଷ ଓ ବିକାଶ ପର୍ବରେ କେବଳ ଭାବଭୋକ୍ତାର ଆଖି ନାହିଁ, ଅଛି ଅନୁରାଗୀ ଦ୍ରଷ୍ଟାର ସୂକ୍ଷ୍ମଦର୍ଶନ ।

 

୧୯୩୫ ମସିହା ପରେ କବି ରାଧାମୋହନଙ୍କ କାବ୍ୟସଂସାରର ଉତ୍ତରଣ ପର୍ବ ଆରମ୍ଭ ହୋଇଛି । ତତ୍‌କାଳୀନ ସମୟରେ ଓଡ଼ିଶାର ସାହିତ୍ୟ ସାମ୍ୟବାଦୀ ଦର୍ଶନ ମୁଖର । ଭଗବତୀ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ‘ନବଯୁଗ ସାହିତ୍ୟ ସଂସଦ’ର ପ୍ରତିଷ୍ଠା ଓ ପରେ ପରେ ୧୯୩୬ ମସିହାରେ ‘ଆଧୁନିକ’ ପତ୍ରିକାର ପ୍ରକାଶ ସବୁଜୀୟ କ୍ଷେତ୍ରରେ ରୋମାଣ୍ଟିକ ଭାବସମ୍ପଦକୁ ନଷ୍ଟ କରି ପ୍ରଗତିଶୀଳ ବାସ୍ତବତାର ଏକ ନୂତନ ପର୍ଯ୍ୟାୟ ଉନ୍ମୋଚନ କରିଥିଲା । ଓଡ଼ିଆ କବିତାରେ ଆରମ୍ଭ ହେଲା ମାର୍କସବାଦର ପରମ୍ପରା । ମାର୍କସ, ଏଙ୍ଗେଲ୍‌ସ, ଲେନିନ୍‌ ଓ ଷ୍ଟାର୍ଲିନଙ୍କର ମାର୍କସୀୟ ଦର୍ଶନ ବହୁ ଓଡ଼ିଆ କବିଙ୍କ ଦୃଷ୍ଟି ଓ ଦର୍ଶନକୁ ପରିପୁଷ୍ଟ କଲା । ପୂର୍ବବତ୍ତୀ କବି ଗୋଦାବରୀଶ ମହାପାତ୍ର, କୁନ୍ତଳା କୁମାରୀ ସାବତ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ସଚ୍ଚି ରାଉତରାୟଙ୍କ କାବ୍ୟସ୍ୱରରେ ଏହି ସାମ୍ୟବାଦୀ ଦର୍ଶନ ପ୍ରତିଧ୍ୱନିତ ହେଲା । ମଣିଷର ବଞ୍ଚିବାର ଲକ୍ଷ୍ୟ ଏବଂ ଜୀବନର ନାର୍ଯ୍ୟ ଅଧିକାରଟିକୁ ଉପସ୍ଥାପିତ କଲା କବିର ଲେଖନୀ । ସମୟର ଆହ୍ୱାନକୁ ଅସ୍ୱୀକାର କରି ନ ଥିଲେ କବି ରାଧାମୋହନ । ନିଜ କବିଗୁଣର ସ୍ୱାଭାବିକ ମୌଳିକତାକୁ ଅକ୍ଷୁଣ୍ଣ ରଖି ସେ ପ୍ରଗତିଶାଳୀ ଭାବଟିକୁ ପ୍ରକାଶ କଲେ କବିତାରେ । ରୋମାଣ୍ଟିକ୍ କବିଙ୍କୁ ବିପ୍ଳବୀ ଭାବରେ ସ୍ୱୀକୃତି ଦେଲେ । ‘ବିପ୍ଳବୀ ରାଧାନାଥ’ ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ‘ମୌସୁମୀ’ ଏବଂ ‘ଧୂସର ଭୂମିକା’ରେ ସନ୍ନିବେଶିତ ପ୍ରାୟତଃ ଅଧିକାଂଶ କବିତାରେ କବି ଗଡ଼ନାୟକଙ୍କ ପ୍ରଗତିଶୀଳ ମାନସିକତାର ପରିଚୟ ସୁଲଭ୍ୟ । ଜଣେ ପ୍ରଗତିଶୀଳ କବି ଭାବରେ ସେ ସ୍ୱପ୍ନ ବଦଳରେ ବାସ୍ତବତାକୁ ଲୋଡ଼ିଛନ୍ତି । ସାମାଜିକ ଅବକ୍ଷୟକୁ ଦୃଷ୍ଟିରେ ରଖି ସମର ପଥର ଯାତ୍ରୀ ହେବାକୁ ଅଧିକ ପସନ୍ଦ କରିଛନ୍ତି ।

 

‘‘ମୁଁ ଯେ ସମର ପଥର ଯାତ୍ରୀ

ମୋର କରେ ଏହି ଖର ଶାୟକ

ମୁଁ କି ହୋଇଥିବି ରାଧାମୋହନ

ଆଉ ହେବି ନାହିଁ ଗଡ଼ନାୟକ ।’’

(ସେଦିନ ଓ ଆଜି)

 

କବି ରାଧାମୋହନଙ୍କ ପ୍ରଗତିଶୀଳ କାବ୍ୟାତ୍ମାରେ ମାର୍କସୀୟ ସ୍ଲୋଗାନର ପ୍ରତିଧ୍ୱନି ନାହିଁ ବରଂ ଏହା ମାନବବାଦ ସମ୍ୱଳିତ । ଏହି ମାନବବାଦ ଯେତିକି ବୈପ୍ଳବିକ ସେତିକି ସମ୍ୱେଦନଶୀଳ-। ବଞ୍ଚିବାର ଚରମ ରହସ୍ୟଟି ଉନ୍ମୋଚିତ ହୋଇଛି ତାଙ୍କ ସୃଷ୍ଟିରେ । ଯେମିତି :-

 

‘‘ଅୟି ପୃଥ୍ୱୀ, ଆଉ ଥରେ କାମଧେନୁ ହୁଅ ଆଜି ତୁମେ

ବୁଭୁକ୍ଷାର ଦହନେ କି ହରାଇବୁ ପ୍ରାଣ

ଆମେ ସବୁ ମନୁର ସନ୍ତାନ

ତୁମର ଏ ସ୍ନେହାଞ୍ଚିତ ଭୂମେ

ଅୟି ପୃଥ୍ୱୀ

ଆଉ ଥରେ କାମଧେନୁ ହୁଅ ଆଜି ତୁମେ ।’’

(ଅୟିପୃଥ୍ୱୀ)

 

କବି ରାଧାମୋହନଙ୍କ ଏହି ସ୍ୱର ବିଶ୍ୱଜୀବନ ପଥେ, ବାଇମୁଣ୍ଡି, ମଣିକାଞ୍ଚନ ଯୋଗ, କାରାବାସେ, ମୌସୁମୀ, ସୃଷ୍ଟିର ଅପମାନ, ମନ୍ଦିର ଓ ସମାଧି, ଅୟିପୃଥ୍ୱୀ, ମୁଁ ଦେଖୁଛି ଆଷାଢ଼ର ସ୍ୱପ୍ନ, କିଂଶୁକ, ଦୁର୍ମୁଖ, କଳଙ୍କିତ ମୁହିଁ କଳାକାର, ବନ୍ଦନା ଲାଗି ଜଳୁଛି ଦୀପାଳି ଜଳୁଛି କାହିଁ ଆଦି କବିତାରେ ଲକ୍ଷ୍ୟ କରାଯାଇପାରେ ।

 

ରାଧାମୋହନଙ୍କ ବହୁ ଚର୍ଚ୍ଚିତ ‘ମୌସୁମୀ’ କବିତା ଶେଲୀଙ୍କ ‘‘Ude to the Westwind’’ କବିତାର ଛାୟାରେ ଲିଖିତ । କିନ୍ତୁ ଶେଲୀଙ୍କ ଭଳି ‘ମୌସୁମୀ’ କବିତାରେ ଆତ୍ମକୈନ୍ଦ୍ରିକ ଭାବ ନାହିଁ । କେତେକ ସମାଲୋଚକ ମୌସୁମୀକୁ ପ୍ରଗତିଶୀଳ ଚେତନାଭିତ୍ତିକ କବିତା ବୋଲି ମତ ଦିଅନ୍ତି । କିନ୍ତୁ ‘ମୌସୁମୀ’ରେ ରୋମାଣ୍ଟିକ-ବାସ୍ତବତାର ଚିତ୍ର ଅଧିକ ପ୍ରତିଭାତ-। ମୌସୁମୀ ଓ ଉର୍ମିଙ୍କର ପ୍ରେମିକ-ପ୍ରେମିକା ଭାବ ସୁଲଭ ଆବେଦନ ଅଧିକ କ୍ରିୟଶୀଳ । ଆଶ୍ଳେଷଣ ଚିତ୍ର ସଂଯୋଜିତ । ‘ସୃଷ୍ଟି ଓ ସମ୍ଭାବନାର ଆବେଗ ପ୍ରତିକିତ’ କବିତାଟି ସତ୍ୟ ଉଦ୍‌ଘୋଷଣା ନିମିତ୍ତ ଅଭିପ୍ରେତ । କବି ଅବଶ୍ୟ ଫୁଲର ସ୍ୱପ୍ନ ବଦଳରେ ଫସଲର ଆମନ୍ତ୍ରଣ କରିଛନ୍ତି । ‘‘ଫୁଲ ଏବେ ଥାଉ, ଫସଲ ଆଜି ମୁଁ ଚାହେଁ’’ । ବସନ୍ତ ବଦଳରେ ଆଷାଢ଼କୁ ପ୍ରତୀକ୍ଷା କରିଛନ୍ତି । ଏଭଳି ପ୍ରସଙ୍ଗ କ୍ରମରେ କବି ମୌସୁମୀ ପ୍ରତୀକଟିକୁ କବିତା କ୍ଷେତ୍ରରେ ବାରମ୍ବାର ପ୍ରୟୋଗ କରିଛନ୍ତି । ଧ୍ୱଂସ, ହିଂସା କିମ୍ବା ଉଗ୍ର ପ୍ରତିକ୍ରିୟା ନାହିଁ, ଅଛି ଏକ ସୃଷ୍ଟିଶୀଳକର୍ମ ଅବଧାରିତ ସ୍ୱପ୍ନର ଅଭୀପ୍‌ସା । କବିଚିତ୍ତର ଏହି ମାନସିକତାକୁ ‘ମୌସୁମୀ’ର ବ୍ୟଗ୍ର ଅଭିମାନରେ ଲକ୍ଷ୍ୟ କରାଯାଇପାରେ ।

 

‘‘ଦିଓଟି ଜୀବନ ମିଶିଯାଇ ଆଜି ମିଶ୍ରରାଗେ

ଧାଇଁ ଆସି ଅଛି ମୌସୁମୀ ମୁହିଁ ଧରଣୀ ଭାଗେ ।

ନମ୍ର ନୁହଁଇ, କମ୍ର ନୁହଁଇ, ନୁହଁଇ ଧୀର

ଉଗ୍ର ମୁଁ ଆଜି, ବ୍ୟଗ୍ର ମୁଁ ଆଜି ଅଗ୍ରସର ।’’

 

ପୁନଶ୍ଚ ପୌଷର ପତ୍ରଝରା ଦିନାନ୍ତରେ ଆଷାଢ଼ର ସ୍ୱପ୍ନ ଦେଖୁଥିବା କବି ଚାହିଁଛନ୍ତି ଧୂସର ଧରିତ୍ରୀର ମୌସୁମୀର ମେଘମହ୍ଲାର । ଏଇଠି ରହିଛି ପ୍ରକୃତିର ସୁନ୍ଦର ଓ ପ୍ରଶସ୍ତ ବିଭବ ପାଇଁ ବ୍ୟାକୁଳ କାମନା । ମୌସୁମୀକୁ ଆଶାବାଦର ପ୍ରତୀକ ଭାବେ ପରିକଳ୍ପନା କରି ସୁଖ, ଶାନ୍ତି ଓ କଲ୍ୟାଣ ଚେତନାର ସ୍ୱର ଉତ୍ତୋଳନରେ କବିଙ୍କର ମର୍ତ୍ତ୍ୟାନୁରାଗ ପ୍ରକାଶିତ । ପ୍ରକୃତିର ମହିମାଗାନ କରି କରୁଣା, ମାଧୁର୍ଯ୍ୟ, ସଂବେଦନା, ସହିଷ୍ଣୁତା ଓ ଜ୍ଞାନାଲୋକ କାମନା କରିଛନ୍ତି । ଏକ ପରିବର୍ତ୍ତିତ ଅନୁଭବରେ କବି ଚିତ୍ତ ଉଲ୍ଲସିତ । ପ୍ରକୃତି, ପ୍ରେମ ଓ ବିପ୍ଲବର ସମନ୍ୱିତ ମନୋଜ୍ଞ ପରିପ୍ରକାଶରେ ଅଧିକ ସାର୍ଥକ ।

 

କବି ଗଡ଼ନାୟକଙ୍କ ପ୍ରଗତିଶୀଳ ଚେତନାରେ ଜାତୀୟତାବାଦୀ ସ୍ୱରଟି ସଂଯୋଜିତ । ମୌଳିକ ଭାବେ ତାଙ୍କ କାବ୍ୟଚେତନା ମାର୍କସ ଅପେକ୍ଷା ଗାନ୍ଧୀଙ୍କୁ ଘେନି କ୍ରିୟାଶୀଳ । କାରଣ ତତ୍‌କାଳୀନ ସମୟରେ ଭାରତର ସ୍ୱାଧୀନତା ପ୍ରାପ୍ତିର ଇଚ୍ଛା ଦେଶର ସବୁସ୍ତରରେ ଏକାନ୍ତ ଲକ୍ଷ୍ୟ ଭାବେ ବଳବତ୍ତର ରହିଥିଲା । ଦେଶର କବିକୁଳମଦ୍ଦ ଜାତୀୟତାର ମହାସ୍ରୋତରେ ନିଜକୁ ସାମିଲ କରି ଜାତୀୟତା ମନ୍ତ୍ରକୁ ଶବ୍ଦରେ ପ୍ରକାଶପୂର୍ବକ ଜାତିପ୍ରୀତିକୁ ଉଦ୍‌ବୁଦ୍ଧ କରାଇବାରେ ବିଶେଷ ସହାୟକ ହୋଇଥିଲେ । ସମୟର ଧାରା ସହ ନିଜକୁ ସାମିଲ କରି ନେଇଥିଲେ କବି ରାଧାମୋହନ । ଉତ୍କଳିକା, କୈଶୋରିକା, ସ୍ମରଣିକା, ଦୀପଶିଖା ଆଦି କବିତା ଗ୍ରନ୍ଥଗୁଡ଼ିକରେ ସ୍ଥାନିତ କବିତା ସମୂହ ଜାତୀୟଭାବବୋଧକ ଉତ୍କୃଷ୍ଟ କବିତା । ଅବଶ୍ୟ ସତ୍ୟବାଦୀ ସାହିତ୍ୟ ଭଳି ଉଗ୍ର ଜାତୀୟତାବାଦର ସ୍ୱର ରାଧାମୋହନଙ୍କ କବିତାରେ ନ ଥିଲେ ମଧ୍ୟ ନିରୁତା ଜାତୀୟବାଦୀ କବିତାର କଳାତ୍ମକ ନ୍ୟୂନତା ମିଳିବ ନାହିଁ । କବିଙ୍କ ଜାତୀୟଭାବ ଚେତନାକୁ ନିମ୍ନୋକ୍ତ କବିତା ପଙ୍‌କ୍ତିରେ ଲକ୍ଷ୍ୟ କରାଯାଇପାରେ-

 

‘‘କହରେ ଚଟୁଳ ସୁନାର ମିରିଗ

ଛଇଳ ମାରିଚ ଆଜି

ଦେଖାଉଛୁ ଆମ ଭୋକିଲା ଆଖିରେ

ସ୍ୱପ୍ନର ଏକ ବାଜି ।’’

 

ସ୍ୱାଧୀନତା ପରବର୍ତ୍ତୀ ସମାଜର ଦୁର୍ଗତିକୁ ଲକ୍ଷ୍ୟ କରି କବିଙ୍କର ଶାଣିତ ଉକ୍ତି କମ୍‌ ଜାତୀୟ ଭାବବୋଧକ ନୁହେଁ।

 

‘‘ସ୍ୱାଧୀନ ଆମର ଦେଶର ଦଶା

କାହା ଆଳୟରେ ମଳୟ ଲୋଟୁଚି

କାହା କପାଳରେ ପ୍ରଳୟ ହସା,

ବେପାରୀ ଦଲାଲ କଣ୍ଟ୍ରାକ୍ଟର

କଳମାଳିକର କମ୍ରପୁର

ଭାଗ୍ୟଦାତ୍ରୀ ଲକ୍ଷ୍ମୀ ନିଜେ,

କଳାରେ କଳାରେ ଏ ଲାଗେ ଷୋହଳ କଳାରେ ବିଜେ ।’’

(ଧୂସର ଭୂମିକା)

 

ସମକାଳୀନ ବାସ୍ତବତାର ରୂପାୟନ, ସମାଜନିଷ୍ଠତା ଓ ମାନବିକ ସମ୍ୱେଦନଶୀଳତାର ପରିପ୍ରକାଶ କବି ରାଧାମୋହନ ଗଡ଼ନାୟକଙ୍କ କବିତାର ଏକ ବଳିଷ୍ଠ ଦୃଶ୍ୟମାନଦିଗ । ତାହା ଭାରତବର୍ଷର ଅଭାବ, ଦାରିଦ୍ର୍ୟ, ଶୋଷଣ କଷଣ, ଶାସନତନ୍ତ୍ରର ଶଠତା ଓ ଚଞ୍ଚକତାର କଥା ହୋଇପାରେ କିମ୍ୱା ପୁଞ୍ଜିବାଦୀ ସଭ୍ୟତାର ସାଂସ୍କୃତିକ ଅବକ୍ଷୟର କଥା ମଧ୍ୟ ହୋଇପାରେ । ପ୍ରତିଟି ସ୍ତରରେ ଅବକ୍ଷୟର ଚିତ୍ର କବିଙ୍କ କବିତାରେ ନିଖୁଣ ଭାବେ ପ୍ରତିପାଦିତ ।

 

‘ମୌସୁମୀ’ର କାବ୍ୟ ପ୍ରତିକ୍ରିୟା ‘ଧୂସର ଭୂମିକା’ରେ ଅଧିକ ସ୍ପଷ୍ଟ । କବି ନିଜେ ସ୍ୱୀକାର କରିଛନ୍ତି- ‘‘ସାଂପ୍ରତିକ ପୃଥିବୀ ଦୁଃଖ, ବ୍ୟଥା, ବାଦ ବିସମ୍ୱାଦ, ଭେଦାଭେଦ ଓ ନାନା ସମସ୍ୟାରେ ଭରା ଜୀବନ ସହଜରେ ଶୁଷ୍କ ଓ ବିବର୍ଣ୍ଣ ହୋଇଯାଉଛି । ତଥାପି ଆଶାବାଦୀ ମଣିଷ ଦଖୁଛି ତା’ର ସ୍ୱପ୍ନ-ଶ୍ୟାମଳ ସମାରୋହର ସ୍ୱପ୍ନ । ‘ଧୂସର ଭୂମିକା’ରେ ୟାର ଛାୟାଲୋକ ଯତ୍‌ କିଞ୍ଚିତ ଅଛି ବୋଧହୁଏ ।’’ (ମୁଖବନ୍ଧ-ଧୂସରଭୂମିକା)

 

‘ଦୁଇଟି ତାହାର ଡେଣା’ କବିତା ଗ୍ରନ୍ଥ କବି ଗଡ଼ନାୟକଙ୍କ ମନସ୍ତାତ୍ତ୍ୱିକ ଭାବପକ୍ଷ ଘେନି ବିସ୍ତାରୀତ । ମନୁଷ୍ୟର ସ୍ଥିତି, ବର୍ଣ୍ଣ, ରୂପ ଓ ସମୟବସ୍ଥାନର ଭାବବିନ୍ଦୁ ଭିତରେ ‘ଦ୍ୱନ୍ଦ୍ୱ’ର ଗୁରୁତ୍ୱ ଏହି ପର୍ଯ୍ୟାୟରେ କବି ଚିତ୍ତରେ ଲକ୍ଷ୍ୟଣୀୟ । ଏକ ସ୍ଥିତିରେ ଦ୍ୱୈତ ଭାବକୁ ନିରୀକ୍ଷଣ କରିଛନ୍ତି କବି । ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ, କବି ରାଧାମୋହନ ଯୁଗୀୟ ଭାବଚେତନା ସହ ନିଜକୁ ସାମିଲ କରି ଫ୍ରୟେଡଙ୍କ ମନୁଷ୍ୟର ଅବଚେତନ ମନ ତଥା ମନୁଷ୍ୟ ଜୀବନର ଅଯୌକ୍ତିକ କାର୍ଯ୍ୟକଳାପ ଉପରେ ତା’ର ପ୍ରଭାବ ସମ୍ପର୍କୀତ ପ୍ରଣାଳୀବଦ୍ଧ ବିଶ୍ଲେଷଣତତ୍ତ୍ୱ ଓ କାର୍ଲମାର୍କସ ତତ୍ତ୍ୱଟିକୁ ଗ୍ରହଣ କରିଛନ୍ତି । ମାନସିକ ସ୍ତରରେ ଜନ୍ମିତ ଦ୍ୱନ୍ଦ୍ୱଟିକୁ ଶବ୍ଦରୂପ ଦେଇଛନ୍ତି । କବି ଲେଖିଛନ୍ତି- ‘‘ମଣିଷର ଦୁଇଟି ଭୋଗ, ଦୁଇଟି ଖାଦ୍ୟ, ଗୋଟିଏ ଦେହରକ୍ଷା ପାଇଁ, ଆଉ ଗୋଟିଏ ଦେହ ପାଇଁ । ଏ ଦୁଇଟି ପରେ ମଣିଷର ଜୀବନ ସ୍ୱପ୍ନ ସମ୍ଭବ ।’’ (ପଦେ ଅଧେ’-ଦୁଇଟି ତାହାର ଡେଣା) । ମାର୍କସବାଦ ଓ ଫ୍ରୟେଡ଼ବାଦକୁ ଘେନି ରାଧାମୋହନଙ୍କ କବିତ୍ୱ କ୍ରିୟାଶୀଳ । ଉଭୟର ଗଭୀର ପ୍ରଭାବ ତାଙ୍କ କବିତାରେ ସ୍ପଷ୍ଟ । ଯଥା-

 

‘‘ଉପରେ ଉପରେ ଆଘାତ ହାଣୁଛି ଝଡ଼ଝଞ୍ଜାର ସେନା

ଲୁବ୍‌ଧ ସେ ଏକ ଗୃଧ୍ର ଯେ ଆଜି ମେଲାଇ ବସିଛି ଡେଣା

ନୂଆ ଦୁନିଆର ବୁକେ

ଡେଣା ମେଲାଇଛି ଉଦ୍‌ବେଗେ ଉତ୍‌ସୁକେ

ମାର୍କସ

ଫ୍ରୟେଡ଼

ଦୁଇଟି ତାହାର ଡେଣା

ଉପରେ ଉପରେ ଆଘାତ ହାଣୁଛି ଝଡ଼ଝଞ୍ଜାର ସେନା । ’’

(ଦୁଇଟି ତାହାର ଡେଣା)

 

କେବଳ ଦୁଇଟି ତାହାର ଡେଣା ନୁହେଁ, ମେଘକନ୍ୟାର ମାନଭଂଜନ, ସିଗିରେଟ୍‌ ଆଉ ଛୁଇଁବି ନାହିଁ, ନାରୀର ତ୍ରିବେଣୀ, ନାରୀ ଓ ପୁରୁଷ, ଲାଜ ଓ କାମସୂତ୍ର ଆଦି ବହୁ କବିତାରେ ମନସ୍ତାତ୍ତ୍ୱିକ ବିଶ୍ଲେଷଣର ଚିତ୍ର ପ୍ରଚୁର । ତାଙ୍କ ଶବ୍ଦର ଐନ୍ଦ୍ରଜାଲିକତା ଭିତରେ ମଣିଷ ମନର ଗହନକଥାର ଅଙ୍କନ ଓ ଅନୁଭୂତି ବିଭୂତିର ବ୍ୟାଖ୍ୟା ଓ ବିକ୍ଷା ସୃଷ୍ଟି କରିଛି ଅପୂର୍ବ କବିତ୍ୱର ଝଙ୍କାର କିନ୍ତୁ କବି ଗଡ଼ନାୟକଙ୍କ ମନସ୍ତାତ୍ତ୍ୱିକ ବିଶ୍ଲେଷଣ ପ୍ରକ୍ରିୟା ଅଧିକ ପାଶ୍ଚାତ୍ୟ ଅଭିମୁଖୀ ନ ହୋଇ ବରଂ କୋକ, ବାତ୍ସାୟନ ଓ ପୌରାଣିକ ଭାବତତ୍ତ୍ୱ ନିଷ୍ଠ ହୋଇଥିବା ଅନୁମେୟ । କାରଣ ନିଜସ୍ୱ ପରମ୍ପରାକୁ କାବ୍ୟରୂପ ପ୍ରଦାନରେ କବିଚିତ୍ତ ସୁଖୀ । ଯୁଗୀୟ ଚେତନାର ଆହ୍ୱାନକୁ ଗ୍ରହଣ କରିଥିଲେ ବି ପରମ୍ପରାର ସମୀକରଣ ସବୁକ୍ଷେତ୍ରରେ ସେ ଘଟାଇଛନ୍ତି ଓ ସଫଳ ହୋଇଛନ୍ତି ।

 

ସାମାଜିକ ଅବକ୍ଷୟ ଭିତରେ ମଣିଷ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟି ହୋଇଛି କବିଙ୍କ ମନରେ-। ‘ପଶୁପକ୍ଷୀର କାବ୍ୟ’ ଗ୍ରନ୍ଥରେ ସେ ଲେଖିଛନ୍ତି-‘‘୧୯୫୭ ମସିହା ସେପ୍ଟେମ୍ବର ମାସ । ଘଟଣାଚକ୍ରରେ ମୋର ମାନସିକ ଅବସ୍ଥା ଭଲ ନଥାଏ । ଜୀବନ ପଥରେ ଏକ ତିକ୍ତ ଅନୁଭୂତି-ମଣିଷ କ’ଣ ମୁଁ ଭାବି ପାରୁ ନଥାଏ । ସଂପୂର୍ଣ୍ଣ ରୂପେ ଅବଧାରଣାର ଅତୀତ ସେତିକିବେଳେ ମୋର ବିକ୍ଷୁବ୍ଧ ମନରେ ପଶୁପକ୍ଷୀର କାବ୍ୟରୂପ ପରିଗ୍ରହଣ କରିଛି । ସେଇ ଗୋଟିଏ ମାସରେ ଏହାର ସୃଷ୍ଟି ।’’ ପଶୁପକ୍ଷୀଙ୍କୁ ନେଇ କବିତା ରଚନା ପ୍ରାୟତଃ ଦୁର୍ଲଭ । ସେ ଦୃଷ୍ଟିରୁ ପଶୁପକ୍ଷୀର କାବ୍ୟ ଅନନ୍ୟ ଓ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ । ମନୁଷ୍ୟର ପଶୁତୁଲ୍ୟ ଆଚରଣରେ କବି ଚିତ୍ତ ବ୍ୟଥିତ । ମାନବେତର ପ୍ରାଣୀଠାରେ ଜୀବନର ଶାଶ୍ୱତ ସତ୍ୟଟିକୁ ଆବିଷ୍କାର କରିଛନ୍ତି କବି । ଏଇଠି ଇଲିୟଟଙ୍କ ନଷ୍ଟ ଭୂମିର ଚିତ୍ର ନାହିଁ, ଅଛି ମାନବିକତାର ଅନ୍ୱେଷଣ । ମନୁଷ୍ୟ, ପଶୁ ଓ ପକ୍ଷୀ ମଧ୍ୟରେ ସାମ୍ୟ ବୈଷମ୍ୟର ଏକ ତୁଳନାତ୍ମକ ବୀକ୍ଷଣ କବି ଗଡ଼ନାୟକଙ୍କ ଚେତନାର ପ୍ରମୁଖ ଲକ୍ଷ୍ୟ ହୋଇଛି ।

 

ମନୁଷ୍ୟ ପ୍ରତି ଅବିଶ୍ୱାସର ଭିତ୍ତିଭୂମି ରାଧାମୋହନଙ୍କ କବିତାଗ୍ରନ୍ଥ ‘‘ଶାମୁକାର ସ୍ୱପ୍ନ’’ରେ ପରିବର୍ତ୍ତିତ ହୋଇଛି । ମାନବିକତାର ବିଶ୍ୱାସ ସଞ୍ଚରିଛି । ସାମାଜିକ ମୂଲ୍ୟବୋଧ ଭିତରେ ‘‘ମାନବିକତା’କୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି କବି । ସାଧାରଣ ମନୁଷ୍ୟର ସାମାନ୍ୟ ଭୂମିକା ଭିତରେ ଯେଉଁ ଅସାମାନ୍ୟ ଭବ୍ୟତା ଆତ୍ମଗୋପନ କରିଛି, କବି ଗଡ଼ନାୟକ ତାକୁ ହିଁ ଆବିଷ୍କାର କରିଛନ୍ତି । ‘‘ଶାମୁକାର ସ୍ୱପ୍ନ’’ ଭୂମିକାରେ କବି ଉଲ୍ଲେଖ କରିଛନ୍ତି - ‘‘ପୃଥିବୀର ନେପଥ୍ୟରେ ବହୁତ ଆତ୍ମା ନିଭୃତରେ ନୀରବରେ ଜୀବନ ସୌରଭ ଦେଉଛନ୍ତି- ଜୀବନ ସଂଗୀତ ଗାଇଛନ୍ତି, କିନ୍ତୁ ଜଗତରେ ତାଙ୍କ ଦାନରେ ପ୍ରତିଦାନ ଯୁଗଯୁଗ ଧରି ମିଳିନାହିଁ - ମିଳୁ ନାହିଁ ।’’ ତଥାପି ସେଇ ଅବିନଶ୍ୱର, ଅବିସ୍ମରଣୀୟ ଆତ୍ମାର ଅଭିମାନ ଚାଲିଛି । ସେଇ ଅସ୍ୱୀକୃତ ଅଥଚ ଭ୍ରାନ୍ତିଶୀଳ ଜୀବନର କେତେଗୁଡ଼ିଏ ସ୍ୱପ୍ନ ‘‘ଶାମୁକାର ସ୍ୱପ୍ନ’’ରେ ସନ୍ନିବିଷ୍ଟ ।’’ ଏହି ସବୁର କବିତା ମଣିଷର କଥା କହେ, ସଂସ୍କୃତିର କଥା କହେ, ମାନବ ପ୍ରୀତିର ବାର୍ତ୍ତା ସଞ୍ଚାର କରେ ।

 

କାବ୍ୟ ଚେତନାର ଉତ୍ତୁଙ୍ଗ ଶିଖରରେ ପହଞ୍ଚିବା ପରେ କବି ଗଡ଼ନାୟକଙ୍କ କବିତ୍ୱରେ ଏକ ଅବକ୍ଷୟମୁଖୀ ଧାରାପ୍ରବାହିତ ହୋଇଛି । ‘ସୂର୍ଯ୍ୟ ଓ ଅନ୍ଧକାର’, ଆକାଶ ତାରା’ ହିଁ ଏହାର ସୂଚନା ପ୍ରଦାନ କରିଥାଏ । ବ୍ୟକ୍ତିଗତ ଚିନ୍ତା ଓ ଚେତନାର ପରିଧି ଭିତରେ କବି କୌଣସି ନୂତନତାର ସ୍ୱାକ୍ଷର ଅଙ୍କନ କରିନାହାନ୍ତି । ପୂର୍ବର କାବ୍ୟ ସମୃଦ୍ଧିରେ ସୀମିତ ରହିଛି ତାଙ୍କ ଭାବନାର ସ୍ତର ।

 

କବି ରାଧାମୋହନ ଗଡ଼ନାୟକଙ୍କ କବିତାରେ କଳାତ୍ମକ ପରାକାଷ୍ଠା ବା ସର୍ବାଙ୍ଗସୁନ୍ଦରକରଣ ଉପରେ ପର୍ଯ୍ୟବସିତ । ଏହି କଳାତ୍ମକ ପ୍ରକ୍ରିୟାଟି ତାଙ୍କ ଗାଥା କବିତାରେ ଉପଲବ୍‌ଧ । କବିଙ୍କର ପ୍ରସିଦ୍ଧି ରହିଛି ଗାଥା କବିତା ସର୍ଜନାରେ । କବି ଗୋଦାବରୀଶ ମିଶ୍ରଙ୍କ ପରେ ସେ ହିଁ ଓଡ଼ିଆ ଗାଥା କବିତାର ଅଦ୍ୱିତୀୟ ସ୍ରଷ୍ଟା ଓ ଐତିହାସିକ ସିଦ୍ଧିର ଅଧିକାରୀ । ବହୁ ଆଲୋଚକ-ସମାଲୋଚକ କବିଙ୍କ ଗାଥା କବିତା ସମ୍ପର୍କରେ ବିଚାର ବିମର୍ଷ କରିଛନ୍ତି । ସମାଲୋଚକ ଡଃ ନିତ୍ୟାନନ୍ଦ ଶତପଥୀ ‘ଉତ୍କଳିକା’ ପ୍ରସଙ୍ଗରେ କହିଛନ୍ତି – “ଅସଂଖ୍ୟ ପରିତ୍ୟକ୍ତ ଘଟଣାରାଜିକୁ ବିସ୍ମୃତିର ଅବତଳରୁ ସଂଗ୍ରହ କରି ତାକୁ କଳ୍ପନା ରକ୍ତ, ମାଂସ ଓ ମେଦରେ ଜୀବନ୍ତ ଭାବରେ ଗଢ଼ିବାର ଗୋଦାବରୀଶ ମିଶ୍ରଙ୍କ ପରେ ବୋଧହୁଏ ଗଡ଼ନାୟକଙ୍କ ପରି ଏତେ ସଫଳତା ଅନ୍ୟ କୌଣସି କବିଙ୍କ ଭାଗ୍ୟରେ ଘଟି ନାହିଁ । କିନ୍ତୁ ଜାତୀୟ ଦୁର୍ଗତିର ସ୍ତର ଭେଦ କରିବାକୁ ଯାଇ ସତ୍ୟବାଦୀର କବି ଗୋଷ୍ଠୀ କାବ୍ୟକବିତାକୁ ଏକ ଉପଯୋଗୀ ମାଧ୍ୟମ ଭାବରେ ଅବଳମ୍ୱନ କରିଥିଲେ । ସେମାନେ ଥିଲେ ପ୍ରଥମେ କର୍ମର କବି । କଳା ଉପାସନା ଥିଲା ଏଇ କର୍ମର ପରିପୂରକ । ତେଣୁ କଳାସୃଷ୍ଟି ବ୍ୟାପ୍ତିର ଅଭାବ ସେମାନଙ୍କ କବିତାର ଅନ୍ୟତମ ଦୁର୍ବଳତା । ଗଡ଼ନାୟକଙ୍କ କବିତାରେ କିନ୍ତୁ କଳାର କାରୁକାର୍ଯ୍ୟ ପ୍ରଥମ ଚିନ୍ତନୀୟ ବ୍ୟାପାର ।’’ ଗାଥାକବିତା ସୃଷ୍ଟିରେ ରାଧାମୋହନଙ୍କ ସ୍ୱକୀୟ ମୌଳିକତା ତାଙ୍କୁ ଯଶସ୍ୱୀ କରିଛି । ସମାଲୋଚକ ଡଃ ଦାଶରଥି ଦାସଙ୍କ ଭାଷାରେ-‘‘କବିତାର କଂକ୍ରିଟ୍‌ନେସ୍‌ କ୍ଷେତ୍ରରେ ଗଳ୍ପ କବିତାର ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ । ସମଗ୍ର ଗଳ୍ପ କବିତାଟିକୁ ଏକ ଚିତ୍ରକଳ୍ପ ବା ମେଟାଫର କହିହେବ । ସେଠି ଉପମେୟଟି ଯେପରି ଉହ୍ୟ ଥାଏ । କବି ଶ୍ରୀ ରାଧାମୋହନ ଗଡ଼ନାୟକ ଗଳ୍ପ କବିତା ରଚନାରେ ଅଦ୍ୱିତୀୟ ।’’ କବି ଗଡ଼ନାୟକଙ୍କ ଗାଥା କବିତାରେ ଏହି କଂକ୍ରିଟ୍‌ନେସ୍‌ ସ୍ୱଚ୍ଛଳ ଏବଂ ପ୍ରାଞ୍ଜଳ । ପୁରାଣ, ଇତିହାସ, କିମ୍ୱଦନ୍ତୀ, ଜନଶ୍ରୁତି ଏବଂ ସମ୍ବାଦପତ୍ର ପୃଷ୍ଠାରୁ ଉପାଦାନ ଆହରଣ କରି କବି ଗାଥାଧର୍ମରେ କବିତାଗୁଡ଼ିକୁ ଏଭଳି ଉପସ୍ଥାପନ କରିଛନ୍ତି, ଯାହା ଏକ ଗୌରବମୟ ବ୍ୟାପାର ନିଶ୍ଚୟ । ପୁରାତନ ଭାବଟି ନୂତନ ରୂପ ପରିଗ୍ରହଣ କରିଛି । ଆବେଗରେ ଭଟ୍ଟା ପଡ଼ିବାର ସମ୍ଭାବନା ଆଦୌ ନାହିଁ, ବରଂ କବିଙ୍କ ମିଥ୍‌ ନିର୍ମାଣର ଦକ୍ଷତାକୁ ଅଧିକ ସମ୍ଭାବିତ କରିଛି । ଉତ୍କଳିକା, କୈଶୋରିକା, ଦୀପଶିଖା, ପଶୁପକ୍ଷୀର କାବ୍ୟ, ଶାମୁକାର ସ୍ୱପ୍ନ ଆଦିଗ୍ରନ୍ଥଗୁଡ଼ିକରେ ରାଧାମୋହନୀୟ ଗାଥାଧର୍ମକୁ ଲକ୍ଷ୍ୟ କରାଯାଇପାରେ ।

 

କବି ରାଧାମୋହନ ଗଡ଼ନାୟକଙ୍କ କବିତାରେ ଶୃଙ୍ଖଳା, ପାରମ୍ପରିକ ରୀତି, ଉଭୟ ଆଙ୍ଗିକ ଓ ଆତ୍ମିକରେ କଳାତ୍ମକତା ଭଳି ନିଓକ୍ଲାସିକାଲ୍‌ ଗୁଣଗୁଡ଼ିକ ପରିଦୃଷ୍ଟ । ତେଣୁ ତାଙ୍କୁ ଜଣେ ନିଓକ୍ଲାସିକାଲ୍‌ କବି ବୋଲି କୁହାଯାଇପାରେ । ସଚ୍ଚିରାଉତରାୟ କବି ଗଡ଼ନାୟକଙ୍କ ସମ୍ପର୍କରେ କହିଛନ୍ତି- ‘‘ସେ ଫେରି ଆସିଛନ୍ତି ତାଙ୍କର ମପାଚୁପା ନିୟମ ଓ ପରମ୍ପରାର ରାଜ୍ୟ ଭିତରକୁ, ଯେଉଁଠି କି ସବୁକିଛି ସୁବିନ୍ୟସ୍ତ ଓ ସୁସଜ୍ଜିତ । ସେ ସେହି ସଜଡ଼ା ବଗିଚାରେ ଜଣେ ଅଦ୍ଭୁତ କଳା ସଚେତନମାଳୀ । ଏଇ ଅଙ୍ଗ ସଜ୍ଜା ହିଁ ତାଙ୍କ ଆର୍ଟର ବିଶେଷ ପରିଚୟ ବହନ କରି ହୋଇଉଠିଛି ରୀତିମତ ପ୍ରଥାଗତ ଏବଂ ଆତ୍ମିକ ମଧ୍ୟ ଦେଇ ଏକ ଅସମ୍ଭବ ନିୟମାନୁବର୍ତ୍ତିତାର ଏକ ଉଚ୍ଚାରଣ-ତୁଳନାତ୍ମକ ଭାବରେ ୟୁରୋପୀୟ ପୃଷ୍ଠଭୂମିରେ ଅଷ୍ଟାଦଶ ଶତକର ଚିରାୟିତ ଦୃଷ୍ଟିଭଙ୍ଗୀ ସହିତ ତାଙ୍କ ଦୃଷ୍ଟିଭଙ୍ଗୀ ଅନେକ ସାମଞ୍ଜସ୍ୟ ରକ୍ଷା କରିଛି ।’’

 

କବି ରାଧାମୋନଙ୍କ ଆଙ୍ଗିକ ପକ୍ଷଟି ସବୁଠାରୁ ଚମତ୍କାର । ଅପୂର୍ବ ଛନ୍ଦ ବୈଚିତ୍ର୍ୟ ଭିତରେ ତାଙ୍କ ସୃଜନକଳା ଉତ୍କର୍ଷ ଲାଭ କରିଛି । କବିଙ୍କର ଛନ୍ଦ ପଟୁତା ବିସ୍ମୟକର । ପରମ୍ପରା, ବିଷୟବସ୍ତୁର ପ୍ରଭାବଘେନି ସ୍ୱତଃସ୍ଫୂର୍ତ୍ତି ଭାବେ ସେ ଛନ୍ଦ ସୃଷ୍ଟି କରିଛନ୍ତି । ତାଙ୍କ ଛନ୍ଦ କାବ୍ୟାତ୍ମା ସହ ସମ୍ପର୍କୀତ ବୋଲି ମତଦେଇ ବିଶିଷ୍ଟ ସମାଲୋଚକ ମଧୁସୂଦନ ପତି ଉଲ୍ଲେଖ କରିଛନ୍ତି- ‘‘ରାଧାମୋହନଙ୍କ ଆଖି ଓ କାନ ଖାଲି କବିତାରେ ଛନ୍ଦ ଦେଖନ୍ତି ବା ଶୁଣନ୍ତି ନାହିଁ । ଆଧୁନିକତା ଆସିବା ଆଗରୁ ପ୍ରାୟ ପ୍ରତି କାବ୍ୟ ପରମ୍ପରାରେ ଏହି ବିଶ୍ୱାସ ରୂପାୟିତ ହୋଇଥିଲା ଯେ ଏ ସମଗ୍ର ବିଶ୍ୱ ବିନିମୟ ଏବଂ ତା’ ସହିତ ଏକାତ୍ମ ହେଲେ କବି ସତରେ କବି ହୁଏ, ଦ୍ରଷ୍ଟା ହୁଏ, ସ୍ରଷ୍ଟା ହୁଏ, ଦିଗଦର୍ଶକ ହୁଏ । ରାଧାମୋହନ ସ୍ୱୟଂ ଦ୍ରଷ୍ଟାର ଛନ୍ଦାୟିତ ଚେତନା (ଗାୟତ୍ରୀ) ର ଉଲ୍ଲେଖ କରିଛନ୍ତି । ‘ବାଲ୍ମିକୀ’ କବିତାରେ ଅନୁଷ୍ଟୁପର ମହତ୍ତ୍ୱଠାରୁ ଆରମ୍ଭ କରି ଛଉନାଚର ‘ମୂକମୌନ କାବ୍ୟ’ ଯହିଁରେ ଶବ୍ଦହୀନ ଛନ୍ଦ ହିଁ ରହିଛି ବା ‘ବାଇମୁଣ୍ଡି’ ଯାହାର ପ୍ରାଣରୁ ଛନ୍ଦ ଧରିଛି ପଥର ବନ୍ଧ ପର୍ଯ୍ୟନ୍ତ ଲକ୍ଷ୍ୟ କଲେ ଜଣାପଡ଼େ ଯେ ରାଧାମୋହନଙ୍କ ପାଇଁ ଯାହାବି ଶୁଭଙ୍କର, ମୁଗ୍‌ଧକର, ତାହା ଛନ୍ଦାୟିତ ।’’ କାବ୍ୟରସ ପରିଶିବାରେ କବି ଗଡ଼ନାୟକଙ୍କ ଛନ୍ଦ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅକୃତ୍ରିମ, ସରଳ, ସ୍ୱାଭାବିକ ଓ ଶୁଦ୍ଧ ଛନ୍ଦ ପ୍ରତି ହିଁ କବି ପ୍ରାଣ ଅଧିକ ଆକୃଷ୍ଟ । ପ୍ରାଚୀନ ଅକ୍ଷର ବୃତ୍ତର ସମ ଓ ବିଷମ, ସଂସ୍କୃତ ଗୁରୁ ଓ ଲଘୁ, ମାତ୍ରାବୃତ୍ତ ଛନ୍ଦର ବହୁଳ ପ୍ରୟୋଗ ଘଟିଛି ତାଙ୍କ କବିତାରେ । ଶବ୍ଦବସାଣର ଚମତ୍କାରିତାରେ ରାଧାମୋହନଙ୍କ ଛନ୍ଦ କୃତିତ୍ୱ ଅବଧାରିତ । ଏ ସବୁ ସତ୍ତ୍ୱେ ସେ ରବୀନ୍ଦ୍ରଙ୍କ-ଅନୁଗାମୀ । ରବୀନ୍ଦ୍ରଙ୍କ ମାତ୍ରାବୃର ଓ ବଳାକା ଛନ୍ଦ ମଧ୍ୟରୁ କବି ମାତ୍ରାବୃତ୍ତ ଛନ୍ଦଟିକୁ ନିଜର କରି ବେଶ୍‌ କୃତିତ୍ୱ ପ୍ରଦର୍ଶନ କରିଛନ୍ତି । କବି ରାଧାମୋହନଙ୍କ ଛନ୍ଦପଟୁତାକୁ ‘ଗୋଟିଏ ଦୃଷ୍ଟାନ୍ତ ମାଧ୍ୟମରେ ଦେଖାଇ ଦିଆଯାଇପାରେ-

 

 

ଲକ୍ଷ୍ୟ ହରା ସେ

ଯକ୍ଷ ଯୁବକ

ବରଷକ ଲାଗି ପ୍ରଭୁର ଶାପେ

ଗତ ଗୌରବ

ହୃତ ବୈଭବ

ମୁଗ୍‌ଧ ବଧୂର ବିରହ ତାପେ

ଆସିବାସ କଲା ବେଦନା ଭରେ

ରାମଗିରି ବନ-ଆଶ୍ରମରେ-

ଜନକସୂତାର ସ୍ନାହାନେ ଯହିଁ ପୁଣ୍ୟଜଳ

ନମେରୁ ତରୁର ଛାୟାରେ ସଦା ସ୍ନିଗ୍ଧ ଦଳ ।

(ମେଘଦୂତ)

 

କବି ରାଧାମୋହନଙ୍କ କାବ୍ୟ ସାଧନା ମଧ୍ୟରେ ଓଡ଼ିଆ କବିତା କ୍ଷେତ୍ରରେ ଆଧୁନିକ କାବ୍ୟ କୌଶଳର ପ୍ରମୁଖ ଉପାଦାନ ଚିତ୍ରକଳ୍ପ, ପ୍ରତୀକ, ବାକ୍‌ରୀତି ଓ କାବ୍ୟରୀତିର ଅପୂର୍ବ ସମନ୍ୱୟ ଘଟାଇ ନାହାନ୍ତି । ଅନ୍ୟ ଭାବରେ କହିଲେ ଚମତ୍କାରିତା ପ୍ରଦର୍ଶନ ପାଇଁ ସେ ଆଦୌ ପ୍ରୟୋଗ ମନସ୍କ ହୋଇ ନାହାନ୍ତି । ବରଂ ଛନ୍ଦମନସ୍କ କବି ବିଭିନ୍ନ ଛନ୍ଦର ଉପଯୋଗ କରି ନିଜ ସୃଷ୍ଟିକୁ ଅଧିକ ପ୍ରାଞ୍ଜଳ ଓ ଭାବଗର୍ଭକ କରିଛନ୍ତି । କବିଙ୍କ ଛାନ୍ଦସିକତାରେ ମୁଗ୍ଧ ସମସାମୟିକ ଦୁଇ ମହାନ୍‌ କବି ଡକ୍ଟର ମାୟାଧର ମାନସିଂହ ଓ ସଚ୍ଚି ରାଉତରାୟ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଡକ୍ଟର ମାୟାଧର ମାନସିଂହ ତାଙ୍କ ‘ଓଡିଆ ସାହିତ୍ୟର ଇତିହାସ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି- ‘‘ଗଡ଼ନାୟକଙ୍କର ସମସ୍ତ ମୌଳିକ କବିତା ନିର୍ଦ୍ଦୋଷ ଯତିପାତ ଓ ଛାନ୍ଦସିକ ଅନବଦ୍ୟତା ହେତୁ ଶ୍ରୁତି ସୁଖକର ଓ ଉପଭୋଗ୍ୟ । ଓଡ଼ିଆ ସାହିତ୍ୟରେ ଛନ୍ଦ ଧୂରନ୍ଧର ଭାବରେ ଗଡ଼ନାୟକଙ୍କ ଶ୍ରେଷ୍ଠତା ଅପ୍ରତଦ୍ୱନ୍ଦୀ ।’’ ଅନ୍ୟତମ କବି ସଚ୍ଚିରାଉତ ରାୟଙ୍କ ମନ୍ତବ୍ୟ ହେଉଛି-‘‘ଗଡ଼ନାୟକଙ୍କ ଛନ୍ଦ ଏତେ ନିର୍ଭୁଲ ଯେ ତାଙ୍କୁ ବେଳେବେଳେ ଗାଣିତିକଙ୍କ ମଧ୍ୟରେ ସାହିତ୍ୟିକ ଓ ସାହିତ୍ୟିକଙ୍କ ମଧ୍ୟରେ ଗାଣିତିକ ବୋଲି କହିବାକୁ ମନେ ହୁଏ ।’’ କେବଳ ଛନ୍ଦ ନୁହେଁ, ଶବ୍ଦବିଧାନରେ କବିଙ୍କର ଉତ୍କର୍ଷତା ଲକ୍ଷ୍ୟଣୀୟ । ତାଙ୍କ କବିତାର ପରିପାଟୀରେ ପୁରାଣ, ଲୋକଗୀତର ଛନ୍ଦ ସାଙ୍ଗକୁ ସଂସ୍କୃତ ଓ ତତ୍ସମ ଶବ୍ଦ, ଇଂରାଜୀ, ଯାବନିକ, ପାର୍ସୀ ଓ ହିନ୍ଦୀ ଶବ୍ଦର ନିଖୁଣ ପ୍ରୟୋଗ ପରିଲକ୍ଷିତ ହୁଏ ।

 

କବି ରାଧାମୋହନ ଗଡ଼ନାୟକ ଜଣେ ସମନ୍ୱୟବାଦୀ କ୍ଲାସିକ ଶିଳ୍ପୀ । ସେ ଯେତିକି ରୋମାଣ୍ଟିକ, ସେତିକି କ୍ଲାସିକ, ଯେତିକି ପାଶ୍ଚାତ୍ୟ ଅଭିମୁଖ୍ୟ ସେତିକି ପ୍ରାଚ୍ୟ ମନସ୍କ । ମୌଳିକ ସୃଷ୍ଟିଠାରୁ ଆରମ୍ଭ କରି ଅନୁବାଦ ସୃଷ୍ଟିରେ ସେ ଯେତିକି ପୋପ୍‌, ଶେଲୀ, ଓ ଓ୍ୱାର୍ଡ଼ସ ଓ୍ୱାର୍ଥ ଓ ଟେନିସନଙ୍କୁ ଗ୍ରହଣ କରିଛନ୍ତି ତା’ଠାରୁ ଅଧିକ ନିଜର ବୋଲି ଭାବିଛନ୍ତି କାଳିଦାସ, ଶ୍ରୀହର୍ଷ, ଜୟଦେବ, ସାରଳାଦାସ, ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥଙ୍କୁ । ତାଙ୍କ ସାରସ୍ୱତ ଜଗତ ଭିତରେ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଶେଷରେ ଏତିକି କୁହାଯାଇପାରେ ଯେ ରାଧାମୋହନୀୟ ସୃଷ୍ଟିର ପରିସୀମା ଓ ତୁଳନାତ୍ମକ କାନଭାସ୍‌ ବ୍ୟାପକ । ଭାଷାର ଉଚ୍ଚାରଣଧର୍ମୀ ତୀକ୍ଷ୍‍ଣତା, ଅର୍ଥଶାଣତା, ଶବ୍ଦ ସଂଯୋଜନାର ଚମତ୍କାରିତା ଓ ଭାବ ଉଦ୍‌ବୋଧନରେ ତୀବ୍ର ସକ୍ରିୟତା, ତାଙ୍କ ସାରସ୍ୱତ କଳା-କୌଶଳର ଭିତ୍ତିଭୂମି ।

 

କବି ରାଧାମୋହନଙ୍କ କବି ପ୍ରତିଭାର ପଟାନ୍ତର ନାହିଁ । କାବ୍ୟ ଚେତନାର ଏକ ଉତ୍ତରିତ ସ୍ଥିତି ପହଞ୍ଚି ଓଡ଼ିଆ-ସାହିତ୍ୟକୁ ମାର୍ଗଦର୍ଶନ କରୁଥିବା ଜଣେ ସିଦ୍ଧ ସାରସ୍ୱତ ସନ୍ନ୍ୟାସୀ ।

 

 

ଅଧ୍ୟାପକ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ତାଳଚେର ମହାବିଦ୍ୟାଳୟ, ଅନୁଗୋଳ

 

***

 

ଓଡ଼ିଆ ଲୋକ ସାହିତ୍ୟରେ ପ୍ରଚଳିତ

ବିବାହ-ଏକ ଦୃଷ୍ଟିପାତ

ଡକ୍ଟର ସୀମାଞ୍ଚଳ ପ୍ରଧାନ

 

‘ଝିଅ ଜନମ ପରଘରକୁ’ ପ୍ରବଚନଟିର ତାତ୍ପର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ସଭ୍ୟତା ଓ ସଂସ୍କୃତରେ ଯେଉଁ ପରମ୍ପରା ଏ ପର୍ଯ୍ୟନ୍ତ ଚାଲିଆସିଛି, ତା’ର ମୂଳରେ ନାରୀର ପତ୍ନୀତ୍ୱ ଉପରେ ହିଁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଏ । ବିବାହରେ କେବଳ ନାରୀ ଜନ୍ମର ସାର୍ଥକତା ନିହିତ, ଏହା ଭାରତୀୟ ସଂସ୍କୃତି ଯୁଗଯୁଗ ଧରି ଘୋଷଣା କରିଆସିଛି । ପରିବାରରେ କନ୍ୟା ସନ୍ତାନଟିଏ ଜନ୍ମଗ୍ରହଣ କଲେ ମାତା ପିତା ପ୍ରଥମେ ତା’ର ବିବାହ ସମ୍ପର୍କରେ ହିଁ ସଚେତନ ହୋଇଥାନ୍ତି । ତାକୁ ବିବାହ ଦେଇ ପରଘରକୁ ପଠାଇବା ଯାଏଁ ସେମାନେ ଶାନ୍ତିଲାଭ କରିପାରି ନ ଥାନ୍ତି । କନ୍ୟା ଦାନ ସମସ୍ତ ଦାନଠାରୁ ଶ୍ରେଷ୍ଠ ବୋଲି ଭାରତୀୟମାନଙ୍କର ବିଶ୍ୱାସ । ଭାରତୀୟ ପୁରାଣମାନଙ୍କରେ ଏହାର ବହୁ ପ୍ରମାଣ ଦେଖିବାକୁ ମିଳେ । ଗୋଟିଏ କନ୍ୟା ଦାନ କରି ଶୃଗାଳ ପରଜନ୍ମରେ ରାଜପଦବୀ ଲାଭ କରିପାରେ । ରାଜା ସଗର ତା’ର ଏକ ଜ୍ୱଳନ୍ତ ନିଦର୍ଶନ । ତେଣୁ ସେ ଷାଠିଏ ସହସ୍ର କନ୍ୟା ଦାନ କରି ଇନ୍ଦ୍ରପଦବୀ ଲାଭ କରିବା ପାଇଁ ଆଶାୟୀ ହୋଇ ଉଠିଥିଲେ ଏବଂ ଏଥିପାଇଁ କଠୋର ଯଜ୍ଞାନୁଷ୍ଠାନ ମଧ୍ୟ କରିଥିଲେ । ଅବଶ୍ୟ ଦେବରାଜ ଇନ୍ଦ୍ରଙ୍କ ଚକ୍ରାନ୍ତ ଫଳରେ ଷାଠିଏ ସହସ୍ର ପୁତ୍ରର ଜନକ ରୂପେ କେବଳ ନୁହେଁ, ସାଗରର ପ୍ରତିଷ୍ଠାତା ରୂପେ ଅମରତ୍ୱ ଲାଭ କରିପାରିଲେ; କିନ୍ତୁ ଇନ୍ଦ୍ରପଦବୀ ପ୍ରାପ୍ତିର ଆଶା ତାଙ୍କର ଫଳବତୀ ହୋଇପାରିଲା ନାହିଁ । ଏହି ପୌରାଣିକ ଆଖ୍ୟାନଟିର ବାସ୍ତବସତ୍ୟ ନିରୂପଣ କରିବା ଦୁରୂହ ହେଲେ ସୁଦ୍ଧା କନ୍ୟାଦାନଦ୍ୱାରା ଯେ ମନୁଷ୍ୟ ଅଶେଷ ପୁଣ୍ୟ ଲାଭ କରେ । ଏହା ଏଥିରୁ ପ୍ରତିପାଦିତ । ଏହିପରି ବହୁ ଦୃଷ୍ଟାନ୍ତ ଦିଆଯାଇପାରେ । ଏ ସବୁର ଆଲୋଚନା ବଳରେ ନାରୀ ଜୀବନ ସହିତ ବିବାହର ଏକ ଅବିଚ୍ଛେଦ୍ୟ ସମ୍ପର୍କ ଯେ ବିଦ୍ୟମାନ ଏହାକୁ ସ୍ୱୀକାର କରାଯାଇନପାରେ ।

 

ଭାରତୀୟ ସମାଜରେ ବିବାହ ଏକ ପବିତ୍ର ସାମାଜିକ ଅନୁଷ୍ଠାନ ରୂପେ ବିବେଚିତ । ବହୁ ପ୍ରାଚୀନ କାଳରୁ ପୃଥିବୀର ପ୍ରାୟ ସମସ୍ତ ଜାତିର ମନୁଷ୍ୟ ‘ବିବାହ’ ନେଇ ଅନେକ କଳ୍ପନା ଜଳ୍ପନା କରି ଆସିଥିବା କାହାକୁ ଅବିଦିତ ନୁହେଁ । ହିନ୍ଦୁ ସାମାଜିକ ଦର୍ଶନ ଅନୁସାରେ ବିବାହର ଏକ ସରଳ ଅର୍ଥ ହେଉଛି ପୁରୁଷ ଓ ସ୍ତ୍ରୀର ଶାରୀରିକ ଓ ମାନସିକ ମିଳନ ବା ଏକତ୍ରୀକରଣ । ଏହାର ସାର୍ଥକତା ଆଣିବା ପାଇଁ ବିବାହ ଏକ ନୈତିକ ଶପଥ । ଏଥିରେ କୌଣସି ଚୁକ୍ତି ନଥାଏ, କେବଳ ଥାଏ ପରସ୍ପର ପ୍ରତି ଐକାନ୍ତିକ ନିଷ୍ଠା ଓ ତ୍ୟାଗ । ଏଥିପାଇଁ ବିବାହର ଏକ ଉଲ୍ଲେଖଯୋଗ୍ୟ ମନ୍ତ୍ର ହେଉଛି ‘‘ଯଦିଦଂ ହୃଦୟ ତବ, ତଦସ୍ତୁ ହୃଦୟଂମମ’’ । ସମାଜର ନରନାରୀମାନଙ୍କ ମଧ୍ୟରେ ଯେବେ ସମ୍ବନ୍ଧ ନିହିତ, ସେଥି ମଧ୍ୟରେ ଯୌନ ସମ୍ବନ୍ଧକୁ ଏକ ମୌଳିକ ସମ୍ବନ୍ଧ ରୂପ ଗ୍ରହଣ କରାଯାଇଥାଏ-। ବତ୍ସାୟନଙ୍କ ଅନୁଯାୟୀ ନାରୀ ଓ ପୁରୁଷର ଯୌନାକାଂକ୍ଷା ଚରିତାର୍ଥ କରବା ନିମିତ୍ତ ବିବାହ ହେଉଛି ଏକ ବିଧି ସମ୍ମତ ପବିତ୍ର ମାଧ୍ୟମ (୧) । ବଂଶରକ୍ଷା ଦିଗରେ ବିବାହର ଭୂମିକା ମଧ୍ୟ କିଛି କମ୍‌ନୁହେଁ । (୨) ଏଥିପାଇଁ କୁହାଯାଇଛି ‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା, ପୁତ୍ରପିଣ୍ଡ ପ୍ରୟୋଜନମ୍’’ । ବିବାହଦ୍ୱାରା ନରନାରୀ ପତିପତ୍ନୀ ରୂପେ ସମାଜରେ ସମ୍ମାନିତ ହେବାର ସୁଯୋଗ ପାଇଥାନ୍ତି । ମୁକ୍ତ ମଣିଷର ବିଚଳିତ ମନ ଏହି ବନ୍ଧନଦ୍ୱାରା କେତେକାଂଶରେ ନିୟନ୍ତ୍ରିତ ହେଉଥିବା ଲକ୍ଷ୍ୟ କରାଯାଇପାରେ । (୩) ଏହା ବ୍ୟତୀତ ପାଣିନୀଙ୍କ ମତରେ ଉପୟମନ (upayamana) ବା ସ୍ୱ-କରଣ (swa-karana) ଶବ୍ଦଟି ବିବାହକୁ ବୁଝାଇଥାଏ । ମନୁଙ୍କ ସ୍ମୃତି ଅନୁସାରେ ବିବାହ ବେଦୀରେ କନ୍ୟାପିତା କନ୍ୟା ଉପରେ ଥିବା ତା’ର ସମସ୍ତ କର୍ତ୍ତୃତ୍ୱ ବରହସ୍ତରେ ଅର୍ପଣ କରିଦେଇଥାନ୍ତି (୪) । ବୈବାହିବ ବନ୍ଧନରେ ଆବଦ୍ଧ ହେଲେ ମୃତ୍ୟୁ ପର୍ଯ୍ୟନ୍ତ ତାହା ଅପରିବର୍ତ୍ତିତ ଓ ସ୍ଥିର ରହେ । (୫) ଏହା ବ୍ୟତୀତ ମନୁଷ୍ୟର ଗାର୍ହସ୍ଥ୍ୟ ଜୀବନ ବିବାହ ଦିନଠାରୁ ଆରମ୍ଭ ହୋଇଥାଏ ।

 

ଭାରତରେ ପ୍ରାୟତଃ ଆଠ ପ୍ରକାର ‘ବିବାହ’ ପ୍ରଚଳିତ ଥିବା ସ୍ମୃତିଶାସ୍ତ୍ରମାନଙ୍କରୁ ଜଣାଯାଏ-। ସେଗୁଡ଼ିକ ଯଥାକ୍ରମେ ବ୍ରାହ୍ମ, ଦୈବ, ଆର୍ଯ୍ୟ, ପ୍ରଜାପତ୍ୟ ଅସୁର ବା ତୋଳାକନ୍ୟା, ଗାନ୍ଧର୍ବ, ରାକ୍ଷସ ଓ ପୈଶାଚ । (୬) ଭାରତୀୟ ବାଙ୍‌ମୟର ସର୍ବଶ୍ରେଷ୍ଠ ପରିପ୍ରକାଶ ମହାଭାରତରେ ଏ ସମସ୍ତ ପ୍ରକାର ବିବାହର ନିଦର୍ଶନ ଦେଖିବାକୁ ମିଳେ । କିନ୍ତୁ ସମୟର ପରିବର୍ତ୍ତନ ସହିତ ଏଥିରୁ କେତେଗୁଡ଼ିଏ ପ୍ରଥା ଲୋପ ପାଇସାରିଲାଣି । ସମାଜର ନୈତିକତା ଓ ଆଦର୍ଶ ଉପରେ ଯେତେବେଳେ ବୁଦ୍ଧିଜୀବୀ ଓ ସାମାଜିକବିତ୍‌ମାନେ ଅଧିକ ବିଶେଷତ୍ୱ ପ୍ରଦାନ କରିବାକୁ ଲାଗିଲେ ସେତେବେଳେ ଏହି ପ୍ରଥା ଧୀରେ ଧୀରେ କଠୋର ଓ ଅନମନୀୟ ହୋଇ ଉଠିଲା । ଓଡ଼ିଆ ଲୋକସାହିତ୍ୟର ଉନ୍ମେଷ ବେଳକୁ ଓଡ଼ିଶାରେ ଯେଉଁ ବୈବାହିକ ପ୍ରଥାର ପ୍ରଚଳନ ଥିଲା, ସେ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ନିମ୍ନରେ ଦିଆଯାଉଛି ମାତ୍ର ।

 

ଓଡ଼ିଆ ଲୋକ ସାହିତ୍ୟରେ ଯେଉଁ ପୁରୁଷ ଓ ନାରୀ ଚରିତ୍ରଗୁଡ଼ିକର ଅବତାରଣା କରାଯାଇଛି ସେମାନଙ୍କୁ ବିଭିନ୍ନ ଉପାୟରେ ବୈବାହିକ ସମ୍ୱନ୍ଧରେ ଆବଦ୍ଧ କରିବା ପାଇଁ ଲୋକ ସାହିତ୍ୟର ସ୍ରଷ୍ଟାମାନେ ପ୍ରୟାସ କରିଅଛନ୍ତି । ଲୋକ ସାହିତ୍ୟ ବିଶେଷତଃ ଲୋକଗଳ୍ପଗୁଡ଼ିକରେ ଯେଉଁ ବିଭିନ୍ନ ବିବାହ ପ୍ରଥାର ଉଲ୍ଲେଖ ଦେଖିବାକୁ ମିଳେ ସେଗୁଡ଼ିକୁ ମୁଖ୍ୟତଃ ବାଲ୍ୟ ବିବାହ(୭), ବୃଦ୍ଧ ବିବାହ(୮), ଇଚ୍ଛାପତି ବରଣ(୯) , ପ୍ରେମ ବିବାହ(୧୦), ଉଦୁଲିଆ ବିବାହ(୧୧) , ପାଲଟା କନ୍ୟା ବିବାହ(୧୨) ଓ ସାହାଡ଼ା ବୃକ୍ଷ ବିବାହ(୧୩) ।

 

ବାଲ୍ୟ ବିବାହ:

କନ୍ୟାର ଯୌବନପ୍ରାପ୍ତି ପୂର୍ବରୁ ଯେଉଁ ବିବାହ ସଂଘଟିତ, ତାହା ହିଁ ବାଲ୍ୟବିବାହ । ବର୍ତ୍ତମାନ ସମାଜରେ ଏହା ଏକ ସାମାଜିକ ବ୍ୟାଧି ରୂପେ ପରିଗଣିତ । ଏହି ପ୍ରଥା ମୁସଲମାନମାନଙ୍କ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା ବୋଲି କେତେକ ଆଲୋଚକ ମତ ଦେଇଥାନ୍ତି(୧୪) । ସେତେବେଳେ ଏହା ଏକ ସାମାଜିକ ଆବଶ୍ୟକତା ରୂପେ ମତ ପରିଗଣିତ ହେଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଉଚ୍ଛେଦ ପାଇଁ ଆଇନ୍‌ ପ୍ରଣୟନ କରାଯାଇଛି । ତଥାପି ଏ ପର୍ଯ୍ୟନ୍ତ ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ସମାଜରେ ଏହା ପ୍ରଚଳିତ ଥିବା ଦେଖାଯାଏ ।

 

ବାଲ୍ୟ ବିବାହ ନିମିତ୍ତ ପାତ୍ରପାତ୍ରୀଙ୍କର ନିର୍ଦ୍ଦିଷ୍ଟ ବୟସ ଓଡ଼ିଆ ଲୋକସାହିତ୍ୟରେ ନିର୍ଦ୍ଧାରିତ ହୋଇ ନଥିଲେ ସୁଦ୍ଧା ଖୁବ୍‌ କମ୍‌ ସମୟ ଅର୍ଥାତ୍‌ ଦେଢ଼ବର୍ଷରୁ ସାତବର୍ଷ ମଧ୍ୟରେ ଶିଶୁକନ୍ୟାକୁ ମାତାପିତା ବିବାହ ଦେଉଥିବା ନିମ୍ନୋକ୍ତ ଲୋକଗୀତିରୁ ଜଣାଯାଏ ।

 

‘‘ପର୍ବତ ଶିଖରେ ଲଙ୍କାମରିତ ବାଦରା ଖାଇଲା ରସ

ମାମୁର ଝିଅକୁ ଦେଢ଼ ବରଷ ଭଣଜା ମୋଡ଼ୁଛି ନିଶ ।’’(୧୫)

 

ସାଧାରଣତଃ ଏତେ କମ୍‌ ବୟସର ବିବାହ ନିକଟ ସମ୍ପର୍କୀୟମାନଙ୍କ ମଧ୍ୟରେ ହିଁ ସମ୍ଭବପର; ଯେପରି ଭଣଜା ସହିତ ମାମୁ ଝିଅର ବିବାହ । (୧୬) ଏହା କେବଳ ହିନ୍ଦୁ ସମାଜରେ ନୁହେଁ । ନିକଟ ସମ୍ପର୍କୀୟା ଭଉଣୀ ସହ ଭାଇର ବିବାହ ମୁସଲମାନ ସଂପ୍ରଦାୟରେ ମଧ୍ୟ ପ୍ରଚଳିତ । (୧୭) ବାଲ୍ୟ ବିବାହର ପ୍ରଚଳନ କେଉଁ ସମୟରୁ ଆରମ୍ଭ ହେଲା ତାହା ସଠିକ୍‌ ରୂପେ କହିବା ସମ୍ଭବପର ନ ହେଲେ ସୁଦ୍ଧା ପଞ୍ଚଦଶ ଶତାବ୍ଦୀ ବେଳକୁ ଏହି ପ୍ରଥା ଥିବା ସାରଳା ମହାଭାରତରୁ ଜଣାଯାଏ । କନ୍ୟା ପିତୃଘରେ ରଜୋବତୀ ହେବା ଦୋଷାବହ ବୋଲି ଏଥିରେ ଉଲ୍ଲିଖିତ । କବିଙ୍କ ଭାଷାରେ-

 

‘‘ନିର୍ଘତା ବୋଇଲା ମାଗେ କହଇ ମୁହିଁ ତୋତେ

ତୋହର ଅବସ୍ଥାୟେଣ ଅନେକ ଦୋଷ ମୋତେ

ଅବିଭାୟୀ ଦୋହିତା ପିତା ଘରେ ହୋଇଲେ ରଜବତୀ

ୟେ କୋଇଶ ପୁରୁଷ ପରିଯନ୍ତେ ପିତୃଲୋକଙ୍କୁ ଅଗତି ।’’(୧୮)

 

ପଞ୍ଚଦଶ ଶତାବ୍ଦୀବେଳକୁ ଏହି ପ୍ରଥା ଓଡ଼ିଆ ସମାଜରେ ବଳବତ୍ତର ଥିବା ଜଣାଯାଏ । ଶାରଳା ବର୍ଣ୍ଣିତ ଦ୍ରୌପଦୀ ବିବାହ, ଉତ୍ତରା ପରିଣୟ ଏହାର ଦୃଷ୍ଟାନ୍ତ । ଯୌବନ ଲାଭ ପୂର୍ବରୁ ଦ୍ରୌପଦୀ ପାଣ୍ଡବମାନଙ୍କୁ ବିବାହ କରିଥିଲେ । ବିବାହ ପରେ ପାଣ୍ଡବଙ୍କ ଗୃହରେ ଅବସ୍ଥାନ କରୁଥିବା କାଳରେ ସେ ରଜୋବତୀ ହୋଇଥିଲେ ବୋଲି କବି ଉଲ୍ଲେଖ କରିଛନ୍ତି । (୧୯) ଉତ୍ତରା ମଧ୍ୟ ବାଲ୍ୟାବସ୍ଥାରେ ଅଭିମନ୍ୟୁଙ୍କୁ ବିବାହ କରିଥିବା ଜଣାଯାଏ; କାରଣ କବି କହନ୍ତି ସେ ବିବାହ ପରେ ପିତୃଗୃହରେ ରଜୋବତୀ ହୋଇଥିଲେ ଏବଂ ଦୂତ ସେହି ସମ୍ବାଦ ହସ୍ତିନାରେ ପ୍ରଦାନ କରିଥିଲେ । (୨୦) ଏହା ବ୍ୟତୀତ ରେବତୀ ବାଲ୍ୟ ବିବାହ କରିଥିବା ହରିବଂଶରୁ ସୁସ୍ପଷ୍ଟ । (୨୧) ବୈଦିକଯୁଗରେ କିନ୍ତୁ ପ୍ରଥାକୁ ପ୍ରଶ୍ରୟ ଦିଆଯାଉଥିବା ଲକ୍ଷ୍ୟ କରାଯାଏ ନାହିଁ । (୨୨)

 

ସେ ଯାହାହେଉ ଏହି ପ୍ରଥା ଅନୁଯାୟୀ କନ୍ୟାକୁ ଅତିକମ୍‌ ବୟସରେ ଅର୍ଥାତ୍‌ କନ୍ୟାର ଯୌବନପ୍ରାପ୍ତି ପୂର୍ବରୁ ତା’ର ବିବାହ ଦିଆଯାଇଥାଏ । ଏହି ବିବାହକୁ ଲୋକଚଳଣିରେ ପିଲାକନ୍ୟା ବିବାହ ବୋଲି କୁହାଯାଏ । କନ୍ୟାର ବୈଦିକରୀତିରେ ବିବାହ କାର୍ଯ୍ୟ ସମାପନ ପରେ ସେ କୁଳବଧୂ ରୂପେ ଶ୍ୱଶୁରାଳୟକୁ ଗମନ କରେ । କେତେକ ସ୍ଥଳରେ କନ୍ୟା ବିଭା ହୋଇସାରି ପୁଷ୍ପବତୀ ହେବାଯାଏଁ ପିତୃଗୃହରେ ମଧ୍ୟ ଅବସ୍ଥାନ କରିଥାଏ । କିନ୍ତୁ ଅନ୍ୟ କେତେକ ପରିବାରରେ ବିବାହିତ କନ୍ୟା ଶାଶୂଘରେ ପୁଷ୍ପବତୀ ହେବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ ।(୨୩)

 

କନ୍ୟାକୁ ଶୈଶବରେ ହିଁ ବିବାହ ଦେବାଦ୍ୱାରା ମାତା ପିତା କନ୍ୟାଦାୟରୁ ମୁକ୍ତିଲାଭ କରିଥାନ୍ତି । କନ୍ୟା ମଧ୍ୟ ଶୈଶବରୁ ହିଁ ଏକ ପୁରୁଷ ସହିତ ଆବଦ୍ଧ ହୋଇ ପଡ଼ିବା ଫଳରେ ଅନ୍ୟ ପୁରୁଷ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ଅନୁଭବ କରେ ନାହିଁ । କନ୍ୟାର ସୁରକ୍ଷା ପାଇଁ ଗୋଟିଏ ପରିବାର ଅପେକ୍ଷା ଦୁଇଟି ପରିବାରର ସଂଘବଦ୍ଧ ପ୍ରୟାସ ଏହାଦ୍ୱାରା ସଂଘଟିତ ହୋଇଥାଏ । ଫଳରେ ନାରୀର ସତୀତ୍ୱ ରକ୍ଷା ପାଇଁ ଅଧିକ ସୁଯୋଗ ଏହାଦ୍ୱାରା ସୃଷ୍ଟି କରାଯାଏ । ବାଲ୍ୟ ବିବାହ ସପକ୍ଷରେ ଅନ୍ୟ ଏକ ଯୁକ୍ତି ଉପସ୍ଥାପନ କରାଯାଇପାରେ ଯେ, ବୟସ୍କାନାରୀ ଅନ୍ୟ ପରିବାର ସହିତ ନିଜକୁ ମିଳାଇ ନେବା ସହଜସାଧ୍ୟ ନୁହେଁ । କିନ୍ତୁ ଶୈଶବରୁ ତାକୁ ଅନ୍ୟ ପରିବାର ସହିତ ସଂଶ୍ଲିଷ୍ଟ କରାଇ ଦିଆଗଲେ ସେ ସହଜରେ ସେହି ପରିବାରର ଆଚାର, ବ୍ୟବହାର, ଚାଲିଚଳଣିକୁ ସହଜରେ ଗ୍ରହଣ କରିନେଇପାରେ । ପରବର୍ତ୍ତୀ ସମୟରେ ସେ କୌଣସି ଅସୁବିଧା ଅନୁଭବ ନ କରି ଶାଶୁପରିବାର ସଂସ୍କାର ମଧ୍ୟରେ ଶାନ୍ତିରେ ଜୀବନଯାପନ କରିବା ପାଇଁ ସମର୍ଥ ହୁଏ ।

 

ଓଡ଼ିଆ ଲୋକସାହିତ୍ୟରେ ବାଲ୍ୟବିବାହ ପ୍ରଥାର ପ୍ରଚଳନ ସମ୍ପର୍କରେ ଉଲ୍ଳେଖ ଥିଲେ ସୁଦ୍ଧା କନ୍ୟା ସ୍ୱାମୀ ଗୃହକୁ ଯୌବନପ୍ରାପ୍ତି ପୂର୍ବରୁ ଗମନ କରିଥିବା ଦେଖାଯାଏ ନାହିଁ । କିନ୍ତୁ ସର୍ବତ୍ର ପୁଷ୍ପବତୀ ହେବାର ଖୁବ୍‌ କମ୍‌ ସମୟ ପରେ କନ୍ୟା ଶ୍ୱଶୁରାଳୟରେ ପଦାର୍ପଣ କରିଥିବା ବର୍ଣ୍ଣନା ହିଁ ଏଥିରେ ପରିଦୃଷ୍ଟ । ସାତବର୍ଷରେ ବିବାହ କରି ସୁଦ୍ଧା ଚଉଦ ବର୍ଷ ପର୍ଯ୍ୟନ୍ତ ପିତୃଗୃହରେ ରହିଥିବା ଗୋଟିଏ କୁମାରୀ କନ୍ୟାର ବେଦନା କିପରି ‘ଦୁଃଖିନୀ’ ଲୋକଗୀତରେ ପ୍ରକାଶିତ ତାହାକୁ ନିମ୍ନରେ ଉଦ୍ଧାର କରାଯାଇପାରେ ।

 

‘‘ସୀତା ଲୋ ବର୍ଷକାଳ ବିଭା ହୋଇଲି

ସାତ ଲୋ ବର୍ଷକାଳ ଚାହି ରହିଲି

ଚଉଦ ବରଷ ଲୋ ମୋତେ ହୋଇଲା

ନିଷ୍ଠୁର ହୃଦୟ ଲୋକ କେଣେ ରହିଲା ।’’

 

ତତ୍‌କାଳୀନ ସମାଜର ଲୋକବିଶ୍ୱାସ ଅନୁଯାୟୀ କନ୍ୟା ପିତାଙ୍କ ଘରେ ରଜୋବତୀ ହେଲେ ତା’ର ଶୋଣିତ ପିତୃଗଣ ପାନ କରନ୍ତି । (୨୫) ପରାଶର ସଂହିତାରେ ମଧ୍ୟ ଏହି ମତକୁ ସମର୍ଥନ କରାଯାଇଛି । ତେଣୁ ବାଲ୍ୟାବସ୍ଥାରେ କନ୍ୟାକୁ ଶାଶୂଘରକୁ ପଠାଇଦେବା ପାଇଁ ମାତାପିତା ଯତ୍‌ପରୋନାସ୍ତି ଚେଷ୍ଟା କରୁଥିଲେ ।

 

ଉପର୍ଯୁକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ବାଲ୍ୟ ବିବାହ ପ୍ରାଚୀନ ଉତ୍କଳରେ ଏକ ସୁପ୍ରଚଳିତ ପ୍ରଥା ରୂପେ ଚଳି ଆସୁଥିଲା । ଏହି ବିବାହର କେତେକ ସୁଫଳକୁ ଅସ୍ୱୀକାର କରାନଗଲେ ସୁଦ୍ଧା ଏହାଦ୍ୱାରା ନାରୀର ସ୍ୱାଧୀନତା ଯେ ଶୈଶବରୁ ହିଁ ଅପହରଣ କରି ନିଆଯାଏ । ଏଥିରେ ସନ୍ଦେହ ନାହିଁ । ଶୈଶବରୁ ହିଁ ସେ ପିତୃ ପରିବାରର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ, ସ୍ନେହ, ସୌହାର୍ଦ୍ଦ୍ୟରୁ ବଞ୍ଚିତା ହୋଇ ଏକ ନୂତନ ପରିବାର ମଧ୍ୟରେ ବସବାସ କରେ । ଅପରିପକ୍ୱ ବୟସରେ ମାତୃତ୍ୱ ଲାଭ କରିବା ଫଳରେ ତା’ର ସମଗ୍ର ଜୀବନ ଯନ୍ତ୍ରଣାକ୍ଲିଷ୍ଟ ହୋଇଯାଏ । ବସ୍ତୁତଃ ସେ ଏକ ପ୍ରକାର କାରାରୁଦ୍ଧ ବା ଗୋତି ଶ୍ରମିକର ଜୀବନ ହିଁ ଯାପନ କରିଥାଏ । ନାରୀ ଜୀବନର ମହତ୍ତ୍ୱକୁ ଫେରାଇ ଆଣିବା ପାଇଁ ଊନବିଂଶ ଶତାବ୍ଦୀର ଶେଷ ଭାଗରୁ ଏ ଦେଶରେ ସାମାଜିକ ସଚେତନତା ଦେଖାଦେଇଛି । ବାଲ୍ୟ ବିବାହ ନିରୋଧ ପାଇଁ ସମାଜ ସଂସ୍କାରକମାନେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଆଇନମାନ ମଧ୍ୟ ପ୍ରଣୟନ କରାଯାଇଛି । କିନ୍ତୁ ସମାଜରେ ଥିବା ଏହି ନାରୀ ନିର୍ଯ୍ୟାତନାର ଅବସାନ ଯେ ଏବେ ସୁଦ୍ଧା ଘଟିନାହିଁ, ଏହା ମୁକ୍ତ କଣ୍ଠରେ ସ୍ୱୀକାର କରାଯାଇପାରେ । ନାରୀ ଶିକ୍ଷା, ବାଲ୍ୟ ବିବାହର କୁ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି, କଠୋର ଆଇନ୍‌ ପ୍ରଣୟନ ପ୍ରଭୃତିଦ୍ୱାରା ଦୀର୍ଘ ଶହେ ବର୍ଷ ଧରି ଏହା ବିରୁଦ୍ଧରେ ଯେଉଁ ଆନ୍ଦୋଳନ ଚାଲି ଆସିଛି; ତା’ର ସୁପରିଣାମ ବର୍ତ୍ତମାନ କିଛି ପରିମାଣରେ ଦେଖିବାକୁ ମିଳିଲାଣି । ଫଳରେ ଆଜିର ଓଡ଼ିଶା ସମାଜରୁ ବାଲ୍ୟବିବାହ ପ୍ରଥା ବହୁ ପରିମାଣରେ ଦୂରୀଭୂତ ହୋଇପାରିଛି ବୋଲି କୁହାଯାଇପାରେ । ତଥାପି ଚାରିଶହ ବର୍ଷ ଧରି ଚାଲି ଆସିଥିବା ଏହି ପ୍ରଥା ଏବେ ସୁଦ୍ଧା କେତେକ ନିର୍ଦ୍ଦିଷ୍ଟ ସମାଜରେ ପ୍ରଚଳିତ ଥିବା ଲକ୍ଷ୍ୟ କରାଯାଏ ।

 

ବୃଦ୍ଧ ବିବାହ :

ବାଲ୍ୟ ବିବାହ ପରି ବୃଦ୍ଧ ବିବାହ ମଧ୍ୟ ଅନ୍ୟ ଏକ ସାମାଜିକ ବ୍ୟାଧି । କିନ୍ତୁ ପ୍ରଥମଟି ପରି ଏହା ସମାଜର ସାର୍ବଜନୀନ ସ୍ୱୀକୃତ ଲାଭ କରିଥିଲା ବୋଲି ମନେ ହୁଏ ନାହିଁ । ବିଭିନ୍ନ କାରଣରୁ ଏକ ଅପ୍ରାପ୍ତ ଯୌବନାକନ୍ୟାକୁ ବିବାହ ବୟସ ଉତ୍ତୀର୍ଣ୍ଣ ହୋଇଥିବା କିମ୍ୱା ମୃତାଦାର ଅଥବା ନିଃସନ୍ତାନ ବହୁପତ୍ନୀକ ଏକ ପୁରୁଷ ସହିତ ଛନ୍ଧନ୍ତି ଦିଆଯାଇଥାଏ । ଏ ପ୍ରକାର ବିବାହରେ କେବଳ ବର ବ୍ୟତୀତ ମାତା ପିତା କିମ୍ୱା ସମାଜ କାହାରି ସ୍ୱୀକୃତି ଥିବା ଜଣାଯାଏ ନାହିଁ । ପିତୃ ପରିବାରର ଅର୍ଥନୈତିକ ଦୁର୍ଗତି ହିଁ ଏହାର ମୁଖ୍ୟ କାରଣ । ଧନ ଲୋଭରେ ହେଉ କିମ୍ୱା ଯୌତୁକ ଦେବା ପାଇଁ ଧନ ଅଭାବରୁ ହେଉ କନ୍ୟା ପିତା ବାଧ୍ୟ ବାଧକତାରେ ନିଜର ଅଳିଅଳ କନ୍ୟାଟିକୁ ବୃଦ୍ଧ ବରହସ୍ତରେ ସମର୍ପି ଦେଇଥାଏ । ଏହାଦ୍ୱାରା କନ୍ୟା ହୁଏତ ବ୍ୟଭିଚାରିଣୀ ହୁଏ କିମ୍ବା ଆଜୀବନ ଏକ ନିର୍ଯ୍ୟାତିତ ଜୀବନ ଯାପନ କରେ ।

 

ଲୋକ ସାହିତ୍ୟରେ ଏହି ପ୍ରକାର ବିବାହର ଉଲ୍ଲେଖକ୍ୱଚିତ୍‌ ଦେଖିବାକୁ ମିଳେ । ସେଥିମଧ୍ୟରୁ କେତୋଟିକୁ ନିମ୍ନରେ ଉଦ୍ଧାର କରିବା ଆବଶ୍ୟକ ମନେହୁଏ ।

 

‘‘ବାପା ଯାଇଥିଲେ ତୋଟା ମାଳକୁ ମାଆଲୋ ମୋର

ଧରି ଆଣିଲେ ଏ ବୁଢ଼ା ବରକୁ ମାଆଲୋ ମୋର

ଟାଙ୍ଗର ମୁଣ୍ଡରେ ପାଗ ଭିଡ଼ିଚି ମାଆଲୋ ମୋର

ଦାନ୍ତ ନାହିଁ ଗୁଆ ଛେଚି ଖାଉଛି ମାଆଲୋ ମୋର ।’’ (୨୭)

‘‘ଆଖି ଥାଉ ଥାଉ ଅନ୍ଧୁଣୀ ହେଲୁ ବୋଉଲୋ ମୋର

ପିଲାର ଝିଅକୁ ବୁଢ଼ାକୁ ଦେଲୁ ବୋଉଲୋ ମୋର

କୋଚିଲା ଖାଇ ମରିଥାନ୍ତି ମୁହିଁ ବୋଉଲୋ ମୋର

ଏ ବୁଢ଼ା ମୁହଁକୁ ଚାହାନ୍ତି ନାହିଁ ବୋଉଲୋ ମୋର ।’’ (୨୮)

 

ଏହାଛଡ଼ା ଷାଠିଏ ହାତ ଦାଢ଼ୀ (୨୯), ଖଣ୍ଡେଇତ ଘରର କାନ୍ଦଣା (୩୦), ପ୍ରବାଦ ଓ ପ୍ରବଚନ ସଂଗ୍ରହ (୩୧) ପ୍ରଭୃତିରେ ବୃଦ୍ଧବିବାହ ସମ୍ପର୍କରେ ଉଲ୍ଲେଖଥିବା ଲକ୍ଷ୍ୟ କରିହୁଏ । କେବଳ ଏତିକି ନୁହେଁ, ପୁନଶ୍ଚ ଯେଉଁ ସ୍ଥାନରେ ବୃଦ୍ଧ ବିବାହର ସୂଚନା ମିଳେ, ସେଠାରେ ଲୋକକବିର ସ୍ୱର ଯେ ବ୍ୟଙ୍ଗାତ୍ମକ ତଥା ବେଦନାସିକ୍ତ ଏହାକୁ ଏଡ଼ାଇ ଦିଆଯାଇ ନ ପାରେ । ଏଠାରେ ପ୍ରଚଳିତ ପ୍ରବଚନଟିକୁ ଉଦ୍ଧାର କରିବା ପ୍ରୟୋଜନ ମନେହୁଏ । ‘‘ବରତିରିଶା କନିଆଁ ଦଶା’’ । (୩୨) ଏଥିରେ ତିରିଶ ବର୍ଷର ବର ସହିତ ଦଶବର୍ଷର କନ୍ୟାକୁ ବିବାହ ଦେଲେ ସେ କିପରି ଦୁର୍ଦ୍ଦଶା ଭୋଗ କରେ ତାହା ହିଁ ବ୍ୟଞ୍ଜିତ । ତେଣୁ ତିରିଶ ଓ ଦଶ ପରିବର୍ତ୍ତେ ଆକାରନ୍ତ ତିରିଶା ଓ ଦଶ ଶବ୍ଦର ବ୍ୟବହାର ଏଠାରେ ବକ୍ତବ୍ୟଟିକୁ ବ୍ୟଞ୍ଜନା ଗର୍ଭିତ କରି ଗଢ଼ି ତୋଳିଛି । ଏହିପରି ଅନ୍ୟତ୍ର ବୃଦ୍ଧକୁ ବିବାହ କରିବାକୁ ଯାଉଥିବା କନ୍ୟାର ବେଦନା ଅତି ମର୍ମନ୍ତୁଦ ଭାଷାରେ ଲୋକସାହିତ୍ୟ ମଧ୍ୟରେ ସ୍ଥାନିତ ।

 

ଲୋକସ୍ୱୀକୃତ ନଥିଲେ ସୁଦ୍ଧା ଏହା ଯେ ସେ ସମୟର ଏକ ବହୁ ପ୍ରଚଳିତ ପ୍ରଥା ଲୋକସାହିତ୍ୟ ଆଧାରରେ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଅସହାୟା କୁମାରୀ କନ୍ୟାର ଏହି କରୁଣ କ୍ରନ୍ଦନ ଓ ଅଶ୍ରୁଳ ଆବେଦନ ସର୍ବଦା ସମାଜର ସଚେତନଶୀଳ ବ୍ୟକ୍ତିମାନଙ୍କୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଜାଗ୍ରତ କରିଛି । ବତ୍ସାଦାସଙ୍କ କଳସା ଚଉତିଶା (୩୩), ଫକୀର ମୋହନ ସେନାପତିଙ୍କ ‘‘ମାଧମହାନ୍ତିଙ୍କ କନ୍ୟାସୁନା।’’(୩୪), ‘‘ବିରେଇ ବିଶାଳ’’ (୩୫) ପ୍ରଭୃତି କ୍ଷୁଦ୍ରଗଳ୍ପ, ଭିକାରୀ ଚରଣଙ୍କ ‘‘ସଂସାରଚିତ୍ର’’ (୩୬) ,ରାମଶଙ୍କର ରାୟଙ୍କ ‘‘ବୁଢ଼ାବର’’ (୩୭) ପ୍ରଭୃତି ନାଟକ, ନନ୍ଦକିଶୋରଙ୍କ ‘ଜେମାଦେଈ’(୩୮) ପ୍ରଭୃତି କବିତାରେ ଏ ସମ୍ପର୍କୀୟ ପ୍ରତିକୂଳ ମନ୍ତବ୍ୟମାନ ଦେଖିବାକୁ ମିଳେ ।

 

ଇଚ୍ଛାପତି ବରଣ :

ଉଲ୍ଲିଖିତ ଉଭୟବିଧ ବିବାହରେ କନ୍ୟାର ମତାମତ ପ୍ରତି ଆଦୌ ଗୁରୁତ୍ୱ ଦିଆଯାଉ ନଥିଲାବେଳେ ଆଲୋଚ୍ୟ ବିବାହ ପଦ୍ଧତିରେ ସ୍ୱାମୀ ମନୋନୟନରେ ନାରୀ ସଂପୂର୍ଣ୍ଣ ରୁପେ ସ୍ୱାଧୀନ । ସେ ନିଜର ଇଚ୍ଛାନୁଯାୟୀ ତା’ର ଜୀବନସଙ୍ଗୀ ନିର୍ବାଚନ କରେ । ଏହାକୁ ସ୍ୱୟମ୍ୱର ବୋଲି ମଧ୍ୟ କୁହାଯାଏ । ସେ ଇନ୍ଦୁମତି କିମ୍ୱା ଦମୟନ୍ତୀଙ୍କ ପରି ନିମନ୍ତ୍ରିତ ରାଜକୁମାରମାନଙ୍କ ମଧ୍ୟରୁ ଜଣକୁ ବରଣ କରିପାରେ କିମ୍ୱା ସାବିତ୍ରୀଙ୍କ ପରି ବିଭିନ୍ନ ରାଜ୍ୟଭ୍ରମଣ ପୂର୍ବକ ନିଜ ପାଇଁ ଉପଯୁକ୍ତ ପତି ସନ୍ଧାନ କରିପାରେ । ଏହାର ଦୃଷ୍ଟାନ୍ତ ସ୍ୱରୂପ ‘ଧରନାଡ଼ି ମାର ଠେଙ୍ଗା’ (୩୯), ‘ଚତୁରୀ ରତ୍ନାବତୀ’ (୪୦), ‘ମଣିଷ ବିଚାର ଢ଼େର ଦେବତା ବିଚାର ହେଉ’ (୪୧) ଲୋକଗଳ୍ପଗୁଡ଼ିକ ଗ୍ରହଣ କରାଯାଇପାରେ ।

 

ପ୍ରେମ ବିବାହ :

ସ୍ୱୟମ୍ୱର ପରି ପ୍ରେମ ବିବାହ ମଧ୍ୟ ଅତି ପ୍ରାଚୀନ କାଳରୁ ଉତ୍କଳୀୟ ସମାଜରେ ଚଳିଆସୁଛି । ଏହାକୁ ଆଦିମତମ ବିବାହ ପ୍ରଥା ରୂପେ ସ୍ୱୀକାର କରାଯାଇପାରେ । ନାରୀ ଓ ପୁରୁଷ ପରସ୍ପର ପ୍ରତି ଆକୃଷ୍ଟ ହୋଇ ସମାଜର ସମସ୍ତ ବାଧାବନ୍ଧନକୁ ଲଙ୍ଘନ କରି ବିବାହ ସୂତ୍ରରେ ଆବଦ୍ଧ ହୁଅନ୍ତି । ଓଡ଼ିଆ ଲୋକଗୀତିରେ ଏହାର ଦୃଷ୍ଟାନ୍ତ ନ ଥିଲେ ସୁଦ୍ଧା ଓଡ଼ିଆ ଲୋକଗଳ୍ପରେ ଏହି ପ୍ରକାର ବିବାହର ବହୁ ନିଦର୍ଶନ ଦେଖିବାକୁ ମିଳେ । ଦୃଷ୍ଟାନ୍ତସ୍ୱରୂପ ‘ଯାହା ଲାଖି ଯିଏ’ (୪୨), ‘ କାପେତୀ କଥା’ (୪୩) କୁ ଗ୍ରହଣ କରିବା ଅସଙ୍ଗତ ନୁହେଁ ।

 

ଏହି ପ୍ରକାର ବିବାହର ନିଦର୍ଶନ ସାରଳା ମହାଭାରତ ଏବଂ ଅନ୍ୟାନ୍ୟ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ ଦେଖିବାକୁ ମିଳେ । ‘ଅର୍ଜୁନ ଚିତ୍ରାଙ୍ଗଦା’, ‘ହିଡ଼ିମ୍ୱି ଭୀମ’(୪୪ , ‘ଲାବଣ୍ୟବତୀ ଚନ୍ଦ୍ରଭାନୁ’(୪୫) ପ୍ରଭୃତିଙ୍କ ବିବାହ, ପ୍ରଣୟ ବିବାହ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହା ହିଁ ସମସ୍ତ ସ୍ମୃତିଶାସ୍ତ୍ର ସମର୍ଥିତ ଗାନ୍ଧର୍ବ ବିବାହ । ଏଥିରେ ଜାତିଗୋତ୍ର, ରୂପଗୁଣ, ଧନସମ୍ପତ୍ତି ପ୍ରଭୃତି ବିଚାର ବିବେଚନାର ଅବକାଶ ନ ଥାଏ । ଏକ ନୈସର୍ଗିକ ଆକର୍ଷଣରେ ଆକୃଷ୍ଟ ହୋଇ ଯୁବକଯୁବତୀ ପ୍ରଣୟ ପାଶରେ ଆବଦ୍ଧ ହୋଇଥାନ୍ତି ।

 

ଉଦୁଳିଆ ବିବାହ :

ଓଡ଼ିଶାର ଆଦିବାସୀ ପରିବାର ମଧ୍ୟରେ ସମୟେ ସମୟେ ଉଦୁଳିଆ ବିବାହ ଅନୁଷ୍ଠିତ ହୋଇଥାଏ । ଅନ୍ୟ କୌଣସି ସମାଜରେ ଏହି ବିବାହ ପ୍ରଥା ସାମାଜିକ ସ୍ୱୀକୃତି ଲାଭ କରିଥିବା ଦେଖାଯାଏ ନାହିଁ । ଉକ୍ତ ବିବାହରେ କନ୍ୟା ଜଙ୍ଗଲକୁ କୌଣସି ଜିନିଷ ଆଣିବା ବାହାନାରେ ଯାଇଥାଏ । ସୁଯୋଗ ଦେଖି ତା’ର ପ୍ରେମିକ ତାକୁ ବଳପୂର୍ବକ ନିଜ ଘରକୁ ନେଇଯାଏ । ଏହାକୁ ଉଦୁଳିଆ ବିବାହ କୁହାଯାଏ । କଥାରେ ଅଛି ‘‘ଘାଟର କନିଆଁକୁ ବାଟର ବର, ତାକୁ ଝିଙ୍କି ଆଣି ବିଭାକର’’ (୪୬) । ‘ଓଡ଼ିଶାର କୋରାପୁଟ’ (୪୭) ଓ ‘ସମ୍ୱଲପୁର’ (୪୮) ଅଞ୍ଚଳରେ ଏହି ବିବାହ ଅଦ୍ୟାପି ପ୍ରଚଳିତ ଥିବା ଲକ୍ଷ୍ୟ କରାଯାଏ ।

 

ଏହି ବିବାହରେ କନ୍ୟା ପରିବାରର କୌଣସି କର୍ତ୍ତୃତ୍ୱ ନଥାଏ । ପାରିବାରିକ ଅସ୍ୱୀକୃତ ସତ୍ତ୍ୱେ କନ୍ୟା ନିଜର ମନୋମତ ପୁରୁଷ ସହିତ ବିବାହ କରିବା ପାଇଁ ଚାହିଁଲେ ସେ ଏ ପ୍ରକାର ଏକ ବୈବାହିକ ପ୍ରଥାକୁ ଆଦରି ନେଇଥାଏ । ସାମାଜିକ ସ୍ୱୀକୃତି ଥିବା ଯୋଗୁଁ ପାରିବାରିକ ପ୍ରତିବନ୍ଧକ ଲଙ୍ଘନ କରିଯିବା ପାଇଁ ଏହା ଏକ ସୁପରିକଳ୍ପିତ ପ୍ରଥା । ‘ଝୋଲା’ ଓ ‘କନ୍ୟାସୁନା’ ପ୍ରଥାର ପ୍ରତିବାଦସ୍ୱରୂପ ଏହି ପ୍ରଥାର ପ୍ରଚଳନ ହୋଇଥିବା ସମ୍ଭବପର । ପ୍ରକାରାନ୍ତରେ ଏହାକୁ ସ୍ୱୟମ୍ୱର ଓ ରାକ୍ଷସ ବିବାହ ପ୍ରଥାର ଏକ ସମନ୍ୱିତ ରୂପ ବୋଲି କୁହାଯାଇପାରେ ।

 

ସାହାଡ଼ାବୃକ୍ଷ ବିବାହ :

ଅମାବାସ୍ୟା ତିଥିରେ ଜନ୍ମିତ କନ୍ୟାକୁ ଓଡ଼ିଆ ସମାଜରେ ଉଆଁସୀ କନ୍ୟା ରୂପେ ଅଭିହିତ କରାଯାଇଥାଏ । ଏହି କନ୍ୟାମାନେ ସାମାଜିକ ବିଶ୍ୱାସରେ ସାଧାରଣତଃ ଅମୁଙ୍ଗଳି କନ୍ୟା ରୂପେ ବିବେଚିତ ହୋଇଥାନ୍ତି । ତେଣୁ ଏମାନଙ୍କର ବିବାହ ନେଇ ସମାଜରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ଉଆଁସୀ କନ୍ୟାର ରିଷ୍ଟଖଣ୍ଡନ ସକାଶେ ଏହାକୁ ପ୍ରଥମେ ସାହାଡ଼ାବୃକ୍ଷ ସହିତ ବିବାହ ଦିଆଯାଏ ଏବଂ ପରବର୍ତ୍ତୀ ସମୟରେ ନିର୍ବାଚିତ ପୁରୁଷ ସହ ତା’ର ବିବାହ ବିଧିପୂର୍ବକ ନିର୍ବାହିତ ହୁଏ । ଏହି ବିବାହ ଉତ୍କଳରେ ସାହାଡ଼ାବୃକ୍ଷ ବିବାହ ନାମରେ ପ୍ରଚଳିତ ।

 

ପ୍ରାଚୀନ ଓଡ଼ିଶାରେ ସାହାଡ଼ା ବୃକ୍ଷ ବିବାହର ପ୍ରଚଳନ ଦୃଷ୍ଟିଗୋଚର ହୁଏ । ଲୋକବିଶ୍ୱାସ ଅନୁଯାୟୀ ଏହାର ଗୁରୁତ୍ୱ ସମାଜରେ ଯଥେଷ୍ଟ । ସହାଡ଼ା ବୃକ୍ଷ ବିବାହକୁ କେହି କେହି ଉଆଁସୀ କନ୍ୟା ବିବାହ ବୋଲି ମଧ୍ୟ କହିଥାନ୍ତି । ଅମାବାସ୍ୟାରେ ଜନ୍ମିତ କୌଣସି କୁମାରୀକୁ ବିବାହ କରିବାଦ୍ୱାରା ପୁରୁଷ ମୃତ୍ୟୁମୁଖରେ ପଡ଼େ ବୋଲି ଲୋକଙ୍କର ଧାରଣା । କୁମାରୀଙ୍କ ବୈଧବ୍ୟ ଦୋଷରୁ ମୁକ୍ତି ଦେବା ନିମିତ୍ତ ସମାଜରେ ଏହି ରୀତି ପ୍ରଚଳିତ । ଏହି ରୀତିରେ ବିବାହ କରିବାଦ୍ୱାରା ରିଷ୍ଟ ଖଣ୍ଡିତ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ଏହାରି ପଛରେ କୌଣସି ବିଜ୍ଞାନସମ୍ମତ କାରଣ ନଥିଲେ ସୁଦ୍ଧା ରକ୍ଷଣଶୀଳ ଓଡ଼ିଆ ସମାଜରେ ଏହି ଲୋକବିଶ୍ୱାସ ଏବେ ସୁଦ୍ଧା ବସାବାନ୍ଧି ରହିଛି ।

 

ପଞ୍ଚଦଶ ଶତାବ୍ଦୀ ବେଳକୁ ଓଡ଼ିଶାରେ ଏହି ଲୋକବିଶ୍ୱାସ ଜନସାଧାରଣଙ୍କ ମନରେ ପ୍ରବେଶ କରିଥିବା ନିଶ୍ଚିତ ରୂପେ ଜଣାଯାଏ । କାରଣ ସାରଳା ଦାସଙ୍କ ମହାଭାରତରେ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କ ବିବାହ ପ୍ରସଙ୍ଗରେ ସାହାଡ଼ା ବୃକ୍ଷ ବିବାହର ଉଲ୍ଲେଖ ଦେଖାଯାଏ । କବିଙ୍କ ଲେଖନୀରେ-

 

‘‘ଚାଲ ହେ ରାଜା ୟେବେ ସାହାଡ଼ାବୃକ୍ଷ ଯେ ଦେଖିବା

ଗାନ୍ଧାରୀଙ୍କୁ ତାହା ପ୍ରଦାନ କରିବା ।’’ (୪୯)

 

ଏତଦ୍‌ବ୍ୟତୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ଲୋକଗଳ୍ପ (୫୦), ପ୍ରବାଦ ପ୍ରବଚନ (୫୧), ଓଷାବ୍ରତ, ପଲ୍ଲୀଗୀତ (୫୨) ଗୁଡ଼ିକରେ ଉଆଁସୀ କନ୍ୟା ବିବାହ ସମ୍ପର୍କରେ ସୂଚନା ମିଳେ । ତେଣୁ ଏହି ଲୋକବିଶ୍ୱାସ ଫଳରେ କୌଣସି ପରିବାରରେ ଯଦି ଅମାବାସ୍ୟା ଦିନ କନ୍ୟା ସନ୍ତାନ ଜନ୍ମ ହୁଏ, ତେବେ ମାତାପିତାଙ୍କ ମନରୁ ସନ୍ତାନ ଜନ୍ମଜନିତ ସରସ ଭାବ ଦୂରେଇଯାଏ । ଯେତେ ରୂପବତୀ ଓ ଗୁଣବତୀ ହୋଇଥିଲେ ସୁଦ୍ଧା ଏ ପ୍ରକାର କନ୍ୟାର ପାଣିଗ୍ରହଣ କରିବାକୁ କେହି ଆଗ୍ରହ ପ୍ରକାଶ କରି ନଥାନ୍ତି । ଏହା ସମ୍ପର୍କରେ ଲୋକଗଳ୍ପ ସଞ୍ଚୟନରେ ଉଲ୍ଲେଖ ଅଛି ‘‘ ସେ ଦେଶରେ ଜଣେ ରାଜା ଥାନ୍ତି, ତାଙ୍କର ଗୋଟିଏ ବୋଲି ଜେମା, ସୁନା ପ୍ରତିମା, ହେଲେ କ’ଣ ହେବ ଉଆଁସରେ ଜନ୍ମ । କଥା ଅଛି ଉଆଁସୀ କନିଆଁକୁ ଅଳପେଇସ ବର; ୟାକୁ କିଏ ବାହା ହେବ ? ଜାଣୁ ଜାଣୁ କିଏ ନିଆଁକୁ ଡେଇଁବ ।’’ କିନ୍ତୁ ଏ ପ୍ରକାର ଲୋକବିଶ୍ୱାସର ଯେ କିଛି ଯଥାର୍ଥତା ଅଛି, ସେଥିରେ ଲୋକ କବି ଘୋର ସନ୍ଦେହ ପ୍ରକାଶ କରିଥିବା ଦେଖାଯାଏ । ଉଦାହରଣ ସ୍ୱରୂପ ‘କୁହୁକ କରାଟ’ ଲୋକଗଳ୍ପରେ ଉଆଁସୀ କନ୍ୟାକୁ ବିବାହ କରି ସାଧବ ପୁଅ ରାଜପଦବୀ ଲାଭ କରିବା ସଙ୍ଗେ ସଙ୍ଗେ ଆନନ୍ଦରେ ଜୀବନଯାପନ କରିପାରିଛି। ରାଜକୁମାରୀ ସାଧବଘରକୁ ବୋହୂ ହୋଇଆସି ଯେଉଁ ଦୁଃଖ ଲାଭ କରିଛି, ତାହା କେବଳ ସାମାଜିକ କୁସଂସ୍କାରରକୁ ପରିଣାମ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଲୋକ ସାହିତ୍ୟରୁ ମିଳୁଥିବା ଉପଯୁକ୍ତ ବୈବାହିକ ପ୍ରଥାଗୁଡ଼ିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଏଗୁଡ଼ିକ ପ୍ରଚଳିତ ବିବାହ ପଦ୍ଧତିର କେତୋଟି ବ୍ୟତିକ୍ରମ ମାତ୍ର ।

 

 

ମୁଖ୍ୟ ଅଧ୍ୟାପକ

ମା ମାର୍କମା ମହାବିଦ୍ୟାଳୟ

ବିଷମ କଟକ (ରାୟଗଡ଼ା), ୭୬୫୦୧୯

***

 

୧.

Society in India-J.L. Kachroo & V.Kachroo, Page-146

୨.

lbid-Page-145-146

୩.

ଓଡ଼ିଆଣୀର ଦିନଚର୍ଯ୍ୟା-ଏମ୍‌ଫିଲ ନିବନ୍ଧ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୀମାଞ୍ଚଳ ପ୍ରଧାନ, ପୃଷ୍ଠା-୯୦

୪.

India as known to Panini-V.S. Agrawall, Page-85

୫.

ସାରଳା ମହାଭାରତରେ ସାମାଜିକ ଜୀବନ -ଡକ୍ଟର ଦୀନବନ୍ଧୁ ରଥ, ପୃଷ୍ଠା-୨୨

୬.

ମନୁସ୍ମୃତ (ତୃତୀୟ) ପୃଷ୍ଠା ୨୯ ।

୭.

ଦୋଳିଗୀତ-ପ.ଗୀ.ସଂ. (ପ୍ରଥମ ଭାଗ) ପୃଷ୍ଠା ୧୬୭ ।

୮.

କାନ୍ଦଣା - ତତ୍ରୈବ, ପୃଷ୍ଠା ୯୬ ।

୯.

ଯାହା ଲାଖି ଯିଏ- ଲୋ.ଗ.ସଂ.-ପୃଷ୍ଠା ୩୩୨ ।

୧୦.

କାପେତା କାପେତୀ କଥା-ତତ୍ରୈବ-ପୃଷ୍ଠା ୬୪ ।

୧୧.

(i).ପାଣିକା ଯେ ନଯା ନୁନୀ- ପ.ଗୀ.ସଂ. (ପ୍ରଥମ ଭାଗ) ପୃଷ୍ଠା ୫୨୯ ।

(ii).ସମ୍ବଲପୁରୀ ଲୋକସାହିତ୍ୟ- କୁମର ହସନ୍‌ ପୃଷ୍ଠା- ୧୬୫ ।

(iii) Gazetteer of Sambalpur-Page-125 ।

୧୨.

ଦୋଳିଗୀତ - ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୧୩୪ ।

୧୩.

(i). ହଳିଆ ଗୀତ-ପ.ଗୀ.ସଂ. (ତତ୍ରୈବ) ପୃଷ୍ଠା-୩୦୬ ।

(ii). ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି - ଲୋ.ଗ.ସଂ.-ପୃଷ୍ଠା - ୧୩ ।

୧୪.

ଓଡ଼ିଶା ସାହିତ୍ୟର ଏକ ଅଜ୍ଞାତ ଅଧ୍ୟାୟ-ଚକ୍ରଧର ମହାପାତ୍ର ।

୧୫.

ଦୋଳିଗୀତ-ପ.ଗୀ.ସଂ. (ପ୍ରଥମ ଭାଗ) - ପୃଷ୍ଠା ୧୭୧ ।

୧୬.

ତତ୍ରୈବ, ପୃଷ୍ଠା-୧୭୧ ।

୧୭.

ଭାରତୀୟ ସାମାଜିକ ବ୍ୟବସ୍ଥା ଓ ସାମାଜିକ ଅନୁଷ୍ଠାନ- ଗିରିଶ ଚନ୍ଦ୍ର ରାୟ, ପୃଷ୍ଠା-୧୦୨-

୧୮.

ସାରଳା ମହାଭାରତ-ଆଦିପର୍ବ (ଶାନ୍ତନୁ ବିବାହ ପ୍ରସଙ୍ଗ)

୧୯.

ସାରଳା ମହାଭାରତରେ ସାମାଜିକ ଜୀବନ- ଡଃ ଦୀନବନ୍ଧୁ ରଥ, ପୃଷ୍ଠା ୨୫ ।

୨୦.

ତତ୍ରୈବ, ପୃଷ୍ଠା-୨୫ ।

୨୧.

ହରିବଂଶ - ଅଚ୍ୟୁତାନନ୍ଦ ଦାସ, ପୃଷ୍ଠା-୯୯୧ ।

୨୨.

Women from Vedic to Modern Period-A study of women of Bengal-Page-167।

୨୩.

ପ୍ରେମ ସୁଧାନିଧି-ଉପେନ୍ଦ୍ର ଭଞ୍ଜ ।

୨୪.

ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା-୧୨ ।

୨୫.

ସାରଳା ମହାଭାରତ (ଆଦି ପର୍ବ) ପୃଷ୍ଠା-୩୬ ।

୨୬.

ପରାଶର ସଂହିତା - ୬/୭-୮ ।

୨୭.

କାନ୍ଦଣା - ପ.ଗୀ.ସଂ. (ପ୍ରଥମ ଭାଗ) ପୃଷ୍ଠା - ୬୭ ।

୨୮.

ତତ୍ରୈବ, ପୃଷ୍ଠା-୯୬ ।

୨୯.

ପ.ଗୀ.ସଂ. (ତୃତୀୟ ଭାଗ) ପୃଷ୍ଠା - ୩୧୮ ।

୩୦.

ଭ.ଗା.ଗୀ - ଚକ୍ରଧର ମହାପାତ୍ର, ପୃଷ୍ଠା - ୫୮ ।

୩୧.

ପ୍ରବଚନ ଓ ପ୍ରବାଦ ସଂଗ୍ରହ - ସର୍ବେଶ୍ୱର ଦାସ, ପୃଷ୍ଠା - ୨୨୫ ।

୩୨.

ତତ୍ରୈବ, ପୃଷ୍ଠା - ୨୨୫ ।

୩୩.

କଳସା ଚଉତିଶା - ବତ୍ସାଦାସ, ଚଉତିଶା ସଞ୍ଚୟନ (ଦ୍ୱିତୀୟ ଭାଗ), ପୃଷ୍ଠା - ୨୬୨-୨୬୬ ।

୩୪.

ମାଧ ମହାନ୍ତିଙ୍କ କନ୍ୟାସୁନା - ଗଳ୍ପସ୍ୱଳ୍ପ (ଦ୍ୱିତୀୟ) ପୃଷ୍ଠା - ୫୩୨ ।

୩୫.

ବିରେଇ ବିଶାଳ - ତତ୍ରୈବ (ପ୍ରଥମ ଭାଗ), ପୃଷ୍ଠା-୫୮୭ ।

୩୬.

ସଂସାର ଚିତ୍ର - ଭିକାରୀ ଚରଣ ।

୩୭.

ବୁଢ଼ାବର - ରାମଶଙ୍କର ରାୟ ।

୩୮.

ଜେମାଦେଈ - ନନ୍ଦ କିଶୋର ବଳ, ନନ୍ଦ, କିଶୋର ଗ୍ରନ୍ଥାବଳୀ, ପୃଷ୍ଠା-୧୬୦ ।

୩୯.

ଲୋକଗଳ୍ପ ସଂଚୟନ - ପୃଷ୍ଠା -୨୧୪-୨୨୧ ।

୪୦.

ତତ୍ରୈବ, ପୃଷ୍ଠା - ୨୦୬-୨୧୩ ।

୪୧.

ତତ୍ରୈବ, ପୃଷ୍ଠା - ୧୯୨-୨୦୫ ।

୪୨.

ତତ୍ରୈବ, ପୃଷ୍ଠା-୩୨୪-୩୩୨ ।

୪୩.

ତତ୍ରୈବ, ପୃଷ୍ଠା - ୬୩ ।

୪୪.

ସାରଳା ମହାଭାରତ (ଆଦିପର୍ବ), ପୃଷ୍ଠା-୧୮୨-୧୮୫ ।

୪୫.

ଲାବଣ୍ୟବତୀ - ଉପେନ୍ଦ୍ର ଭଞ୍ଜ ।

୪୬.

ଢ଼ଗଢ଼ମାଳି - ପ.ଗୀ.ସଂ. (ଦ୍ୱିତୀୟ ଭାଗ,) ପୃଷ୍ଠା - ୩୮୯ ।

୪୭.

ପାଣିକା ଯେ ନଯା ନୁନୀ - ପ.ଗୀ.ସଂ. (ପ୍ରଥମ ଭାଗ), ପୃଷ୍ଠା - ୫୨୯ ।

୪୮.

The gazetteer of Sambalpur - Page - 125 ।

୪୯.

ସାରଳା ମହାଭାରତ (ଆଦିପର୍ବ), ପୃଷ୍ଠା - ୧୧୭ ।

୫୦.

କୁହୁକ କରାଟ - ଲୋ. ଗ.ସଂ.-ପୃଷ୍ଠା - ୫୭୭ ।

୫୧.

ପ୍ରବାଦ ଓ ପ୍ରବଚନ ସଂଗ୍ରହ – ସର୍ବେଶ୍ଵର ଦାସ, ପୃଷ୍ଠା - ୩୬ ।

୫୨.

ହଳିଆ ଗୀତ - ପ.ଗୀ.ସଂ. (ପ୍ରଥମ ଭାଗ), ପୃଷ୍ଠା - ୩୦୬ ।

 

***

 

ସହାୟକ ଗ୍ରନ୍ଥ ସୂଚୀ :

  • ଉତ୍କଳ ଗାଉଁଲି ଗୀତ : ଚକ୍ରଧର ମହାପାତ୍ର, ୧୯୫୯ ।
  • ଓଡ଼ିଆଣୀର ଦିନଚର୍ଯ୍ୟା : ସୀମାଞ୍ଚଳ ପ୍ରଧାନ, ଏମ୍‌.ଫିଲ. ନିବନ୍ଧ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ୧୯୮୫ ।
  • ଓଡ଼ିଶା ସାହିତ୍ୟର ଏକ ଅଜ୍ଞାତ ଅଧ୍ୟାୟ : ଚକ୍ରଧର ମହାପାତ୍ର ।
  • ଗଳ୍ପ ସ୍ୱଳ୍ପ ପ୍ରଥମ : ଫକୀର ମୋହନ ସେନାପତି, ୧୯୭୨ ।
  • ଗଳ୍ପ ସ୍ୱଳ୍ପ ଦ୍ୱିତୀୟ : ଫକୀର ମୋହନ ସେନାପତି, ୧୯୭୨ ।
  • ଚଉତିଶା ସଞ୍ଚୟନ (ଦ୍ୱିତୀୟ ଭାଗ) ଓଡ଼ିଶା ସାହିତ୍ୟ ଏକାଡେମୀ ।
  • ନନ୍ଦକିଶୋର ଗ୍ରନ୍ଥାବଳୀ, ୧୯୬୨
  • ପଲ୍ଲୀଗୀତି ସଞ୍ଚୟନ (ପ୍ରଥମ ଭାଗ), ଡକ୍ଟର କୁଞ୍ଜବିହାରୀ ଦାଶ, ୧୯୫୯ ।
  • ପଲ୍ଲୀଗୀତି ସଂଚୟନ (ଦ୍ୱିତୀୟ ଭାଗ), ଡଃ କୁଞ୍ଜବିହାରୀ ଦାଶ, ୧୯୫୯ ।
  • ପଲ୍ଲୀଗୀତି ସଞ୍ଚୟନ (ତୃତୀୟ ଭାଗ), ଡକ୍ଟର କୁଞ୍ଜବିହାରୀ ଦାଶ, ୧୯୭୪ ।
  • ପରାଶର ସଂହିତା :
  • ପ୍ରବଚନ ଓ ପ୍ରବାଦ ସଂଗ୍ରହ - ସର୍ବେଶ୍ୱର ଦାସ, ୧୯୬୧ ।
  • ପ୍ରେମ ସୁଧାନିଧି - ଉପେନ୍ଦ୍ର ଭଞ୍ଜ, ୧୯୭୧ ।
  • ବୁଢ଼ାବର - ରାମ ଶଙ୍କର ରାୟ ।
  • ଭାରତୀୟ ସାମାଜିକ ବ୍ୟବସ୍ଥା ଓ ସାମାଜିକ ଅନୁଷ୍ଠାନ - ଗିରିଶଚନ୍ଦ୍ର ରାୟ (ଓ.ସା.ଏ)
  • ମନୁସ୍ମୃତି (ତୃତୀୟ)
  • ସଂସାର ଚିତ୍ର - ଭିକାରୀ ଚରଣ, ୧୯୧୫
  • ସମ୍ୱଲପୁରୀ ଲୋକ ସାହିତ୍ୟ - କୁମାର ହସନ୍‌, ୧୯୮୩
  • ସାରଳା ମହାଭାରତ (ଆଦିପର୍ବ)
  • ସାରଳା ମହାଭାରତରେ ସାମାଜିକ ଜୀବନ - ଡଃ ଦୀନବନ୍ଧୁ ରଥ । ୧୯୭୪
  • ହରିବଂଶ - ଅଚ୍ୟୁତାନନ୍ଦ ଦାସ ।
  • ଲାବଣ୍ୟବତୀ - ଉପେନ୍ଦ୍ର ଭଞ୍ଜ, ୧୯୬୯ ।
  • ଲୋକଗଳ୍ପ ସଂଚୟନ - ଡକ୍ଟର କୁଞ୍ଜବିହାରୀ ଦାଶ, ୧୯୬୪ ।
  • A Study of Women of Bengal - Sankarsne Gupta, 1970
  • Gazetteer of Sambalpur Govt. of Orissa
  • India as known to Panini - V.S. Agrawala - 1953
  • Society in India - J.L. Kachroo & Vijayachroo

 

***